80 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା : ବୃଦ୍ଧଙ୍କ ପାଲଟା ଅଭିଯୋଗ

ହାଇଦ୍ରାବାଦର ଜଣେ 80 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ 22 ବର୍ଷୀୟ ମହିଳା । ତେବେ ଏହା ସହିତ ଉକ୍ତ ବ୍ୟକ୍ତି ଜଣକ ଉକ୍ତ ମହିଳାଙ୍କ ବିରୋଧରେ ଚୋରିର ଅଭିଯୋଗ ଆଣିଛନ୍ତି । ଘଟଣାଟି ଏହିପରିକି, ହାଇଦ୍ରାବାଦର ବଞ୍ଜାରା ହିଲ୍‌ସରେ ରହୁଥିବା ଉକ୍ତ 80 ବର୍ଷର ବୃଦ୍ଧଙ୍କ ଘରେ ରହୁଥିବା ଉକ୍ତ 22 ବର୍ଷୀୟା ମହିଳା ଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏହା ସହିତ ତାଙ୍କର ମହଙ୍ଗା ଘଣ୍ଟା ଚୋରି କରିଥିବା ନେଇ ବୃଦ୍ଧ ଜଣକ ମହିଳା ଏବଂ ତାଙ୍କର ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

2 ଲକ୍ଷ 60 ହଜାର ଛୁଇଁଲା ବିଶ୍ବ ବ୍ୟାପୀ କରୋନା ମୃତକଙ୍କ ସଂଖ୍ୟା

ସମଗ୍ର ବିଶ୍ବ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ବିଶ୍ବବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା 2 ଲକ୍ଷ 60 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 87 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 5400 ଲୋକ ପ୍ରାଣ ହରାଇଛନ୍ତି । 87729 ନୂତନ ଆକ୍ରାନ୍ତଙ୍କ ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3,759,967 ଛୁଇଁଥବା ବେଳେ 5429 ଜଣଙ୍କ ମୃତ୍ୟୁ ସହ ସମୁଦାୟ ମୃତ୍ୟୁ ସଂଖ୍ୟା 2 ଲକ୍ଷ 59 ହଜାର 474ରେ ପହଞ୍ଚିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ 12 ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ 67 ହଜାର 146 ଜଣଙ୍କ ପ୍ରାଣହାନି ଘଟିଛି ।

ମେ 20ରୁ ଆରମ୍ଭ ହେବ ମେଟ୍ରିକ୍‌ ପରୀକ୍ଷା ଖାତାଦେଖା

ଚଳିତ ମେ ମାସ 20 ତାରିଖରୁ ମେଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବାକୁ ଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ମେ 19 ସୁଦ୍ଧା ପରୀକ୍ଷା ନୀରିକ୍ଷକ ସମସ୍ତ ସ୍କୁଲରେ ପହଞ୍ଚିବା ସହିତ ଖାତା ଦେଖା ଆରମ୍ଭ କରିବେ । ଖାତା ମୂଲ୍ୟାୟନ ନେଇ ବୈଠକ ଅନୁଷ୍ଠିତ ହେବ ପରେ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ପରୀକ୍ଷା ଖାତା ମୂଲ୍ୟାୟନ ସମୟରେ ସାମାଜିକ ଦୂରତ୍ବର ଧ୍ୟାନ ରଖାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଜୁଲାଇ 1ରୁ 15 ମଧ୍ୟରେ ସିବିଏସ୍‌ଇ ପରୀକ୍ଷା

କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସ୍‌ଇ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ଆଜି ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 1 ତାରିଖରୁ 15 ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ସୂଚୀ ବାହାରି ନଥିଲେ ମଧ୍ୟ ଏହି ତାରିଖ ମଧ୍ୟରେ ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଏହା ସହିତ ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଲକ୍‌ଡାଉନ୍‌ରୁ ବାହାରିବାର ଉପାୟ ନିଶ୍ବିନ୍ତ କରନ୍ତୁ ସରକାର : ରାହୁଲ

କରୋନା ଭାଇରସ୍‌ କାରଣରୁ ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଘେରିବାର ଉଦ୍ୟମ କରିଛନ୍ତି ରାହୁଲ ଗାନ୍ଧୀ । ଲକ୍‌ଡାଉନ୍‌ରୁ ବାହାରିବାର ଏକ ନିଶ୍ଚିନ୍ତ ଉପାୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାହୁଲ୍‌ ମତ ଦେଇଛନ୍ତି । ଲକ୍‌ଡାଉନ୍ ପ୍ରଭାବରୁ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯିବା ଆବଶ୍ୟକ । ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ ପ୍ରୟାସ କରିବା ସହିତ ସମସ୍ତ ଗରିବଙ୍କ ଆକାଉଣ୍ଟକୁ ପଇସା ପଠାଇବା ଉଚିତ୍‌ ବୋଲି ରାହୁଲ ମତ ଦେଇଛନ୍ତି ।

ସୁସ୍ଥ ହେଲେ ଆଉ ଜଣେ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ 63 ଜଣ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ ନୂତନ ଭାବରେ 26 ଜଣ ଆକ୍ରାନ୍ତ ଜଣାପଡିବା ପରେ ଏହା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ରାଉରକେଲାର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ 245 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।

ସାମ୍ବାଦିକ ମାନେ ପୁଲିତ୍‌ଜର ପୁରସ୍କାରକୁ ପ୍ରତ୍ୟାବର୍ତ୍ତନ କରିବା ଉଚିତ୍‌ : ଟ୍ରମ୍ପ

ସାମ୍ବାଦିକ ମାନେ ପୁଲିତଜର ପୁରସ୍କାର ଫେରାଇବା ଉଚିତ୍‌ ବୋଲି ମନ୍ତବ୍ୟ ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଋଷ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ସର୍ବଦା ମିଥ୍ୟା ଖବର ପ୍ରକାଶନ ପାଇଁ ପ୍ରଦାନ କରାଯାଇଥାଏ ତେଣୁ ଏହି ପୁରସ୍କାରକୁ ସମସ୍ତେ ପ୍ରତ୍ୟାବର୍ତ୍ତନ କରିବା ଉଚିତ୍‌ ବୋଲି ଟ୍ରମ୍ପ ମତ ଦେଇଛନ୍ତି । ସାମ୍ବାଦିକତା ପାଇଁ ପ୍ରଦତ୍ତ ଏହି ସର୍ବୋଚ୍ଚ ସମ୍ମାନ ନିଜର ନିଜସ୍ବତା ହରାଇ ସାରିଛି ତେଣୁ ଏହି ପୁରସ୍କାରକୁ ଫେରାଇବା ଉଚିତ୍‌ ବୋଲି ହ୍ବାଇଟ୍‌ହାଉସ୍‌ରେ ଏକ ପ୍ରେସ୍‌ମିଟ୍‌ରେ ମତ ଦେଇଛନ୍ତି ଟ୍ରମ୍ପ ।

ଜାନୁୟାରୀ ପରଠାରୁ ମରିଛନ୍ତି 64 ଆତଙ୍କୀ

ଜାନୁୟାରୀ ପରଠାରୁ କାଶ୍ମୀର ଉପତ୍ୟାକାରେ 64 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଏହି ସମୟରେ 25 ଆତଙ୍କବାଦୀ ଏବଂ 125 ଆତଙ୍କୀଙ୍କ ସହଯୋଗୀ ଗିରଫ ହୋଇଛନ୍ତି । ନିହତ ଆତଙ୍କୀଙ୍କ ମଧ୍ୟରେ ଜୈସ୍‌ର କାରି ୟାସିର୍‌, ଏଜିଏଚ୍‌ର ବୁର୍‌ହାନ୍‌ କୋକା ଏବଂ ହିଜବୁଲ୍‌ର ରିୟାଜ୍‌ ନାଇକୁ ଅନ୍ତର୍ଭୁକ୍ତ । ଜାନୁୟାରୀ ପରଠାରୁ ସେନା ପକ୍ଷରୁ 27ଟି ଏନ୍‌କାଉଣ୍ଟରରେ ଏହି ସଫଳତା ମିଳିଥିବା ନେଇ ଆଇଜିପି ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ନର୍କରେ ଶାନ୍ତିରେ ଶୁଅ : ଗୌତମ ଗମ୍ଭୀର

କ୍ରିକେଟରରୁ ସାଂସଦ ବନିଥିବା ଗୌତମ ଗମ୍ଭୀର ସର୍ବଦା ନିଜର ଖୋଲାକଥା ପାଇଁ ଚର୍ଚ୍ଚାରେ ରହିଥିାନ୍ତି । ଗତକାଲି ହିଜବୁଲ ଆତଙ୍କବାଦୀ ରିୟାଜ୍‌ ନାଇକୁର ଏନ୍‌କାଉଣ୍ଟର ପରେ ଗମ୍ଭୀରଙ୍କ ଏକ ଟ୍ବିଟ୍‌କୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସର୍ବଦା ଭାରତୀୟ ସେନାର ସମର୍ଥନରେ ଟ୍ବିଟ୍‌ କରୁଥିବା ଗମ୍ଭୀର ନିଜ ଟ୍ବିଟ୍‌ରେ ଭାରତୀୟ ସେନାର ବୀରତ୍ବ ମଧ୍ୟ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ନର୍କରେ ଶାନ୍ତିରେ ଶୁଅ ବୋଲି ଟ୍ବିଟ୍‌ କରିବା ସହିତ କେବେ ଭାରତୀୟ ସେନା ସହ ଲାଗିବାର ଦୁଃସାହସ କରନାହିଁ ବୋଲି ଗମ୍ଭୀର ଟ୍ବିଟ୍ କରିଥିଲେ ।

ଛତିଶଗଡ ପେପର କାରଖାନାରୁ ଗ୍ୟାସ୍ ଲିକ୍‌ : 7 ଜଣ ହସ୍ପିଟାଲରେ ଭର୍ତ୍ତି

ଛତିଶଗଡର ରାୟଗଡରେ ଏକ ପେପର ମିଲ୍‌ରୁ ଗ୍ୟାସ୍‌ଲିକ୍‌ ଘଟିଛି । ଏହି ଗ୍ୟାସ୍‌ ଲିକ୍‌ ଘଟଣାରେ 7 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ପେପର ମିଲ୍‌ର ଏକ ଟାଙ୍କି ସଫା କରୁଥିବା ବେଳେ ଏହି ଗ୍ୟାସ୍‌ ଲିକ୍‌ ହୋଇଥିବା ନେଇ ରାୟଗଡ ଏସ୍‌ପି ସୂଚନା ଦେଇଛନ୍ତି । ସକାଳୁ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମର ଏକ ରାସାୟନିକ କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ 11 ଜଣଙ୍କ ପ୍ରଶହାନି ଘଟିଥିବା ବେଳେ ଏହି ଘଟଣା ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି ।

ଲକ୍‌ଡାଉନ୍‌ରେ ପୋଲିସ୍‌ ସାଜିଲା କନ୍ୟାପକ୍ଷ : ସୋସିଆଲ ମିଡିଆରେ ପ୍ରଶଂସା

ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଅନେକ ବିବାହ ବନ୍ଦ ରଖାଯାଉଛି । ତେବେ ଏହି ସମୟରେ ବିବାହ କରୁଥିବା ଏକ ଯୋଡିଙ୍କ ବାହାଘରରେ ସାମିଲ ହୋଇଛି ନାଗପୁର ପୋଲିସ୍‌ । ବିବାହ କରୁଥିବା ଝିଅର ପିତାମାତା ନଥିବା ବେଳେ ଅନ୍ୟ ବନ୍ଧୁବାନ୍ଧବ ଲକ୍‌ଡାଉନ୍‌ କାରଣରୁ ଆସି ପାରିନଥିଲେ । ତେବେ ନାଗପୁର ପୋଲିସ୍‌ ବାହାଘରରେ ସାମିଲ ହେବା ସହିତ କନ୍ୟାପକ୍ଷର ଭୂମିକା ନିଭାଇଥିଲେ । ଏହାପରେ ବରବଧୂଙ୍କୁ ଆଶୀର୍ବାଦ କରିଥିଲେ ପୋଲିସ୍‌ । ବୁଧବାର ଘଟିଥିବା ଏହି ବିବାହର ଫଟୋ ନାଗପୁର ପୋଲିସ୍‌ ଟ୍ବିଟ୍ଟରରେ ସେୟାର କରିବା ପରେ ଏହାକୁ ଢେର ପ୍ରଶଂସା କରାଯାଇଛି ।

ମୟୁରଭଞ୍ଜରୁ ଆଉଜଣେ ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ଏହି ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206ରେ ପହଞ୍ଚିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୟୁରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ 3 ସୁରତ ଫେରନ୍ତା କରୋନା ପଜିଟିଭ୍‌ ଜଣାପଡିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 62 ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ବରର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 205 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।

ବିଶାଖାପଟ୍ଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣା : ଏଲ୍‌ଜି ଫାର୍ମା ବିରୋଧରେ ମାମଲା ରୁଜୁ

ବିଶାଖାପଟ୍ଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ଅଭିଯୁକ୍ତ କମ୍ପାନୀ ଏଲ୍‌ଜି ଫାର୍ମା ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 9 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଶତାଧିକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । 100ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 3 କିମି ବ୍ୟାସାର୍ଦ୍ଧ ମଧ୍ୟରେ ରହିଥିବା 5ଟି ଗାଁକୁ ବର୍ତ୍ତମାନ ସୁଦ୍ଧା ଖାଲି କରି ଦିଆଯାଇଥିବା ଜଣାପଡିଛି । ଗ୍ୟାସ୍‌ ଲିକ୍‌ର କାରଣ ଅସ୍ପଷ୍ଟ ରହିଥିବାବେଳେ କାର୍ଯ୍ୟରେ ଏସ୍‌ଡିଆର୍‌ଏଫ୍‌ ଓ ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବୁକିଂ ଆରମ୍ଭ କଲା ଏୟାର ଇଣ୍ଡିଆ

ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆ ଏହାର ବୁକିଂ ଆରମ୍ଭ କରିଛି । ତେବେ ଘରୋଇ ଉଡାଣ ପାଇଁ ନୁହେଁ । କେବଳ କିଛି ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ଉଡାଣ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ ଏବଂ ସିଙ୍ଗାପୁର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଏହା ବ୍ୟତିତ ଆଗାମୀ ଦିନରେ ମଧ୍ୟପ୍ରାଚ୍ୟ ନିମନ୍ତେ ମଧ୍ୟ ବୁକିଂ କରାଯିବ ବୋଲି ଜଣାପଡିଛି ।

ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କଲେ ସରକାର

ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବରେ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ତ୍ବରିତ ଭାବରେ ବଢୁଥିବାରୁ ସରକାର ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବରେ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଗଞ୍ଜାମରେ 17 ଜଣ ସୁରତ ଫେରନ୍ତା ପଜିଟିଭ୍‌ ଜଣାପଡିଥିଲେ । ସେହିପରି ଭାବରେ ଗତକାଲି ଏବଂ ଆଜି କରୋନା ଛଇଁଥିବା ଦୁଇଜିଲ୍ଲା ଜଗତସିଂହପୁର ଏବଂ ମୟୁରଭଞ୍ଜକୁ ଗ୍ରୀନ୍‌ରୁ ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ କରାଯାଇଛି ।

ତବଲିଗ ଜମାତ ସମ୍ପର୍କିତ ଆକାଉଣ୍ଟକୁ ଅଚଳ କଲେ ସରକାର

ତବଲିଗ ଜମାତ ସମ୍ପର୍କିତ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ଦେଇଛନ୍ତି କେନ୍ଦ୍ର ସରକାରବ ମୌଲାନା ସାଦ୍‌ ଦୀର୍ଘ 40 ଦିନ ଧରି ଆତ୍ମଗୋପନରେ ଥିବାରୁ କେନ୍ଦ୍ରୀୟ ଏଜେନ୍ସିଙ୍କ ପରାମର୍ଶରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସମସ୍ତ ବ୍ୟାଙ୍କକୁ ମଧ୍ୟ ଏ ସମ୍ପର୍କିତ ନିର୍ଦ୍ଦେଶନାମା ପଠାଯାଇଥିବା ଜଣାପଡିଛି । ତବଲିଗି ଜମାତ ପରେ ବିଭିନ୍ନ ବିବାଦୀୟ ବୟାନ କାରଣରୁ ମୌଲାନାଙ୍କ ଗିରଫଦାରୀ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରଠାରୁ ମୌଲାନା ଫେରାର ଅଛନ୍ତି ।

ଲକ୍‌ଡାଉନ୍‌ରେ ସରକାରୀ ଗୋଦାମରୁ ଗାଏବ ହୋଇଛି 86 ଲକ୍ଷ ଟଙ୍କାର ମଦ

ଲକ୍‌ଡାଉନ୍‌ ସମୟରେ ହରିୟାଣା ସରକାରଙ୍କ ଏକ ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ୍‌ ହୋଇଯାଇଛି । ହରିୟାଣାର ପାନିପତ ସହରରେ ଅବସ୍ଥିତ ଏହି ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ ହୋଇଯାଇଛି । ତେବେ ଏହି ଘଟଣା ପରେ ଏହି ଗୋଦାମରେ ରହିଥିବା ବଳକା ମଦକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । 2016ରୁ ଏହି ଗୋଦାମଟିକୁ ସିଲ୍‌ କରାଯାଇଥିବା ବେଳେ ଏହା ମଧ୍ୟରୁ ମଦ କିପରି ଗାଏବ ହେଲା ସେ ନେଇ ପ୍ରଶ୍ନ ଉଠିଛି ।

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁରରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 179ରେ ପହଞ୍ଚି ଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 54କୁ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 179କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ 60 ଜଣ ସୁସ୍ଥ ହୋଇଥିବାବେଳେ 117 ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁରରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 180ରେ ପହଞ୍ଚି ଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 55କୁ ବୃଦ୍ଧି ପାଇଛି । ଆଜିର ଦିନରେ ଏହାକୁ ମିଶାଇ ଯାଜପୁରରୁ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତି ଜଣକ 55 ବର୍ଷୀୟ ପୁରୁଷ ଏବଂ ତାଙ୍କର କଲିକତା ଲିଙ୍କ ରହିଥିବା ଜଣାପଡିଛି ।

ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଟିକସ୍‌ ବୃଦ୍ଧି କଲେ କେନ୍ଦ୍ର ସରକାର

ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଟିକସ୍‌ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ଶୁଳ୍କ ବୃଦ୍ଧି କାରଣରୁ ପେଟ୍ରୋଲ 10 ଟଙ୍କା ଏବଂ ଡିଜେଲ୍‌ 13 ଟଙ୍କା ମହଙ୍ଗା ହେବ । ତେବେ ସାଧାରଣ ଗ୍ରାହକ ଏହା ଦ୍ବାରା ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପେଟ୍ରୋଲ ଟାଙ୍କିରେ ତୈଳ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ । ପ୍ରବର୍ତ୍ତନ ଶୁଳ୍କ ଉପରେ କରାଯାଇଥିବା ଏହି ବୃଦ୍ଧି ତିନି ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପ, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ବହନ କରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଅବନ୍ତୀପୁରାରେ ଦୁଇ ଆତଙ୍କୀ ନିହତ

ଜମ୍ମୁ କାଶ୍ମୀରର ଅବନ୍ତୀପୁରାରେ ସୁରକ୍ଷା ବଳଙ୍କୁ ବଡ ସଫଳତା । ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଦକ୍ଷିଣ କାଶ୍ମୀରର ଅବନ୍ତୀପୁରା ଏବଂ ଶାହରାହଲିରେ ଏନ୍‌କାଉଣ୍ଟର ସଙ୍ଗଠିତ ହେବା ସହିତ ଦୁଇ ଆତଙ୍କୀ ପ୍ରାଣ ହରାଇଛନ୍ତି । ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ ପକ୍ଷରୁ ମିଳିତ ଭାବରେ କରାଯାଇଥିବା ଏହି ଅପରେସନ୍‌କୁ ବଡ ସଫଳତା ମିଳିଥିବା କୁହାଯାଉଛି । ମୃତ ଆତଙ୍କୀଙ୍କ ମଧ୍ୟରେ ଜଣେ ହିଜବୁଲ କମାଣ୍ଡର ରହିଥିବା ନେଇ ସେନ ପକ୍ଷରୁ ସୂଚନା ଦିଆଯାଇଛି ।

ରାଉରକେଲାରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ

ରାଉରକେଲାରୁ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 174ରେ ପହଞ୍ଚିଛି । ଏହି ଆକ୍ରାନ୍ତ ଜଣକ 49 ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ଫେରନ୍ତା ଏହି ବ୍ୟକ୍ତି ଜଣଙ୍କ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ମଙ୍ଗଳବାର ନମୂନା ପଜିଟିଭ୍‌ ଆସିଛି ।

ଆତଙ୍କବାଦୀ ଲିଙ୍କ ଥିବା ଯୁବକ ଗିରଫ

ଜମ୍ମୁ କାଶ୍ମୀରରୁ ଆତଙ୍କବାଦୀ ଲିଙ୍କ ରହିଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନା ପକ୍ଷରୁ ମିଳିତ ଭାବରେ କରାଯାଇଥିବା ସର୍ଚ୍ଚ ଅପରେସନ୍‌ରେ ଏହି ଯୁବକଙ୍କୁ ଗିରଫ କରାଯାଇଛି । ଡୋଡାରୁ ମଙ୍ଗଳବାର ଗିରଫ ହୋଇଥିବା ଏହି ଯୁବକଙ୍କ ନାମ ତନ୍‌ଭୀର ଅହମ୍ମଦ ମଲିକ୍‌ । ଗିରଫ ଯୁବକଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହିଜବୁଲ୍‌ ମୁଜାହିଦ୍ଦିନିର କମାଣ୍ଡର ହାରୁନ୍‌ ଆବ୍ବାସ ସହିତ ଏହି ଯୁବକଙ୍କ ସମ୍ପର୍କ ରହିଥିଲା । ଜାନୁୟାରୀ 15ରେ ଆବ୍ବାସର ଏନ୍‌କାଉଣ୍ଟର ପରଠାରୁ ଏହି ଯୁବକ ଜଣକ ନିଖୋଜ ରହିଥିଲା ।

ଭିଡ ନିୟନ୍ତ୍ରଣ ପାଇଁ ମଦ ମୂଲ୍ୟ 50 ପ୍ରତିଶତ ବଢାଇଲା ଏହି ରାଜ୍ୟ

ଗତକାଲି ଠାରୁ ବିଭିନ୍ନ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକ କରୋନା ଡରକୁ ଖାତିର ନକରି ମଦ କିଣିବା ପାଇଁ ଲମ୍ବା ଲାଇନରେ ଛିଡା ହେବା ସହିତ ସାମାଜିକ ଦୂରତ୍ବକୁ ଅବମାନନା କରୁଛନ୍ତି । ଏହାକୁ ଦୂର କରିବା ପାଇଁ ପ୍ରଥମେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମଦ ଉପରେ 70 ପ୍ରତିଶତର ସ୍ବତନ୍ତ୍ର କରୋନା ଫି ଲଗାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ରାଜ୍ୟ ଭାବରେ ସମାନ ପଦକ୍ଷେପ ଗ୍ରହଣ କରିଛି । ଆନ୍ଧ୍ରପ୍ରଦେଶ ସରକାର ମଦ ମୂଲ୍ୟକୁ ପ୍ରାୟ ଦୁଇ ଗୁଣ କରି ଦେଇଛନ୍ତି ।

ଜୁଲାଇକୁ ଘୁଞ୍ଚିଲା ଜେଇଇ ଏବଂ ନିଟ୍‌ ପରୀକ୍ଷା

ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଜେଇଇ ଏବଂ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି । ଜେଇଇର ମେନ୍‌ସ ପରୀକ୍ଷା ଜୁଲାଇ18-23 ମଧ୍ୟରେ ହେବାକୁ ଥିବା ବେଳେ ଜେଇଇର ଆଡଭାନ୍ସଡ୍‌ ପ୍ରବେଶିକା ପରୀକ୍ଷା ଅଗଷ୍ଟ ମାସରେ ଅନୁଷ୍ଠିତ ହେବ । ସେହିପରି ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌କୁ ଜୁଲାଇ 26କୁ ଘୁଞ୍ଚାଇ ଦିଆଯାଇଛି । ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଙ୍ଗଳବାର ଏହି ସୂଚନା ପ୍ରଦାନ କରିଛନ୍ତି ।

ପେଟ୍ରୋଲ ଓ ଡିଜେଲ ଉପରେ 30 ପ୍ରତିଶତର ଅତିରିକ୍ତ ଟିକସ ଲଗାଇଲେ ଦିଲ୍ଲୀ ସରକାର

ମଦ ଉପରେ ସ୍ବତନ୍ତ୍ର କରୋନା ଫି ଲାଗୁ କରିବା ପରେ ଦିଲ୍ଲୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରିଛନ୍ତି । ସୋମବାର ମଧ୍ୟରାତ୍ରରୁ ପେଟ୍ରୋଲ ଏବଂ ଡିଜେଲ ଉପରେ 30 ପ୍ରତିଶତର ଭ୍ୟାଟ୍‌ ଲାଗୁ କରାଯାଇଛି । ମଦ ଉପରେ 70 ପ୍ରତିଶତର କରୋନା ଫି ଲାଗୁ କରିବା ପରେ ଆଜିଠାରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରାଯାଇଛି । ଏହି ଅତିରିକ୍ତ ଟିକସ୍‌ ଲାଗୁ କରାଯିବା ପରେ ପେଟ୍ରୋଲର ମୂଲ୍ୟ 71.26 ଟଙ୍କା ରହିଥିବା ବେଳେ ଡିଜେଲ୍‌ର ମୂଲ୍ୟ 69.39 ପଇସା ରହିଛି ।

ସାମ୍ବାଦିକାଙ୍କ ଆତ୍ମହତ୍ୟା ପରେ ସମାଜବାଦୀ ପାର୍ଟି ନେତା ଗିରଫ

ଉତ୍ତର ପ୍ରଦେଶରେ ଜଣେ ସାମ୍ବାଦିକା ଆତ୍ମହତ୍ୟା କରିବା ପରେ ଜନୈକ ସମାଜବାଦୀ ପାର୍ଟି ନେତାଙ୍କୁ ଗିରଫ କରାଯାଇଛି । 28 ବର୍ଷୀୟ ସାମ୍ବାଦିକ ରିଜଓ୍ବାନା ତବାସୁମ୍‌ ଆତ୍ମହତ୍ୟା କରିବା କାରଣରୁ ସମାଜବାଦୀ ପାର୍ଟି ନେତା ସାମିମ୍‌ ନୋମାନିଙ୍କୁ ଗିରଫ କରାଯାଇଛି । ବାରଣାସୀର ହରପାଲପୁରର ଏହି ସାମ୍ବାଦିକା ଜଣକ ନିଜ ବାସଭବନରେ ଆତ୍ମହତ୍ୟା କରିବା ସହିତ ସୁଇସାଇଡ୍‌ ନୋଟ୍‌ରେ ଉକ୍ତ ନେତାଙ୍କ ନାମ ଉଲ୍ଲେଖ କରିଥିଲେ । ତବାସୁମଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ଆଇପିସିର ଧାରା 306 ଅନୁସାରେ ନୋମାନିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

କୂଅରେ ପଡି ମା‘ ପୁଅ ମୃତ

କାମାକ୍ଷା ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କୂଅରେ ପଡି 3 ବର୍ଷର ପୁଅ ସହିତ ମା‘ ପ୍ରାଣ ହରାଇଛି । କାମାକ୍ଷାନଗରର ପର୍ଜଙ୍ଗ ଅନ୍ତର୍ଗତ ତୋରଡାନାଳି ଗ୍ରାମରେ ଏହି ଘଟଣା ଘଟିଛି । 3 ବର୍ଷର ପୁଅ ଖେଳୁଥିବା ବେଳେ କୂଅରେ ପଡି ଯାଇଥିବା ବେଳେ ପୁଅକୁ ବଞ୍ଚାଇବାକୁ ଯାଇ ମା‘ ମଧ୍ୟ କୂଅ ମଧ୍ୟକୁ ଡେଇଁ ପଡିଥିଲେ । ପରେ ଗ୍ରାମବାସୀଙ୍କ ଦ୍ବାରା ମା‘ ଓ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା ।

ଜିଓରେ 5655 କୋଟି ନିବେଶ କଲଶ ସିଲ୍ଭର ଲେକ୍‌

ଜିଓରେ 5655 କୋଟି ଟଙ୍କା ନିବବେଶ କରିଛି ଆମେରିକୀୟ ଇକ୍ବିଟୀ କମ୍ପାନୀ ସିଲ୍ଭର ଲେକ୍‌ । ନିକଟରେ ଫେସ୍‌ବୁକ୍‌ ଜିଓରେ 43 ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ଆମେରିକୀୟ ଘରୋଇ ଇକ୍ବିଟି କମ୍ପାନୀ ସିଲ୍ଭର ଲେକ୍‌ ଜିଓର 1.15 ପ୍ରତିଶତ ଅଂଶଧନ କିଣିଛି । ସେହିପରି ଜିଓର ଇକ୍ବିଟି ଅଂଶଧନର ମୂଲ୍ୟ 4.90 ଲକ୍ଷ କୋଟି ଏବଂ ଏଣ୍ଟରପ୍ରାଇଜ୍‌ସ ଭ୍ୟାଲୁ 5.15 ଲକ୍ଷ କୋଟି ଟଙ୍କା ରହିଛି ।

ଋଷିକେଶରୁ ଗିରଫ ହେଲେ ଉତ୍ତର ପ୍ରଦେଶ ବିଧାୟକ

ଉତ୍ତର ପ୍ରଦେଶର ଜନୈକ ବିଧାୟକଙ୍କୁ ଋଷିକେଶରୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶ ବିଧାୟକ ଅମନମଣି ତ୍ରିପାଠୀ ଏବଂ ତାଙ୍କର 10 ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କାରଣରୁ ବିଧାୟକ ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ବିଧାୟକ ଏବଂ ଅନ୍ୟମାନଙ୍କୁ ଜାମିନରେ ଛଡାଯାଇଛି । ଲକ୍‌ଡାଉନ୍‌ରେ ବଦ୍ରିନାଥ ଯାଉଥିବା ବେଳେ ବିଧାୟକଙ୍କୁ ଉତ୍ତରାଖଣ୍ଡର ଚାମୋଲିରୁ ଗିରଫ କରାଯାଇ ପୁନର୍ବାର ଉତ୍ତର ପ୍ରଦେଶ ପଠାଇ ଦିଆଯାଇଛି ।

ରାଜ୍ୟରେ ଆଉ 6 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ 6 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 6 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 169ରେ ପହଞ୍ଚିଛି । ତେବେ ପ୍ରଥମ ଜିଲ୍ଲା ଭାବରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଅତିକ୍ରମ କରିଛି । ଯାଜପୁରରେ ସମୁଦାୟ 52 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 21 ଛୁଇଁଛି ।

24 ଘଣ୍ଟାରେ 674 ନୂତନ ଆକ୍ରାନ୍ତ : ସୁସ୍ଥ ହାର 27.52 ପ୍ରତିଶତ

ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାର ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅପଡେଟ୍‌ ପ୍ରଦାନ କରାଯାଇଛି । ବିଗତ 24 ଘଣ୍ଟା ମଧ୍ୟରେ 553 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 42533ରେ ପହଞ୍ଚିଛି । ଏହି ସମୟରେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1373 ରହିଥିବା ବେଳେ ଏହି ସମୟ ମଧ୍ୟରେ 11706 ଜଣ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସେହିପରି ଦେଶରେ ଆରୋଗ୍ୟ ବ୍ୟକ୍ତିଙ୍କ ପ୍ରତିଶତ 27.52 ପ୍ରତିଶତ ରହିଥିବା ନେଇ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ।

ଆସନ୍ତା କାଲି ଠାରୁ ଆରମ୍ଭ ହେବ ରଥ କାମ!

ଆସନ୍ତା କାଲି ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । ମଙ୍ଗଳବାର ଠାରୁ ରଥକାମ ଆରମ୍ଭ କରିବା ନେଇ ଗଜପତି ମହାରାଜ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପୁରୀ ଗ୍ରୀନ୍‌ ଜୋନ୍‌ରେ ରହିଥିବାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଗଜପତି ମତ ଦେଇଛନ୍ତି । ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ ନୁହେଁ ଏବଂ ରଥଖଳା ଏକ ସର୍ବସାଧାରଣ ସ୍ଥାନ ହୋଇନଥିବାରୁ ସୋସିଆଲ ଡିଷ୍ଟାନ୍ସିଂକୁ ଧ୍ୟାନରେ ରଖି କାମ କରିବା ପାଇଁ ରଥ ନିର୍ମାଣ କମିଟି ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ତେବେ ଅନ୍ତିମ ନିଷ୍ପତ୍ତି ସରକାର ନେବେ ବୋଲି ଜଣାପଡିଛି ।

କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ : ମୁଖ୍ୟ ଶାସନ ସଚିବ

ଫେରୁଥିବା ପ୍ରବାସୀ ଶ୍ରମିକ ମାନେ ନିୟମର ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରେସ୍‌ ମିଟ୍‌ରେ କହିଛନ୍ତି। ଆଜି କିଛି ଶ୍ରମିକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଭଙ୍ଗାରୁଜା କରିବା ପରେ ମୁଖ୍ୟ ଶାସନ ସଚିବ ଏହି ମତ ଦେଇଛନ୍ତି। ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ ଉପଯୁକ୍ତ ପାସ୍‌ ନଥିଲେ କିମ୍ବା ଆସୁଥିବା ବସ୍‌ରେ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରାଯାଉନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବସ୍‌କୁ ମିଳିଥିବା ରୁଟ୍‌ ବ୍ୟତିରେକ ଅନ୍ୟାନ୍ୟ ରୁଟ୍‌ରେ ଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରବାସୀ ବିଶୃଙ୍ଖଳିତ ହେଲେ ଜିଲ୍ଲାପାଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ହୋମ୍‌ କ୍ବାରେଣ୍ଟାଇନରେ 40 ସିଆରପିଏଫ୍‌ ଯବାନ : ସିଲ୍‌ ହେଲା ଦିଲ୍ଲୀ ମୁଖ୍ୟାଳୟ

ଦିଲ୍ଲୀ ସିଆରପିଏଫ୍‌ ମୁଖ୍ୟାଳୟରେ ଜନୈକ ଡ୍ରାଇଭର କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ମୁଖ୍ୟାଳୟକୁ ସିଲ୍‌ କରି ଦିଆଯାଇଛି। ଗତକାଲି 68 ଯବାନ ସଂକ୍ରମିତ ହୋଇଥିବା ବେଳେ ଆଜି ମୁଖ୍ୟାଳୟର ଜନୈକ ଡ୍ରାଇଭର୍‌ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି। ଡ୍ରାଇଭର୍‌ ଜଣକ ସଂକ୍ରମିତ ହେବା ପରେ 40 ଜଣ ସିଆରପିଏଫ୍‌ ଯବାନ ଏବଂ ଦିଲ୍ଲୀର ସହକାରୀ ଡିଆଇଜିଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କେନ୍ଦ୍ରୀୟ ସୁରକ୍ଷା ବଳର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଛି।

ଲୁଟେରା ଗ୍ୟାଙ୍ଗ ଗିରଫ : ମୋବାଇଲ୍‌ ଓ କମ୍ପ୍ୟୁଟର ଜବତ

ମୋହନା ପୋଲିସ୍‌କୁ ମିଳିଛି ବଡ ସଫଳତା। ବିଗତ ଦିନରେ ଏକ ମୋବାଇଲ୍‌ ଦୋକାନରୁ ଚୋରି କରିଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ପୋଲିସ୍‌ ସକ୍ଷମ ହୋଇଛି। ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ଗତ 30ତାରିଖରେ ଏକ ମୋବାଇଲ ଦେକାନରୁ ଏବଂ ହାଇସ୍କୁଲରୁ ଚୋରି କରିଥିଲେ। ମୋବାଇଲ୍‌ ଦୋକାନରେ କଳାକନା ବୁଲାଇବା ସହିତ ହାଇସ୍କୁଲ ପରିସରରୁ ଏକ କମ୍ପ୍ୟୁଟର ଚୋରି କରି ନେଇଥିଲେ। ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ମୋବାଇଲ ଦୋକାନୀ ମୋହନା ଥାନାରେ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜ୍‌ ଆଧାରରେ ମୋହନା ପୋଲିସ୍‌ ଚଢାଉ କରି ଲୁଟେରା ଗ୍ୟାଙ୍ଗକୁ ଗିରଫ କରି ସମସ୍ତ ମୋବାଇଲ ସହିତ କମ୍ପ୍ୟୁଟର ଜବତ କରିଛି।

ଖୋର୍ଦ୍ଧାରେ ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ୍‌: ବସ୍‌ରେ ବିଭିନ୍ନ ସ୍ଥାନକୁ ଗଲେ ପ୍ରବାସୀ ଓଡିଆ

କୋଚିରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ରାଜ୍ୟରେ ପହଞ୍ଚିଛନ୍ତି ପ୍ରବାସୀ ଓଡିଆ। ପ୍ରାୟ 1200 ଓଡିଆଙ୍କୁ ନେଇ କୋଚିର ଆଲୁଭାରୁ ଛାଡିଥିବା ଟ୍ରେନ୍‌ଟି ରବିବାର ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚିଥିଲା। ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌ରେ ସମସ୍ତ ପ୍ରବାସୀ ଓଡିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସମସ୍ତଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯାଇଛି। ବସ୍‌ ଯୋଗେ ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ଜିଲ୍ଲାର କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି। ଏହା ସହିତ ସରକାରଙ୍କ ଏହି ପଦକ୍ଷେପକୁ ପ୍ରବାସୀ ଶ୍ରମିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।

କରୋନାରେ ଲୋକପାଳ ସଦସ୍ୟ ଜଷ୍ଟିସ୍‌ ଏକେ ତ୍ରିପାଠୀଙ୍କ ପରଲୋକ

ମହାମାରୀ କରୋନା ଯୋଗୁଁ ଲୋକପାଳ ସଦସ୍ୟ ଜଷ୍ଟିସ୍‌ ଅଜୟ କୁମାର ତ୍ରିପାଠୀଙ୍କ ଶନିବାର ଦିନ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା। ଛତିଶଗଡର ହାଇକୋର୍ଟର ପୂର୍ବତନ ନ୍ୟାୟଧୀଶ ଏକେ ତ୍ରିପାଠୀଙ୍କୁ ଦୁଇ ଏପ୍ରିଲ୍‌ରେ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ସେ ଲୋକପାଳର ଚାରି ନ୍ୟାୟିକ ସଦସ୍ୟ ମଧ୍ୟରୁ  ଅନ୍ୟତମ ରହିଥିଲେ। କରୋନା ଭାଇରସ୍‌ରେ ତାଙ୍କ ଝିଅ ମଧ୍ୟ ଏମ୍‌ସରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତ ତିନି ଦିନ ହେବ ଜଷ୍ଟିସ୍‌ ତ୍ରିପାଠୀ ଭେଣ୍ଟିଲେଟରରେ ରହିଥିଲେ। ଗତକାଲି ରାତ୍ରି ଆଠଟା ସମୟରେ ସେ ନିଃଶ୍ବାସ ତ୍ୟାଗ କରିଛନ୍ତି। ଜଷ୍ଟିସ୍‌ ତ୍ରିପାଠୀ ଗତବର୍ଷ ମାର୍ଚ୍ଚ ମାସରେ ଲୋକପାଳର ନ୍ୟାୟିକ ସଦସ୍ୟ ରୂପେ ନିଯୁକ୍ତ ହୋଇଥିଲେ।

ଏଣିକି ଇଣ୍ଟରନେଟ୍‌ରେ ଉପଲବ୍ଧ ହେଲା ନିଆଁଖୁଣ୍ଟା

ବିଶିଷ୍ଟ ସମାଲୋଚକ ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ଏବେ ଇଣ୍ଟରନେଟ୍‌ରେ। ଗୋଟିଏ କ୍ଲିକ୍‌ରେ ଆପଣ ପାଇପାରିବେ ଏହି ପ୍ରସିଦ୍ଧ ସମାଲୋଚନା ମୂଳକ ପତ୍ରିକାର ପୃଷ୍ଠା। ଭୁବନେଶ୍ୱରର ସୃଜନିକା ନିଆଁଖୁଣ୍ଟାର ସଂଖ୍ୟାଗୁଡ଼ିକୁ ଡିଜିଟାଇଜ୍ କରିଛି। ଏହା ଓଡ଼ିଆ ବିଭବ ୱେବ୍‌ସାଇଟ୍ (https://odiabibhaba.in)ରେ ଉପଲବ୍ଧ ହେବ। ଏଥିରୁ ଡାଉନ୍‌ଲୋଡ୍‌କରି ଯେକୌଣସି ବ୍ୟକ୍ତି ଏହାକୁ ଦେଖି ପାରିବେ।

ଝାରସୁଗୁଡାରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣକ ଝାରସୁଗୁଡା ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 160କୁ ବୃଦ୍ଧି ହୋଇଛି। ଆକ୍ରାନ୍ତ ଜଣକ ଝାରସୁଗୁଡା ଜିଲ୍ଲାର 40 ବର୍ଷୀୟା ମହିଳା ବୋଲି ଜଣାପଡିଥିବାବେଳେ ସେ ପୂର୍ବ ଆକ୍ରାନ୍ତ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି। ପୂ୍ର୍ବରୁ ଗତ ବୁଧବାର ଦିନ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ଆକ୍ରାନ୍ତ ଜଣକ 18 ବର୍ଷୀୟା ଯୁବତୀ ଥିବାବେଳେ ସେ କୋଲକତାରୁ ଫେରିଥିଲେ।

ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ: ଗଞ୍ଜାମକୁ ଛୁଇଁଲା କରୋନା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ଦୁଇ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।  ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 159କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ଆକ୍ଟିଭ କେସ୍‌ 102 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 56ଜଣ ଓ ଜଣେ ମୃତ୍ୟୁ ବରଣ କରିଛନ୍ତି। ଏଯାବତ୍‌ ରାଜ୍ୟର 16ଟି ଜିଲ୍ଲାକୁ କରୋନା ବ୍ୟାପିସାରିଛି।

ସୁରତରୁ ଆସୁଥିବା ବସ୍‌ର ରୁଟ୍‌ ବଦଳାଯିବ: ପରିବହନ ମନ୍ତ୍ରୀ

କଳିଙ୍ଗା ଘାଟିରେ ଦୁଇ ଦୁଇଟି ଦୁର୍ଘଟଣା ପରେ ବସ୍‌ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ। ଗତକାଲି କଳିଙ୍ଗ ଘାଟିରେ ବସ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ସେହି ଘାଟି ନିକଟରେ ଆଉ ଏକ ବସ୍‌ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ହୋଇଥିବା ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ହେଉଛି, ଡ୍ରାଭଭର ମାନେ ଅଭ୍ୟସ୍ତ ନୁହଁନ୍ତି।

9 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ମୋଦି

9 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଓଡିଶା, ତାମିଲନାଡୁ, ବିହାର , ମେଘାଳୟ, ମିଜୋରାମ, ଗୁଜରାଟ, ପୁଡୁଚେରୀ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କରୋନା ଆତଙ୍କ ସତ୍ତ୍ବେ ସମଗ୍ର ଦେଶ ଲକ୍‌ଡାଉନ୍‌ ନିୟମକୁ ମାନିବାରୁ ଦେଶରେ କରୋନା ମୁକାବିଲା ସଠିକ୍‌ ଦିଗରେ ଯାଉଛି ବୋଲି ମୋଦି ସନ୍ତୋଷ ପ୍ରକାଶ କରିଥିଲେ । ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ବିଭିନ୍ନ ରାଜ୍ୟ ମୁଖ୍ୟଙ୍କ ପ୍ରତିକ୍ରିୟା ନିଆଯିବା ସହିତ ଆର୍ଥିକ ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଆନ୍ଧ୍ର ରାଜଭବନର 4 କର୍ମଚାରୀ କରୋନା ପଜିଟିଭ୍‌ : ରାଜ୍ୟପାଳଙ୍କ ହେବ କରୋନା ପରୀକ୍ଷଣ

ଆନ୍ଧ୍ରପ୍ରଦେଶ ରାଜଭବନର 4 କର୍ମଚାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଚିନ୍ତା ବଢିବାରେ ଲାଗିଛି । ଏହି ଘଟଣା ପରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କରୋନା ପରୀକ୍ଷଣ କରାଯିବ ବୋଲି ଜଣାପଡିଛି । ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ, ଜଣେ ନର୍ସ ଏବଂ ଦୁଇ ଜଣ ବ୍ୟକ୍ତିଗତ ସହାୟକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଚାରି ପଜିଟିଭ୍‌ ଜଣାପଡିବା ପରେ ରାଜ୍ୟପାଳଙ୍କୁ ତୁରନ୍ତ ଆଇସୋଲେସନ୍‌ରେ ରଖାଯିବା ସହିତ କରନା ପରୀକ୍ଷଣ କରାଯିବ ବୋଲି ଜଣାପଡିଛି । ସେହିପରି ରାଜ୍ୟପାଳ ତଥା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଚାକିରି ହରାଇଛନ୍ତି 12 କୋଟି ଲୋକ : ସୋନିଆ ଗାନ୍ଧୀ

କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଲକ୍‌ଡାଉନ୍‌କୁ ନେଇ ଗୁରୁବାର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟରେ ଦେଶରେ 12 କୋଟି ଲୋକ ନିଜ ଚାକିରି ହରାଇଛନ୍ତି । ମାର୍ଚ୍ଚ 25ରୁ ଏପ୍ରିଲ୍‌ 14 ମଧ୍ୟରେ ପ୍ରାୟ 12 କୋଟି ଲୋକ ନିଜର ଚାକିରି ହରାଇଥିବା ବେଳେ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବଢିବାକୁ ଯାଉଛି । ଏହି ପରସ୍ଥିତିରୁ ଉଦ୍ଧାର ପାଇବା ପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାନ ଗୁଡିକୁ ରିହାତି ପ୍ରଦାନ କରାଯିବା ସହିତ ପ୍ରତ୍ୟେକ ପରିବାରକୁ 7500 ଟଙ୍କାର ସହାୟତା ରାଶି ପଠାଇବା ପାଇଁ ଦାବି କରିଛନ୍ତି ।

ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୁରୁବାର ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଡିସଚାର୍ଜ ହୋଇ ହସ୍ପିଟାଲରୁ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଆକ୍ରାନ୍ତ ଜଣକ ଭୁବନେଶ୍ବରର ବୋଲଇ ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 33ରେ ପହଞ୍ଚିଛି । ଉଲ୍ଲେଖମଯୋଗ୍ୟ ଯେ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 33 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

ରାଜ୍ୟର ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 31ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ଦୁଇ ରୋଗୀ ଭୁବନେଶ୍ବରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 82ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 31 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଜାରି : ଆକ୍ରମଣକାରୀଙ୍କୁ 7 ବର୍ଷ କାରାଦଣ୍ଡ

ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ କରାଗଲେ ଆକ୍ରମଣ କାରୀଙ୍କୁ 7 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯିବ । ସେହିପରି ଆକ୍ରମଣରେ ଘଟିଥିବା କ୍ଷୟକ୍ଷତିର ଦୁଇଗୁଣା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଆଦାୟ କରାଯିବ । ଆକ୍ରମଣ ପାଇଁ ସର୍ବନିମ୍ନ 6 ମାସରୁ ସର୍ବାଧିକ 7 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ 1-7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି । ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯିବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ପ୍ରେସ୍‌ମିଟ୍‌ କରି ଏହି ସୂଚନା ପ୍ରଦାନ କରିଛନ୍ତି ।

ବିମାନ ଚଳାଚଳ ମନ୍ତ୍ରାଳୟ ବି ଓ୍ବିଙ୍ଗ ସିଲ୍‌

କେନ୍ଦ୍ର ମନ୍ତ୍ରାଳୟର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବି ଓ୍ବିଙ୍ଗକୁ ସିଲ୍‌ କରି ଦିଆଯାଇଛି । ମନ୍ତ୍ରାଳୟର ଜଣେ କର୍ମୀ କରୋନା ପଜିଟିଭ୍‌ ଜଣାପଡିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ରାଷ୍ଟ୍ରପତି ଭବନ ଏବଂ ଲୋକସଭାର ଜଣେ ଲେଖାଏଁ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ କୌଣସି କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବରେ ସିଲ୍‌ କରି ଦିଆଯାଇଛି ।