ନିର୍ବାଚନ ଆଚରଣ ବିଧି  ଉଲ୍ଲଂଘନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ

ବିହାର ବକ୍ସରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଏହି ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ଏକ ରାଲି କରୁଥିଲେ ଯାହାକି ବିନା ଅନୁମତିରେ ହୋଇଥିବା ଜଣାପଡ଼ିଛି। ପ୍ରଚାର ପାଇଁ ସମୟ ସରିଯାଇଥିବାବେଳେ ରାଲିରେ ସାମିଲ ଥିବା ବାଇକ ପାଇଁ ମଧ୍ୟ ଆବଶ୍ୟକ ଅନୁମତି ନିଆଯାଇନଥିଲା। ଏହାପରେ ସବ ଡ଼ିଭିଜନାଲ ମାଜିଷ୍ଟ୍ରେଟ ତଥା ନିର୍ବାଚନ ଅଧିକାରୀ କେକେ ଉପାଧ୍ୟାୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ବେଳେ ଅଟକାଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଜଣଙ୍କ ନିର୍ବାଚନ ଅଧିକାରୀ ଜଣଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନ ଅଧିକାରୀ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ।

ଆମେରିକା-ମେକ୍ସିକୋ ସୀମା ବନ୍ଦ କରିବାକୁ ଟ୍ରମ୍ପଙ୍କ ଧମକ

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-ମେକ୍ସିକୋ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ ତରଫରୁ ଅନୁପ୍ରବେଶକାରୀଙ୍କୁ ରୋକିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଆମେରିକା ଏହି ପ୍ରବେଶ ପଥ ବନ୍ଦ କରିବ। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଟ୍ରମ୍ପ ନିଜର ମନୋଭାବ ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ଏହି ଧମକ ପରେ ମେକ୍ସିକୋ ପକ୍ଷରୁ ମଧ୍ୟ ସମାନ ଧମକ ମିଳିଛି। ମେକ୍ସିକୋ ବୈଦେଶିକ ବ୍ୟାପାର ସଚିବ ମାର୍ସେଲୋ ଏବ୍ରାଡ୍‌ କହିଛନ୍ତି, କୌଣସି ରାଷ୍ଟ୍ରର ଚାପରେ ମେକ୍ସିକୋ କାର୍ଯ୍ୟ କରିନଥାଏ ବୋଲି ଟ୍ରମ୍ପ ମନେ ରଖିବା ଉଚିତ୍‌।