ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ : ନିର୍ମୋହୀ ଆଖଡା ଏବଂ ସିଆ ଓ୍ବାକଫ୍‌ର ପିଟିସନ୍‌ ଖାରଜ

ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ କରାଯାଇଛି । ଲଗାତାର 40 ଦିନର ଶୁଣାଣି ପରେ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ ପ୍ରକ୍ରିୟା ଆରମ୍ଭ ହୋଇଛି । 1 ନମ୍ବର କୋର୍ଟରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମାମଲାର ରାୟ ପଢୁଥିବା ବେଳେ ନିର୍ମୋହୀ ଆଖଡା ଏବଂ ସିଆ ଓ୍ବାକଫ୍‌ ବୋର୍ଡର ପିଟିସନ୍‌ ଖାରଜ କରାଯାଇଛି । ସିଆ ଓ୍ବାକଫ୍‌ ବୋର୍ଡର ସିଙ୍ଗଲ ଲିଭ୍‌ ପିଟିସନ୍‌ ଖାରଜ କରାଯାଇଥିବା ବେଳେ ନିର୍ମୋହୀ ଆଖଡା ସେବାୟତ ହୋଇନଥିବାରୁ ନିର୍ମୋହୀ ଆଖଡାର ପିଟିସନ୍‌ ମଧ୍ୟ ଖାରଜ କରାଯାଇଛି ।

ଧାମରାରେ ବୁଡିଲା ମାଛଧରା ବୋଟ୍‌ : ଜଣେ ମୃତ, 8 ଉଦ୍ଧାର

ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ଉପକୂଳ ଅଞ୍ଚଳରେ ବର୍ଷାର ପ୍ରକୋପ ବଢିବାରେ ଲାଗିଛି । ଭଦ୍ରକର ଧାମରାରେ ପବନର ବେଗ ବଢିବା ସହିତ ଦୁଇଟି ମାଛଧରା ବୋଟ ବୁଡିଯିବାରୁ 9 ଜଣ ନିଖୋଜ ହୋଇଥିଲେ । ନିଖୋଜଙ୍କ ମଧ୍ୟରୁ ଗୋଟିଏ ବୋଟର 8ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ବୋଟରେ ଜଣଙ୍କର ପ୍ରାଣହାନି ଘଟିଛି । ଧାମରାର ତାଳଚୁଆରେ ପ୍ରବଳ ପବନ କାରଣରୁ ବୋଟରୁ ଖସି ପଡି ଯୁବକ ପ୍ରାଣ ହରାଇଥିବା ଜଣାପଡିଛି ।

ଆଗ୍ରା ଓ ଆଲିଗଡରେ ଇଣ୍ଟରନେଟ୍‌ ସେବା ବନ୍ଦ

ଦୀର୍ଘ 70 ବର୍ଷର ଆଇନଗତ ବିବାଦ ପରେ ଆଜି ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଏହାକୁ ନେଇ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶନିବାର 10.30 ମିନିଟ୍‌ ସମୟରେ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଥିବାରୁ ଅଯୋଧ୍ୟାରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି । ଅଯୋଧ୍ୟାରେ ଧାରା 144 ଲାଗୁ କରାଯାଇ ପୋଲିସ୍‌ ଛାଉଣୀରେ ପରିଣତ କରାଯାଇଥିବା ବେଳେ ଆଗ୍ରା ଏବଂ ଆଲିଗଡରେ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ସେହିପରି ଉତ୍ତର ପ୍ରଦେଶ-ନେପାଳ ସୀମାକୁ ମଧ୍ୟ ସିଲ୍ କରି ଦିଆଯାଇଛି ।

ଅଯୋଧ୍ୟ ମାମଲା ରାୟ ପ୍ରକାଶ ପୂର୍ବରୁ ଶାନ୍ତିରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ଶନିବାର ସୁପ୍ରିମ୍‌କୋର୍ଟରେ ଅଯୋଧ୍ୟା ରାୟ ପ୍ରକାଶ ପାଇବ । ଲଗାତାର ୪୦ ଦିନର ଶୁଣାଣି ପରେ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ କରିବେ । ରାୟ ପ୍ରକାଶ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ କରି ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି । ଦେଶବାସୀଙ୍କୁ ଆହ୍ୱାନ କରୁଛି, ଅଯୋଧ୍ୟା ରାୟ ପରେ ଶାନ୍ତି ଏବଂ ଭାଇଚାରାର ପରମ୍ପରାକୁ ଆମେ ଅକ୍ଷୁର୍ଣ୍ଣ ରଖନ୍ତୁ ।

ବୁଲ୍‌ବୁଲ୍‌ ପ୍ରଭାବରେ ଉପକୂଳ ଜିଲ୍ଲାରେ ବର୍ଷା

ବାତ୍ୟା ‘ବୁଲ୍‌ବୁଲ୍‌’ ପାରାଦୀପଠାରୁ 130 କି.ମି. ଦୂରରେ ରହିଛି । ଏହା ପ୍ରଭାବରେ ଧୀରେ ଧୀରେ ପବନର ବେଗ ବଢିଥିବା ବେଳ ଉପକୂଳ ଜିଲ୍ଲା ମାନଙ୍କରେ ବର୍ଷା ହୋଇଛି । ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଜଗତସିଂହପୁର ଜିଲ୍ଲାରେ 350, ବାଲେଶ୍ୱର ଜିଲ୍ଲାରେ 311 ଓ ଭୋଗରାଇ ସୁବର୍ଣ୍ଣପୁର ଦ୍ୱୀପରୁ 25 ପରିବାରକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି ।

ପାରାଦୀପରୁ 350 କିମି ଦୂରରେ କେନ୍ଦ୍ରୀଭୂତ ବୁଲ୍‌ବୁଲ୍‌ : ଅପରାହ୍ନରେ ବଢିବ ପବନର ବେଗ

ପାରାଦୀପଠାରୁ ପ୍ରାୟ 350 କିମି ଦୂରରେ ‘ବୁଲ୍‌ବୁଲ୍‌’ କେନ୍ଦ୍ରୀଭୂତ ହୋଇଛି । ପାରାଦୀପଠାରୁ 134 କି.ମି. ଦୂରରୁ ଏହା ଅତିକ୍ରମ କରିବ । ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଏହା ସହ ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ । ପବନର ବେଗ 65ରୁ 70 କିମି ରହିବା ସହିତ କିଛି ସ୍ଥାନରେ ଏହା 90 ଛୁଇଁବା ନେଇ ଅନୁମାନ ଲଗାଇଛି ପାଣିପାଗ ବିଭାଗ ।

ପୋଲିସ୍‌-ଓକିଲ ଝଗଡା : ଦୁଇ ପୋଲିସ୍‌ ଅଧିକାରୀଙ୍କ ବଦଳି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପରିସରରେ ପୋଲିସ୍‌ ଏବଂ ଓକିଲଙ୍କ ମଧ୍ୟରେ ସଙ୍ଗଠିତ ଝଗଡା ନୂତନ ମୋଡ ନେଇଛି । ଏହି ଘଟଣାରେ ଦୁଇ ଜଣ ପୋଲିସ୍‌ ଅଧିକାରୀଙ୍କ ବଦଳି ପାଇଁ ତିସ୍‌ ହଜାରୀ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ଶୃଙ୍ଖଳା ଦାୟିତ୍ବରେ ରହିଥିବା ସ୍ବତନ୍ତ୍ର ପୋଲିସ୍‌ କମିସନର ସଞ୍ଜୟ ସିଂଙ୍କୁ ଲାଇସେନ୍ସ ଏବଂ ପରିବହନ ବିଭାଗକୁ ବଦଳି କରାଯାଇଥିବା ବେଳେ ସହକାରୀ କମିଶନର ହରେନ୍ଦ୍ର ସିଂଙ୍କୁ ରେଳବାଇ ପୁଲିସ କମିସନର ଭାବେ ବଦଳି କରାଯାଇଛି । ଏହା ସହିତ ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଦିଲ୍ଲୀ ପୋଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇରାନ୍‌ରେ 5.9 ତୀବ୍ରତାର ଭୂକମ୍ପ : 5 ମୃତ, 120 ଆହତ

ଇରାନ୍‌ରେ ଏକ 5.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପରେ 5 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଶତାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଇରାନ୍‌ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଏହି ଭୂକମ୍ପ ସଙ୍ଗଠିତ ହୋଇଥିଲା । ଆଜରବୈଜାନ୍‌ରୁ 118 କିମି ଦୂର ତାବ୍ରିଜ୍‌ ସହରରେ ସକାଳେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ ଭୂକମ୍ପର ତୀବ୍ରତା 4.1ରୁ 4.8 ମଧ୍ୟରେ ରହିଥିଲା । ଏକାଧିକ ଘର ଭୁଷୁଡି ପଡିଥିବା ବେଳେ ଆହତ ଏବଂ ମୃତକଙ୍କ ସଂଖ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ନିୟନ୍ତ୍ରଣ ରେଖାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ : ଯବାନ ଶହୀଦ

ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏହି ଘଟଣାରେ ଜଣl ଯବାନ ଶହୀଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ପୁଞ୍ଚ ଜିଲ୍ଲାରେ କ୍ରିଷ୍ଣାଘାଟି ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଅଚାନକ ଗୁଳିମାଡ ଏବଂ ମୋର୍ଟାର ମାଡ କରାଯିବା କାରଣରୁ ଜଣେ ଯବାନ ଶହିଦ ହୋଇଥିବା ନେଇ ଶୁକ୍ରବାର ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଶୁକ୍ରବାର ରାତି 2.30 ମିନିଟ୍‌ ସମୟରେ ଗୁଳିଚାଳନା କରାଯାଇଥିବା ଜଣାପଡିଛି ।

ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ୯2ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ଟର୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଏହି ବର୍ଷିୟାନ୍ ନେତାଙ୍କୁ ନିସ୍ୱାର୍ଥ ଏବଂ ପରିଶ୍ରମୀ କହି ପ୍ରଶଂସା କରି କହିଛନ୍ତି କି, ଦେଶର ରାଜନୀତିରେ ତାଙ୍କ ପ୍ରଭାବ ଅମାପ । ନିଜର ଆଦର୍ଶ ସହତ ଆଡଭାନୀ କଦାପି ସାଲିସ କରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରିଛନ୍ତି । ଏହା ସହିତ ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି ।

ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଉଛି ବୁଲ୍‌ବୁଲ୍‌

ଭୟଙ୍କର ରୂପ ନେଉଛି ବାତ୍ୟା ‘ବୁଲ୍‌ବୁଲ୍‌’ । ଆଜି ସକାଳ 5.30ରୁ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ପାରାଦୀପଠାରୁ ପ୍ରାୟ 390 କିମି ଦୂରରେ କେନ୍ଦ୍ରୀଭୂତ ‘ବୁଲ୍‌ବୁଲ୍‌’ ଏବେ ଘଣ୍ଟା ପ୍ରତି 10 କିଲୋମିଟର ବେଗରେ ଗତି କରୁଛି । 10 ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 100ରୁ 110 କି.ମି. ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ନାବାଳିକା ଦୁଷ୍କର୍ମକାରୀର ଫାଶୀ ଦଣ୍ଡାଦେଶ କାଏମ ରଖିଲେ ସୁପ୍ରିମକୋର୍ଟ

ଜନୈକ ନାବାଳିକା ଦୁଷ୍କର୍ମକାରୀଙ୍କ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି । 2010 ମସିହାରେ ଅଭିଯୁକ୍ତ ମନୋହରନ ଜଣେ ନାବାଳିକା ଏବଂ ତାଙ୍କ ଭାଇକୁ ଦୁଷ୍କର୍ମ ଓ ହତ୍ୟା କରିଥିଲେ । ଜଷ୍ଟିସ ଆରଏଫ୍‌ ନରିମାନ୍‌, ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ସଞ୍ଜୀବ ଖନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଯୁକ୍ତଙ୍କ ଆବେଦନକୁ 2-1 ଆଧାରରେ ଖାରଜ କରିଦେଇଥିଲେ । ଦୁଷ୍କର୍ମକାରୀଙ୍କୁ କ୍ଷମା ପ୍ରଦାନ କରାଯିବ ନାହିଁ ବୋଲି ଜଷ୍ଟିସ ନରିମାନ ପ୍ରକାଶ କରିଥିଲେ । ଜଷ୍ଟିସ ନରିମାନ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଆବେଦନ ବିପକ୍ଷରେ ଭୋଟ କରିଥିବା ବେଳେ ସଞ୍ଜୀବ ଖନ୍ନା ଆଜୀବନ କାରାଦଣ୍ଡ ସପକ୍ଷରେ ମତ ଦେଇଥିଲେ ।

ଲିଙ୍ଗରାଜଙ୍କ ଦାମୋଦର ବେଶର ଫଟୋ ଭାଇରାଲ

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମନ୍ଦିର ଭିତରେ ହେଉଥିବା ମହାପ୍ରଭୁଙ୍କ ଦାମୋଦର ବେଶର ଫଟୋ ଭାଇରାଲ ହୋଇଛି । ପ୍ରଦୀପ୍ତ ପାତ୍ର ନାମକ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟରୁ ଏହି ଫଟୋ ଭାଇରାଲ ହୋଇଛି । ଏହି ଫଟୋ ଭାଇରାଲ୍‌ ହେବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ବିଧାୟକଙ୍କୁ ପଞ୍ଚତାରକା ହୋଟେଲକୁ ସ୍ଥାନାନ୍ତର କଲା ଶିବସେନା

ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ନିଜର ସମସ୍ତ ବିଧାୟକଙ୍କୁ ଏକ ପଞ୍ଚତାରକା ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ସରକାର ଗଠନର ଗୋଟିଏ ଦିନ ପୂର୍ବରୁ ଘୋଡାବେପାରରୁ ନିଜ ବିଧାୟକଙ୍କୁ ଦୂରେଇ ରଖିବା ପାଇଁ ସମସ୍ତ ବିଧାୟକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସମସ୍ତ ବିଧାୟକଙ୍କୁ ବାନ୍ଦ୍ରା କୁର୍ଲାର ଏକ ପଞ୍ଚତାରକା ହୋଟେଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଦଳ ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ମାତୋଶ୍ରୀ ବାସଭବନରୁ ମାତ୍ର କିଛି ମିନିଟ୍‌ ଦୂରରେ ଏହି ହୋଟେଲ ଅବସ୍ଥାପିତ । ମାତ୍ର ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଟିପୁ ସୁଲତାନ ଜୟନ୍ତୀ ଋଦ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବେ କର୍ଣ୍ଣାଟକ ହାଇକୋର୍ଟ

ଟିପୁ ସୁଲତାନ ଜୟନ୍ତୀ ପାଳନ ଋଦ୍ଦ କରିବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ କର୍ଣ୍ଣାଟକ ହାଇକୋର୍ଟ । 18 ଶହ ଶତାବ୍ଦୀର ମହୀଶୂର ସାମ୍ରାଜ୍ୟର ରାଜା ଟିପୁ ସୁଲତାନଙ୍କ ଜନ୍ମଜୟନ୍ତୀ ପାଳନ ଉପରେ ରାଜ୍ୟ ସରକାର ରୋକ ଲଗାଇଥିଲେ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ଉତ୍ସବ ପାଳନ ନେଇ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ କୁହାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଅଭୟ ଶ୍ରୀନିବାସ ଏବଂ ଜଷ୍ଟିସ୍‌ ଏସ୍‌ ଆର କ୍ରିଷ୍ଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ନଭେମ୍ବର 10 ତାରିଖରେ ଟିପୁ ସୁଲତାନ ଜୟନ୍ତୀ ପାଳିତ ହୋଇଥାଏ ।

ଫିଲିପାଇନ୍ସରେ 5.7 ତୀବ୍ରତାର ଭୂକମ୍ପ

ଫିଲିପାଇନ୍ସରେ ଏକ 5.7 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗୁରୁବାର ଫିଲିପାଇନ୍ସର କ୍ବିଜୋନ୍‌ ଅଞ୍ଚଳରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଛି । ସକାଳ 7ଟାରେ ଅନୁଷ୍ଠିତ ଏହି ଭୂକମ୍ପର ପ୍ରଭାବ ଜୋମାଲିଗ୍‌ ଦ୍ବୀପପୁଞ୍ଜର 10 କିମି ପରିସୀମାରେ ଅନୁଭୂତ ହୋଇଥିଲା । ଭୂକମ୍ପରେ କେହି ମୃତାହତ ହୋଇନଥିବା ବେଳେ ଏକାଧିକ ପୁରାତନ ଘର ଭୁଷୁଡି ପଡିଥିବା ଜଣାପଡିଛି ।

ନକ୍ସଲଙ୍କ ସହିତ ସଙ୍ଘର୍ଷରେ ସିଆରପିଏଫ୍‌ ଯବାନ ଶହୀଦ

ଛତିଶଗଡଗରେ ନକ୍ସଲଙ୍କ ସହିତ ସଙ୍ଘର୍ଷରେ ଜଣେ ସିଆରପିଏଫ୍‌ ଯବାନ ଶହୀଦ ହୋଇଛନ୍ତି । ଗୁରୁବାର ସକାଳୁ ଛତିଶଗଡର ବିଜାପୁରରେ ଘଟିଥିବା ଏନ୍‌କାଉଣ୍ଟରରେ ଜଣେ ସିଆରପିଏଫ୍ ଯବାନ ନିହତ ହୋଇଛନ୍ତି । ଭୋର ଚାରିଟା ସମୟରେ ସିଆରପିଏଫ୍‌ ଏବଂ କୋବ୍ରା ଯବାନ ମାନେ ବିଜାପୁରର ପାମେଡ ଅଞ୍ଚଳରେ କମ୍ବିଂ ଅପରେସନ୍‌ କରୁଥିବା ନକ୍ସଲଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ନିହତ ଯବାନଙ୍କ ନାମ କମଲା ପ୍ରସାଦ । ସେ ସିଆରପିଏଫ୍‌ର 151 ବାଟାଲିୟନ୍‌ରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ । ଏହି ଘଟଣା ପରେ ଯବାନଙ୍କ ପକ୍ଷରୁ କମ୍ବିଂ ଜୋରଦାର କରାଯାଇଛି ।

ଢେଙ୍କାନାଳରେ ବସ୍‌ ଓଲଟି 35 ଆହତ

ଢେଙ୍କାନାଳରେ ଏକ ବସ୍‌ ଦୁର୍ଘଟଣା ଘଟିଛି । ଢେଙ୍କାନାଳର ହିନ୍ଦୋଳରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ 35ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ମା ପ୍ରମୋଦା ନାମକ ଏହି ଘରୋଇ ବସ୍‌ରେ 60 ଜଣ ଯାତ୍ରୀ ରହିଥିଲେ । ହିନ୍ଦୋଳର ପଡା ଛକରେ ସକାଳୁ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତ ମାନଙ୍କୁ ନିକଟସ୍ଥ ହିନ୍ଦୋଳ ଏବଂ ଖଜୁରିଆକଟା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ରାଜକୋଟରେ ଦ୍ବିତୀୟ ଟି20 ମୁକାବିଲା : ଧଓ୍ବନ୍‌ଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା

ପ୍ରଥମ ଟି20 ମୁକାବିଲାରେ ପରାଜିତ ହେବା ପରେ ବାଂଲାଦେଶ ବିପକ୍ଷ ଟି20 ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଆଜି ରାଜକୋଟରେ ଖେଳାଯିବ । ଏହି ମ୍ୟାଚରେ ବିଜୟୀ ହେବା ସହ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଦିଲ୍ଲୀ ମ୍ୟାଚ୍‌ରୁ ବାଦ ପଡିଥିବା ଓପ୍‌ନର ଶିଖର ଧଓ୍ବନ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ସେହିପରି ମଧ୍ୟକ୍ରମରେ କେ ଏଲ୍‌ ରାହୁଲ୍‌ ବିଫଳ ହୋଇଥିବାରୁ ସଞ୍ଜୁ ସାମ୍‌ସନ କିମ୍ବା ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ । ଅପରପକ୍ଷରେ ପଦାର୍ପଣରେ ବିଫଳ ହୋଇଥିବା ଶିବମ ଦୁବେଙ୍କୁ ମଧ୍ୟ ଆଉ ଏକ ସୁଯୋଗ ମିଳିପାରେ ।

ପାରାଦୀପରୁ 750 କିମି ଦୂରରେ ବୁଲ୍‌ବୁଲ୍‌

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଏହା ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି 5 କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ସାଇକ୍ଲୋନିକ ଷ୍ଟର୍ମ ‘ବୁଲବୁଲ୍’ ଏବେ ପାରାଦୀପଠାରୁ 750 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି । ଆସନ୍ତା 36 ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି । ଉତ୍ତର ଏବଂ ଉପକୂଳ ଓଡିଶାରେ 9 ଏବଂ 10 ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆମକୁ ବିରୋଧରେ ବସିବା ପାଇଁ ସୁଯୋଗ ମିଳିଛି : ଶରଦ ପାଓ୍ବାର

ମହାରାଷ୍ଟ୍ରରେସରକାର ଗଠନ ନେଇ ଚାଲିଥିବା ଦ୍ବନ୍ଦ୍ବ ମଧ୍ୟରେ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯାହାଙ୍କୁ ଜନାଦେଶ ମିଳିଛି, ସେମାନେ ଏହି ସମସ୍ୟାର ସମାଧାନ କରି, ସରକାର ଗଠନ କରନ୍ତୁ। ଆମକୁ ବିରୋଧରେ ବସିବାକୁ ସୁଯୋଗ ମିଳିଛି। ବିଜେପି ଓ ଶିବସେନା ସରକାର ଗଢନ୍ତୁ ଓ ନିଜ ନିଜ ଭୂମିକା ନିର୍ବାହ କରନ୍ତୁ ବୋଲି କହିଛନ୍ତି। ଏହାସହିତ ପାଓ୍ବାର କହିଛନ୍ତି ଯେ, ଶିବସେନା ଓ ବିଜେପି ୩୦ ବର୍ଷ ଧରି ମେଣ୍ଟରେ ରହିଛନ୍ତି। ଆଜି ନହେଲେ କାଲି ଏକାଠି ହୋଇଯିବେ। ମହାରାଷ୍ଟ୍ର ସରକାର ଗଠନରେ ଏନ୍‌ସିପିର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ପାଓ୍ବାର।

ଆକ୍ସନରେ ଉଦ୍ଧବ ଠାକ୍‌ରେ, ଆସନ୍ତାକାଲି ମାତୋଶ୍ରୀରେ ବିଧାୟକ ଦଳଙ୍କ ବୈଠକ

ମହାରାଷ୍ଟ୍ରରେ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୯ ତାରିଖରେ ସରିବାକୁ ରହିଛି । ଏହା ମଧ୍ୟରେ ରାଜ୍ୟର ରାଜନୀତିକୁ ନେଇ କିଛି ବଡ଼ ଖବର ଶୁଣିବାକୁ ମିଳୁଛି । ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେ ଆସନ୍ତାକାଲି ଗୁରୁବାର ବିଧାୟକ ଦଳର ବୈଠକ ଡାକିଛନ୍ତି । ଏହି ବୈଠକ ମାତୋଶ୍ରୀଠାରେ ଅନୁଷ୍ଠିତ ହେବ । ସକାଳ ୧୧ଟା ସମୟରେ ଏହି ବୈଠକ ଆରମ୍ଭ ହେବ । ରାଜ୍ୟରେ ବିଧାନସଭା ନିର୍ବାଚନରେ ଶିବସେନା ୫୬ଟି ଆସନ ଜିତିଥିବାବେଳେ ଦଳକୁ କିଛି ନିର୍ଦ୍ଦଳୀୟ ବିଧାୟକ ସମର୍ଥନ କରୁଛନ୍ତି । ତେବେ ଏବେବି ମହାରାଷ୍ଟ୍ର ସରକାରକୁ ନେଇ ଚିତ୍ର କିଛି ସ୍ପଷ୍ଟ ହୋଇନାହିଁ ।

ମହିଳାଙ୍କ ଜୋତାରୁ ଦୁଇ କିଗ୍ରା ସୁନା ଜବତ

ଋଷିଆର ଏକ ବିମାନ ବନ୍ଦରରୁ ଜଣେ ମହିଳାଙ୍କ ଜୋତାରୁ ଦୁଇ କିଗ୍ରା ସୁନା ଜବତ କରାଯାଇଛି । ମଙ୍ଗଳବାର ପୂର୍ବ ସାଇବେରିଆର ଏକ ବିମାନବନ୍ଦରରେ ମହିଳା ଜଣଙ୍କ ଜୋତାରୁ ସୁନା ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ଚାଲି ସନ୍ଦେହ ଜନକ ଥିବାରୁ ଯାଞ୍ଚ ସମୟରେ ଜୋତା ମଧ୍ୟରୁ 2 କିଗ୍ରା ସୁନା ଜବତ କରାଯାଇଥିବା ଜଣାପଡିଛି । ମହିଳା ଜଣଙ୍କ ଏକ ଡକ୍ଟ ଟେପ୍‌ ସହାୟତାରେ ଜୋତାର ତଳ ପାର୍ଶ୍ବରେ ସୁନା ଗୁଡିକୁ ରଖିଥିବା ଜଣାପଡିଛି । ଜବତ ସୁନାର ମୂଲ୍ୟ 79 ହଜାର ଡଲାର ହେବ ।

ପୋଲିସ୍‌-ଓକିଲ ଝଗଡା : ଅଭିଯୁକ୍ତ ପୋଲିସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍‌ କାଉନ୍‌ସିଲ୍‌ର ଦାବି

ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପରିସରରେ ପୋଲିସ୍‌ ଏବଂ ଓକିଲଙ୍କ ଝଗଡା ନୂଆ ମୋଡ ନେଇଛି । ଅଭିଯୁକ୍ତ ପୋଲିସ୍‌ ଅଧିକାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଗିରଫ କରିବା ପାଇଁ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ବୁଧବାର ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଚେତାବନୀ ଦିଆଯାଇଛି । ଶନିବାର ପାର୍କିଂକୁ ନେଇ ଝଗଡା ହେବା ପରେ ଡ୍ୟୁଟିରେ ଥିବା ପୁଲିସ୍‌ ଏବଂ ଓକିଲଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏଥିରେ 20 ଜଣ ପୁଲିସ୍‌ ଏବଂ ସଂଖ୍ୟାଧିକ ଓକିଲ ଆହତ ହୋଇଥିଲେ ।

1000 କୋଟିର ସହାୟତା ରାଶି ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ ୟେଦୁରପ୍ପା : ନାରାୟଣ ଗୌଡା

ଅଯୋଗ୍ୟ ଘୋଷିତ ହୋଇଥିବା କର୍ଣ୍ଣାଟକ ବିଧାୟକ ନାରାୟଣ ଗୌଡା ୟେଦୁରପ୍ପାଙ୍କ ବିରୋଧରେ ବୟାନ ଦେଇଛନ୍ତି । କ୍ରିଷ୍ଣରାଜପେଟର ବିକାଶ ପାଇଁ ୟେଦୁରପ୍ପା 1000 କୋଟିର ସହାୟତା ପ୍ରତିଶ୍ରୁତି ପ୍ରଦାନ କରିଥିଲେ ବୋଲି ନାରାୟଣ ଗୌଡା ପ୍ରକାଶ କରିଛନ୍ତି । ଆସ୍ଥା ଭୋଟ ପୂର୍ବରୁ ୟେଦୁରପ୍ପାଙ୍କୁ ସକଳ 5ଟା ସମୟରେ ତାଙ୍କ ବାସଭବନରେ ଭେଟିବା ସମୟରେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ 700 କୋଟିର ସହାୟତା ଦାବି କରିଥିଲେ । ବୈଠକରେ ୟେଦୁରପ୍ପା 1000 କୋଟିର ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ମିଡ୍‌ ଡେ ମିଲ୍‌ ଖାଇ 60 ଛାତ୍ରଛାତ୍ରୀ ଅସୁସ୍ଥ

କର୍ଣ୍ଣାଟକରେ ମିଡ୍‌ ଡେ ମିଲ୍‌ ଖାଇ 60 ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ମଙ୍ଗଳବାର କର୍ଣ୍ଣାଟକର ଚିତ୍ରାଗୁଡା ଅଞ୍ଚଳରେ ଏହି ଘଟଣା ଘଟିଛି । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଡ୍‌ ଡେ ମିଲ୍‌ ଖାଇବା ପରେ ଛାତ୍ରଛାତ୍ରୀଙ୍କର ବାନ୍ତି ହେବା ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । 125 ଜଣ ଛାତ୍ରଛାତ୍ରୀଙ୍କୁ ଏହି ମିଡ୍‌ ଡେ ମିଲ୍‌ ଖାଇବା ପ୍ରଦାନ କରାଯାଇଥିଲା । ଖାଦ୍ୟ ମଧ୍ୟରୁ ଏକ ମୃତ ଝିଟିପିଟି ଉଦ୍ଧାର କରାଯାଇଥିବା ବେଳେ ଯାଞ୍ଚ ପାଇଁ ଏହାକୁ ପରୀକ୍ଷାଗାରକୁ ପଠାଯାଇଛି ।

ଶିବସେନା-ବିଜେପି କ୍ଷମତା ଯୁଦ୍ଧ : ଆରଏସ୍‌ଏସ୍‌ ମୁଖ୍ୟଙ୍କୁ ଭେଟିଲେ ଫଡନବିସ୍‌, ପଓ୍ବାରଙ୍କୁ ଭେଟିଲେ ସଞ୍ଜୟ ରାଉତ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ କ୍ଷମତା ଯୁଦ୍ଧ ନୂତନ ମୋଡରେ ପହଞ୍ଚିଛି । ସରକାର ଗଠନ ନିମନ୍ତେ 72 ଘଣ୍ଟାର ସମୟ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କଚ ଏବଂ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏନ୍‌ସିପି ମୁଖ୍ୟ ଶରଦ ପଓ୍ବାରଙ୍କୁ ଭେଟିଛନ୍ତି । ଉଭୟ ଦଳ ମଧ୍ୟରେ ଲାଗି ରହିଥିବା କ୍ଷମତା ଯୁଦ୍ଧର ଅବସାନ ଘଟାଇ ସରକାର ଗଠନ କରିବା ପାଇଁ ନାଗପୁରରେ ଭାଗବତଙ୍କୁ ଭେଟିଛନ୍ତି ଫଡନବିସ୍‌ । ଅନ୍ୟପକ୍ଷରେ ରାଉତ ଶରଦ ପଓ୍ବାରଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି ।

ପାରାଦୀପରୁ 810 କିମି ଦୂରରେ ବୁଲ୍‌ବୁଲ୍‌ : 24 ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥିତି ନେଇ ସ୍ପଷ୍ଟ ସୂଚନା

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍’ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଘଣ୍ଟାକୁ 6 କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟାର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଘଣ୍ଟାପ୍ରତି 6 କିମି ବେଗରେ ଆସୁଥିବା ଏହି ବାତ୍ୟା ବର୍ତ୍ତମାନ ପାରାଦୀପରୁ 810 କିମି ଦୂରରେ ରହିଛି ।

ବ୍ରଜରାଜନଗର ପୁଲିସ୍‌ର ଏନ୍‌କାଉଣ୍ଟର : 4 ଅପରାଧୀ ଆହତ

ବ୍ରଜରାଜନଗର ପୋଲିସ୍‌ ପକ୍ଷରୁ ସଙ୍ଗଠିତ ଏକ ଏନ୍‌କାଉଣ୍ଟରରେ 4 ହତ୍ୟା ଅପରାଧୀ ଆହତ ହେବା ସହିତ ଗିରଫ ହୋଇଛନ୍ତି । ମଙ୍ଗଳବାର ହୋଇଥିବା ଏକ ହତ୍ୟା ମାମଲାରେ ଏହି 4ଜଣ ସମ୍ପୃକ୍ତ ଥିବା ଜଣାପଡିଛି । ପୋଲିସ୍‌ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଅପରାଧୀ ମାନେ ଗୁଳି ଚାଳନା କରିଥିଲେ । ବ୍ରଜରାଜନଗର ଫାଣ୍ଡି ଅଧିକାରୀ ଆହତ ହେବା ପରେ ପାଲଟା ଗୁଳି ଚାଳନାରେ 4 ଅପରାଧୀ ଆହତ ହୋଇଥିଲେ । ଗିରଫ 4 ଅଭିଯୁକ୍ତ ହେଉଛନ୍ତି ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂ ଓ ରଫିକ ଅନସାରୀ ।

ଏସ୍‌ସିବିରେ ଭିତ୍ତିମୂମି ତଦାରଖ କଲେ 5ଟି ସଚିବ

ମୋ ସରକାର ଯୋଜନାରର କାର୍ଯ୍ୟକାରିତା କିଭଳି ଭାବରେ ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ 5ଟି ସଚିବ ଭି. କେ. ପାଣ୍ଡିଆନ ନିଜ ଟିମ୍ ସହିତ ବୁଧବାର ସକାଳୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପହଞ୍ଚି ଭିତ୍ତିଭୂମି ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ପାଣ୍ଡିଆନଙ୍କ ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଓ କଟକ ଡିସିପି ମଧ୍ୟ ଏସ୍‌ସିବି ପରିସରରେ ଉପସ୍ଥିତ ଥିଲେ । 5ଟି ସଚିବ ଏହି ଗସ୍ତ ସମୟରେ କୌଣସି ଓ୍ବାର୍ଡ ପରିଭ୍ରମଣ କରିନଥିଲେ ।

ଝାରସୁଗୁଡ଼ା ବନ ଉନ୍ନୟନ ନିଗମ ଗୋଦାମ ସୁପରଭାଇଜର ଗିରଫ

ଝାରସୁଗୁଡ଼ା ଜିଲ୍ଲା ବନ ଉନ୍ନୟନ ନିଗମ ଗୋଦାମ ସୁପରଭାଇଜର ଭାବେ କାର୍ଯ୍ୟରତ ସୁମନ୍ତ ପାଇକରାୟ ୧୬ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୌଣସି ଏକ କାମ ନେଇ ଜଣେ ବ୍ୟକ୍ତିଙ୍କୁ ସୁମନ୍ତ ୧୬ହଜାର ଟଙ୍କା ଲାଂଚ ମାଗିଥିଲେ। ଭିଜିଲାନ୍ସ ଖବର ପାଇ ଆଜି ବ୍ୟକ୍ତିଙ୍କ ଠାରୁ ସୁମନ୍ତ ୧୬ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଲାଂଚ ନେଉଥିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।

ବଢିବ ପିଆଜ ଦର !

ଓଡିଶାରେ ପିଆଜ ଦର ଆହୁରି ୬ରୁ ୧୦ ଟଙ୍କା ବଢିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରରେ ଅଣଋତୁ ବର୍ଷା ପାଇଁ ଅସୁବିଧା ସୃଷ୍ଟି ହୋଇଛି। ଦକ୍ଷିଣ ଭାରତରେ ପିଆଜ ଦର ବଢିଥିବାରୁ ଏଠି ମଧ୍ୟ ଦର ବଢିବ। ଖାଉଟିଙ୍କୁ ରିହାତି ଦରରେ ପିଆଜ ଯୋଗାଇ ଦେବାକୁ ସରକାର ଚିନ୍ତା କରୁଛନ୍ତି। ବ୍ୟବସାୟୀ ସଂଘ ଗୁଡିକ ସହିତ ବୈଠକ ପରେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ହେବ।

ସମ୍ଭାବ୍ୟ ବାତ୍ୟା ସତର୍କତା ନେଇ ୧୫ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ସମ୍ଭାବ୍ୟ ବାତ୍ୟା, ବର୍ଷାକୁ ନେଇ ଏସଆରସିଙ୍କ ପକ୍ଷରୁ ୧୫ଜିଲ୍ଲାପାଳଙ୍କୁ ଆଡଭାଇଜରି ଜାରି କରାଯାଇଛି। ବାତ୍ୟା ଓଡ଼ିଶା ମୁହାଁ ହୋଇ ନପାରେ କିନ୍ତୁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରଭାବ ପଡ଼ିବା ପୂର୍ବରୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ୧୫ଟି ଜିଲ୍ଲାରେ ପ୍ରଭାବ ପଡ଼ିବା ନେଇ ସତର୍କ ରହବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ଅବପାତର ରୂପ ନେଇଛି। ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହା ଅବପାତର ରୂପ ଧାରଣ କରିଛି।

ସ୍ପଷ୍ଟ ଦିବାଲୋକରେ ବାଣପୁର ସୁନାଦୋକାନରୁ ଚୋରି ଉଦ୍ୟମ, ୪ ମହିଳା ଅଟକ

ଖୋର୍ଦ୍ଧା ଜିଲ୍ଲା ବାଣପୁର ପାଇକ ସାହି ସାମ୍ନା ମା’ ଭଗବତୀ ଜୁଏଲର ଦୋକାନରୁ ଚୋରି ହୋଇଥିବାର ସୂଚନା ରହିଛି। ସୂଚନାଯୋଗ୍ୟ, ଆଜି ଦିନ ୧୨ ଘଟିକାରେ ଦୋକାନକୁ ଚାରିଜଣ ମହିଳା ସୁନା କ୍ରୟ କରିବାକୁ ଆସିଥିଲେ। ସେମାନେ ଏକ ସୁନା ଚେନ୍‌କୁ ଦେଖି ପସନ୍ଦ କରି ବିଲ୍‌ କରିବା ସମୟରେ ଦୋକାନରୁ ଆଉ ଦୁଇଟି ଚେନ୍‌ ଗାୟବ କରୁଥିବାର ପ୍ରୟାସ କରୁଥିଲେ। ଦୋକାନୀ ସନ୍ଦେହ କରି ସିସିଟିଭି ଫୁଟେଜ୍‌ ଦେଖିଲା ପରେ ଏଥିରୁ ସୁନା ଚୋରି  କରୁଥିବାର ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଗହଣା ଦୋକାନର ମାଲିକ ୪ଜଣ ଗଞ୍ଜାମ ମହିଳାଙ୍କୁ ଅଟକାଇବା ସହିତ ପୋଲିସ୍‌ର ଜିମା ଦେଇଛି।

ବ୍ୟାଙ୍କ ଠକେଇ ମାମଲା : ୧୬୯ଟି ସ୍ଥାନରେ ସିବିଆଇର ଚଢାଉ

ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏକାସାଙ୍ଗରେ ୧୬୯ ସ୍ଥାନରେ ଚଢାଉ କରିଛନ୍ତି। ସିବିଆଇ ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଦାଦର ନଗର ହାବେଳୀ ଆଦି ରାଜ୍ୟର ୧୬୯ଟି ସ୍ଥାନରେ ଚଢାଉ କରିଛନ୍ତି। ବ୍ୟାଙ୍କରେ ହୋଇଥିବା ୭ ହଜାର କୋଟି ଟଙ୍କାର ଠକେଇ ପାଇଁ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ତଥ୍ୟ ହାସଲ କରାଯାଉଛି। ଏହି ବ୍ୟାଙ୍କ ଦୁର୍ନୀତି ନେଇ ୩୫ଟି ମାମଲା ରୁଜୁ ହୋଇଥିଲା।

ଅବପାତର ରୂପ ନେଲା ଲଘୁଚାପ

ଅବପାତର ରୂପ ନେଲା ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କେନ୍ଦ୍ରୀଭୂତ ହୋଇ କ୍ରମେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି। ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ପରବର୍ତ୍ତୀ ୧୨ ଘଣ୍ଟାରେ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୯ ତାରିଖରେ ଓଡ଼ିଶା ଉପକୂଳରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହେବାର ଅନୁମାନ କରାଯାଇଛି ବୋଲି ଆଇଏମ୍‌ଡିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲେ ଦୁବୃର୍ତ୍ତ

ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା ଦୁବୃର୍ତ୍ତ। ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲ୍ଲାପୁରମେଟା ତହସିଲଦାର ବିଜୟା ରେଡ୍ଡୀଙ୍କୁ କେହି ଜଣେ ଦୁବୃର୍ତ୍ତ  ହତ୍ୟା କରିଛି। ଅଫିସ୍‌ ଭିତରେ ବଚସା ପରେ କିରୋସିନି ଢାଳି ଜିଅନ୍ତା ଜାଳିଦେଇଥିଲା ଦୁର୍ବୃତ୍ତ। ତହସିଲଦାରଙ୍କୁ ଜାଳି ନିଜ ଦେହରେ ନିଆଁ ଲଗାଇ ଦୁବୃର୍ତ୍ତ ଜଣକ ଆତ୍ମହତ୍ୟା କରିଛି। ତହସିଲଦାରଙ୍କୁ ବଞ୍ଚାଇବାକୁ ଯାଇ ଆଉ ଦୁଇ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି। ଜମିବାଡ଼ି କାଗଜପତ୍ରକୁ ନେଇ ଏଭଳି କାଣ୍ଡ ଭିଆଇଥିବାର ସୂଚନା ରହିଛି।

ଦିଲ୍ଲୀ ସଡକରେ ଅଡ୍‌-ଇଭିନ୍‌, ଭାଜପା ନେତାଙ୍କ ଚାଲାଣ କଟିଲା

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ କମ୍‌ କରିବାକୁ ଯାଇ ସରକାରଙ୍କ ତରଫରୁ ଅଡ-ଇଭିନ ନମ୍ବର ପ୍ରଚଳନ ହୋଇଛି। ସୋମବାର ଇଭିନ୍‌ ନମ୍ବରର ଗାଡି ଚାଲୁଥିବା ବେଳେ ଭାଜପା ନେତା ବିଜୟ ଗୋୟଲ କିନ୍ତୁ ତାଙ୍କ ଅଡ୍‌ ନମ୍ବର ଗାଡିକୁ ନେଇ ଘରୁ ବାହାରିଥିଲେ। ଆଉ ଏହାପରେ ନିୟମ ଉଲ୍ଲଂଘନ କରିବାରୁ ତାଙ୍କ ଚାଲାଣ କଟାଯାଇଥିବା ସୂଚନା ମିଳିଛି। ଏହାପରେ ଗୋୟଲ ଅଭିଯୋଗ କରିଛନ୍ତି କି ଏହା କେଜରିଓ୍ବାଲ ସରକାରଙ୍କ ଏକ ପ୍ରକାର ପ୍ରଚାର।। ଏହାପରେ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହେଲଟ ଭାଜପା ନେତା ଗୋୟଲଙ୍କ ପାଖେ ପହଞ୍ଚି ତାଙ୍କୁ ଫୁଲତୋଡା ଓ ମାସ୍କ ଦେବା ସହ ଅଡ୍‌-ଇଭିନ ନମ୍ବରକୁ ନେଇ କଥା ହୋଇଥିଲେ।

ଦିଲ୍ଲୀ ପ୍ରଦୂଷଣକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଉଚ୍ଚତମ ନ୍ୟାୟାଳୟଙ୍କ ଭର୍ତ୍ସନା

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସର୍ବୋଚ୍ଚ ଅଦାଲତ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସୋମବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଖସିବା ନେଇ ଚିନ୍ତା ପ୍ରକଟ କରି ଅଦାଲତ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦିଲ୍ଲୀରେ ପ୍ରଦୂଷଣ ଜନିତ ସମସ୍ୟା ବଢୁଛି, ଆମେ କିଛି କରିପାରୁନାହୁଁ। ବଞ୍ଚିବାର ସମସ୍ତଙ୍କର ଅଧିକାର ରହିଛି। ଏହି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି କହିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଭର୍ସନା ମଧ୍ୟ କରିଛନ୍ତି। ରାଜ୍ୟ ସରକାର ନିର୍ବାଚନରେ ଅଧିକ ଆଗ୍ରହୀ ରହୁଛନ୍ତି। କିନ୍ତୁ ଏଠାରେ ଲୋକେ ମରୁଛନ୍ତି।

ବାଲୁଗାଁ ଜାତୀୟରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମହିଳା ମୃତ, ତିନି ଗୁରୁତର

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ନାଚୁଣୀ ନିକଟସ୍ଥ କହ୍ନେଇପୁରଠାରେ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସ୍କୁଟିରେ ଏକ ମହିଳା ତାଙ୍କ ଦୁଇ ପିଲା ଏବଂ ନଣନ୍ଦେଇଙ୍କ ସହ ନିଜ ଭାଇର ଦଶାହ କାର୍ଯ୍ୟକୁ ଯାଉଥିବା ବେଳେଏକ କାର ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ସେହି ମହିଳାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ଦୁଇ ଶିଶୁ ଏବଂ ନଣନ୍ଦେଇ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ନୟାଗଡ ଜିଲ୍ଲା ଶଙ୍ଖେଇ ଗ୍ରାମର ବୋଲି ଖବର ମିଳିଛି।

ବିଷ ବଳୟରେ ରାଜଧାନୀ ଦିଲ୍ଳୀ

ଦିପାବଳୀ ପରଠାରୁ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅତ୍ୟଧିକ ବଢିଯାଇଛି। ପ୍ରାୟ ଅଞ୍ଚଳରେ ଏୟାରକ୍ବାଲିଟି ଇଣ୍ଡେକ୍ସ ୯୦୦ ଉପରେ ପହଞ୍ଚିଛି। ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦ ଆଦି ଅଞ୍ଚଳରେ ବାୟୁ ଏବେ ପୂରା ବିଷ ପାଲଟିଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀର ପ୍ରଦୂଷଣର ମାତ୍ରା ଅତ୍ୟଧିକ ବଢିଯିବା ଯୋଗୁଁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦିଆଯାଇଥିବାବେଳେ ସ୍କୁଲଗୁଡ଼ିକୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଦୂଷଣ ସ୍ତର ବଢିବା ପରେ ପରେ ଦିଲ୍ଲୀ ଏମସ୍‌ରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।

ଅନିଶ୍ଚିତତା ଭିତରେ ଭାରତ-ବାଂଲାଦେଶ ଟି-୨୦ କ୍ରିକେଟ ମ୍ୟାଚ।

ଆଜି ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିଅମରେ ଭାରତ-ବାଂଲାଦେଶ ପ୍ରଥମ ଟି-୨୦ କ୍ରିକେଟ ମ୍ୟାଚ ଖେଳାଯିବ। କିନ୍ତୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଦଜ୍ଜନକ ଅବସ୍ଥାରେ ରହିଥିବାରୁ ଖେଳ ହେବାନେଇ ସନ୍ଦେହ ଦେଖାଯାଇଛି। ପ୍ରଦୂଷଣ କମ କରିବା ପାଇଁ ସରକାର ତରଫରୁ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ କୌଣସି ସଫଳ ମିଳୁନାହିଁ। ଗତକାଲି ଦୁଇଦେଶର ସମସ୍ତ ଖେଳାଳି ମାସ୍କ ଲଗାଇ ଅଭ୍ଯାସ କରୁଥିବାର ଦେଖିବାକୁ ମିଳିଥିଲା। ତେଣୁ ଏପରି ଭୟାନକ ବାୟୁ ପ୍ରଦୂଷଣରେ ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଖେଳ ହେବାନେଇ ସନ୍ଦେହ ଦେଖାଯାଇଛି। ଏପରି ପରିସ୍ଥିତିରେ ଆଜିର ମ୍ୟାଚ ଅନୁଷ୍ଠିତ ହେବକି ନାହିଁ ରେଫରିଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯିବ।

 

ଛଟ୍‌ ପୂଜା କରିବା ସମୟର ଅଘଟଣ : ଦୁଇ ମୃତ

ବିହାରର ସମସ୍ତୀପୁରରେ ରବିବାର ଛଟ୍‌ ପୂଜା ଅବସରରେ ଏକ ବଡ଼ ଅଘଟଣ ଘଟିଯାଇଛି। ସମସ୍ତୀପୁରର ହସନପୁରଠାରେ ଛଟ୍‌ ପର୍ବ ଅବସରରେ ଏକ ପୋଖରୀରେ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ସମସ୍ତୀପୁରର ହସନପୁର ଥାନା ଅନ୍ତର୍ଗତ ବଡ଼ଗାଓଁ ଗ୍ରାମର ପୁରୁଣା କାଳୀ ମନ୍ଦିରର କାନ୍ଥ ଭୁଶୁଡି ପଡ଼ିବାରୁ ଦୁଇଜଣ ମୃତ୍ୟୁ ଘଟିଛି। ଏହି ଅଘଟଣ ପରେ ଶ୍ରଦ୍ଧାଳୁ ମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବା ଫଳରେ ୬ ଜଣ ମହିଳା ଗୁରତର ଆହତ ହୋଇନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସଲ୍ଲୁଙ୍କ ’ରାଧେ’ରେ ଦିଶା

ସଲମନ୍‌ ଖାନ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି ତାଙ୍କର ନୂଆ ଫିଲ୍ମ ‘ରାଧେ’କୁ ନେଇ। ଏହି ଫିଲ୍ମର ତାଙ୍କ ବିପକ୍ଷରେ ହିରୋଇନ୍‌ ଭୂମିକାରେ ନଜର ଆସିବେ ଦିଶା ପଟ୍ଟାନୀ। ତେବେ ପୂର୍ବରୁ ଦିଶା ସଲମାନ୍‌ଙ୍କ ସହ ‘ଭାରତ’ରେ ନଜର ଆସିସାରିଛନ୍ତି। ଏହି ଫିଲ୍ମ ଜରିଆରେ ସଲମାନ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ଚରିତ୍ରରେ ପରଦାକୁ ଆସିବେ। ଆସନ୍ତା ଇଦ୍‌ ଅବସରରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଥିବାବେଳେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି କୋରିଓଗ୍ରାଫର୍‌ ତଥା ଅଭିନେତା ପ୍ରଭୁ ଦେବା।

ମୟୂରଭଞ୍ଜ ପାଲବଣି ଜଙ୍ଗଲ ନିକଟରେ ଅନେକ ଜମିରେ ଫସଲ ନଷ୍ଟ କଲେ ହାତୀପଲ

କରଭଞ୍ଜ ଜିଲ୍ଲା କରଞ୍ଜିଆ ରେଂଜରେ ୨୨ଟିକିଆ ହାତୀପଲର ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଂଚଳରେ ହାତୀପଲ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତ୍ରରେ ୨୨ଟିକିଆ ହାତୀପଲ କରଞ୍ଜିଆ ରେଂଜ ନିକଟବର୍ତୀ କିଛି ଗ୍ରାମରେ ପଶିଥିଲେ। ସେମାନେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏପରିକି ପାଲବଣି ଜଙ୍ଗଲ ନିକଟରେ ଥିବା କିଛି ଚାଷଜମିରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଫଳରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବନ ବିଭାଗ ଏ ଦିଗରେ ଯଥାଶୀଘ୍ର ଦୃଷ୍ଟି ଦେବା ସହ ହାତୀପଲଙ୍କୁ ଘଉଡାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ନନ୍ଦପୁର ପଞ୍ଚାୟତରେ ଅଘଟଣ: ନଡିଆ ଘଛରୁ ପଡି ଜଣେ ମୃତ

ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି। ନଡିଆ ଗଛରୁ ପଡି ଜଣେ ଲୋକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଘଟଣା ମଙ୍ଗରାଜପୁର ଗ୍ରାମରେ ଘଟିଛି। ବାଣପୁର ବ୍ଲକରେ ଜଣେ ସରକାରୀ କର୍ମଚାରୀଙ୍କ ବଗିଚାରେ ଏପରି ଦୟନିୟ ଘଟଣା ଘଟିଛି। ପ୍ରାପ୍ତ ସୂଚନାଅନୁଯାୟୀ ମାନିଆ ପରିଡା(୫୭) ବଗିଚାରୁ ନଡିଆ ତୋଳିବା ସମୟରେ ଭାରସାମ୍ୟ ହରାଇ ଗଛରୁ ଖସିପଡିଥିଲେ। ଗ୍ରାମବାସୀଙ୍କ ଦ୍ଵାରା ତାଙ୍କୁ ତୁରନ୍ତ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

ସୁଇମିଂ ପୁଲରେ ଛତ୍ ପୂଜା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଭିନ୍ନ ମହଲରେ ସମାଲୋଚନା

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି ସଂଧ୍ୟାରେ ଏକ ସୁଇମିଂ ପୁଲରେ ପାଳନ କରିଛନ୍ତି ଛତ୍ ପୂଜା। ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ସାରା ବିହାର ବିଭିନ୍ନ ନଦୀପଠାରେ ଛତ୍ ପୂଜା କରିଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ କିପରି ସୁଇମିଂ ପୁଲରେ ପୂଜା କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ ବାଚୀ। ହେଲେ ଯେଉଁଠାରେ ଏହା ଉପଲବ୍ଧ ନ ଥାଏ ସେଠାରେ କୃତ୍ରିମ ଜଳାଶୟରେ ପୂଜା କରିବାରେ କିଛି ଅସୁବିଧା ନାହିଁ। ହେଲେ ନୀତିଶ ନିଜ ପରିବାର ସହିତ ପାଟନାର ସରକାରୀ ବାସଗୃହର ସୁଇମିଂ ପୁଲରେ ଏହି ପୂଜା କରିଛନ୍ତି।

ଭାଲୁ ଆକ୍ରମଣରେ ଗୁରୁତର ହେଲେ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବସନ୍ତ ଜାନି

ଅରାଙ୍ଗ ଗ୍ରାମର ଜନୈକ ବସନ୍ତ ଜାନି ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅରାଙ୍ଗ ଗ୍ରାମର ୪୪ ବର୍ଷୀୟ ବସନ୍ତ ଜାନି ଆଜି ସକାଳ ୬ଟାରେ ଧାନ ବୁଲି ଦେଖୁଥିବା ସମୟରେ ଭାଲୁଟି ଅତର୍କିତ ଆକ୍ରମଣ କରିଥିଲା। ତାଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନିଆଯାଇଥିବାବେଳେ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଗ୍ରାମର ସରପଞ୍ଚ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ସହିତ ସମସ୍ତ ବନ୍ଦୋବସ୍ତ କରିଛନ୍ତି।

ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ରାୟଗଡ଼ାର ଡିଏଫ୍ଓ ଅଧିକାରୀ

ଦୁର୍ନୀତି ଓ ସରକାରୀ କୋଠା ନିର୍ମାଣରେ ଅନିୟମିତତା ଅଭିଯୋଗରେ ରାୟଗଡ଼ା ଡିଏଫ୍‌ଓ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ସରକାର ଦୁର୍ନୀତିଗସ୍ତ ଅଧିକାରୀଙ୍କ ପ୍ରତି ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ରାୟଗଡ଼ ବନଖଣ୍ଡର ଡିଏଫଓ ଦେବାର୍ଚ୍ଚନ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ଡିଏଫ୍‌ଓ ଅଧିକାରୀଙ୍କ ନାମରେ ଦୁର୍ନୀତି ଓ ଅନିମୟିତତା, ଯୌନ ନିର୍ଯାତନାର ଅଭିଯୋଗ ରହିଥିଲା। ସରକାରୀ କୋଠା, ବାମ୍ବୋ କଟେଜ୍‌ ନିର୍ମାଣରେ ଟଙ୍କା ହଡପ ଅଭିଯୋଗ, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନ ଆଦି ଅଭିଯୋଗ ରହିଥିଲା। ତାଙ୍କ ନାମରେ ରହିଥିବା ଏହି ସମସ୍ତ ଅଭିଯୋଗର ତଦନ୍ତ ଚାଲିଛି।

ଦିଲ୍ଲୀ ପ୍ରଦୂଷଣ ନେଇ କେନ୍ଦ୍ରକୁ ଚିଠି ଲେଖିଲେ କେଜ୍‌ରୀଓ୍ବାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଦିଲ୍ଲୀର ପ୍ରଦୂଷଣ ସମସ୍ୟାକୁ ନେଇ କେନ୍ଦ୍ରୀୟ ପର୍ଯ୍ୟାବରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖିଛନ୍ତି। ସିଏମ୍‌ କେଜରୀଓ୍ବାଲା ଉତ୍ତର ଭାରତରେ ପ୍ରଦୂଷଣ ଜନିତ ଗମ୍ଭୀର ସମସ୍ୟାର ସମାଧାନ ପାଇଁ କେନ୍ଦ୍ରର ସହାୟତା ମାଗିଛନ୍ତି। ପ୍ରଦୂଷଣ ସମସ୍ୟାରୁ ମୁକ୍ତି ପାଇଁ କେନ୍ଦ୍ର ଯେଉଁ ବ୍ୟବସ୍ଥା ତଥା ପଦକ୍ଷେପ ନେବ, ତାହାକୁ ଦିଲ୍ଲୀ ସରକାର ସମର୍ଥନ କରିବ ବୋଲି କେଜ୍‌ରୀଓ୍ବାଲା ସୂଚନା ଦେଇଛନ୍ତି। ଦୀପାବଳି ପରେ ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅତ୍ୟଧିକ ବଢି ଯାଇଛି।