24 ଘଣ୍ଟା ମଧ୍ୟରେ 10600 ନୂତନ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ଡେଇଁଲା 9900

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 10667 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 9900 ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 325 ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 43 ହଜାର 91 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରୁ 180012 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 9900 ଜଣଙ୍କର ପରଲୋକ ଘଟିଛି । ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 153178 ରହିଛି ।

24 ଘଣ୍ଟାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା 8852 : 241 ଜଣଙ୍କ ପ୍ରାଣହାନି

ଭାରତରେ ଦିନକୁ ଦିନ ସଙ୍କଟମୟ ରୂପ ନେଉଛି କରୋନା । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 8852ଟି ନୂତନ ମାମଲା ସମ୍ମୁଖକୁ ଆସିଥିବା ବେଳେ 5129 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବିଗତ 24 ଘଣ୍ଟାମ ମଧ୍ୟରେ 241 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 7719ରେ ପହଞ୍ଚିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 74 ହଜାର 780ରେ ପହଞ୍ଚି ଥିବା ବେଳେ 1,34,166 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,32,880ରେ ରହିଛି ।

ରାଜ୍ୟର ପ୍ରଥମ ଆଇଏଏସ୍‌ ଅଫିସରଙ୍କୁ କରୋନା

ରାଜ୍ୟର ପ୍ରଥମ ଆଇଏଏସ୍‌ ଅଫିସର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି । 1987 ବ୍ୟାଚ୍‌ ଓଡିଶା କ୍ୟାଡରର ଆଇଏଏସ୍‌ ଅଫିସର ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିନିବେଶ ବିଭାଗରେ କାର୍ଯ୍ୟ କରୁଥିବା ତୁହିନଙ୍କୁ କରୋନା ହୋଇଥିବା ନେଇ ପିଟିଆଇ ସୂତ୍ରରୁ ସୂଚନା ମିଳିଛି ।

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଙ୍କୁ କରୋନା ସନ୍ଦେହ : ମାକ୍ସ ହସ୍ପିଟାଲରେ ଭର୍ତ୍ତି

କଂଗ୍ରେସ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଜ୍ୟୋତିରାଦିତ୍ୟଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ ଠାରେ କରୋନାର ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ମାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଧବୀଙ୍କ ଠାରେ ଜ୍ବର ଏବଂ ତଣ୍ଟି ଦରଜର ଲକ୍ଷଣ ଦେଖା ଦେଇଥିଲା । ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ନମୂନାର ରିପୋର୍ଟ ଆସିବା ବାକି ରହିଛି ।

ସିଡିଏମ୍‌ଓ ଅଫିସ୍‌ରେ ଜଣଙ୍କୁ କରୋନା

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନୈକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି କର୍ମଚାରୀଙ୍କ ଘର ଗୁରୁଜଙ୍ଗ । ସଂକ୍ରମିତ କର୍ମଚାରୀଙ୍କ ଘରର ଚାରିପାଖକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ସେକ୍‌ସନ୍‌ର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସମସ୍ତ ସହକର୍ମୀଙ୍କର ସ୍ବାବ୍‌ ଟେଷ୍ଟ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଆଉ 119 ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି ଆଉ 119 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ 156 ଆକ୍ରାନ୍ତଙ୍କ ସମେତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2104 ପହଞ୍ଚିଥିବା ବେଳେ ଅପରାହ୍ନରେ 119 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରର ସର୍ବାଧିକ 60 ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବାଦ କଟକରୁ 13, କେନ୍ଦ୍ରାପଡାରୁ 12, ଗଜପତିରୁ 9, ନୟାଗଡରୁ 6, ସୁନ୍ଦରଗଡରୁ 5, ବାଲେଶ୍ବର, ପୁରୀ ଓ ଖୋର୍ଦ୍ଧାରୁ 3 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଓ ବଲାଙ୍ଗୀରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ ଜଣେ ସୁସ୍ଥ ହୋଇଛନ୍ତି ।

ଆର୍ଥିକ ସଙ୍କଟରେ ଦିଲ୍ଲୀ ସରକାର : କେନ୍ଦ୍ରକୁ ମାଗିଲେ 5 ହଜାର କୋଟି

ଦିଲ୍ଲୀ ସରକାର କରୋନା ମୁକାବିଲା ସମୟରେ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ନିକଟରେ କର୍ମଚାରୀଙ୍କ ବେତନ ପାଇଁ ଅର୍ଥ ନଥିବାରୁ କେନ୍ଦ ସରକାରଙ୍କୁ 5 ହଜାର କୋଟିର ଅର୍ଥରାଶି ସହାୟତା ମାଗିଛନ୍ତି । ବିଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀ ସରକାର ଜିଏସ୍‌ଟି ଏବଂ ଅନ୍ୟାନ୍ୟ ପନ୍ଥାରୁ 1375 କୋଟି ଟଙ୍କାର ଅର୍ଥ ସଂଗ୍ରହ କରିଛି । ତେବେ କର୍ମଚାରୀଙ୍କ ବେତନ ପାଇଁ ମାସିକ 3500 କୋଟି ଆବଶ୍ୟକ । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କ ନିକଟରୁ 5 ହଜାର କୋଟିର ଆର୍ଥିକ ସହାୟତା ଦାବି କରିଛନ୍ତି ।

ରାଜ୍ୟରେ ଆଉ 73 କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ 73 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳୁ 96 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 73 ଜଣ ସୁସ୍ଥ ହୋଇଛନ୍ତି । 73 ଆକ୍ରାନ୍ତଙ୍କ ମଧ୍ୟରୁ 28 ଜଣ ବୌଦ୍ଧ ଜିଲ୍ଲାରୁ ରହିଛନ୍ତି । ପୁରୀରୁ 11, କେନ୍ଦ୍ରାପଡାରୁ 10, କଟକରୁ 9 ଜଣ, ଖୋର୍ଦ୍ଧାରୁ 7 ଜଣ, ମାଲକାନଗିରି ଏବଂ ଅନୁଗୁଳରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 1050 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 760 ରହିଛି ।

ଦ୍ବିତୀୟ ଥର ପାଇଁ ପ୍ଲାଜ୍‌ମା ଦାନ କଲେ ଏହି ଅଭିନେତ୍ରୀ

ଦ୍ବିତୀୟ ଥର ପାଇଁ ପ୍ଲାଜ୍‌ମା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ଜୋଆ ମୋରାନୀ । କୋଭିଡ୍‌-19 ପରୀକ୍ଷଣ ପାଇଁ ମୋରାନୀ ନିଜର ପ୍ଲାଜ୍‌ମା ଦାନ କରିଛନ୍ତି । ମୁମ୍ବାଇର ନାୟାର ହସ୍ପିଟାଲରେ ନିଜର ପ୍ଲାଜ୍‌ମା ଦାନ କରିଛନ୍ତି ଜୋୟା । ମଙ୍ଗଳବାର ପ୍ଲାଜ୍‌ମା ଦାନ କରିଥିବା ବେଳେ ଟ୍ବିଟ୍‌ କରି ଏହା ଘୋଷଣା କରିଥିଲେ ଜୋୟା । ଜୋୟାଙ୍କ ଏହି ପ୍ରୟାସକୁ ସୋସିଆଲ ମିଡିଆରେ ବେଶ୍‌ ସମର୍ଥନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜୋୟା, ତାଙ୍କ ଭଉଣୀ ସାଜା ଏବଂ ପିତା କରିମ୍‌ ମୋରାନୀ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ନୂତନ 76 ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା 1593 ଛୁଇଁଲା

ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂତନ 76 ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1593ରେ ପହଞ୍ଚିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ 74 ଜଣ କ୍ବାରେଣ୍ଟିନ୍‌ରେ ରହିଥିବା ବେଳେ ଦୁଇ ଜଣ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ 16 ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧା ଏବଂ ନୂଆପଡାରୁ 13 ଜଣ, କଟକରୁ 11 ଜଣ, ଗଞ୍ଜାମରୁ 10 ଜଣ, ଜଗତସିଂହପୁରରୁ 6 ଜଣ, ବାଲେଶ୍ବର, ସୁନ୍ଦରଗଡ ଏବଂ ନୟାଗଡରୁ 2 ଜଣ ଲେଖାଏଁ ଏବଂ ମୟୁରଭଞ୍ଜରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ମଗାଇଡ୍‌ଲାଇନ୍‌ : ଅଣ୍ଡରଟେକିଂ ଓ ଆରୋଗ୍ୟ ସେତୁ ବାଧ୍ୟତାମୂଳକ

ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଦେଶ ଫେରନ୍ତାଙ୍କୁ ଏକ ଅଣ୍ଡରଟେକିଂ ପ୍ରଦାନ କରିବାକୁ ପଡିବ । ଏହା ସହିତ ସମସ୍ତ ବିଦେଶ ଫେରନ୍ତାଙ୍କ ପାଇଁ ଆମରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ ବାଧ୍ୟତାମୂଳକ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଆଜି ସକାଳୁ କ୍ବାରେଣ୍ଟିନ୍‌ ନିୟମରେ ପରିବର୍ତ୍ତନ କରିଥିଲେ ।

ରାଜ୍ୟରେ ଆଉ 53 ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ 53 ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 550ରେ ପହଞ୍ଚିଛି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1336ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 780ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ 30, ଯାଜପୁର 18, ଖୋର୍ଦ୍ଧାରୁ 3 ଏବଂ କେନ୍ଦୁଝରରୁ 2 ଜଣ ଆକ୍ରାନ୍ତ ରହିଛନ୍ତି ।

ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି : ଗରାବଡୁ ସେବକଙ୍କର ହେବ କରୋନା ପରୀକ୍ଷଣ

ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କରୋନାକୁ ନେଇ ସଚେତନତା ବୈଠକ କରାଯାଇଛି । ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ ହୋଇଥିଲା । 29 ଏବଂ 30ରେ ଗରାବଡୁ ନିଯୋଗର ସମସ୍ତ ସେବକଙ୍କ କୋଭିଡ଼ ପରୀକ୍ଷା କରାଯିବ ବୋଲି ବୈଠକ ପରେ ଜଣାପଡିଛି । ଏହାସହ ଅନ୍ୟ 10ଟି ନିଯୋଗର ଟେଷ୍ଟ ପାଇଁ ପ୍ରସ୍ତାବ ରହିଛି । ପୂର୍ବରୁ ରଥ ଖଳା ସେବକଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ସୁନ୍ଦରଗଡରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ନିଖିଲ୍‌ ପଓ୍ବନ୍‌ କଲ୍ୟାଣ ଏହି ସୂଚନା ପ୍ରଦାନ କରିଛନ୍ତି । ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ତିନି ଜଣ ମହିଳା ରହିଛନ୍ତି । ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଏବଂ କ୍ବାରେଣ୍ଟିନ୍‌ରେ ରହିଥିଲେ । ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା ସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଋଷରେ ବିଶ୍ବର ଦ୍ବିତୀୟ ସର୍ବାଧିକ କରୋନା ସଂକ୍ରମିତ : ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ ଅତିକ୍ରମ କଲା

ସମଗ୍ର ବିଶ୍ବରେ ବ୍ୟାପିଥିବା କରୋନା ଭାଇରସ୍‌ ଦ୍ବାରା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବେଳେ ଋଷ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଋଷରେ ସମୁଦାୟ ଆକ୍ରାନ୍ତଙ୍କ 308705 ରହିଥିବା ବେଳେ ଏହା ମଧ୍ୟରୁ 85 ହଜାର 392 ଜଣ ସୁସ୍ଥ ହୋଇଛନ୍ତି । ଏହା ମଧ୍ୟରୁ 2792 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 220341 ରହିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟାରେ ସ୍ପେନ୍‌କୁ ଅତିକ୍ରମ କରିଛି ବ୍ରାଜିଲ । ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 279000 ରହିଥିବା ବ୍ରାଜିଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 293357ରେ ପହଞ୍ଚିଛି ।

90 ହଜାର ଡେଇଁଲା ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : 2872 ମୃତ

ଦେଶବ୍ୟାପୀ କରୋନା ମହାମାରୀ ପ୍ରଭାବ ବଢି ଚାଲିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ଅତିକ୍ରମ କରିଛି । 24 ଘଣ୍ଟା ମଧ୍ୟରେ 3970 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90927ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ 103 ଜଣଙ୍କର ପ୍ରାଣହାନି ଘଟି ମୃତ୍ୟୁ ସଂଖ୍ୟା 2872ରେ ପହଞ୍ଚିଛି । ସେହିପରି ସମୁଦାୟ 34109 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା 53946 ରହିଛି ।

ରାଜ୍ୟରେ ଆଉ 30 କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ 30 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରି ଏହି ସୂଚନା ପ୍ରଦାନ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏହି 30 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 196ରେ ପହଞ୍ଚିଛି । ଉଲ୍ଲେଖମଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 737 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 196 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି ।

ସୁସ୍ଥ ହେଲେ ଆଉ 15 ଆକ୍ରାନ୍ତ

ରାଜ୍ୟରେ ଆଉ 15 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁଏହି ସୂଚନା ପ୍ରଦାନ କରାଯାଇଛି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 158ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 624 ରହିଥିବା ବେଳେ ତନ୍ମଧ୍ୟରୁ 158 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କ ଦେହାନ୍ତ ଘଟିଛି । ଏହା ସହ ବର୍ତ୍ତମାନ ରାଜ୍ୟରେ 463ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

କେନ୍ଦ୍ରାପଡାରୁ ଚିହ୍ନଟ ହେଲେ 13 ଆକ୍ରାନ୍ତ

କେନ୍ଦ୍ରାପଡା ଜିଲ୍ଲାରୁ 13 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ନୂତନ ଆକ୍ରାନ୍ତକୁ ମିଶାଇ କେନ୍ଦ୍ରାପଡାରେ ଆକ୍ରାନ୍ତଙ୍କ ସଂଖ୍ୟା 22ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 624ରେ ପହଞ୍ଚିଛି । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନେ ମହାକାଳପଡା, କେନ୍ଦ୍ରାପଡା ଏବଂ କନିକା ବ୍ଲକ୍‌ର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଅବସ୍ଥାନ କରୁଥିଲେ ବୋଲି ଜିଲ୍ଲାପାଳ ଟ୍ବିଟ୍‌ କରିଛନ୍ତି ।

ସୁସ୍ଥ ହେଲେ 17 ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହୋଇଛନ୍ତି 17 କରୋନା ଆକ୍ରାନ୍ତ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏକା ସାଙ୍ଗରେ ଏତେ ରୋଗୀ ସୁସ୍ଥ ହେବା ଉତ୍ସାହଜନକ ରହିଛି । ସୋମବାର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 85 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 7 ଜଣ ବ୍ୟକ୍ତି ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ତିନି ଜଣ ଏବଂ ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରୁ ଆଉ 10 ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଏବଂ ଯାଜପୁରରୁ ଏହି 10ଟି ଯାକ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଛି । ଭଦ୍ରକରୁ 6ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ 4 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 31ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 59ରେ ପହଞ୍ଚିଛି । ଏହି ନୂତନ 10 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା 362ରେ ପହଞ୍ଚିଛି ।

2 ଲକ୍ଷ 60 ହଜାର ଛୁଇଁଲା ବିଶ୍ବ ବ୍ୟାପୀ କରୋନା ମୃତକଙ୍କ ସଂଖ୍ୟା

ସମଗ୍ର ବିଶ୍ବ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ବିଶ୍ବବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା 2 ଲକ୍ଷ 60 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 87 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 5400 ଲୋକ ପ୍ରାଣ ହରାଇଛନ୍ତି । 87729 ନୂତନ ଆକ୍ରାନ୍ତଙ୍କ ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3,759,967 ଛୁଇଁଥବା ବେଳେ 5429 ଜଣଙ୍କ ମୃତ୍ୟୁ ସହ ସମୁଦାୟ ମୃତ୍ୟୁ ସଂଖ୍ୟା 2 ଲକ୍ଷ 59 ହଜାର 474ରେ ପହଞ୍ଚିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ 12 ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ 67 ହଜାର 146 ଜଣଙ୍କ ପ୍ରାଣହାନି ଘଟିଛି ।

ସୁସ୍ଥ ହେଲେ ଆଉ ଜଣେ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ 63 ଜଣ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ ନୂତନ ଭାବରେ 26 ଜଣ ଆକ୍ରାନ୍ତ ଜଣାପଡିବା ପରେ ଏହା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ରାଉରକେଲାର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ 245 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 62 ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ବରର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 205 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁରରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 179ରେ ପହଞ୍ଚି ଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 54କୁ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 179କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ 60 ଜଣ ସୁସ୍ଥ ହୋଇଥିବାବେଳେ 117 ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁରରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 180ରେ ପହଞ୍ଚି ଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 55କୁ ବୃଦ୍ଧି ପାଇଛି । ଆଜିର ଦିନରେ ଏହାକୁ ମିଶାଇ ଯାଜପୁରରୁ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତି ଜଣକ 55 ବର୍ଷୀୟ ପୁରୁଷ ଏବଂ ତାଙ୍କର କଲିକତା ଲିଙ୍କ ରହିଥିବା ଜଣାପଡିଛି ।

ରାଉରକେଲାରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ

ରାଉରକେଲାରୁ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 174ରେ ପହଞ୍ଚିଛି । ଏହି ଆକ୍ରାନ୍ତ ଜଣକ 49 ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ଫେରନ୍ତା ଏହି ବ୍ୟକ୍ତି ଜଣଙ୍କ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ମଙ୍ଗଳବାର ନମୂନା ପଜିଟିଭ୍‌ ଆସିଛି ।

ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକର ତିଗିରିଆରୁ ଆଉ ଜଣେ ଯୁବକ କରୋନା ପଜିଟିଭ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 173ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ମହିଳା ଏବଂ ଜଣେ 26 ବର୍ଷୀୟ ଯୁବକ ରହିଥିବା ବେଳେ ଉଭୟଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି । କଟକରେ ଚିହ୍ନିତ ଆକ୍ରାନ୍ତ ଜଣକ 34 ବର୍ଷୀୟ ଯୁବକ ଏବଂ ସେ ସୁରତ ଫେରନ୍ତା ବୋଲି ଜଣାପଡିଛି ।

ଭିଡ ନିୟନ୍ତ୍ରଣ ପାଇଁ ମଦ ମୂଲ୍ୟ 50 ପ୍ରତିଶତ ବଢାଇଲା ଏହି ରାଜ୍ୟ

ଗତକାଲି ଠାରୁ ବିଭିନ୍ନ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକ କରୋନା ଡରକୁ ଖାତିର ନକରି ମଦ କିଣିବା ପାଇଁ ଲମ୍ବା ଲାଇନରେ ଛିଡା ହେବା ସହିତ ସାମାଜିକ ଦୂରତ୍ବକୁ ଅବମାନନା କରୁଛନ୍ତି । ଏହାକୁ ଦୂର କରିବା ପାଇଁ ପ୍ରଥମେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମଦ ଉପରେ 70 ପ୍ରତିଶତର ସ୍ବତନ୍ତ୍ର କରୋନା ଫି ଲଗାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ରାଜ୍ୟ ଭାବରେ ସମାନ ପଦକ୍ଷେପ ଗ୍ରହଣ କରିଛି । ଆନ୍ଧ୍ରପ୍ରଦେଶ ସରକାର ମଦ ମୂଲ୍ୟକୁ ପ୍ରାୟ ଦୁଇ ଗୁଣ କରି ଦେଇଛନ୍ତି ।

ରାଜ୍ୟରେ ଆଉ 6 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ 6 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 6 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 169ରେ ପହଞ୍ଚିଛି । ତେବେ ପ୍ରଥମ ଜିଲ୍ଲା ଭାବରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଅତିକ୍ରମ କରିଛି । ଯାଜପୁରରେ ସମୁଦାୟ 52 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 21 ଛୁଇଁଛି ।

24 ଘଣ୍ଟାରେ 674 ନୂତନ ଆକ୍ରାନ୍ତ : ସୁସ୍ଥ ହାର 27.52 ପ୍ରତିଶତ

ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାର ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅପଡେଟ୍‌ ପ୍ରଦାନ କରାଯାଇଛି । ବିଗତ 24 ଘଣ୍ଟା ମଧ୍ୟରେ 553 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 42533ରେ ପହଞ୍ଚିଛି । ଏହି ସମୟରେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1373 ରହିଥିବା ବେଳେ ଏହି ସମୟ ମଧ୍ୟରେ 11706 ଜଣ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସେହିପରି ଦେଶରେ ଆରୋଗ୍ୟ ବ୍ୟକ୍ତିଙ୍କ ପ୍ରତିଶତ 27.52 ପ୍ରତିଶତ ରହିଥିବା ନେଇ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ।

9 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ମୋଦି

9 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଓଡିଶା, ତାମିଲନାଡୁ, ବିହାର , ମେଘାଳୟ, ମିଜୋରାମ, ଗୁଜରାଟ, ପୁଡୁଚେରୀ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କରୋନା ଆତଙ୍କ ସତ୍ତ୍ବେ ସମଗ୍ର ଦେଶ ଲକ୍‌ଡାଉନ୍‌ ନିୟମକୁ ମାନିବାରୁ ଦେଶରେ କରୋନା ମୁକାବିଲା ସଠିକ୍‌ ଦିଗରେ ଯାଉଛି ବୋଲି ମୋଦି ସନ୍ତୋଷ ପ୍ରକାଶ କରିଥିଲେ । ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ବିଭିନ୍ନ ରାଜ୍ୟ ମୁଖ୍ୟଙ୍କ ପ୍ରତିକ୍ରିୟା ନିଆଯିବା ସହିତ ଆର୍ଥିକ ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଆନ୍ଧ୍ର ରାଜଭବନର 4 କର୍ମଚାରୀ କରୋନା ପଜିଟିଭ୍‌ : ରାଜ୍ୟପାଳଙ୍କ ହେବ କରୋନା ପରୀକ୍ଷଣ

ଆନ୍ଧ୍ରପ୍ରଦେଶ ରାଜଭବନର 4 କର୍ମଚାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଚିନ୍ତା ବଢିବାରେ ଲାଗିଛି । ଏହି ଘଟଣା ପରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କରୋନା ପରୀକ୍ଷଣ କରାଯିବ ବୋଲି ଜଣାପଡିଛି । ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ, ଜଣେ ନର୍ସ ଏବଂ ଦୁଇ ଜଣ ବ୍ୟକ୍ତିଗତ ସହାୟକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଚାରି ପଜିଟିଭ୍‌ ଜଣାପଡିବା ପରେ ରାଜ୍ୟପାଳଙ୍କୁ ତୁରନ୍ତ ଆଇସୋଲେସନ୍‌ରେ ରଖାଯିବା ସହିତ କରନା ପରୀକ୍ଷଣ କରାଯିବ ବୋଲି ଜଣାପଡିଛି । ସେହିପରି ରାଜ୍ୟପାଳ ତଥା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୁରୁବାର ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଡିସଚାର୍ଜ ହୋଇ ହସ୍ପିଟାଲରୁ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଆକ୍ରାନ୍ତ ଜଣକ ଭୁବନେଶ୍ବରର ବୋଲଇ ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 33ରେ ପହଞ୍ଚିଛି । ଉଲ୍ଲେଖମଯୋଗ୍ୟ ଯେ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 33 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

ରାଜ୍ୟର ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 31ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ଦୁଇ ରୋଗୀ ଭୁବନେଶ୍ବରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 82ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 31 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

ଅମିତ୍‌ ଶାହାଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହର କଲେ ଡାକ୍ତର

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତିଶ୍ରୁତି ପରେ ଡାକ୍ତର ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ପୂର୍ବରୁ ଡାକ୍ତରଙ୍କୁ ଆକ୍ରମଣ ବିରୋଧରେ ଆଇନ ପ୍ରଣୟନ ପାଇଁ ଦାବି କରାଯିବା ସହିତ ପ୍ରତିବାଦରେ ଦୁଇ ଦିନିଆ ବନ୍ଦର ଡାକରା ଦେଇଥିଲେ । ମାତ୍ର ଡାକ୍ତରଙ୍କୁ ଆକ୍ରମଣ କରାଗଲେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେବା ପରେ ଭାରତୀୟ ମେଡିକାଲ ସଂଘ(ଆଇଏମ୍‌ଏ) ପକ୍ଷରୁ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା ।

ସମ୍ବଲପୁରରେ ହେବ କରୋନା ପୁଲ୍‌ ଟେଷ୍ଟିଂ

ଭୁବନେଶ୍ବରରେ ପୁଲ ଟେଷ୍ଟିଂ ନିଷ୍ପତ୍ତି ନିଆଯିବା ପରେ ଦ୍ବିତୀୟ ସହର ଭାବରେ ସମ୍ବଲପୁରରେ ପୁଲ ଟେଷ୍ଟିଂର ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁରସ୍ଥିତ ଭୀମସାରରେ ପୁଲ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ରାଉରକେଲା ସ୍ଥିତ ଏନ୍‌ଆଇଟି ନିକଟରୁ ଦୁଇଟି ମେସିନ୍‌ ଅଣାଯିବ । ଗୋଟିଏ ସିଫ୍ଟରେ 45 ଜଣଙ୍କ ସାମ୍ପଲ ପରୀକ୍ଷଣ ହେବା ସହିତ ଦୁଇଟି ସିଫ୍ଟରେ 90 ଜଣଙ୍କ ପରୀକ୍ଷଣ ହୋଇପାରିବ ବୋଲି ଜଣାପଡିଛି । ଭୀମ୍‌ସାରରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ନବ ଦାସ ଏହି ସୂଚନା ଦେଇଛନ୍ତି ।

କୋଭିଡ-19 ମୁକାବିଲା ଲାଗି 2 ହଜାର ଏନ୍‌ସିସି କ୍ୟାଡେଟ୍‌ ନିଯୁକ୍ତ

ଏପ୍ରିଲ ପହିଲାଠାରୁ ଦେଶରେ କରୋନା ମହାମାରୀର ମୁକାବିଲା ଲାଗି ସମର ଶିକ୍ଷାର୍ଥୀମାନେ ଏକ୍ସର୍ସାଇଜ ଏନସିସି ଯୋଗଦାନ କାର୍ଯ୍ୟକ୍ରମ ଅଧୀନରେ ପ୍ରଶାସନ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିଆସୁଛନ୍ତି । ପ୍ରାୟ 2 ହଜାର ସମର ଶିକ୍ଷାର୍ଥୀ ଦେଶର 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୁତୟନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ 306ଜଣ ତାମିଲନାଡୁରେ ମୁତୟନ ହୋଇଛନ୍ତି । ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟ ପକ୍ଷରୁ ସମର ଶିକ୍ଷାର୍ଥୀମାନଙ୍କ ସହଯୋଗ କାମନା କରା ଯାଇଥିବା ବେଳେ ପ୍ରାୟ 50 ହଜାର ସମର ଶିକ୍ଷାର୍ଥୀ ସ୍ଵେଚ୍ଛାକୃତ ସେବା ପାଇଁ ନିଜର ସହମତି ପ୍ରକାଶ କରିଛନ୍ତି ।

ଲକ୍‌ଡାଉନ୍‌ରେ ଖାଦ୍ୟ ନପାଇ 5ଶିଶୁଙ୍କୁ ନଦୀକୁ ଫିଙ୍ଗିଲା ମା

ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ ପରିବାର ନିଜର ଦୈନିକ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶରେ ଜନୈକ ମହିଳା ଖାଦ୍ୟ ଅଭାବରୁ ନିଜର 5 ଶିଶୁଙ୍କୁ ନଦୀ ମଧ୍ୟକୁ ଫିଙ୍ଗି ଦେଇଛନ୍ତି । ଉତ୍ତର ପ୍ରଦେଶର ଜେଘାଙ୍ଗୀରାବାଦ ଅଞ୍ଚଳର ବନ୍ଦନା ନାମ୍ନୀ ମହିଳା ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଗତକାଲି ରାତି ଦୁଇଟା ସମୟରେ ଏହି ଘଟଣା ଘଟିଥିଲା । ପୋଲିସ୍‌ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ 5 ଶିଶୁଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୁନ୍ଦରଗଡର ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା : 48 ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌

ସୁନ୍ଦରଗଡରୁ ଗତକାଲି ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିଶେଧକ ମୂଳକ ପଦକ୍ଷେପ ଅନୁଯାୟୀ ବିଶ୍ରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି । ଗତକାଲି ଦୁଇ ଜଣ କରୋନା ଆକ୍ରାନ୍ତ ବିଶ୍ରା ଅଞ୍ଚଳରୁ ଠାବ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ଘରୁ ବାହାରିବା ଉପରେ 48 ଘଣ୍ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ଉକ୍ତ ଅଞ୍ଚଳରେ 15 ଶହ ଘର ରହିଥିବା ବେଳେ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ରାଜଧାନୀ ଭୁବନେଶ୍ବରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ 4 ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର ବୋଲି ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲିର 4 ସଙ୍କ୍ରମଣ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ ଏବଂ ଜଣେ କେନ୍ଦ୍ରାପଡାର ରହିଥିବା ବେଳେ ଅନ୍ୟ ଜଣଙ୍କ ଭୁବନେଶ୍ବରର ବୋଲି ଜଣାପଡିଛି । ତେବେ ଏହି 4 ଆକ୍ରାନ୍ତଙ୍କର ବିଦେଶ ଗସ୍ତ ଇତିହାସ ରହିଛି କି ନାହିଁ ଏବଂ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତା ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ପରୀକ୍ଷଣ ପାଇଁ ଯାଇଥିବା ଡାକ୍ତରୀ ଦଳକୁ ଅପହରଣ

ଦେଶରେ କରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଜମ୍ମୁ କାଶ୍ମୀରରେ ଏକ ସମାନ ଘଟଣା ସମ୍ମୁଖକୁ ଆସିଛି । ଜମ୍ମୁ କାଶ୍ମୀରର ବଡଗାମ ଅଞ୍ଚଳର ଓ୍ବଥୁରା ଗ୍ରାମରେ ଏକ ପରିବାର ଦ୍ବାରା ସ୍ବାସ୍ଥ୍ୟ କର୍ମୀଙ୍କୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ସ୍ଥାନୀୟ ପୋଲିସ୍‌ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଡାକ୍ତରୀ ଦଳକୁ ଉଦ୍ଧାର କରାଯିବା ସହିତ ଅପହର୍ତ୍ତା ପରିବାରକୁ ଗିରଫ କରାଯାଇଛି । ପୋଲିସ୍‌ ଉପରକୁ ପଥର ମାଡ କରାଯିବା କାରଣରୁ 3 ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି ।

କେନ୍ଦ୍ରାପଡାରୁ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡାରୁ ଦ୍ବିତୀୟ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇି । ଗତକାଲି ମିଳିଥିବା 4 ନମୁନା ମଧ୍ୟରୁ ଜଣେ ମହିଳା କେନ୍ଦ୍ରାପଡାର ରହିଥିବା ନେଇ ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ରବିବାର ଏହି ସୂଚନା ଦେଇଛନ୍ତି । ରାଜନଗର ବ୍ଲକ୍‌ ଅନ୍ତର୍ଗତ ଏହି ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଏହା ସହିତ ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 54ରେ ପହଞ୍ଚିଛି । ଏହା ମଧ୍ୟରୁ 12 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ହୋଇଛି ।

କୋଭିଡ୍‌-19 : ନିଟ୍‌ ପରୀକ୍ଷା ସ୍ଥଗିତ ରଖିଲେ କେନ୍ଦ୍ର ସରକାର

କରୋନା ଭାଇରସ୍‌ କାରଣରୁ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା (ନିଟ୍‌) ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ମେ 3 ତାରିଖରେ ନିଟ୍‌ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ଦେଶରେ 21 ଦିନ ବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ସଙ୍ଗରୋଧରୁ ଦୂରେଇ ରହିଥିବା ଆଇଏଏସ୍‌ ଅଧିକାରୀ ନିଲମ୍ବିତ

କରୋନା ସନ୍ଦିଗ୍ଧ ଜନୈକ ଆଇଏଏସ୍‌ ଅଫିସରଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯିବାର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାର ଅବମାନନା କରିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ଆଇଏଏସ୍‌ ଅଧିକାରୀ ଅନୁପମ ମିଶ୍ରଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ ଅବମାନନା କରି ଉତ୍ତର ପ୍ରଦେଶ ଯାଇଥିଲେ । ଉତ୍ତରପ୍ରଦେଶରୁ ମିଶ୍ରଙ୍କୁ ଅଟକ ରଖାଯିବା ପରେ ତାଙ୍କୁ ସରକାର ନିଲମ୍ବନ କରିଛନ୍ତି । କୋଲ୍ଲାମ ଜିଲ୍ଲାପାଳ ବି ଅବ୍‌ଦୁଲ୍‌ ନାସାରଙ୍କ ରିପୋର୍ଟ ଆଧାରରେ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି ।

ସ୍ପେନ୍‌ରେ ଗୋଟିଏ ଦିନରେ ପ୍ରାଣ ହରାଇଲେ 769 : ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର

କରୋନା ଭାଇରସ୍‌ ପ୍ରଭାବରେ ସମଗ୍ର ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍ପେନ୍‌ରେ ଏହି ଭାଇରସ୍‌ ତାଣ୍ଡବ ମଚାଇଛି । ସ୍ପେନ୍‌ରେ ଏହି ଭାଇରସ୍‌ ପ୍ରଭାବରେ ଗୋଟିଏ ଦିନରେ 769 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର ଅତିକ୍ରମ କରିଛି । ଶୁକ୍ରବାର ନୂତନ ଭାବରେ 769 ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା 4800ରେ ପହଞ୍ଚିଛି । ଇଟାଲୀର 4858 ମୃତ୍ୟୁ ପଛକୁ ଏହା ଦ୍ବିତୀୟ ସ୍ଥାନରେ ରହିଛି ।

କରୋନା କବଳରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ । ଶୁକ୍ରବାର ଲଣ୍ଡନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 24 ଘଣ୍ଟ ଧରି ଜନ୍‌ସନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନରହିବାରୁ ପରୀକ୍ଷଣରୁ କରୋନା ସଙ୍କ୍ରମିତ ଥିବା ଜଣାପଡିଛି । ବର୍ତ୍ତମାନ ଜନ୍‌ସନ୍‌ଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ସରକାରୀ କାର୍ଯ୍ୟକଳାପ ଜନ୍‌ସନ୍‌ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ ବ୍ରିଟେନ୍‌ର ଯୁବରାଜ ପ୍ରିନ୍‌ସ ଚାର୍ଲସ୍‌ କରୋନାରେ ସଙ୍କ୍ରମିତ ହୋଇଥିଲେ ।

ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଚିୁହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ସ୍ବାସ୍ଥ୍ୟ ବିଭାଗର ଟ୍ବିଟ୍ଟର ହ୍ୟାଣ୍ଡେଲ୍‌ରେ ଗୁରୁବାର ଦିନ ଏହି ସୂଚନା ମିଳିଛି । ଆକ୍ରାନ୍ତ ଜଣକ ଭୁବନେଶ୍ବରର ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆକ୍ରାନ୍ତ ଜଣକ ବିଦେଶ ଫେରନ୍ତା କି ଅନ୍ୟ ରାଜ୍ୟରୁ ଆସିଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ଉଲ୍ଲେଖମଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 694ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 16ରେ ପହଞ୍ଚିଛି ।

ଦିନ ମଜୁରିଆଙ୍କୁ 10 ଲକ୍ଷ ପ୍ୟାକେଟ୍‌ ରାସନ ପ୍ରଦାନ କରିବେ ପଞ୍ଜାବ ସରକାର

କରୋନା ପ୍ରଭାବରେ ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଦିନ ମଜୁରିଆଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ପଞ୍ଜାବ ସରକାର । ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଦିନ ମଜୁରିଆଙ୍କ 10 ଲକ୍ଷ ରାସନ୍‌ ପ୍ୟାକେଟ୍‌ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ୟାକେଟ୍‌ରେ 10 କିଗ୍ରା ଅଟା, 2 କିଗ୍ରା ଶସ୍ୟ ଏବଂ 2 କିଗ୍ରା ଚିନି ରହିବ । ଏହି ପ୍ୟାକେଟ୍‌ ଗୁଡିକୁ ବିଭିନ୍ନ ବସ୍ତିରେ ରହୁଥିବା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ମଧ୍ୟରେ ବଣ୍ଟାଯିବ । ପଞ୍ଜାବ ପୋଲିସ୍‌ ପକ୍ଷରୁ ଦ୍ବାର ଦ୍ବାର ବୁଲି ଏହି ପ୍ୟାକେଟ୍‌ ବିତରଣ କରାଯିବ ।

ଇଏମ୍‌ଆଇ ଆଦାୟ ଉପରେ କଟକଣା ଲଗାଇଲେ ତାମିଲନାଡୁ ସରକାର

ଦେଶରେ କରୋନା ଭାଇରସ୍‌ ଆତଙ୍କର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି । ଏହି ସମୟରେ ସାଧାରଣ ଲୋକଙ୍କ ଆୟର କୌଣସି ପନ୍ଥା ନଥିବା ବେଳେ ଇଏମ୍‌ଆଇ ଏବଂ ଅନ୍ୟାନ୍ୟ ଋଣ ଭରିବାକୁ ପଡିବ । ତେଣୁ ଏହି ଜରୁରୀ କାଳୀନ ସମୟରେ ସମୟରେ କୌଣସି ଋଣ ଅର୍ଥ, ସୁଧ ଏବଂ ଇଏମ୍‌ଆଇ ଆଦାୟ ଉପରେ କଟକଣା ଜାରି କରିଛନ୍ତି ତାମିଲନାଡୁ ସରକାର । ଏହି ସମୟରେ ଋଣ ରାଶି ଆଦାୟ କରାଗଲେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।