ପ୍ରଥମ ଥର ପାଇଁ ହୋଲିରେ ବିଚାର କରିବ ସର୍ବୋଚ୍ଚ କୋର୍ଟ

ଦେଶରେ ପ୍ରଥମ ଥର ପାଇଁ ହୋଲିରେ ବିଚାର କରିବା ପାଇଁ ଯାଉଛନ୍ତି ସର୍ବୋଚ୍ଚ କୋର୍ଟ । ହୋଲି ସମୟରେ ସୁପ୍ରିମକୋର୍ଟ 7 ଦିନ ପାଇଁ ଛୁଟି ରହିଥାଏ । ମାତ୍ର ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକ ଭ୍ୟାକେସନ୍‌ ବେଞ୍ଚ ଗଠନ କରାଯାଇ ବିଚାର ପ୍ରକ୍ରିୟା ଜାରି ରଖାଯିବ । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏହି ବେଞ୍ଚ ସମ୍ପର୍କରେ ଗୁରୁବାର ଘୋଷଣା କରିଛନ୍ତି । କେବଳ ହୋଲି ଦିନକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଦିନ ଭ୍ୟାକେସନ୍‌ ବେଞ୍ଚ କାର୍ଯ୍ୟ କରିବ ବୋଲି ବୋବଡେ ସୂଚନା ଦେଇଛନ୍ତି ।

ସିଏଏ ବିରୋଧରେ ଯାଚିକା ଦାଖଲ କଲେ ଜାତିସଂଘ ମାନବାଧିକାର ସେଲ୍‌ ମୁଖ୍ୟ

ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ମିଳିତ ଜାତିସଂଘ ପକ୍ଷରୁ ବର୍ତ୍ତମାନ ଏହି ମାମଲାରେ ହସ୍ତକ୍ଷେପ କରାଯାଇଛି । ମଙ୍ଗଳବାର ସୁପ୍ରିମକୋର୍ଟରେ ମିଳିତ ଜାତିସଂଘର ମାନବାଧିକାର କମିଶନଙ୍କ ପକ୍ଷରୁ ଏକ ଯାଚିକା ଦାଖଲ କରାଯାଇଛି । ଜେନେଭାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଜରିଆରେ ମାନବାଧିକାର ସେଲ୍‌ ଉଚ୍ଚାୟୁକ୍ତ ମାଇକେଲ୍‌ ବାଲେଟ୍‌ଙ୍କ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଛି । ଏହା ଭାରତର ଅନ୍ତରୀଣ ମାମଲା ଏବଂ କୌଣସି ବୈଦେଶିକ ଶକ୍ତି ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ବୈଦେଶିକ ମୁଖପାତ୍ର ରବୀଶ କୁମାର ମତ ରଖିଛନ୍ତି ।

ସ୍ବାଇନ୍‌ ଫ୍ଲୁରେ ପୀଡିତ 6 ସୁପ୍ରିମକୋର୍ଟ ବିଚାରପତି

ସ୍ବାଇନ୍‌ ଫ୍ଲୁରେ ପୀଡିତ ହୋଇଛନ୍ତି ସୁପ୍ରିମକୋର୍ଟର 6 ବିଚାରପତି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ସ୍ବାଇନ୍‌ ଫ୍ଲୁରେ ପୀଡିତ ହୋଇ 6 ଜଣ ବିଚାରପତି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି । ଏହି ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ସହିତ ଏକ ବୈଠକ କରିଛନ୍ତି । ମଙ୍ଗଳବାର ଅନ୍ୟତମ ବରିଷ୍ଠ ବିଚାରପତି ସଞ୍ଜୀବ ଖନ୍ନା ମାସ୍କ ପିନ୍ଧି କୋର୍ଟ ଆସିଥିଲେ । ଅପର ପକ୍ଷରେ କୋର୍ଟରେ ସ୍ବାଇନ୍‌ ଫ୍ଲୁର ଟୀକା ମହଜୁଦ ରଖିବା ପାଇଁ ସର୍ବୋଚ୍ଚ କୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ଶାହିନବାଗ ପ୍ରତିବାଦକାରୀ ସର୍ବଦା ରାସ୍ତା ବନ୍ଦ କରିପାରିବେ ନାହିଁ : ସୁପ୍ରିମ୍‌କୋର୍ଟ

ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଏହା ଉପରେ କୌଣସି ରାୟ ଦେଇନଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ସମାଲୋଚନା କରିଛନ୍ତି । ଆନ୍ଦୋଳନ ନାମରେ କୌଣସି ରାସ୍ତାକୁ ଆପଣ ସର୍ବଦା ବନ୍ଦ କରିବେ ନାହିଁ । ଶାହିନ୍‌ବାଗ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ସର୍ବସାଧାରଣ ଯାଚିକା ଉପରେ ବିଚାର କରି ଦୁଇ ଜଣିଆ ଖଣ୍ଡପୀଠ ଏହା କହିଛନ୍ତି । ଅପର ପକ୍ଷର ଉତ୍ତର ଶୁଣିବା ପରେ ଆସନ୍ତା 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡିଛି ।

ନିର୍ଭୟା ଦୁଷ୍କର୍ମ ମାମଲା : ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବ

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଛି । ଶନିବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ଜଷ୍ଟିସ୍‌ ସୁରେଶ କୁମାର କେତ୍‌ ଏହି ମାମଲାର ବିଚାର କରିଛନ୍ତି । ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବା ପରେ ଜଣେ ବ୍ୟକ୍ତିଙ୍କୁ ରଖିବା ଅମାନବିକ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତିଙ୍କ ନିକଟରେ ଯୁକ୍ତି ରଖିଥିଲେ । ମୁକେଶର ଫାଶୀ ପାଇବା ରାସ୍ତା ପ୍ରଶସ୍ତ ହୋଇଥିବା ବେଳେ ପଓ୍ବନ୍‌ ପକ୍ଷରୁ ରାଜକ୍ଷମା କିମ୍ବା କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇନାହିଁ ।

ନିର୍ଭୟା ଗଣଦୁଷ୍କର୍ମ ମାମଲା : ଅକ୍ଷୟର କ୍ୟୁରେଟିଭ ପିଟିସନ୍‌ ଖାରଜ

ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଅକ୍ଷୟ କୁମାର ସିଂର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ସିଂ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍‌କୁ ଗୁରୁବାର ଖାରଜ କକରି ଦିଆଯାଇଛି । ସେହିପରି ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ନିମନ୍ତେ ଏପି ସିଂଙ୍କ ପକ୍ଷରୁ ପଟିଆଲା ହାଉସ କୋର୍ଟରେ ଦାଖଲ କରାଯାଇଥିବା ଯାଚିକାର ବିଚାର ଚାଲିଥିବା ବେଳେ କୋର୍ଟଙ୍କ ପକ୍ଷରୁ ଏହି ରାୟ ପ୍ରକାଶ ପାଇଛି । ପୂର୍ବରୁ ବୁଧବାର ଦିନ ଅନ୍ୟତମ ଅଭିଯୁକ୍ତ ବିନୟ କୁମାର ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ଦୟା ଯାଚିକା ଦାଖଲ କରିଛି ।

ଜେଲ୍‌ରେ ଯୌନ ନିର୍ଯାତନା ନେଇ ମୁକେଶର ଅଭିଯୋଗ

ତିହାର ଜେଲ୍‌ରେ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ସିଂ ଅଭିଯୋଗ କରିଛି । 2012 ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଛି । 2013ରୁ ତିହାର ଜେଲରେ ବନ୍ଦୀ ରହିଥିବା ମୁକେଶ ସହିତ ନିୟମିତ ଭାବରେ ଏପରି କରାଯାଉଥିବା ଅଭିଯୋଗ କରାଯାଇଛି । ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରାଯିବା ସହିତ ନିର୍ଯାତନା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି ।

ଗୁଜରାଟ ଦଙ୍ଗା ମାମଲା : 14 ଜଣଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ଗୁଜରାଟ ଦଙ୍ଗା ମାମଲାରେ 14 ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଜାନୁୟାରୀ 28 ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଗୋଧ୍ରା ଦଙ୍ଗାରେ ସର୍ଦ୍ଦାରପୁରାରେ ଏହି ଅଭିଯୁକ୍ତ ମାନେ 33 ଜଣ ମୁସଲିମ୍‌ଙ୍କୁ ଜୀଅନ୍ତା ଜଳାଇ ଦେଇଥିଲେ । ଦୁଇଟି ପର୍ଯ୍ୟାୟରେ ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯିବ । ପ୍ରଥମ ପର୍ଯ୍ୟାୟରେ ଇନ୍ଦୋରରୁ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜବଲପୁରରୁ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯିବ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯାଇଥିବା ବେଳେ ସମାଜସେବା ଏବଂ ଧାର୍ମିକ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏନ୍‌ପିଆର ଉପରେ ରୋକ୍‌ ଯାଚିକାକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ସିଏଏ ଏବଂ ଏନ୍‌ପିଆର ବିରୋଧରେ ଆଗତ ଯାଚିକାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରିବା ସହିତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବାକୁ ସର୍ବୋଚ୍ଚ କୋର୍ଟ ମନା କରିଛନ୍ତି । ସରକାରଙ୍କ ଯୁକ୍ତି ନ ଶୁଣି କୋର୍ଟ ରୋକ୍‌ ଲଗାଇ ପାରିବେ ନାହିଁ ବୋଲି କୁହାଯାଇଛି । ବିଭିନ୍ନ ଛାତ୍ର ସଙ୍ଗଠନ, କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ରାଜନେତାଙ୍କ ପକ୍ଷରୁ ଆଗତ 140ଟି ଯାଚିକା ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ନିର୍ଭୟା ମାମଲା : ପଟିଆଲା ହାଉସ୍‌ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ବଦଳି

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ରହିଥିବା ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ବଦଳି କରାଯାଇଛି ।2012 ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବିଚାରପତି ସତୀଶ କୁମାର ଅରୋରାଙ୍କୁ ସୁପ୍ରିମକୋର୍ଟଙ୍କୁ ବଦଳି କରାଯାଇଛି । ଆସନ୍ତା ଏକ ବର୍ଷ ପାଇଁ ଅରୋରାଙ୍କୁ ଡେପୁଟେସନରେ ସର୍ବୋଚ୍ଚ କୋର୍ଟକୁ ପଠାଯାଇଛି । ଦିଲ୍ଲୀ ହାଇକୋର୍ଟରୁ ପଟିଆଲା ହାଉସ୍‌ କୋର୍ଟକୁ ପ୍ରଦାନ କରାଯାଇଥିବା ଚିଠିରେ ସେସନ୍ସ କୋର୍ଟ ବିଚାରପତି ଅରୋରାଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ଭୟା ମାମଲା : ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ପଓ୍ବନ୍‌ କୁମାର

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ 22 ତାରିଖରେ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିବା ବେଳେ ଏହାକୁ ନେଇ ନାଟକର ଅବସାନ ଘଟୁନାହିଁ । ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ ହେବା ପରେ ନାଟକୀୟ ଭାବରେ ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାର ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । 2012 ମସିହାରେ ଦୁଷ୍କର୍ମ ସମୟରେ ସେ ନାବାଳକ ରହିଥିବା ନେଇ ପଓ୍ବନ୍‌ କୁମାର ଅଭିଯୋଗ କରିଛନ୍ତି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପଓ୍ବନ୍‌ଙ୍କ ସମାନ ଆବେଦନକୁ ଖାରଜ କରି ଦେଇଥିଲେ ।

ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ ଏକ ସୁରକ୍ଷା ପଦକ୍ଷେପ : ସୁପ୍ରିମକୋର୍ଟ

ଜମ୍ମୁ କାଶ୍ମୀରରେ ଟେଲିଫୋନ୍‌ ଏବଂ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବାକୁ ନେଇ ଦାଖଲ କରାଯାଇଥିବା ଯାଚିକା ଉପରେ ସର୍ବୋଚ୍ଚ କୋର୍ଟ ଶୁଣାଣି କରିଛନ୍ତି । ଅଗଷ୍ଟ 5ରେ ଧାରା 370 ଉଚ୍ଛେଦ ପରଠାରୁ କାଶ୍ମୀରରେ ଫୋନ୍‌ ଏବଂ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଇଣ୍ଟରନେଟ୍‌ ସେବା ସାଧାରଣ ଜନତାଙ୍କ ମୌଳିକ ଅଧିକାର ମାତ୍ର କାଶ୍ମୀରରେ ହିଂସା ରୋକିବା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । କାଶ୍ମୀରରେ ଅତୀତରେ ଅନେକ ହିଂସାକାଣ୍ଡ ଘଟିଛି । ଏପରି ପରସ୍ଥିତି ଏଡାଇବା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି ବୋଲିୁ ଜଷ୍ଟିସ ଜେ ରମନା ପ୍ରକାଶ କରିଛନ୍ତି ।

ସିଏଏର ତ୍ବରିତ ଶୁଣାଣି ଯାଚିକାକୁ ସର୍ବୋଚ୍ଚ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ଯାଚିକା ଉପରେ ତୁରନ୍ତ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଓକିଲ ବୀନିତ ଧାଣ୍ଡାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ତ୍ବରିତ ବିଚାର ପାଇଁ ମନା କରି ଦେଇଛନ୍ତି । ବୋବଡେଙ୍କ ବ୍ୟତୀତ ଜଷ୍ଟିସ୍‌ ବି ଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତ ଏହି ଖଣ୍ଡପୀଠରେ ରହିଥିଲେ ।

ଶ୍ରୀମନ୍ଦିର ସଂସ୍କାର ରିପୋର୍ଟକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା : ଚାରି ସପ୍ତାହ ପରେ ପୁନର୍ବାର ଶୁଣାଣି

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂସ୍କାର ସମ୍ବଳିତ ଶ୍ରୀମନ୍ଦିର ପ୍ରଶାସନର ରିପୋର୍ଟ ଉପରେ ସର୍ବୋଚ୍ଚ କୋର୍ଟ ଆପତ୍ତି ଉଠାଇଥିଲେ । ଚାରି ସପ୍ତାହ ପରେ ପୁନର୍ବାର ଏହି ମାମଲାର ଶୁଣାଣି ହେବାକୁ ଯାଉଥିବା ବେଳେ 2 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରେ କିଛି ସୂଚନା କମ୍‌ ରହିଛି ବୋଲି ଆମିକସ କ୍ୟୁରୀ ରଞ୍ଜିତ କୁମାର ମତ ଦେଇଛନ୍ତି ।

ନିର୍ଭୟା ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କ ପୁନର୍ବିଚାର ଯାଚିକାକୁ ଖାରଜ କଲେ ସର୍ବୋଚ୍ଚ କୋର୍ଟ

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଅକ୍ଷୟ ସିଂର ପୁନର୍ବିଚାର ଯାଚିକାକୁ ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ୍‌ ଆର ଭାନୁମତୀ, ଅଶୋକ ଭୂଷଣ ଏବଂ ଏ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଯାଚିକାକୁ ଖାରଜ କରିବା ସହିତ ଖଣ୍ଡପୀଠ ମାମଲାର ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି । ଫଳସ୍ବରୂପ ଖୁବ୍‌ ଶୀଘ୍ର ନିର୍ଭୟା କାଣ୍ଡର ଦୋଷୀଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ନାଗରିକ ସଂଶୋଧନ ଆଇନକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଜବାବତଲବ

ନାଗରିକ ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଠାର ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଏହି ଆଇନ ବିରୋଧରେ ଆଗତ 48ଟି ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ଆଇନ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ବି ଆର ଗଭାଇ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ ।

ହିଂସାତ୍ମକ ଆନ୍ଦୋଳନରୁ ନିବୃତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ ଭାରତ ସମଗ୍ର ଦେଶରେ ହିଂସା ଦେଖିବାକୁ ମିଳିଛି । ଦିଲ୍ଲୀ ଜାମିଆ ଇଲମିଆ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଏହି ଆଇନ ବିରୋଧରେ ହିଂସା ପ୍ରଦର୍ଶନ କରିଛନ୍ତି । ଏହି ମାମଲାର ତତ୍କାଳ ଶୁଣାଣୀ ପାଇଁ ଆବେଦନ କରିଥିବା ବେଳେ ଛାତ୍ରଛାତ୍ରୀ ହିଂସାରୁ ନିବୃତ ରହିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିବେଦନ କରାଯାଇଛି । ଆସନ୍ତା 18 ତାରିଖରେ ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି ପାଇଁ ସ୍ଥିର କରିଛନ୍ତି ।

ଆଇଏନଏକ୍ସ ମିଡିଆ ମାମଲା : ଆଜି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି

ଆଇଏନଏକ୍ସ ମିଡିଆ ମାମଲାରେ ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ମାମଲାର ଆଜି ଶୁଣାଣି ହେବାକୁ ଯାଉଛି । ଆଇଏନଏକ୍ସ ମିଡିଆ ମାମଲାରେ ଇଡି ପକ୍ଷରୁ ଦାୟର କରାଯାଇଥିବା ମାମଲାର ଆଜି ଜାମିନ ଆବେଦନର ଶୁଣାଣି ହେବ । ସକାଳ 10.30ରେ ଜଷ୍ଟିସ୍‌ ଆର ଭାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଖଣ୍ଡପୀଠ ନଭେମ୍ବର 15ରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ପ୍ରକାଶ ପାଇବ ।

ଚାରା ଦୁର୍ନୀତି ମାମଲା : ଲାଲୁଙ୍କ ଜାମିନ ଆବେଦନ ଖାରଜ

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ଚାରା ଦୁର୍ନୀତି ମାମଲା ନେଇ ଜେଲ୍‌ରେ ବନ୍ଦୀ ଥିବା ଲାଲୁ ଗତକାଲି ସର୍ବୋଚ୍ଚ କୋର୍ଟରେ ଜାମିନ ଆବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ଆଜି ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଲାଲୁଙ୍କ ମାମଲାକୁ ବରିଷ୍ଠ ଓକିଲ କପିଲ ଶିବଲ ଲଢୁଥିବା ବେଳେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ବିଚାର କରିଥିଲେ। ଗତକାଲି ଲାଲୁଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ବେଳେ ସିବିଆଇ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।

ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା : ରାଫାଲେ ଚୁକ୍ତିର ପୁର୍ନବିଚାର ହେବ

କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ରାଫାଲେ ବିମାନ ମାମଲାରେ ଆଗତ ପିଟିସନ୍‌ର ବିଚାର କରି ସର୍ବୋଚ୍ଚ କୋର୍ଟ ମାମଲାର ପୁର୍ନବିଚାର ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଶାନ୍ତ ଭୂଷଣ, ଅରୁଣ ସୌରୀ ଏବଂ ୟଶଓ୍ବନ୍ତ ସିହ୍ନାଙ୍କ ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ କେ କୌଲ୍‌ ଏବଂ କେଏମ୍‌ ଯୋଶେଫ୍‌ଙ୍କ ନେତୃତ୍ବରେ ଗଠିତ ଖଣ୍‌ଡପୀଠ ଏହି ମାମଲାର ବିଚାର କରିଥିଲେ। ବର୍ତ୍ତମାନ ସର୍ବାେଚ୍ଚ କୋର୍ଟ କେବଳ ବିମାନର ଦର ନୁହେଁ ବରଂ ଅନୀଲ ଅମ୍ବାନୀଙ୍କ କମ୍ପାନୀ ଦାସଲ୍ଟର ନିଯୁକ୍ତି ନେଇ ମଧ୍ୟ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି।

ଲାଲୁଙ୍କ ଜାମିନ ଆବେଦନ ବିରୋଧରେ ସୁପ୍ରିମ୍‌କୋର୍ଟରେ ସିବିଆଇ

ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ବିରୋଧ କରିଛି ସିବିଆଇ। ଚାରା ଘୋଟାଲା ମାମଲାରେ ଅଭିଯୁକ୍ତ ହୋଇ ଜେଲ୍‌ରେ ରହିଥିବା ଲାଲୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ଜାମିନ ଆବେଦନ କରିଛନ୍ତି। ଆରଜେଡିର ମୁଖ୍ୟ ଭାବରେ ସେ ନିର୍ବାଚନରେ ଉପସ୍ଥିତ ରହିବା ନିତାନ୍ତ ଆବଶ୍ୟକ ବୋଲି ସର୍ବୋଚ୍ଚ କୋର୍ଟକୁ ଅନୁରୋଧ କରିଛନ୍ତି। ସିବିଆଇ ପ୍ରସାଦଙ୍କ ଜାମିନ ମାମଲାରେ ନିଜର ପକ୍ଷ ରଖି କହିଛି, ଯଦି ଲାଲୁ ଜାମିନରେ ବାହାରକୁ ଯାଆନ୍ତି ତେବେ ରାଜନୈତିକ ପ୍ରସଙ୍ଗରେ ଜଡିତ ହେବା ସହିତ ଜାମିନର ଅନୈତିକ ଫାଇଦା ଉଠାଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି।

ଏସ୍ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା :ସିବିଆଇକୁ ମାମଲା ହସ୍ତାନ୍ତର କଲେ ସୁପ୍ରିମ୍‌କୋର୍ଟ

ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌(ଏସ୍‌ଏସ୍‌ସି) ପ୍ରବେଶିକା ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି ସର୍ବୋଚ୍ଚ କୋର୍ଟ। ୨୦୧୭ରେ ହୋଇଥିବା ଏସଏସ୍‌ସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମଙ୍ଗଳବାର ଦିନ ମାମଲା ସିବିଆଇକୁ ହସ୍ତାନ୍ତର କରିବା ସହିତ ମାମଲାର ଆଗାମୀ ଶୁଣାଣି ଏପ୍ରିଲ୍‌ ୧୧ ତାରିଖରେ ହେବ ବୋଲି କହିଛନ୍ତି। ସର୍ବୋଚ୍ଚ କୋର୍ଟ ଏପ୍ରିଲ୍‌ ୧ରେ ଏସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କୁ ପୁନଃ ପରୀକ୍ଷଣର ଫଳାଫଳ ଘୋଷଣା କରିବା ପାଇଁ ଆଦେଶ ଦେଇଥିଲେ। ମାର୍ଚ୍ଚ ୯, ୨୦୧୮ରେ  ପୁନଃ ପରୀକ୍ଷଣ କରାଯାଇଥିଲା।

ସୁପ୍ରିମ୍‌କୋର୍ଟରେ ଭିଭିପାଟ୍‌ ମାମଲା : ଆସନ୍ତା ୨୫ରେ  ପରବର୍ତ୍ତୀ ଶୁଣାଣି

ନିର୍ବାଚନରେ ଭିଭିପାଟ୍‌ ମେସିନ୍‌ ବ୍ୟବହାର ପ୍ରତିବାଦରେ ଆଗତ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ଏ ସମ୍ପର୍କରେ ଜବାବ ଦାଖଲ କରିବାକୁ ନିର୍ବାଚନ ଆୟୋଗକୁ ନୋଟିସ୍‌ ଜାରି କରିଛନ୍ତି। ଏଥିସହ କୋର୍ଟଙ୍କୁ ସହାୟତା କରିବା ଲାଗି ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ କରାଯିବ। ଭିଭିପାଟ୍‌ ବ୍ୟବହାର ପ୍ରତିବାଦରେ ୨୧ଟି ବିରୋଧୀ ଦଳ ସୁପ୍ରିମ୍‌କୋର୍ଟଙ୍କ ଦାରସ୍ଥ ହୋଇଥିଲା।

୬ ମାସରୁ କମ୍‌ ଚାକିରି କରିଥିବା ଆଇପିଏସ୍‌ ଅଫିସର ହୋଇପାରିବେନି ଡିଜିପି: ସୁପ୍ରିମ୍‌କୋର୍ଟ

ଉଚ୍ଚତମ ନ୍ୟାୟାଳୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ ଏଣିକି ୬ ମାସରୁ କମ୍‌ ଚାକିରି କରିଥିବା ଆଇପିଏସ୍‌ ଅଫିସର ଡିଜିପି ହୋଇପାରିବେନି। ୬ ମାସ ଚାକିରି କରିଥିବା ଆାଇପିଏସ୍‌ ଅଫିସର ଏହି ପଦବୀରେ ନିଯୁକ୍ତ ହୋଇପାରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣୀ କରି ରାୟ ରାଜ୍ୟ ସରକାରଙ୍କୁ ତଥା ୟୁପିଏସ୍‌ସିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ତଥା ବରିଷ୍ଠତା ଭିତ୍ତିରେ ଏକ ପ୍ୟାନେଲ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାର୍ଚ୍ଚ ୨୮ରେ ହେବ ଗରିବ ସର୍ବର୍ଣ୍ଣ ଆରକ୍ଷଣ ମାମଲାର ଶୁଣାଣି

ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ ଗରିବ ସବର୍ଣ୍ଣଙ୍କୁ ଦିଆଯାଉଥିବା ୧୦ ପ୍ରତିଶତ ଆରକ୍ଷଣ ମାମଲାରେ ଦାୟର ହୋଇଥିବା ଯାଚିକା ଉପରେ ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ମାର୍ଚ୍ଚ ୨୮ରେ ଶୁଣାଣି କରାଯିବ। ତେବେ ସରକାର ସମ୍ବିଧାନ ସଂଶୋଧନ କରି ଆର୍ଥିକ ରୂପରେ ପଛୁଆ ବର୍ଗଙ୍କୁ ଆରକ୍ଷଣ ଦେଇଛନ୍ତି। ଯାହାକୁ ଏବେ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି। ମୁଖ୍ୟ ବିଚାରପତି ରଂଜନ ଗୋଗେଇ ଏହି ମାମଲ ସମ୍ବନ୍ଧରେ କହିଛନ୍ତି ଯେ, ଏହି ମାମଲାରେ କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ। ଏହି ମାମଲାକୁ ସାମ୍ବିଧାନିକ ପୀଠକୁ ପଠାଇବାକୁ ନେଇ ଆଗାମୀ ୨୮ ତାରିଖରେ ଶୁଣାଣି କରାଯିବ।

SC stays eviction of 11.8 lakh forest dwellers

The Supreme Court on Thursday stayed its February 13 order directing 21 states to evict nearly 11.8 lakh illegal forest dwellers whose claims were rejected by the authorities. The top court on February 13 had directed for the eviction of thousands of Scheduled Tribes (STs) and other traditional forest dwellers whose claims for forest land rights have been rejected under the Forest Rights Act of 2006.