ଆମେରିକୀୟ ଏୟାର ବେସ୍‌ ଉପରେ ଇରାନ୍‌ର ରକେଟ୍‌ ମାଡ : 4 ଆହତ

ପୁନର୍ବାର ଆମେରିକୀୟ ଏୟାର ବେସ୍‌ ଉପରେ ଇରାନ୍‌ ପକ୍ଷରୁ ରକେଟ୍‌ ମାଡ କରାଯାଇଛି । ଏହି ରକେଟ୍‌ ମାଡରେ 4 ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି । ଇରାକର ଅଲ୍‌ ବାଲାଡ ଏୟାର ବେସ୍‌ ଉପରେ ଇରାନ୍‌ ପକ୍ଷରୁ 8ରୁ ଅଧିକ ରକେଟ୍‌ ମାଡ କରାଯାଇଥିଲା । ଇରାନ୍‌ ପକ୍ଷରୁ କାଟ୍ୟୁଶା ରକେଟ୍‌ ମାଡ କରାଯାଇଥିବା ନେଇ ଇରାକୀ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ଇରାକୀ ସେନା ଏବଂ ଦୁଇ ଜଣ ପାଇଲଟ୍‌ ଆହତ ହୋଇଛନ୍ତି ।

ଇରାନ୍‌ ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲରେ ଧ୍ବଂସ ହୋଇଥିଲା ୟୁକ୍ରେନ୍‌ ବିମାନ

ଦୁଇ ଦିନ ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ୟୁକ୍ରେନ୍‌ ଏୟାରଲାଇନ୍ସ ବିମାନର ସତ୍ୟତା ସମ୍ମୁଖକୁ ଆସିଛି । ଇରାନ୍‌ର ଏକ ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ୍‌ ବିମାନ ଧ୍ବଂସର କାରଣ ବୋଲି ଜଣାପଡିଛି । ବୁଧବାର ଘଟିଥିବା ବିମାନ ଦୁର୍ଘଟଣାରେ 176 ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା । ପେଣ୍ଟାଗନ୍‌ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଋଷିଆରେ ନିର୍ମିତ ଟୋର୍‌-ଏମ୍‌1 କ୍ଷେପଣାସ୍ତ୍ର ଦ୍ବାରା ବିମାନଟିକୁ ଆକ୍ରମଣ କରାଯାଇଥିବା ନେଇ ପେଣ୍ଟାଗନ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଇରାନ ସେନାଧ୍ୟକ୍ଷ ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ୍‌ ପକ୍ଷରୁ ଏହି ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ ତୟାର ରଖାଯାଇଥିଲା ।

ନିବେଶକଙ୍କୁ ଆଶ୍ବସ୍ତି : ସେନସେକ୍ସରେ 400 ପଏଣ୍ଟ ଅଭିବୃଦ୍ଧି

ଭାରତୀୟ ସେୟାର ବଜାରରେ ଆଜି ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦୁଇଦିନ ଧରି ତଳୁଆ ରହିଥିବା ସେୟାର ବଜାର ଆଜି ଉପରକୁ ଉଠିଛି । ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେୟାର ବଜାର 400 ପଏଣ୍ଟ ଉପରକୁ ଉଠିଛି । 437.93 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 41263 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 132 ପଏଣ୍ଟର ଅଭିବୃଦ୍ଧି ସହିତ 12159 ପଏଣ୍ଟରେ ରହିଛି । ନିଫ୍‌ଟୀ 50 ଏହି ସମୟରେ 1.12 ପ୍ରତିଶତର ଅଭିବୃଦ୍ଧି ସହିତ 9901 ପଏଣ୍ଟରେ ପହଞ୍ଚିଛି । ସର୍ବାଧିକ ଲାଭ ହାସଲକାରୀ କମ୍ପାନୀ ତାଲିକାରେ ରହିଛି ୟେସ୍‌ ବ୍ୟାଙ୍କ । ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 4.01 ପ୍ରତିଶତର ଅଭିବୃଦ୍ଧି ଘଟିଛି ।

ଇରାକ୍‌ର ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ

ଇରାକର ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ କରାଯାଇଛି । ଇରାନ୍‌ ପକ୍ଷରୁ ମିସାଇଲ ମାଡର 24 ଘଣ୍ଟା ମଧ୍ୟରେ ପୁନର୍ବାର ଇରାକ୍‌ର ରାଜଧାନୀ ବାଗଦାଦ ଉପରେ ଆକ୍ରମଣ କରାଯାଇଛି । ବାଗ୍‌ଦାଦ୍‌ର ଗ୍ରୀନ୍‌ ଜୋନ୍‌ରେ ହୋଇଥିବା ଏହି ଆକ୍ରମଣ ଦ୍ବାରା ଆମେରିକୀୟ ଦୂତାବାସ ନିକଟରେ ଘଟିଥିଲା । ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଆମେରିକୀୟ ଦୂତାବାସର 100 ମିଟର ଦୂରତା ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା ।

Iran launched 16 missiles from 3 locations: US defence secy

US Secretary of Defence Mark Esper said Iran launched 16 short-range ballistic missiles from three locations within Iran in Tuesday’s attack. Esper told reporters on Wednesday that, among the 16 missiles, 11 hit the Al-Asad base and at least one hit the base near Erbil, adding that the missiles damaged tents, taxiways, parking lots and a helicopter, Xinhua news agency reported.

ମିସାଇଲ୍‌ ଆକ୍ରମଣରେ 80 ପ୍ରାଣହାନି ନେଇ ଇରାନ୍‌ର ଦାବି

ମିସାଇଲ୍‌ ଆକ୍ରମଣରେ 80 ଜଣଙ୍କ ପ୍ରାଣହାନି ହୋଇଥିବା ନେଇ ଇରାନ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କମାଣ୍ଡର କାସି ସୋଲେମାନିଙ୍କ ହତ୍ୟା ବିରୋଧରେ ଇରାକରେ ଅବସ୍ଥାପିତ ଆମେରିକୀୟ ବେସ୍‌ ଉପରକୁ କରାଯାଇଥିବା ଆକ୍ରମଣରେ 80 ଜଣଙ୍କ ପ୍ରାଣହାନି ଘଟିଥିବା ନେଇ ଇରାନ୍‌ ପକ୍ଷରୁ ଦାବି କରାଯାଇଛି । ଇରାନ୍‌ ବୈଦେଶିକ ମନ୍ତ୍ରୀ ଜାଭେଦ୍‌ ଜାରିଫ୍‌ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଏହି ଆକ୍ରମଣ ଆମେରିକା ଉପରେ ନୁହେଁ ବରଂ କିଛି ଆତଙ୍କୀଙ୍କ ଉପରେ ବୋଲି ଜାରିଫ୍‌ ସ୍ପଷ୍ଟୀକରଣ ଦେଇଛନ୍ତି । ମିଳିତ ଜାତିସଂଘର ଧାରା 51 ଅନୁଯାୟୀ ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି ଜାରିଫ୍‌ କହିଛନ୍ତି ।

ଇରାନ୍‌ରେ 4.9 ତୀବ୍ରତାର ଭୂକମ୍ପ : ଆଣବିକ ପରୀକ୍ଷଣ ସନ୍ଦେହ

ଇରାନ୍‌ରେ ଏକ 4.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଇରାନ୍‌ର ବୁଶେହର ଆଣବିକ ରିଆକ୍ଟର ନିକଟରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ପ୍ରାକୃତିକ ପ୍ରକ୍ରିୟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ କୁହାଯାଉଥିବା ବେଳେ ଇରାନ୍‌ ପକ୍ଷରୁ କିଛି ଆଣବିକ ପରୀକ୍ଷଣ କରାଯାଇଥିବା ଅନୁମାନ ପ୍ରକାଶ କରାଯାଉଛି । ବୁଶେହର ନ୍ୟୁକ୍ଲିୟର୍‌ ରିଆକ୍ଟର ଠାରୁ 70 କିମି ଦୂର ବୋରାଜାଜାନ୍‌ ସହରରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଭୂକମ୍ପର ପ୍ରଭାବ ମାତ୍ର କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲେ ।

2 ଆମେରିକୀୟ ଏୟାରବେସ୍‌ରେ ଇରାନ୍‌ର ଆକ୍ରମଣ : ଟ୍ବିଟ୍ଟରରେ ଟ୍ରମ୍ପଙ୍କ ପ୍ରତିକ୍ରିୟା

କ୍ୟୁଡ୍‌ସ ଫୋର୍ସର ମୁଖ୍ୟ କମାଣ୍ଡର କାସି ସୋଲେମାନି ହତ୍ୟାର ପ୍ରତିଶୋଧ ସ୍ବରୂପ ଆମେରିକାର ଦୁଇଟି ଏୟାର ବେସ୍‌ ଉପରେ ଆକ୍ରମଣ କରିଛି ଇରାନ୍‌ । ଇରାକ୍‌ରେ ଅବସ୍ଥାପିତ ଦୁଇ ଆମେରିକୀୟ ଏୟାରବେସ୍‌ ଉପରକୁ 12ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି । ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଆକ୍ରମଣ ପରେ ଟ୍ରମ୍ପ ଟ୍ବିଟ୍ଟର ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ରମ୍ପ କହିଛନ୍ତି ସବୁ ଠିକ୍‌ ଅଛି । ଆମେରିକା ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର । ପରବର୍ତ୍ତୀ ପଦକ୍ଷେପ ନେଇ ଟ୍ରମ୍ପ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଆଲୋଚନା କରୁଛନ୍ତି ।

ଭାରତ ବନ୍ଦର ପ୍ରଭାବରେ 350 ପଏଣ୍ଟ ତଳକୁ ଖସିଲା ସେୟାର ବଜାର

ଇରାନ୍‌-ଆମେରିକା ତିକ୍ତତା କାରଣରୁ ସୋମବାର ଭାରତୀୟ ସେୟାର ବଜାର 700 ପଏଣ୍ଟ ତଳକୁ ଖସିଥିବା ବେଳେ ମଙ୍ଗଳବାର ପରସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲା । ମାତ୍ର ଭାରତ ବନ୍ଦ ପ୍ରଭାବରେ ଆଜି ପୁନର୍ବାର ସେୟାର ବଜାର ତଳକୁ ଖସିବା ସହିତ ନିବେଶକଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ବୁଧବାର ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେନସେକ୍ସ 342 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍‌ଟୀ 100 ପଏଣ୍ଟ ତଳକୁ ଖସିଛି । ସେନ୍‌ସେକ୍ସ 40554.24 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 11951.35 ପଏଣ୍ଟରେ ରହିଛି । ଏଲ୍‌ଆଣ୍ଡଟିର ଅଂଶଧନ ମୁଲ୍ୟରେ ସର୍ବାଧିକ 1.47 ପ୍ରତିଶତ ହ୍ରାସ ଘଟିଛି ।

180 ଯାତ୍ରୀଙ୍କ ସହିତ ୟୁକ୍ରେନିଆନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ

180 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଇରାନରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେହେରାନ୍‌ ନିକଟରେ ରହିଥିବା ଇମାନ୍‌ ଖୋମିନେନି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଭରିଥିବା ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ୟୁକ୍ରେନ୍‌ ଏୟାରଲାଇନ୍ସର ବୋଇଙ୍ଗ-737 ବିମାନଟିରେ ଯାନ୍ତ୍ରିକ ସମସ୍ୟା କାରଣରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମଙ୍ଗଳବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଜଣାପଡିନାହିଁ । ଏହି ଘଟଣାରେ ଇରାନ୍‌ର ସମ୍ପୃକ୍ତି ସନ୍ଦେହ କରାଯାଉଛି ।

କାସିମ୍‌ ସୁଲେମାନୀଙ୍କ ଅନ୍ତିମ ଦର୍ଶନରେ ଦଳାଚକଟାରେ 35 ମୃତ

ଇରାନ୍‌ର ପୂର୍ବତନ ସେନାମୁଖ୍ୟ କାସିମ୍‌ ସୁଲେମାନୀଙ୍କ ଅନ୍ତିମ ଦର୍ଶନରେ ଦଳାଚକଟା ଘଟିଛି । ଏହି ଦଳାଚକଟାରେ 35 ଜଣଙ୍କର ପ୍ରାଣହାନି ଘଟିଛି । ଇରାନର କାର୍‌ମାନ୍‌ରେ ସୁଲେମାନୀଙ୍କ ଅନ୍ତିମ ଦର୍ଶନ ସମୟରେ ଏହି ଘଟଣା ଘଟିଥିଲା । ଇରାନର ଜାତୀୟ ଟେଲିଭିଜନ୍‌ ଅନୁଯାୟୀ ଏହି ଘଟଣାରେ ଅନ୍ୟ 48 ଜଣ ଆହତ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଜାନୁୟାରୀ 3 ତାରିଖରେ ଆମେରିକା ଆକ୍ରମଣରେ ସୁଲେମାନୀ ପ୍ରାଣ ହରାଇବା ପରେ ସୋମବାର ଅନୁଷ୍ଠିତ ଅନ୍ତିମ ଦର୍ଶନରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

ଇସ୍‌ମାଇଲ୍‌ କାନି ଇରାନ୍‌ର ନୂତନ ସେନାଧ୍ୟକ୍ଷ

ଇରାନ୍‌ର ନୂତନ ସେନାଧ୍ୟକ୍ଷ ଭାବରେ ଇସ୍‌ମାଇଲ୍‌ କାନିଙ୍କ ନାମ ଘୋଷଣା କରାଯାଇଛି । ଗତକାଲି ଇରାନ୍‌ର ସେନାଧ୍ୟକ୍ଷ କାସିମ୍‌ ସୋଲେମାନୀ ଆମେରିକୀୟ ସେନା ଦ୍ବାରା ନିହତ ହେବା ପରେ ଶନିବାର ଇରାନ ପକ୍ଷରୁ କାନିଙ୍କୁ ନୂତନ ସେନାଧ୍ୟକ୍ଷ ଭାବରେ ଘୋଷଣା କରାଯାଇଛି । 1980-88 ଇରାକ୍‌-ଇରାନ୍‌ ଯୁଦ୍ଧର ନାୟକ ରହିଥିବା କାନିଙ୍କୁ ଇରାନ୍‌ ନେତା ଆୟୋତୋଲ୍ଲା ଅଲୀ ଖେମିନେନୀ ପ୍ରଶଂସା କରିବା ସହିତ ଇସ୍‌ମାଇଲ୍‌ଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ପୂର୍ବରୁ ବିଗ୍ରେଡିୟର୍‌ ଜେନେରାଲ୍‌ ରହିଥିବା ଇସ୍‌ମାଇଲ୍‌ କାନି ବର୍ତ୍ତମାନ କ୍ୟୁଡ୍‌ସ ଫୋର୍ସର ନେତୃତ୍ବ ଗ୍ରହଣ କରିବେ ।