ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନଓ୍ବାବ ମଲ୍ଲିକ୍‌

40 ହଜାର କୋଟି କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିବା ଦାବିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଏନ୍‌ସିପି । ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲ୍ଲିକ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛନ୍ତି । କେନ୍ଦ୍ରକୁ 40 ହଜାର କୋଟି ସ୍ଥାନାନ୍ତର କରିବା ପାଇଁ ଫଡନବିସ୍‌ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ବୋଲି କହି କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ ଏହି ବିବାଦର ସୂତ୍ରପାତ କରିଥିଲେ । ହେଗ୍‌ଡେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରେ କେନ୍ଦ୍ରର 40 ହଜାର କୋଟି ଟଙ୍କା ଥିଲା । ଶପଥ ଗ୍ରହଣର 15 ଘଣ୍ଟା ମଧ୍ୟରେ ଫଡନବିସ୍ ଉକ୍ତ ଅର୍ଥ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ ।

ଆସନ୍ତା କାଲି ଆସ୍ଥା ଭୋଟ : ଅସ୍ଥାୟୀ ବାଚସ୍ପତି ପଦ ପାଇଁ 6 ଜଣଙ୍କ ନାମ ସୁପାରିଶ

ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଗତକାଲି ଆସ୍ଥା ଭୋଟ ହେବା ସମ୍ଭାବନା ସ୍ପଷ୍ଟ ହୋଇଛି। ଆସ୍ଥା ଭୋଟ ପୂର୍ବରୁ ଜଣେ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରାଯାଇ ସଦସ୍ୟ ମାନଙ୍କ ଶପଥ ପାଠ କରାଯିବ ଏବଂ ପରେ ଆସ୍ଥା ଭୋଟ ଅନୁଷ୍ଠିତ ହେବ । ବିଜେପି ପକ୍ଷରୁ ରାଧାକ୍ରିଷ୍ଣ ଭିଖେ ପାଟିଲ,କାଳିଦାସ କୋଲାମ୍ବକାର ଏବଂ ବାବନରାଓ ଭିଖାଜୀ ପାଚପୁଟେଙ୍କ ନାମ ପ୍ରସ୍ତାବ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ବାଲାସାହେବ ଥୋରାଟ ଏବଂ କେସି ପାବଡିଙ୍କ ନାମ ସୁପାରିଶ କରାଯାଇଛି । ଏନ୍‌ସିପିର ଦିଲ୍ଲୀପ ପାଟିଲଙ୍କ ନାମ ମଧ୍ୟ ବାଚସ୍ପତି ପଦବୀ ପାଇଁ ସୁପାରିଶ କରାଯାଇଛି ।