ଦିଲ୍ଲୀ ହିଂସାକାଣ୍ଡ : ତାହିର ହୁସେନ୍‌ ଏବଂ ପିଏଫ୍‌ଆଇ ବିରୋଧରେ ଇଡିର ମାମଲା ରୁଜୁ

ନୂଆଦିଲ୍ଲୀରେ ଘଟିଥିବା ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ନିଲମ୍ବିତ ଆପ୍‌ ବିଧାୟକ ତାହିର ହୁସେନ୍‌ ଏବଂ ପିଏଫ୍‌ଆଇ ବିରୋଧରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ଅଭିଯୋଗରେ ପୂର୍ବତନ ଆପ୍‌ କାଉନ୍‌ସିଲର ତାହିର ହୁସେନ୍‌ ଜେଲ୍‌ରେ ରହିଥିବା ବେଳେ ପିଏଫ୍‌ଆଇ ବିରୋଧରେ ସିଏଏ ହିଂସାକାଣ୍ଡକୁ ନେଇ ଏକ ମାମଲା ଦାୟର କରାଯାଇଛି । ଦିଲ୍ଲୀ ହିଂସାକାଣ୍ଡ ସହିତ ଅର୍ଥ ହେରଫେର (ପିଏମ୍‌ଏଲ୍‌ଏ) ଧାରା ଅନୁଯାୟୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସିଏଏ ବିରୋଧୀ ଆନ୍ଦୋଳନରେ ସମ୍ପୃକ୍ତିକୁ କପିଲ ଶିବଲଙ୍କ ଅସ୍ବୀକାର

ସୋମବାର ଇଡି ପକ୍ଷରୁ ସିଏଏ ବିରୋଧୀ ଆନ୍ଦୋଳନ ପ୍ରୟୋଜିତ ଥିବା ନେଇ ରିପୋର୍ଟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ନିଜର ସମ୍ପୃକ୍ତିକୁ ଅସ୍ବୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ୍‌ । ଇଡି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ବରିଷ୍ଠ କଂଗ୍ରେସ ନେତା ଶିବଲ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି । ପିଏଫ୍‌ଆଇର ଓକିଲ ରହିଥିବା ଶିବଲ କହିଛନ୍ତି ତାଙ୍କୁ ମିଳିଥିବା ଅର୍ଥ ହାଦିୟା ମାମଲା ପାଇଁ ମିଳିଥିଲା । ଏହା ସହିତ ସିଏଏ ବିରୋଧୀ ଆନ୍ଦୋଳନର କୌଣସି ସମ୍ବନ୍ଧ ନାହିଁ ବୋଲି ଶିବଲ କହିଛନ୍ତି ।

ସିଏଏ ଆନ୍ଦୋଳନରେ ପିଏଫ୍‌ଆଇର ସମ୍ପୃକ୍ତି ନେଇ ଇଡିର ସୂଚନା

ସୋମବାର ଭାରତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୂତନ ତଥ୍ୟ ପ୍ରକାଶ ପାଇଛି । ସିଏଏ ବିରୋଧୀ ଆକ୍ରମଣ ସମୟରେ ପଶ୍ଚିମ ୟୁପିରେ ଅର୍ଥ ଦେଣ ନେଣ କରାଯାଇଥିବା ନେଇ ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉତ୍ତର ପ୍ରଦେଶର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହି ଅର୍ଥ ବିତରଣ କରାଯାଇଥିବାକ ନେଇ ଇଡି ପକ୍ଷରୁ ସୋମବାର କୁହାଯାଇଛି । ସିଏଏ ଆନ୍ଦୋଳନ ପୂର୍ବରୁ ପଶ୍ଚିମ ଉତ୍ତର ପ୍ରଦେଶର 73ଟି ଆକାଉଣ୍ଟକୁ 120 କୋଟି ଟଙ୍କା ଦେଣ ନେଣ କରାଯାଇଛି । ଇଡି ପକ୍ଷରୁ ସୋମବାର ଏହି ସମସ୍ତ ତଥ୍ୟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି ।