କ୍ରମାଗତ ସପ୍ତମ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢିଲା

କ୍ରମାଗତ ସପ୍ତମ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ପେଟ୍ରୋଲ ଦାମରେ 59 ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ରେ 61 ପଇସା ବୃଦ୍ଧି ପାଇଛି । ସ୍ଥାନୀୟ ବ୍ରିକି ଅନୁଯାୟୀ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅଲଗା ଅଲଗା ରହିଛି। ଗତ ଛଅ ଦିନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 3.31 ଟଙ୍କା ଏବଂ ଡିଜେଲର ମୂଲ୍ୟ 3.42 ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡିଶାରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ଆଜି 75.07 ଟଙ୍କା ରହିଛି ।

ପୁନର୍ବାର ବଢିଲା ପେଟ୍ରୋଲ ଓ ଡିଜେଲ୍‌ ଦର

କରୋନା କାରଣରୁ ଅର୍ଥନୀତି ଦୁସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ସାଧାରଣ ଜନତା ପୁଣି ଥରେ ମହଙ୍ଗା ମାଡର ଶିକାର ହୋଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟାଯାଇଛି । ପେଟ୍ରୋଲ ଲିଟର ପିଛା 54 ପଇସା ଏବଂ ଡିଜେଲ ଲିଟର ପିଛା 58 ପଇସା ବୃଦ୍ଧି ଘଟାଯାଇଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଟିକସ୍‌ ଲାଗୁ କରିଥିଲେ । ତେବେ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡିନଥିବା ବେଳେ ମଙ୍ଗଳବାରର ମୂଲ୍ୟ ବୃଦ୍ଧିକୁ ସମାଲୋଚନା କରାଯାଇଛି ।

ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଟିକସ୍‌ ବୃଦ୍ଧି କଲେ କେନ୍ଦ୍ର ସରକାର

ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଟିକସ୍‌ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ଶୁଳ୍କ ବୃଦ୍ଧି କାରଣରୁ ପେଟ୍ରୋଲ 10 ଟଙ୍କା ଏବଂ ଡିଜେଲ୍‌ 13 ଟଙ୍କା ମହଙ୍ଗା ହେବ । ତେବେ ସାଧାରଣ ଗ୍ରାହକ ଏହା ଦ୍ବାରା ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପେଟ୍ରୋଲ ଟାଙ୍କିରେ ତୈଳ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ । ପ୍ରବର୍ତ୍ତନ ଶୁଳ୍କ ଉପରେ କରାଯାଇଥିବା ଏହି ବୃଦ୍ଧି ତିନି ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପ, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ବହନ କରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପେଟ୍ରୋଲ ଓ ଡିଜେଲ ଉପରେ 30 ପ୍ରତିଶତର ଅତିରିକ୍ତ ଟିକସ ଲଗାଇଲେ ଦିଲ୍ଲୀ ସରକାର

ମଦ ଉପରେ ସ୍ବତନ୍ତ୍ର କରୋନା ଫି ଲାଗୁ କରିବା ପରେ ଦିଲ୍ଲୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରିଛନ୍ତି । ସୋମବାର ମଧ୍ୟରାତ୍ରରୁ ପେଟ୍ରୋଲ ଏବଂ ଡିଜେଲ ଉପରେ 30 ପ୍ରତିଶତର ଭ୍ୟାଟ୍‌ ଲାଗୁ କରାଯାଇଛି । ମଦ ଉପରେ 70 ପ୍ରତିଶତର କରୋନା ଫି ଲାଗୁ କରିବା ପରେ ଆଜିଠାରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରାଯାଇଛି । ଏହି ଅତିରିକ୍ତ ଟିକସ୍‌ ଲାଗୁ କରାଯିବା ପରେ ପେଟ୍ରୋଲର ମୂଲ୍ୟ 71.26 ଟଙ୍କା ରହିଥିବା ବେଳେ ଡିଜେଲ୍‌ର ମୂଲ୍ୟ 69.39 ପଇସା ରହିଛି ।