ତେଲେଙ୍ଗାନା ଏନ୍‌କାଉଣ୍ଟର : ମହେଶ ଭଗଓ୍ବତଙ୍କ ନେତୃତ୍ବରେ ଗଠିତ ହେଲା ଏସ୍‌ଆଇଟି

ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସୋମବାର ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏସ୍‌ଆଇଟି ଗଠନ କରାଯାଇଛି । ରାଚାକୋଣ୍ଡା କମିଶନରେଟ୍‌ ପୋଲିସ୍‌ର କମିଶନର ମହେଶ ଭଗଓ୍ବତଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ଅନ୍ୟ 7 ଜଣ ସଦସ୍ୟ ରହିଛନ୍ତି । ତେଲେଙ୍ଗାନା ହେଇକୋର୍ଟରେ ଆଜିଠାରୁ ଏହି ମାମଲାର ଶୁଣାଣି ହେଉଥିବା ବେଳେ ସୁପ୍ରିମକୋର୍ଟରେ ଚଳିତ ବୁଧବାର ଠାରୁ ଏହି ମାମଲାର ଶୁଣାଣି ଆରମ୍ଭ ହେବାକୁ ଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟର ଭିଡିଓ ସୁଟିଂ ମେହବୁବନଗର ଜିଲ୍ଲା ଜଜ୍‌ଙ୍କ ନିକଟରେ ଦାଖଲ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟର : ବିଭିନ୍ନ କ୍ରୀଡାବିତଙ୍କ ପ୍ରଶଂସା

ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟରକୁ ବିଭିନ୍ନ କ୍ରୀଡାବିତଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଶୁକ୍ରବାର ସକାଳୁ ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ ଏନ୍‌କାଉଣ୍ଟରରେ 4 ଦୁଷ୍କର୍ମକାରୀଙ୍କ ଏନ୍‌କାଉଣ୍ଟର କରାଯାଇଥିଲା । ଫୋଗତ ଭଗିନୀଙ୍କ ସହିତ ସାଇନା ନେହ୍ବାଲ, ଯୋଗେଶ୍ବର ଦତ୍ତ ଏବଂ ହରଭଜନ ସିଂ ତେଲେଙ୍ଗାନା ପୋଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ହାଇଦ୍ରାବାଦ ପୋଲିସର କାର୍ଯ୍ୟ ପ୍ରଶଂସନୀୟ ଏବଂ ଏପରି ବୀରତ୍ବ ପାଇଁ ସେମାନଙ୍କୁ ପ୍ରଣାମ ବୋଲି ଟ୍ବିଟ୍‌ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ।

ହାଇଦ୍ରାବାଦ ଗଣଦୁଷ୍କର୍ମ ପୀଡିତାଙ୍କ ଉଦ୍ଦେଶ୍ୟରେ ଏବିଭିପି ବ୍ରହ୍ମପୁରର କ୍ୟାଣ୍ଡେଲ ଶୋଭାଯାତ୍ରା

ହାଇଦ୍ରାବାଦରେ କାର୍ଯ୍ୟରତ ମହିଳା ଡାକ୍ତର ଗଣଦୁଷ୍କର୍ମ ଏବଂ ହତ୍ୟା ବିରୋଧରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି । ଏପରି ପାଶବିକ ଘଟଣାର ଦୃଢ ନିନ୍ଦା କରାଯିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏହି ଶୋଭାଯାତ୍ରାରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ଲକ୍ଷ୍ମୀ ପ୍ରିୟା ବେହେରା, ବିଭୁପ୍ରିୟ ସାହୁ, ସସ୍ମିତା ବେହେରା, ଆଶୁତୋଷ ସାହୁ, ନିରାକାର, ପ୍ରିୟରଞ୍ଜନ ମଲ୍ଲିକ, ଚିନ୍ମୟାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।