ଆମ୍ପାନ୍‌ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ : ସୁନ୍ଦରବନରେ ହେବ ଲ୍ୟାଣ୍ଡଫଲ୍‌

ପଶ୍ଚିମବଙ୍ଗରେ ସାମୁଦ୍ରିକ ବାତ୍ୟା ଆମ୍ପାନ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ 4 ଘଣ୍ଟା ଧରି ଚାଲିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି । ଏହି ପ୍ରକିୟା ପ୍ରାୟ ସନ୍ଧ୍ୟା 6.30 ପର୍ଯ୍ୟନ୍ତ ଜାରି ରହିବ । ଲ୍ୟାଣ୍ଡଫଲର ପ୍ରାୟ 30 ମିନିଟ୍‌ ପର୍ଯ୍ୟନ୍ତ ଏହି ବାତ୍ୟା ବ୍ୟାପକ କ୍ଷତି ଘଟାଇବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।

ବାଲେଶ୍ବରକୁ ପ୍ରବାସୀଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇଲେ ଜିଲ୍ଲାପାଳ

ଆଜି ସନ୍ଧ୍ୟାରୁ ବାଲେଶ୍ବର ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବାତ୍ୟା ଆମ୍ଫାନ୍‌ ପାଇଁ 20 ତାରିଖ ଯାଏଁ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ବାହାରେ ରହୁଥିବା ତଥା ପ୍ରବାସୀଙ୍କ ଉପରେ କଟକଣା ଲଗାଯାଇଛି । ଫଳରେ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ମାନେ ବର୍ତ୍ତମାନ ବାଲେଶ୍ବରକୁ ଫେରିପାରିବେ ନାହିଁ ।

ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକର ତିଗିରିଆରୁ ଆଉ ଜଣେ ଯୁବକ କରୋନା ପଜିଟିଭ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 173ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ମହିଳା ଏବଂ ଜଣେ 26 ବର୍ଷୀୟ ଯୁବକ ରହିଥିବା ବେଳେ ଉଭୟଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି । କଟକରେ ଚିହ୍ନିତ ଆକ୍ରାନ୍ତ ଜଣକ 34 ବର୍ଷୀୟ ଯୁବକ ଏବଂ ସେ ସୁରତ ଫେରନ୍ତା ବୋଲି ଜଣାପଡିଛି ।

ବାଲେଶ୍ବର ନେସ୍କୋ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ବରର ବାଲିଆରେ ରହିଥିବା ନେସ୍କୋର କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ଅଫିସ୍‌ର ଗୋଦାମ ଗୃହରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

400 ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ : 3 ଗିରଫ

ବାଲେଶ୍ବରର ଜଳେଶ୍ବରରୁ 400 ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି । ସେକ୍‌ବାଡରୁ ଏହି ଧଳା ଜହର ଜବତ କରାଯିବା ସହିତ 3 ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ବରର ସେକ୍‌ ସିଦ୍ଦିକି ସମେତ ପଶ୍ଚିମବଙ୍ଗର ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି । ଜବତ କରାଯାଇଥିବା ଧଳାଜହରର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ 40 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ବାଲେଶ୍ବରର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ 5ଟି ସଚିବ

5ଟି ସଚିବ ଭିକେ ପାଣ୍ଡିଆନ ବାଲେଶ୍ବର ଗସ୍ତ କରିଛନ୍ତି । ସୋମବାର ବାଲେଶ୍ବର ଗସ୍ତ କରିଥିବା ପାଣ୍ଡିଆନ୍‌ ସହରର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିଛନ୍ତି । ଏହି ଅବସରରେ ପାଣ୍ଡିଆନ୍‌ ତଲସାରୀ ଏବଂ ଉଦୟପୁର ସମୁଦ୍ର ତଟ ଭ୍ରମଣ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଦୁଇ ସମୁଦ୍ର ତଟର ନକ୍ସା ଦେଖିବା ସହିତ ବିଭିନ୍ନ ସ୍ଥାନକୁ ସ୍ବୟଂ ଅନୁଧ୍ୟାନ କରିଥିଲେ 5ଟି ସଚିବ । ଏହି ଦୁଇ ସ୍ଥାନର ବିକାଶ କରାଇବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପାଣ୍ଡିଆନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଅପହର୍ତ୍ତା ଚମ୍ପଟ : 3 ପୋଲିସ ଅଧିକାରୀ ନିଲମ୍ବିତ

ଦାୟିତ୍ବରେ ଅବହେଳା ପାଇଁ ବାଲେଶ୍ବରରେ ତିନି ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଜଣେ ଏଏସ୍‌ଆଇ, ଜଣେ ହାବିଲଦାର ଏବଂ ଜଣେ କନେଷ୍ଟବଳ ରହିଛନ୍ତି । ଜମର୍ଦ୍ଦା ଥାନା ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ, ହାବିଲଦାର ଅରୁଣ ଧଳ ଏବଂ ମହିଳା କନେଷ୍ଟବଳ ମମତା ପାତ୍ରଙ୍କୁ ନିଲମ୍ବନ କରାଯାଇଛି । ଜଣେ ଅପହର୍ତ୍ତାଙ୍କୁ ଉତ୍ତର ପ୍ରଦେଶରୁ ଅଣାଯାଉଥିବା ତିନି ଜଣଙ୍କ ଅବହେଳା କାରଣରୁ ଅଭିଯୁକ୍ତ ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ବାଇକ୍‌ ଆରୋହୀ

ଭଦ୍ରକର ଚାନ୍ଦବାଲିରେ ଏକ ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦ୍ବୟ ହେଉଛନ୍ତି ନଳଗୋହିରା ଗ୍ରାମର ଅଶୋକ ଦାସ ଓ ବଳରାମ ନାୟକ । ଦୁଇ ଜଣଙ୍କ ବ୍ୟତିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତିନିଜଣ ଏକ ବାଇକ୍‌ରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।