ପିଏସ୍‌ୟୁର ଘରୋଇକରଣ ପ୍ରସ୍ତାବ : ସର୍ବଦଳୀୟ ବୈଠକ ପାଇଁ ମମତାଙ୍କ ଦାବି

ପିଏସ୍‌ୟୁର ଘରୋଇକରଣ ନିଷ୍ପତ୍ତିକୁ ବିଭିନ୍ନ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବଦଳୀୟ ବୈଠକର ଦାବି କରିଛନ୍ତି । ଗୁରୁବାର ମମତା କହିଛନ୍ତି କୌଣସି ନିଷ୍ପତ୍ତି ପୂର୍ବରୁ ମୋଦି ସରକାର ବିଶେଷଜ୍ଞଙ୍କ ପରାମର୍ଶ ନେବା ସହିତ ଏକ ସର୍ବଦଳୀୟ ବୈଠକ ଡକାଇବା ଉଚିତ୍‌ ବୋଲି ମମତା କହିଛନ୍ତି । ପିଏସ୍‌ୟୁ ଗୁଡିକର ଘରୋଇକରଣ କରି ବର୍ତ୍ତମାନର ସଙ୍କଟର ମୁକାବିଲା କରିବା ଏକ ଅସ୍ଥାୟୀ ସମାଧାନ । ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ସୁଦୀର୍ଘ ଯୋଜନା ଆବଶ୍ୟକ ବୋଲି ମୁର୍ସିଦାବାଦର ବରହମ୍‌ପୁରରେ ମମତା ପ୍ରକାଶ କରିଛନ୍ତି ।

ଇଲୋକ୍ଟରାଲ ବଣ୍ଡ ପ୍ରତିବାଦରେ ଗୃହତ୍ୟାଗ କଲା କଂଗ୍ରେସ

ଇଲୋକ୍ଟରାଲ ବଣ୍ଡ ଏବଂ ପିଏସ୍‌ୟୁ ଗୁଡିକର ଘରୋଇକରଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଉଭୟ ଘଟଣାକୁ ଦୁର୍ନୀତି ବୋଲି ଅଭିହିତ କରି ସାଂସଦ ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ସାଂସଦଙ୍କ ହଙ୍ଗାମା ଫଳରେ ରାଜ୍ୟସଭାକୁ ମଧ୍ୟାନ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ 15 ମିନିଟ୍‌ ମୁଲତବୀ ରଖାଯାଇଥିଲା । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ।