ଉତ୍ତେଜନାମୂଳକ ଭାଷଣ ପ୍ରଦାନକାରୀଙ୍କ ବିରୋଧରେ ମାମଲା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀରେ ହିଂସାକାଣ୍ଡ ଘଟଣା ମାମଲାର ବିଚାର କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଉତ୍ତେଜନାମୂଳକ ଭାଷଣ ଦେଇଥିବା ସମସ୍ତ ନେତାଙ୍କ ବିପକ୍ଷରେ ମାମଲା ଦାୟର କରିବା ପାଇଁ ଗୁରୁବାର ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଦିଆଯାଇଛି । ଏହା ସହିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ପୁନର୍ବାର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ଏପ୍ରିଲ୍‌ 13 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସା ଘଟଣାରେ 35 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ନିର୍ଭୟା ଦୁଷ୍କର୍ମ ମାମଲା : ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବ

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଛି । ଶନିବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ଜଷ୍ଟିସ୍‌ ସୁରେଶ କୁମାର କେତ୍‌ ଏହି ମାମଲାର ବିଚାର କରିଛନ୍ତି । ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବା ପରେ ଜଣେ ବ୍ୟକ୍ତିଙ୍କୁ ରଖିବା ଅମାନବିକ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତିଙ୍କ ନିକଟରେ ଯୁକ୍ତି ରଖିଥିଲେ । ମୁକେଶର ଫାଶୀ ପାଇବା ରାସ୍ତା ପ୍ରଶସ୍ତ ହୋଇଥିବା ବେଳେ ପଓ୍ବନ୍‌ ପକ୍ଷରୁ ରାଜକ୍ଷମା କିମ୍ବା କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇନାହିଁ ।

ଜେଏନ୍‌ୟୁ ଛାତ୍ରଙ୍କୁ ଆଶ୍ବସ୍ତି : ପୁରୁଣା ମାନୁଆଲ ଅନୁଯାୟୀ ପଞ୍ଜୀକରଣ

ଜେଏନ୍‌ୟୁ ଛାତ୍ରଙ୍କୁ ବର୍ଦ୍ଧିତ ଫି ମାମଲାରେ ଆଶ୍ବସ୍ତି ମିଳିଛି । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ରାୟ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ପୁରୁଣା ମାନୁଆଲ ଅନୁଯାୟୀ ପଞ୍ଜୀକରଣ କରିପାରିବେ । ଉଲ୍ଳେଖଯୋଗ୍ୟ ଯେ, ଯେଉଁ ଛାତ୍ର ମାନେ ପଞ୍ଜୀକରଣ କରିନାହାନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ବିନା କୌଣସି ବର୍ଦ୍ଧିତ ଦେୟରେ ନିଜର ପଞ୍ଜୀକରଣ କରିପାରିବେ । ଜଷ୍ଟିସ୍‌ ରାଜୀବ ସକ୍‌ଦାର ଏହି ମାମଲାର ବିଚାର କରିଥିଲେ । ଫେବୃୟାରୀ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

ନିର୍ଭୟା ଗଣ ଦୁଷ୍କର୍ମ ମାମଲା : ପଓ୍ବନ ଗୁପ୍ତାର ଯାଚିକା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ଗୁରୁବାର ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ ଗୁପ୍ତାଙ୍କ ଯାଚିକା ଖାରଜ କରିଛନ୍ତି । ଘଟଣା ସମୟରେ ନାବାଳକ ଥିବା ନେଇ ଗୁପ୍ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ୍‌ ସୁରେଶ କେଟ ଏହି ମାମଲାର ବିଚାର କରିଥିଲେ । ସେହିପରି କୋର୍ଟଙ୍କ ସମୟ ଅପଚୟ କରି ବାରମ୍ବାର ଅଯୌକ୍ତିକ ଯାଚିକା ଦାଖଲ କରୁଥିବାରୁ ଅଭିଯୁକ୍ତଙ୍କ ଓକିଲ ଏ ପି ସିଂଙ୍କୁ 25 ହଜାର ଟଙ୍କାର ଅର୍ଥ ଦଣ୍ଡ ପ୍ରଦାନ କରାଯାଇଥିଲା ।