ଅଗଷ୍ଟ ପରେ ସମ୍ପୂର୍ଣ୍ଣ ଭାବରେ ଖୋଲିବ ସ୍କୁଲ

କରୋନା ଭାଇରସ୍‌ କାରଣରୁ ଦେଶବ୍ୟାପୀ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଅଗଷ୍ଟ ମାସରେ ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ରବିବାର ଏହି ଘୋଷଣା କରିଛନ୍ତି । ଅଗଷ୍ଟ ମାସ ପରେ ସ୍କୁଲ ଏବଂ କଲେଜ ଗୁଡିକ ସମ୍ପୂର୍ଣ୍ଣ ଭାବରେ ଖୋଲିବାକୁ ଯାଉଛି । ଜୁଲାଇ ପରଠାରୁ 33 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଆରମ୍ଭ ହେବାକୁ ଯାଉଛି । ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲକୁ ଆସିବା ଉପରେ କଟକଣା ଜାରି କରାଯାଇଛି ।

ଜୁଲାଇକୁ ଘୁଞ୍ଚିଲା ଜେଇଇ ଏବଂ ନିଟ୍‌ ପରୀକ୍ଷା

ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଜେଇଇ ଏବଂ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି । ଜେଇଇର ମେନ୍‌ସ ପରୀକ୍ଷା ଜୁଲାଇ18-23 ମଧ୍ୟରେ ହେବାକୁ ଥିବା ବେଳେ ଜେଇଇର ଆଡଭାନ୍ସଡ୍‌ ପ୍ରବେଶିକା ପରୀକ୍ଷା ଅଗଷ୍ଟ ମାସରେ ଅନୁଷ୍ଠିତ ହେବ । ସେହିପରି ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌କୁ ଜୁଲାଇ 26କୁ ଘୁଞ୍ଚାଇ ଦିଆଯାଇଛି । ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଙ୍ଗଳବାର ଏହି ସୂଚନା ପ୍ରଦାନ କରିଛନ୍ତି ।