2025 ସୁଦ୍ଧା ଭାରତରେ 10 ଲକ୍ଷ ନୂତନ ନିଯୁକ୍ତି ନେଇ ଘୋଷଣା କଲେ ଏହି ବ୍ୟକ୍ତି । ଜାଣନ୍ତୁ କିଏ?

ଭାରତୀୟ ବଜାରରେ ଆସନ୍ତା 5 ବର୍ଷ ମଧ୍ୟରେ 10 ଲକ୍ଷ ନୂତନ ନିଯୁକ୍ତି ପ୍ରଦାନ ନେଇ ଘୋଷଣା କରିଛନ୍ତି ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ । ପ୍ରାଥମିକ ଭାବରେ ଭାରତରେ 71 ହଜାର କୋଟି ନିବେଶ ନେଇ ଘୋଷଣା କରିଥିଲେ ବେଜୋସ୍‌ । ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ ଶୁକ୍ରବାର ନୂତନ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ଆମାଜନ୍‌ ଭାରତରେ ନିରନ୍ତର ନିବେଶ କରିବ ଯାହା ଫଳରେ ଅନ୍ୟୁନ 10 ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ । ଏହି ସମସ୍ତ ନିଯୁକ୍ତି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କରାଯିବ ବୋଲି ବେଜୋସ୍‌ ସୂଚନା ଦେଇଛନ୍ତି ।

56 ବରିଷ୍ଠ ଅଧିକାରୀଙ୍କ ଛଟେଇ କଲା ଓ୍ବାଲମାର୍ଟ

ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କ ଭାରତ ଗସ୍ତ ପୂର୍ବରୁ 56 ବରିଷ୍ଠ ଅଧିକାରୀଙ୍କ ଛଟେଇ କରିଛି ଓ୍ବାଲମାର୍ଟ । ଆମାଜନ୍‌ର ବିରୋଧୀ କମ୍ପାନୀ ଓ୍ବାଲମାର୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ବେଜୋସଙ୍କ ଗସ୍ତକୁ ନେଇ ଏହି ଛଟେଇ କରାଯାଇଥିବା ଅଭିଯୋଗକୁ କମ୍ପାନୀର କର୍ପୋରେଟ୍‌ ଷ୍ଟ୍ରକ୍ଚରକୁ ବଳବତ୍ତର ରଖିବା ଏବଂ ସୂଚାରୂ ଭାବରେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଓ୍ବାଲମାର୍ଟ ଇଣ୍ଡିଆ ସିଇଓ କ୍ରିଶ୍‌ ଆୟର ପ୍ରକାଶ କରିଛନ୍ତି । ଛଟେଇ କରାଯାଇଥିବା 56 ଜଣଙ୍କ ମଧ୍ୟରେ 8 ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଓ୍ବାଲମାର୍ଟର 28ଟି କେନ୍ଦ୍ର ରହିଛି ।

ଫୋବର୍ସ ଧନୀ ତାଲିକାର ନବମ ସ୍ଥାନରେ ମୁକେଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଫୋବର୍ସ ଧନୀ ତାଲିକାର ନବମ ସ୍ଥାନରେ ରହିଛନ୍ତି । 2019ରେ ପୂର୍ବରୁ ପ୍ରକାଶିତ ତାଲିକାରେ ଅମ୍ବାନୀ 13 ତମ ସ୍ଥାନରେ ରହିଥିଲେ । ଗୁରୁବାର ପ୍ରଥମ ଭାରତୀୟ କମ୍ପାନୀ ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ 10 ଲକ୍ଷ କୋଟିର ବ୍ୟବସାୟ କରିବା ପରେ ମୁକେଶ ଅମ୍ବାନୀଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି । ଶୁକ୍ରବାର ପ୍ରକାଶିତ ସୂଚନା ଅନୁଯାୟୀ ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତିର ପରିମାଣ 60.8 ମିଲିୟନ୍‌ ଡଲାର ରହିଛି । ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ 113 ବିଲିୟନ୍‌ ଡଲାର ସହିତ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ।