ବାଣ ଫୁଟାଇବା ମନା

ନୂଆବର୍ଷ କି ବଡ଼ଦିନରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର। ଏଥିପାଇଁ ଦିଲ୍ଲୀ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଡିଏମଙ୍କ ନିର୍ଦ୍ଦେଶରେ ସମସ୍ତ ଥାନାକୁ ଚିଠି ଲେଖି କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇନ୍ ଉଲଂଘନ କଲେ ଜେଲଦଣ୍ଡ ଦିଆଯିବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନବ ବର୍ଷ ଉପଲକ୍ଷେ ଏନସିଆରରେ କେବଳ ସବୁଜ ବାଣ ହିଁ ଫୁଟାଇବାର ଅନୁମତି ରହିଛି । ତେବେ ଏଥିପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ ହୋଇଛି। ଦିଲ୍ଲୀରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି ।

‘ମଣିକର୍ଣ୍ଣିକା : ଦ କ୍ୱିନ୍ ଅଫ୍ ଝାନ୍ସୀ’ର  ଟ୍ରେଲର ରିଲିଜ୍

ବହୁ ପ୍ରତିକ୍ଷୀତ ତଥା ବିବଦୀୟ ସିନେମା ‘ମଣିକର୍ଣ୍ଣିକା : ଦ କ୍ୱିନ୍ ଅଫ୍ ଝାନ୍ସୀ’ ର  ଟ୍ରେଲର ରିଲିଜ ହୋଇଛି  । ଏହି ପିଲ୍ମର କାହାଣୀ ହେଉଛି ଭାରତର ସ୍ୱାଧୀନତାର ଲଢେଇର କାହାଣୀ । ଯାହା ୧୮୫୭ରେ ଲଢ଼ାଯାଇଥିଲା । ରାଣୀ ଲକ୍ଷ୍ମୀବାଇଙ୍କ ଦମଦାର ଭୂମିକାରେ  କଙ୍ଗନା ରାଣାୱତ ନଜର ଆସୁଛନ୍ତି।  ଏହି ଫିଲ୍ମର ନିର୍ଦ୍ଦେଶନା ରାଧାକୃଷ୍ଣ ଜଗରଲମୁଡି କରିଛନ୍ତି । ଫିଲ୍ମର ଟ୍ରେଲର ବହୁତ ଦମଦାର ହୋଇଛି । କଙ୍ଗନାଙ୍କ ଏଭଳି ଅବତାର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଏହା ହିନ୍ଦୀ ଓ ତେଲୁଗୁ ଭାଷାରେ ନିମିର୍ତ ୨୫ ଜାନୁୟାରୀକୁ ରିଲିଜ ହେବ ବୋଲି ସୂଚନା ମିଳିଛି । ଏହି ସିନେମାରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡେ ବଲିଉଡ ଏଣ୍ଟ୍ରି କରୁଛନ୍ତି।

ତାପସୀଙ୍କ ଟୁଇଟକୁ ନେଇ ଚର୍ଚ୍ଚା

ବଲିଉଡ୍ ଇଣ୍ଡଷ୍ଟ୍ରିରେ କମାଲ୍ କରୁଥିବା ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଟୁଇଟ୍ ନେଇ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି | ସେ ନିକଟରେ ‘ପିଙ୍କ୍‌’ ଚଳଚ୍ଚିତ୍ରରେ ଜବର୍‌ଦସ୍ତ ଅଭିନୟ କରି ପୁରସ୍କାର ପାଇଥିଲେ । ତାପସୀ ଜଣେ ଟୁଇଟର୍‌ ବ୍ୟବହାରକାରୀଙ୍କ ଅଶାଳୀନ ଇଙ୍ଗିତ ଟୁଇଟ ରକୁ  ବେଶ୍‌ ସକାରାତ୍ମକ ଜବାବ ଦେଇ ଚର୍ଚ୍ଚାରେ ରହିଛନ୍ତି । ଟୁଇଟ୍‌ର୍‌ ବ୍ୟବହାରକାରୀ ଜଣଙ୍କ ତାପସୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରି ଲେଖିଥିଲେ ଯେ ‘ତାପସୀ ମୁଁ ତୁମ ଶରୀରର ଅଙ୍ଗଗୁଡ଼ିକ ପସନ୍ଦ କରେ । ଏହାର ଉତ୍ତରରେ ତାପସୀ ଲେଖିଛନ୍ତି,‘ଓ୍ଵାଓ, ମୁଁ ବି ଖୁବ୍‌ ପସନ୍ଦ କରେ । ପୁଣି ଟୁଇଟ୍‌ର୍‌ ବ୍ୟବହାରକାରୀ ଜଣଙ୍କ ପ୍ରଶ୍ନ କରିଥିଲା ଯେ, ମାତ୍ର ସେମଧ୍ୟରୁ ତୁମର ପ୍ରିୟ କେଉଁଟି ? ଏହାର ଉତ୍ତରରେ ତାପସୀ କହିଥିଲେ, ମୋର ପ୍ରିୟ ମୋ ମସ୍ତିଷ୍କ।’| ତାପସୀଙ୍କର ଏପରି ଚତୁରତା ଭରା ଉତ୍ତରରେ ତାଙ୍କୁ ସାବାସି ଦେବା ସହ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ତାଙ୍କ ଫ୍ୟାନ ମାନେ।

 ହ୍ୟୁମାନ୍‌ ରାଇଟ୍‌ସ ପୁରସ୍କାର ପାଇଲେ ଅସମା

ପାକିସ୍ତାନର ଦିବଂଗତ ଆଇନଜୀବୀ ତଥା ସମାଜସେବୀ ଅସମା ଜାହାଙ୍ଗିରଙ୍କୁ ୨୦୧୮ ବର୍ଷ ପାଇଁ ଜାତିସଂଘ ହ୍ୟୁମାନ ରାଇଟ୍‌ସ ପୁରସ୍କାର ମିଳିଛି। ଏହି ସମ୍ମାନଜନକ ପୁରସ୍କାରକୁ ଅସମାଙ୍କ ଝିଅ ମୁନିଜେ ଜାହାଙ୍ଗିର ଗ୍ରହଣ କରିଛନ୍ତି। ମାନବାଧିକାର ସୁରକ୍ଷିତ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଣେ ବ୍ୟକ୍ତି କିମ୍ବା ସଂଗଠନକୁ ଜାତିସଂଘ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଏ। ମୁନିଜେ ୱାଶିଂଟନ୍‌ରେ ଥିବା ଜାତିସଂଘର ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାରକୁ ଗ୍ରହଣ କରିବା ପରେ ଏହାକୁ ପାକିସ୍ତାନର ମହିଳାମାନଙ୍କ ପାଇଁ ଡେଡିକେଟ୍‌ କରିଛନ୍ତି। ଅସମାଙ୍କ ବ୍ୟତୀତ ତାନଜିଆନ୍‌ର ରେବେକ ଗୁୟେମି, ବ୍ରାଜିଲର ଜୋଏନିଆ ୱାପିଚାନା ଓ ଆୟର୍ଲ୍ୟାଣ୍ଡର ହ୍ୟୁମାନ ରାଇଟସ୍‌ ସଂଗଠନ ଫ୍ରଣ୍ଟ ଲାଇନ୍‌ ଡିଫେଣ୍ଡର୍ସଙ୍କୁ ଜାତିସଂଘ ପକ୍ଷରୁ ସମ୍ମାନିତ କରାଯାଇଛି।

ଅନ୍‌ଲାଇନ୍ ମହାପ୍ରସାଦ ବିକ୍ରି ଓ ନିମନ୍ତ୍ରଣ ଉପରେ ଅଙ୍କୁଶ ଲଗାଇଲା ମନ୍ଦିର ପ୍ରଶାସନ

ଅନ୍‌ଲାଇନ୍‌ ମହାପ୍ରସାଦ ବିକ୍ରି ଓ ଅନ୍‌ଲାଇନ୍ ନିମନ୍ତ୍ରଣ ପତ୍ର ଗ୍ରହଣ କରିବା ପ୍ରସ୍ତାବକୁ ଅସ୍ଵୀକାର କରିଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ, ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ୱତ୍ୱାଧିକାରୀ ହୋଇଥିବାରୁ କୌଣସି ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ କି ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ପାରିବେ ନାହିଁ। ଏଥିରେ ଆହୁରି କୁହାଯାଇଛି ଯେ, ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନାହିଁ। ଯଦି କେହି ଏଭଳି କାମ କରୁଥାଏ, ତେବେ ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

ଟିଭି ଦେଖା ମହଙ୍ଗା‌ ହେବ

ଜାନୁଆରି ପହିଲାରୁ ଦେଶରେ ଟିଭି ଦେଖା ମହଙ୍ଗା‌ ହେବ। ଲୋକମାନଙ୍କ ମାସିକିଆ କେବୁଲ ଓ ଡିଟିଏଚ୍‌ ବିଲ୍‌ ବଢ଼ିଯିବ। ଟିଭି ଦେଖିବା ପାଇଁ ମାସକୁ ଅତିକମ୍‌ରେ ୪୩୦-୪୪୦ ଟଙ୍କା ଗଣିବାକୁ ପଡ଼ିବ। ନୂଆବର୍ଷ ଠାରୁ ଏକ ନୂତନ ନିୟମ ଲାଗୁ ହେବ। ସେହି ନିୟମ ଆଧାରରେ ଟିଭି ଚ୍ୟାନେଲ୍‌ଗୁଡ଼ିକର ଦାମ୍ ବଢ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଜାନୁଆରିରୁ ଲାଗୁ ହେବାକୁ ଥିବା ନୂଆ ନିୟମରେ ଗ୍ରାହକମାନେ ନିଜେ ନିଜ ପସନ୍ଦର ଚ୍ୟାନେଲ୍‌କୁ ଚୟନ କରିପାରିବେ। କିନ୍ତୁ ପ୍ରତି ଚ୍ୟାନେଲ୍‌ ପାଇଁ ସେମାନଙ୍କୁ ଅଲଗା ଅଲଗା ଦାମ୍ ଗଣିବାକୁ ପଡ଼ିବ।

ଅସଦାଚରଣକାରୀଙ୍କୁ କାବୁ କଲେ ଦୃଷ୍ଟିହୀନା

ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ୧୫ ବର୍ଷୀୟ ଦୃଷ୍ଟିହୀନ ବାଳିକା ଅସଦାଚରଣକାରୀଙ୍କୁ ଗିରଫ କରାଇଛନ୍ତି। ସୋମବାର ଦିନ ଝିଅଟି ତା’ ବାପା ସହ ଦାଦରରୁ କଲ୍ୟାଣ ଅଭିମୁଖେ ସେମାନେ ରାତି ୮:୧୫ରେ ଫାଷ୍ଟ୍ ଟ୍ରେନ୍ ଧରିଥିଲେ । ଝିଅ ଓ ତା’ର ବାପା ଦିବ୍ୟାଙ୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ବଗିରେ ଚଢ଼ିଥିଲେ । ଅଭିଯୁକ୍ତ ୨୪ ବର୍ଷିୟ ବିଶାଳ ବଳିରାମ ସିଂହ ମଧ୍ୟ ସେହି ବଗିରେ ଚଢ଼ିଥିଲେ । ସେ ଠିକ୍ ଝିଅଟିର ପଛପଟେ ଠିଆ ହୋଇ ତାକୁ ସ୍ପର୍ଶ କରିବା ଆରମ୍ଭ କରିଥିଲେ । କିନ୍ତୁ, ବାଳିକା ଜଣକ ଅସଦାଚରଣକାରୀର ହାତ ଧରି ଏମିତି ମୋଡ଼ି ଦେଇଥିଲେ ଯେ ସେ ଯନ୍ତ୍ରଣାରେ କାତର ହୋଇ ତଳେ ପଡ଼ିଯାଇଲା । ଦୃଷ୍ଟିହୀନ ନାବାଳିକା ଜଣକ ନିଜର ସାହାସ ଯୋଗୁଁ ଅଭିଯୁକ୍ତଙ୍କୁ ଗିରଫ କରିହୋଇଛି ବୋଲି ଦାଦର ଜିଆରପିର ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

ହିମାଂଶୁ କିଏ? ମୁଁ ଏହି ନାଁର କୌଣସି ବ୍ୟକ୍ତିଙ୍କୁ ଜାଣି ନାହିଁ – ନେହା

ଲୋକପ୍ରିୟ ସିଙ୍ଗର ନେହା କକ୍କର ଓ ଅଭିନେତା ହିମାଂଶୁ କୋହଲିଙ୍କ ବ୍ରେକ୍‌ଅପ୍‌ ଖବର ଏବେ ଖୁବ୍‌ ଚର୍ଚ୍ଚାରେ ଅଛି। ଏହି ଘଟଣା ପରେ ନେହା ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ନେହା ନିଜ ଦୁଃଖ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି। ପୂର୍ବରୁ ନେହା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ  ହିମାଂଶୁଙ୍କ ସହ ଥିବା ସବୁ ଫଟୋ ହଟାଇଥିବା ବେଳେ ପରେ ଇନ୍‌ଷ୍ଟା ଷ୍ଟାଟସ୍‌ରେ ନିଜ ଦୁଃଖ ଜଣାଇଥିଲେ। ରିପୋର୍ଟ ମୁତାବକ ସ୍ପଟବୟ ପୋର୍ଟାଲ୍‌ ହିମାଂଶୁଙ୍କ ସହ ତାଙ୍କ ବ୍ରେକ୍‌-ଅପ୍‌କୁ ନେଇ ନେହାଙ୍କ ପ୍ରତିକ୍ରିୟା ମାଗିଥିବା ବେଳେ ସେ ହିମାଂଶୁଙ୍କୁ ଚିହ୍ନି ନଥିବା କହିଥିଲେ। ସେ କହିଥିଲେ ହିମାଂଶୁ କିଏ? ମୁଁ ଏହି ନାଁର କୌଣସି ବ୍ୟକ୍ତିଙ୍କୁ ଜାଣି ନାହିଁ।’’

ରାହୁଲ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି- ଅଖିଳେଶ

ମୋଦି ସରକାରଙ୍କ ବିରୋଧରେ ଗଠନ ହେବାକୁ ଥିବା ମହାମେଣ୍ଟରେ ଏବେ କିଛି ମତ ପାର୍ଥକ୍ୟ ଦେଖିବାକୁ ମିଳିଛି। କଂଗ୍ରେସ ତିନୋଟି ରାଜ୍ୟରେ କ୍ଷମତା ଦଖଲ କରିବା ପରେ ଆୟୋଜନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ ଉତ୍ସବରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ସମୟରେ ଡିଏମକେ ସୁପ୍ରିମୋ ଏମ୍‌କେ ଷ୍ଟାଲିନ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସାମ୍ଭାବ୍ୟ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ପ୍ରସ୍ତାବ ଦେଇଥିଲେ। ତେବେ ଏହି ମହାମେଣ୍ଟରେ ସାମିଲ ହେବାକୁ ଥିବା ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ପରୋକ୍ଷରେ ରାହୁଲ ଗାନ୍ଧି ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ମହାମେଣ୍ଟରେ ଥିବା ଗୋଟିଏ ଦଳର ମତ ସମସ୍ତ ଅଂଶୀଦାରଙ୍କ ମତନୁହେଁ।

ରାଜଧାନୀର ପଥରବନ୍ଧ ବସ୍ତିରେ ସିରିଜ୍ ବୋମା ମାଡ଼, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ମନୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେ ସିରିଜ ବୋମା ମାଡ଼ ହୋଇଛି। ଘର ଉପରକୁ ଏକାଧିକ ବୋମା ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ ହୋଇଯାଇଛି। ପୂର୍ବ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା କୁହାଯାଉଛି। ବୋମା ମାଡ଼ରେ କାହାର କିଛି କ୍ଷତି ହୋଇନାହିଁ। ପ୍ରାୟ ୫ ଜଣ ଦୁର୍ବୃତ୍ତ ତିନୋଟି ବାଇକରେ ଆସି ପଥରବନ୍ଧ ବସ୍ତିର ବିଭିନ୍ନ ସ୍ଥାନରେ ୩ଟି ବୋମାମାଡ଼ କରିଥିଲେ । ବୋମାମାଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେବା ସହ ଭୟ ଖେଳିଯାଇଛି । ଭୁବନେଶ୍ବର ପୋଲିସ ଏହାର ତଦନ୍ତ ଜାରୀ ରଖିଛି।

ଜାନୁୟାରୀ 4 ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବ ଶିଶିର ସରସ ମେଳା, ଏଥର 30 କୋଟି ବ୍ୟବସାୟ ଲକ୍ଷ

ଆସନ୍ତା ଜାନୁୟୀରୂ 4 ରୁ 14 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଉଛି ଶିଶିର ସରସ ମେଳା। ଏଥର ମେଳାରେ ଓଡିଶାର ବିଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ ଜିନିଷ ସହିତ ପ୍ରାୟ 12 ଟି ରାଜ୍ୟର ହସ୍ତକଳା ଓ ହସ୍ତତନ୍ତ ମଧ୍ୟ ପ୍ରଦର୍ଶିତ ହେବ। ରାଜ୍ୟର ହସ୍ତକଳା, ହସ୍ତତନ୍ତ ତଥା ସ୍ବୟଂ ସହାୟକ ଗୋଷ୍ଟୀ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବଜାର ସୃଷ୍ଟି କରିବା ପାଇଁ ଏହି ମେଳା ଓରମାସ ତରଫରୁ ଦୀର୍ଘ 21 ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଏଥର ପ୍ରାୟ 30 କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କମିବ ଜି.ଏସ୍.ଟି ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଲେ ସୂଚନା

ଖୁବ୍‌ ଶୀଘ୍ର ନିତ୍ୟ ବ୍ୟବହୃତ ସାମଗ୍ରୀର ଦର କମିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଟନା ଦେଇଛନ୍ତି  । ୯୯ ପ୍ରତିଶତ ସାମଗ୍ରୀ ଉପରେ ବର୍ତ୍ତମାନ ଲାଗୁ ହୋଇଥିବା ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି)କୁ କମାଇ ଦିଆଯିବ ବୋଲି ମୋଦି କହିଛନ୍ତି। ବର୍ତ୍ତମାନ ବହୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ୧୮ ପ୍ରତିଶତରୁ ଅଧିକ ଜିଏସ୍‌ଟି ଲାଗୁ ହୋଇଛି। ଫଳରେ ସେସବୁ ସାମଗ୍ରୀର ଦର ଅଧିକ ରହିଛି, ଏହା ଉପରେ ସରକାର ଚିନ୍ତା କରୁଛନ୍ତି। ୧୮ ପ୍ରତିଶତ ଜିଏସ୍‌ଟି ସ୍ତର ମଧ୍ୟରେ ୯୯ ପ୍ରତିଶତ ସାମଗ୍ରୀକୁ ରଖିବା ଲାଗି ଯୋଜନା ଆରମ୍ଭ ହୋଇଛି।

ଇଟାଭାଟି ଶ୍ରମିକଙ୍କ ଉପରେ ଅମାନବୀୟ କାଣ୍ଡ, ଟଙ୍କା ମାଗିବାରୁ ଆଙ୍ଗୁଠି କାଟି ଏସିଡ ଫୋପାଡିଲେ ଭାଟି ମାଲିକ

ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ ଇଟାଭାଟି ଶ୍ରମିକ ଅମାନବୀୟ ଅତ୍ୟାଚାରର ଶିକାର ହୋଇଛନ୍ତି। ଏହି ଶ୍ରମିକମାନେ ସେମାନଙ୍କ ପାରିଶ୍ରମିକ ମାଗିବାରୁ ଭାଟି ମାଲିକ ସେମାନଙ୍କ ଆଙ୍ଗୁଠି କାଟି ଦିଆଯାଇଥିବା ବେଳେ ଏସିଡ୍‌ ମାଡ଼ ମଧ୍ୟ କରିଥିବାର ଅଭିଯୋଗ ହୋଇଛି। ହେମଗିରି ଥାନା ଦୁରଦା ଗାଁର ୧୨ ଜଣ ବ୍ୟକ୍ତି ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ରେ ଏକ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ। ହେଲେ ସେଠାରେ ମଜୁରି ନ ଦେଇ ଭାଟି ମାଲିକ ନିର୍ଯାତନା ଦେଉଥିଲେ। ତୁରନ୍ତ ଭାଟି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବୀ ହୋଇଛି।

ଋଣ ଛାଡ଼ ନ ହେବା ଯାଏଁ ମୋଦୀଙ୍କୁ ଶୁଆଇ ଦେବୁ ନାହିଁ : ରାହୁଲ

ଦେଶର ସମସ୍ତ କୃଷକଙ୍କ ଋଣଛାଡ ନ ହେବା ପର୍ଯ୍ୟନ୍ତ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୋଇବାକୁ ଦେବୁ ନାହିଁ ବୋଲି ଦୃଢ଼ୋକ୍ତି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି। ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ସମସ୍ତ କୃଷକଙ୍କ ଋଣ ଛାଡ଼ କରାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବାଚନିକ ଆକ୍ରମଣ କରି ରାହୁଲ କହିଛନ୍ତି ,ମୋଦି ସରକାର କେବଳ ଧନୀ ବ୍ୟକ୍ତିଙ୍କ ଋଣ ଛାଡ଼ କରୁଛନ୍ତି। ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଟଙ୍କା ଚୋରି କରୁଛନ୍ତି। ଏଥି ସହ ସେ ଦେଶର ଚାଷୀକୂଳକୁ ପ୍ରତିଶ୍ରୁତି ଦେଇଛନ୍ତି କି ଖୁବ୍‌ଶୀଘ୍ର କୃଷକଙ୍କ କଲ୍ୟାଣ ଲାଗି ପଦକ୍ଷେପ ନିଆଯିବ।

ଆଉ ଜଣେ ଓଡିଆଙ୍କ ସଫଳତା, ପ୍ରଣବ କୁମାର ଦାସ ହେଲେ ସିବିଆଇସିର ଅଧ୍ୟକ୍ଷ

ଆଉ ଜଣେ ଓଡିଆ ପୁଅ ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ହେଉଛନ୍ତି 1983 ବ୍ୟାଚ ଆଇଆରଏସ ଅଫିସର ପ୍ରଣବ କୁମାର ଦାସ। ପ୍ରଣବ ସିବିଆଇସି ବା Central Board of Indirect Taxes and Customs ବିଭାଗର ଅଧ୍ୟକ୍ଷ ଭାବେ ମନୋନିତ ହୋଇଛନ୍ତି। ନୂଆ ଦିଲ୍ଲୀରେ ବସିଥିବା ଆପଏଣ୍ଟମେଣ୍ଟ କମିଟ ଅଫ କ୍ୟାବିନେଟ ତାଙ୍କ ନିଯୁକ୍ତିକୁ ସ୍ବୀକୃତ ଦେଇଛନ୍ତି। ଫଳରେ ପ୍ରଣବ ଆସନ୍ତା ଜାନୁୟାରୀ 1 ତାରିଖରେ ବିଧିବଧ ଭାବେ ଦାୟିତ୍ବ ନେବେ। ବର୍ତ୍ତମାନର ଅଧ୍ୟକ୍ଷ ଏସ.ରମେଶଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବର 31 ତାରିଖରେ ଶେଷ ହେଉଛି।

‘ପିରିୟଡ୍ : ଏଣ୍ଡ୍ ଅଫ୍ ସେଣ୍ଟେନ୍ସ୍’ ଡକ୍ୟୁମେଣ୍ଟାରୀ ଚଳଚିତ୍ର ଓସ୍କାର ସର୍ଟଲିଷ୍ଟରେ ସ୍ଥାନିତ।

ଭାରତୀୟ ଗ୍ରାମୀଣ ଡ୍ରାମା ଉପରେ ଆଧାରିତ ଡକ୍ୟୁମେଣ୍ଟରୀ ଫିଲ୍ମ  ‘‘ପିରିୟଡ୍ : ଏଣ୍ଡ୍ ଅଫ୍ ସେଣ୍ଟେନ୍ସ୍’ ଓସ୍କାର ସର୍ଟଲିଷ୍ଟରେ ସ୍ଥାନ ପାଇଛି । ମହିଳାଙ୍କ ମାସିକ ଋତୁସ୍ରାବ ସମସ୍ୟାର ସମାଧାନ କରିବା ନେଇ ଅରୁଣାଚଳମ ମୁରୁଗୁନ୍ତାମଙ୍କ ପ୍ୟାଡ ନିର୍ମାଣ କାହାଣୀକୁ ନେଇ ଏହି ଚଳଚିତ୍ର ନିର୍ମାଣ କରାଯାଇଛି। ଏହି ଚଳଚିତ୍ରକୁ ଗୁନ୍ନିତ ମୋଙ୍ଗ ପ୍ରଯୋଜିତ କରିଥିବା ବେଳେ ଆମେରିକୀୟ ନିର୍ଦ୍ଦେଶକ ରାଏକା ଜୋବଛି ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ଏହି ପ୍ରଯୋଜନା ସଂସ୍ଥା ଲଞ୍ଚ୍ ବକ୍ସ୍ ଓ ମସାନ୍ ଭଳି ଫିଲ୍ମ ନିର୍ମାଣ କରିସାରିଛନ୍ତି।

ମାଳଦ୍ୱୀପକୁ ସାହାଯ୍ୟ କରିବ ଭାରତ !

ମାଳଦ୍ୱୀପ ଏବେ ଋଣ ସଂକଟରେ ପଡିଥିବାରୁ ଆର୍ଥିକ ବିକାଶ ପାଇଁ ୧.୪ ବିଲିୟନ ଡଲାର ସହାୟତା ଘୋଷଣା କଲେ ଭାରତ ସରକାର । ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ଏବେ ଭାରତ ଗସ୍ତରେ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ଏହି ଅବସରରେ ମୋଦି ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ସହିତ ଉଭୟ ଦେଶ ଭାରତ ମହାସାଗରୀୟ ଅଞ୍ଚଳରେ ସାମରିକ ସହଯୋଗ ବୃଦ୍ଧି କରିବା ଲାଗି ସହମତ ହୋଇଛନ୍ତି ।

‘ହିନ୍ଦୀ ମିଡିଅମ’ର  ସିକ୍ୱେଲରେ ଶାହରୁଖ – କଜୋଲ !

ବଲିଉଡର ଏକ ସୁପରହିଟ୍‌ ଯୋଡି  ଶାହାରୁଖ୍‌ ଖାନ୍‌-କାଜୋଲ ପୁଣିଥରେ ଏକାଠି ପରଦାକୁ ଆସୁଛନ୍ତି।  ଏହି ଯୋଡିକୁ ଦର୍ଶକ ଖୁବ୍‌ ଶୀଘ୍ର ଏକ ଫିଲ୍ମର ସିକ୍ୱେଲରେ ପୁଣିଥରେ ଦେଖି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ନିର୍ମାତା ଦିନେଶ ବିଜନ୍‌ ନିଜର ବହୁଚଚର୍ଚ୍ଚିତ ସିନେମା ‘ହିନ୍ଦୀ ମିଡିଅମ୍‌’ର ସିକ୍ୱେଲ୍‌ରେ ଅଭିନୟ କରିବାକୁ ଉଭୟ କିଙ୍ଗ୍‌ ଖାନ୍‌ ଓ କାଜୋଲଙ୍କୁ ଆପ୍ରୋଚ୍‌ କରିଛନ୍ତି। ୨୦୧୭ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ହିନ୍ଦୀ ମିଡିଅମ୍‌’ରେ ଇରଫାନ୍‌ ଖାନ୍‌ ଓ ଶବବା ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ସାକେତ ଚୌଧୁରୀ। ତେବେ ‘ହିନ୍ଦୀ ମିଡିଅମ୍‌-୨’ରେ ପୂର୍ବଭଳି ଇରଫାନ୍‌ ଖାନ୍‌ ନିଜ ଭୂମିକାରେ ରହିବେ। ତେବେ ଏଥର କାହାଣୀଟି ଭାରତ ଭିତରେ ନ ରହି ଭାରତ ବାହାରକୁ ଯିବ ବୋଲି ଜଣାପଡିଛି।

ହକି ବିଶ୍ୱକପ୍ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ରାଜ୍ୟବାସୀ ଓ ଓଡ଼ିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି । ରାଜ୍ୟସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ଯେଉଁଭଳି ଭାବେ ଆତିଥେୟତା ଦିଆଯାଇଛି ସେଥିପାଇଁ ମଧ୍ୟ ନବୀନ ସରକାରକୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ହକି ବିଶ୍ୱକପକୁ ସଫଳ କରିବା ପାଇଁ ପରିଶ୍ରମ କରିଥିବା ପ୍ରତିଟି ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଶାହାରୁଖ, ମାଧୁରୀ ଓ ଏ.ଆର. ରେହମାନ, ସଲମାନଙ୍କ ଭଳି ଷ୍ଟାର୍ ଯୋଗ ଦେଇଥିବାବେଳେ ଉଦଯାପନୀ ଉତ୍ସବରେ ସାମିଲ ହୋଇଥିଲେ ସଚିନ୍ ।

ପଦ୍ମିନୀଙ୍କୁ ସ୍ୱର୍ଣ୍ଣ, ପ୍ରତ୍ୟାଶାଙ୍କୁ ରୌପ୍ୟ

ଦୁଇ ଦୁଇ ଜଣ ଓଡ଼ିଆ ପ୍ରତିଭା ଦୁଇଟି ପୃଥକ କ୍ରୀଡ଼ାରେ ସଫଳତା ହାସଲ କରିଛନ୍ତି। ଗୋଟିଏ ପଟେ ଓଡ଼ିଆ ଚେସ୍ କୁଇନ୍ ପଦ୍ମିନୀ ରାଉତ ଏସିଆନ୍‌ କଣ୍ଟିନେଣ୍ଟାଲ୍‌ ଚେସ୍‌ ଚାମ୍ପିୟନ୍‌ଶିପ୍‌ରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ଅନ୍ୟ ପଟେ ସନ୍ତରଣରେ ସଫଳତା ହାସଲ କରିଛନ୍ତି ପ୍ରତ୍ୟାଶା ରାୟ। ପ୍ରତ୍ୟାଶା ଦିଲ୍ଲୀର ତାଲ୍‌କୋଟ୍ରା ଷ୍ଟାଡିୟମ୍‌ରେ ଚାଲିଥିବା ୬୪ତମ ନ୍ୟାସନାଲ୍‌ ସ୍କୁଲ୍‌ ଗେମ୍ସ ସ୍ୱିମିଂ ଚାମ୍ପିୟନ୍‌ଶିପ୍‌ରେ ୧୭ ବର୍ଷରୁ କମ୍‌ ୨୦୦ ମିଟର ସନ୍ତରଣ ପ୍ରତିଯୋଗିତାରେ ୨.୩୪:୭୯ ମିନିଟ୍‌ରେ ଟାର୍ଗେଟ୍‌ ଛୁଇଁ ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଛନ୍ତି ।

ପାକିସ୍ତାନୀ ଜେଲ୍‌ରୁ ମୁକ୍ତି ପାଇଲେ ହମିଦ୍

ଭାରତୀୟ ନାଗରିକ ହମିଦ ନେହାଲ ଅନସାରି ପାକିସ୍ତାନ ଜେଲରୁ ମୁକ୍ତ ହୋଇଛନ୍ତି। ୩୩ ବର୍ଷୀୟ ଅନସାରି ପେଶାୱାର କେନ୍ଦ୍ରୀୟ ଜେଲରେ ୨୦୧୫ରୁ ବନ୍ଦୀ ଥିଲେ। ୨୦୧୨ ନଭେମ୍ବରରେ ଅନସାରି ଏକ ନକଲି ପାକିସ୍ତାନୀ ପରିଚୟ ପତ୍ର ଦ୍ଵାରା ପାକିସ୍ତାନକୁ ପ୍ରବେଶ କରିଥିଲେ। । ତାଙ୍କୁ ସୈନ୍ୟ ଅଦାଲତ ନକଲି ପାକିସ୍ତାନୀ ପରିଚୟ ପତ୍ର ରଖିବାକୁ ନେଇ ୧୫ ଡିସେମ୍ବର, ୨୦୧୫ରେ ୩ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ । ହାମିଦଙ୍କୁ ୨୦୧୨ରେ ଅବୈଧ ରୂପେ ପାକିସ୍ତାନରେ ଅନୁପ୍ରବେଶ କରଥିବା ଅପରାଧରେ ଗିରଫ କରାଯାଇଥିଲା ।

 

 

ଆର.ଏ.ସି.ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ ମିଳିବ ତତକ୍ଷଣାତ୍‌ ସିଟ୍‌

ବିଭିନ୍ନ ଟ୍ରେନରେ ଆର.ଏ.ସି ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରୁ ଖୁବ୍‌ କମ୍‌ ଯାତ୍ରୀଙ୍କୁ ସିଟ୍‌ ମିଳୁଛି। ଏବେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଯାତ୍ରୀମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏବେ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଆର.ଏ.ସି ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧାର ବନ୍ଦୋବସ୍ତ କରାଯାଇଛି। ଏହି ଟ୍ରେନରେ ଥିବା ଟିଟିଇମାନଙ୍କୁ ହ୍ୟାଣ୍ଡ୍ ହେଲଡ୍ ଟର୍ମିନାଲ୍‌ ଦିଆଯିବ। ଏହା ଏଭଳି ଏକ ମେସିନ୍‌ ଯାହା ଜରିଆରେ ଯାତ୍ରୀମାନଙ୍କର ଷ୍ଟାଟସ ଅପ୍‌ଡେଟ୍‌ ହୋଇଯିବ ଏବଂ ଓ୍ଵେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ସିଟ୍ ମିଳିପାରିବ।

ଅନନ୍ତ ବାସୁଦେବ ମନ୍ଦିରର ଆଲୋକୀକରଣ

ଏକାମ୍ର କ୍ଷେତ୍ରରେ ଥିବା ଏକମାତ୍ର ବିଷ୍ଣୁ ମନ୍ଦିର ଅନନ୍ତ ବାସୁଦେବ ମନ୍ଦିରକୁ ଆଲୋକୀକରଣ କରାଯାଇଛି । ଏହି ପୁରାତନ ମନ୍ଦିର ପ୍ରତି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଡିଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବିଡିଏ ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ୧୬ଟି ମନ୍ଦିରକୁ ଆଲୋକିତ କରାଯାଇଛି। ଏଥିରେ ମା‌ର୍କଣ୍ଡେଶ୍ୱର ମନ୍ଦିର, ଶାରୀ ମନ୍ଦିର, ବୈତାଳ ମନ୍ଦିର, ଭବାନୀଶଙ୍କର ମନ୍ଦିର, ଚିତ୍ରକାରିଣୀ ମନ୍ଦିର, ଡାକରା ବିଭୀଷଣେଶ୍ୱର ମନ୍ଦିର, ଦେବୀ ପାଦହରା ମନ୍ଦିର, ବକ୍ରେଶ୍ୱର ମନ୍ଦିର, ନବକେଶ୍ୱର ମନ୍ଦିର, ସ୍ୱର୍ଣ୍ଣ ଜଳେଶ୍ୱର ମନ୍ଦିର, ପାପନାଶିନୀ ଏବଂ ମୈତ୍ରେଶ୍ୱର ମନ୍ଦିର, ଐଶାନେଶ୍ୱର ମନ୍ଦିର, ମକରେଶ୍ୱର ମନ୍ଦିର, ଦ୍ୱାରବାସିନୀ ମନ୍ଦିର, ମୋହିନୀ ମନ୍ଦିରକୁ ମଧ୍ୟ ଆଲୋକୀକରଣ କରାଯାଇଛି।

ନିଜ ନାଁ’ର ରାଜ୍ ଖୋଲିଲେ କରନ

ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ନିଜ ଚାଟ୍‌ ସୋ’ କଫି ଉଇଥ୍‌ କରନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।  ଏହି ସୋ’ର ଷଷ୍ଠ ସିଜିନ୍‌ରେ ଅଭିନେତା ଆୟୁଷ୍ମାନ୍ ଖୁରାନା ଏବଂ ବିକି କୌଶଲଙ୍କ ରିଅଲ୍ ଲାଇଫ୍ ରାଜ୍ ଖୋଲୁ ଖୋଲୁ ନିଜ ନାମର ରାଜ୍ ଖୋଲିଛନ୍ତି।  କରଣଙ୍କ କହିବା ଅନୁଯାୟୀ  ଜନ୍ମ ହେବା ପରେ ତାଙ୍କ ନାମ ରାହୁଲ୍ କୁମାର ଜୋହର୍ ଥିଲା । ଜନ୍ମପତ୍ରୀରେ ତାଙ୍କ ନାମ ରାହୁଲ ରହିଛି । କିନ୍ତୁ ଜନ୍ମ ହେବାର ୧୨ଦିନ ଦିନ ପରେ ସେ ରାହୁଲରୁ କରଣ ହୋଇ ଯାଇଥିଲା। ‘କୁଛ୍‌ କୁଛ୍‌ ହୋତା ହେ’ ଫିଲ୍ମରେ ଶାହାରୁଖ୍‌ଙ୍କୁ ଏହି ରାହୁଲ ନାମ ଦେଇଥିଲେ । ଯାହା ପରେ ‘ରାହୁଲ, ନାମ ତୋ ସୁନା ହି ହୋଗା’ ଡ଼ାଏଲଗ୍‌ ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ବିରାଟଙ୍କୁ ଅହଂକାରୀ କହି ଟୁଇଟ୍‌ କଲେ ନସିରୁଦ୍ଦିନ ଶାହା

ପଡ଼ିଆରେ ବିରାଟଙ୍କ ଉଚ୍ଚସ୍ତରୀୟ ଖେଳ ପ୍ରଦର୍ଶନ ସହ ତାଙ୍କୁ ଆଲୋଚନାର ପାତ୍ର ସଜାଇଥାଏ ତାଙ୍କ ରାଗ। ଅନେକ ସମୟରେ ବିରାଟ କ୍ରୋଧରେ ଆସି ଅନେକ କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ବିରାଟଙ୍କୁ ନାପସନ୍ଦ କରିବା ପରି ଏକ ଟୁଇଟ୍‌ କରିଛନ୍ତି ବଲିଉଡ୍‌ ଅଭିନେତା ନସିରୁଦ୍ଦିନ ଶାହା। ସେ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି ଯେ, ‘ ବିରାଟ କୋହଲି କେବଳ ଜଣେ ଭଲ ବ୍ୟାଟ୍‌ସମ୍ୟାନ ନୁହଁନ୍ତି। ବରଂ ସେ ବିଶ୍ୱର ସବୁଠାରୁ ଖରାପ ବ୍ୟବହାର ଦେଖାଉଥିବା ଖେଳାଳି। ତାଙ୍କର କ୍ରିକେଟ୍‌ ଦକ୍ଷତା ତାଙ୍କର ଅଂହକାର ଓ ଖରାପ ବ୍ୟବହାରର ପାଖାପାଖି। ଏବଂ ମୋତେ ଦେଶ ଛାଡ଼ି ଯିବାର କୌଣସି ଆଗ୍ରହ ନାହିଁ।’

ମୁମ୍ବାଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା : ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ମୁମ୍ବାଇର ପୂର୍ବ ଅନ୍ଧେରୀ ସ୍ଥିତ ମାରୋଲର ୫ ମହଲା ବିଶିଷ୍ଟ ଇଏସଆଇସି କାମଗାର ହସ୍ପିଟାଲରେ ଗତକାଲି ଅପରାହ୍ନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ଗତକାଲି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଆଉ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୫୦ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୨ ମାସର ଶିଶୁ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଅଗ୍ନିକାଣ୍ଡ ସମୟରେ ହସପିଟାଲରେ ୧୬୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ।

ପୁଣି ଏକ ହରର ଫିଲ୍ମରେ ରାଜକୁମାର

‘ସ୍ତ୍ରୀ’ ଫିଲ୍ମର ସଫଳତା ପରେ ଅଭିନେତା ରାଜକୁମାର ରାଓ ପୁଣି ଏକ ହରର୍‌ କମେଡି ଫିଲ୍ମରେ କାମ କରିବେ ବୋଲି ଜଣାଯାଇଛି। ଏହି ଟାଇଟଲ ବିହୀନ ସିନେମାର ପ୍ରଯୋଜନା କରୁଛନ୍ତି ‘ସ୍ତ୍ରୀ’ର ନିର୍ମାତା ଦିନେଶ ବିଜନ୍‌ । ଏହି ସିନେମାର ନିର୍ଦ୍ଦେଶନା ଦେବେ ମୃଗଦୀପ ସିଂହ ଲାମ୍ବା। ରାଜକୁମାର ରାଓ ଏହି ନୂଆ ହରର୍‌ -କମେଡିରେ ଜଣେ ଛୋଟକାଟର ଗୁଣ୍ଡା ଭୂମିକାରେ ନଜର ଆସିବେ ବୋଲି ଜଣାଯାଇଛି।  ରାଜକୁମାରଙ୍କ ବ୍ୟତୀତ ଏଥିରେ ବରୁଣ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସିନେମାରେ ନାୟିକା କିଏ ହେବେ ଜଣାପଡିନଥିବା ବେଳେ ଏହାର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଶପଥ ନେବାର ୨ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କଲେ କମଲ ନାଥ

୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷି ଋଣ ଛାଡ଼ କଲେ ମଧ୍ୟପ୍ରଦେଶର ନବ ଗଠିତ କଂଗ୍ରେସ ସରକାର । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ନେବାର ୨ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କଲେ କମଲ ନାଥ । ମଧ୍ୟପ୍ରଦେଶରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ ତାହାକୁ ପୂରଣ କରି ପ୍ରଂଶସା ସାଉଣ୍ଟିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ । ଗତ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ହୋଇଥିବା ସମସ୍ତ କୃଷି ଋଣ ଛାଡ଼ କରିବାକୁ ମଧ୍ୟପ୍ରଦେଶ କଂଗ୍ରେସ ସରକାର ଘୋଷଣା କରିଛନ୍ତି ।

ଦେଶର ସାମରିକ ସୁରକ୍ଷା ପରି ତଥ୍ୟକୁ ରାହୁଳ ଗାନ୍ଧୀ ପଦାକୁ ଆଣୁଛନ୍ତି। ତାଙ୍କର ଇସ୍ତଫା ଦାବୀ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ରାଫେଲ ଘଟଣାରେ ସଠିକ ତଥ୍ୟ ନ ଥାଇ ରାହୁଳ ଗାନ୍ଧୀ କେବଳ ମିଥ୍ୟା ଅଭିଯୋଗ କରି ଚାଲିଛନ୍ତି ଯାହା ଦେଶର ସୁରକ୍ଷା ପାଇଁ କ୍ଷତିକାରକ। ସେଥିପାଇଁ ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଭୁବନେଶ୍ବରରେ କହିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ରାଫେଲ ଘଟଣାରେ ରାହୁଳ ଦେଶବାସୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ରୂପାନୀ ଦାବୀ କରିଛନ୍ତି। ଅନ୍ୟପକ୍ଷରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ମଧ୍ୟ ରୂପାନୀ ସମାଲୋଚନା କରିଛନ୍ତି। ଦୀର୍ଘ ବର୍ଷ ଧରି ଶାସନ ଥିବା ବେଳେ ସୁରଟର ଓଡିଆ ଲୋକଙ୍କ କାଥା କାହିଁକି ମନେ ମନେ ପଡି ନ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଚାଷୀଙ୍କ ପାଇଁ ଜାନୁୟାରୀ 8 ତାରିଖରେ ସଂସଦ ଘେରିବ ବିଜେଡି, 6 ତାରିଖରେ ନୂଆ ଦିଲ୍ଲୀ ଚାଲ ଅଭିଜାନ।

କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଯେଉଁ ସହାୟକ ମୂଲ୍ୟ ଦେବା କଥା ତାହା ଦେଲେ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ବିଧାନ ସଭା କମିଟକୁ ମଧ୍ୟ ଅନୁମତି ମିଳିଲା ନାହିଁ। ଏହାର ଜବାବ ମାଗିବା ପାଇଁ ବିଜେଡି ଆସନ୍ତା ଜାନୁୟାରୀ 8 ତାରିଖରେ ସଂସଦ ସମ୍ମୁଖରେ ବିକ୍ଷୋଭ କରିବ। ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜୁ କୃଷକ ଜନତା ଦଳର ସଭାପତି ସାସଂଦ ପ୍ରସନ୍ନ ଆଚାର୍ଯ୍ୟ। ସେଥିପାଇଁ 6 ତାରିଖରେ କର୍ମିମାନେ ଏକ ସ୍ବତନ୍ତ୍ର ଟ୍ରେନରେ ଦିଲ୍ଲୀ ଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଲ୍ୟାଣ୍ଡଫଲ କଲା ପେଥାଇ

ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ୟାନମ୍‌ ମଧ୍ୟଭାଗରେ ବାତ୍ୟା ପେଥାଇ ଲ୍ୟାଣ୍ଡଫଲ୍ କରିଛି। ପେଥାଇର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେତୁ ବିଜୟଓ୍ଵାଡା ସହରରେ ଭୁସ୍ଖଳନ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଜିଲ୍ଲା ଯେପରି ଗୁଣ୍ଟୁର୍‌, କ୍ରିଷ୍ଣା, ପୂର୍ବ ଗୋଦାବରୀ, ବିଶାଖାପଟନମ୍‌ ଓ ଶ୍ରୀକାକୁଲମ୍‌ ଆଦି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ସରକାର ତତ୍ପର ହୋଇଛନ୍ତି। ଏହା ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି ।

ବାଗୀ 3 ରେ ନଜର ଆସିବେ ସାରା

ସୈଫ୍‌ ତନୟା ସାରା ଅଲି ଖାନ୍‌ ଏବେ ଚର୍ଚ୍ଚାରେ । ଫିଲ୍ମ କେଦାରନାଥରେ ତାଙ୍କ ଅଭିନୟ ବେଶ୍‌ ପ୍ରଶସଂନୀୟ ହେଇପାରିଛି । ଫିଲ୍ମ କେଦାରନାଥ ପରେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶିମ୍ବା’ରେ ରଣବୀରଙ୍କ ବିପକ୍ଷରେ ନଜର ଆସୁଛନ୍ତି। ତେବେ ଏହି ନାୟିକା ଜଣକ ପୁଣିଥରେ ଆଉ ଏକ ସୁପରହିଟ୍‌ ଫିଲ୍ମରେ ନଜର ଆସିବେ ବୋଲି ସୂଚନା ମିଳିଛି । ସାଜିଦ ନାଦିଆଦୱାଲାଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ ‘ବାଗୀ’ର ତୃତୀୟ ସଂସ୍କରଣରେ ଅଭିନେତା ଟାଇଗର ଶ୍ରଫଙ୍କ ବିପକ୍ଷରେ ନଜର ଆସିବେ। ସାରା ସୈଫ୍‌ଅଲ୍ଲୀ ଖାନ ଓ ଅମ୍ରିତାଙ୍କ ଝିଅ ଅଟନ୍ତି ।

ପାଠପଢ଼ା ଚାଲିଥିବା ବେଳେ ଭୁଶୁଡ଼ିଲା କାନ୍ଥ; ୨ ମୃତ, ୩ ଗୁରୁତର

ଉତ୍ତରପ୍ରଦେଶର ନୋଇଡାର ସେକ୍ଟର ୪୯ରେ ଏକ ପ୍ରାଥମିକ ବିଦ୍ୟାଳୟରେ ଆଜି (ସୋମବାର) ପାଠ ପଢ଼ା ଚାଲିଥିବା ବେଳେ ଏକ ଶ୍ରେଣୀଗୃହର ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଭଙ୍ଗାକାନ୍ଥ ତଳେ ଚାପି ହୋଇ ୨ ଜଣ ଛାତ୍ର ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଛାତ୍ରମାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇବା ସହ ଆହତ ଛାତ୍ରମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଝିଅକୁ ଗୁଳି କରି ହତ୍ୟା କଲା ବାପା

ରାଗ ଓ କ୍ରୋଧ ଲାଗି ଜଣେ ବାପା ତାର ୨୨ ବର୍ଷୀୟ ଝିଅକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ହରିଆଣାର କୁରୁକ୍ଷେତ୍ର ଜିଲ୍ଲା ଅନ୍ତର୍ଗତ ମୋହନ ନଗର ଅଞ୍ଚଳରେ । ମୃତ ଝିଅ ଜଣଙ୍କ ବିଏସ୍‌ସି ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି । ତେବେ ନରହତ୍ୟା ଅଭିଯୋଗରେ ତାଙ୍କ ବାପା ରାଜୀବ କୁମାରଙ୍କୁ ଗିରଫ କରିଥିବା ପୁଲିସ ସୂଚନା ଦେଇଛନ୍ତି । ବାପା ଚାହୁଁଥିଲେ ଝିଅ ଘରେ ବସି ପଢୁ କିନ୍ତୁ ଝିଅ ରୁବେଲ ତାଙ୍କ କଥା କୁ ଅମାନ୍ୟ କରି ଏକ ବିବାହ ଉତ୍ସବରେ ଯୋଗଦେବାରୁ କ୍ରୋଧାନ୍ଵିତ ହୋଇ ବାପା ନିଜର ଲାଇସେନ୍‌ସ୍‌ପ୍ରାପ୍ତ ପିସ୍ତଲ୍‌ କାଢ଼ି ଝିଅ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ ।

ପକେଟରେ ହେବ ମୋବାଇଲ୍ ଚାର୍ଜ୍

ମୋବାଇଲ୍‌ ଫୋନ୍‌ର ଚାର୍ଜ ସମସ୍ୟାରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ପୋଷାକରେ ଏପରି ଏକ ପକେଟ୍‌ ତିଆରି କରିବାକୁ ଯାଉଛନ୍ତି, ଯେଉଁ ପକେଟ୍‌ରେ ଫୋନ୍‌ ରଖିବା ମାତ୍ରେ ଏହା ଆପଣା ଛାଏଁ ଚାର୍ଜ ହୋଇଯିବ। ଗବେଷକଙ୍କ କହିବା ଅନୁସାରେ, ସୋଲାର୍‌ ପ୍ୟାନେଲ୍‌ ଟେକ୍‌ନିକ୍‌ ପ୍ରୟୋଗ କରି ଏହିଭଳି ପକେଟ୍‌ ତିଆରି କରାଯିବ। ଏହି ପକେଟ୍‌ କମ୍‌ ପରିମାଣର କାର୍ବନ୍‌ ନିର୍ଗତ କରିବା ସହ ଏହା ଏକ ପାୱାର୍‌ ବ୍ୟାଙ୍କ୍‌ ପରି କାର୍ଯ୍ୟ କରିବ। ଏଥିପାଇଁ କୌଣସି ସକେଟ୍‌ ଆବଶ୍ୟକ ହେବ ନାହିଁ। ଗୋଟିଏ ମୋବାଇଲ୍‌ ଫୋନ୍ ଚାର୍ଜ କରିବାକୁ ସାଧାରଣତଃ ୨୦୦୦ ପ୍ୟାନେଲ୍‌ ଆବଶ୍ୟକ ଥାଏ। ଏହି ପ୍ୟାନେଲ୍‌ ୩ ମିଲିମିଟର୍‌ ଲମ୍ୱା ଓ ୧.୫ ମିଲିମିଟର୍‌ ଚଉଡ଼ାର ହୋଇଥାଏ। ଏହି ଆକାରର ପ୍ୟାନେଲ୍‌କୁ ଏକ ପକେଟ୍‌ରେ ସିଲାଇ କରି ଯେ କୌଣସି ସ୍ଥାନରେ ମୋବାଇଲ୍‌ ଫୋନ୍‌ ଓ ଟ୍ୟାବ୍‌ଲେଟ୍‌ ଚାର୍ଜ କରିପାରିବେ।

ବିରାଡ଼ିକୁ ତଳକୁ ପକାଇ ୬୪ ବର୍ଷିୟ ବ୍ୟକ୍ତି ଗିରଫ

୧୫ ତାଲା କୋଠାର ବାଲ୍‌କୋନିରୁ ଗୋଟାଏ ବିରାଡ଼ିକୁ ତଳକୁ ପକାଇଥିବା ଅଭିଯୋଗରେ ଜଣେ ୬୪ ବର୍ଷିୟ ବ୍ୟକ୍ତିଙ୍କୁ କସରବାଦବଲି ପୁଲିସ ଗରିଫ କରିଛି । ଅଭିଯୁକ୍ତ ଶିବରାମ ପାଞ୍ଚଲ କହିଛନ୍ତି କି, ତାଙ୍କ ଘରେ ବିରାଡ଼ିଟି ପଶୁଥିବାରୁ ସେ ବିରକ୍ତ ହୋଇ ଯାଇଥିଲେ । ସେଥିପାଇଁ ସେ ବିରାଡ଼ିଟିକୁ ବାଲ୍‌କୋନିରୁ ତଳକୁ ଫିଙ୍ଗି ଦେଇଥିଲେ। ଘଟନା ସ୍ଥଳରେ ହିଁ ବିରାଡ଼ିଟିର ମୃତ୍ୟୁ ଘଟିଥିଲା। ବିରାଡ଼ିର ଖାଉନ୍ଦ ଅବ୍‌ଦୁଲ୍‌ ଶେଖ୍‌ କସରବାଦବଲି ଥାନାରେ ଅଭିଯୋଗ ଦାଏର୍‌ କରିଥିଲେ। ଜୀବେ ନିଷ୍ଠୁରତା ଅଧୀନରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରି ପୋଲିସ ତାଙ୍କୁ ଗିରଫ କରିଥିଲା।

ମୋବାଇଲ ନେଲା ଜୀବନ

ରାଜସ୍ଥାନର ଉଦୟପୁରର ନଟବଲଗଡ଼ ଗାଁରେ ୬୦ ବର୍ଷୀୟ କିଶୋର ସିଂହଙ୍କର ମୋବାଇଲରେ ବିସ୍ଫୋରଣ କାରଣରୁ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟିଥିବା ଦିନ ରାତିରେ ସେ ଫୋନକୁ ପକେଟରେ ରଖି ଶୋଇଯାଇଥିଲେ । ତେବେ କିଶୋର ଶୋଇଥିବା ଅବସ୍ଥାରେ ପକେଟରେ ରଖିଥିବା ମୋବାଇଲ ଚାପିହୋଇ ଗରମ ହୋଇଯାଇଥିଲା । ବିଳମ୍ବିତ ରାତି ତଥା ପାଖାପାଖି ସାଢେ ୨ଟା ସମୟରେ ମୋବାଇଲରେ ହଠାତ୍ ବିସ୍ଫୋରଣ ହୋଇଥିଲା ଏବଂ କିଶୋରଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ବିଶ୍ଵକପ ହକି : ବେଲଜିୟମ ଚାମ୍ପିଅନ୍

ପୁରୁଷ ବିଶ୍ଵ କପ ହକିରେ ବେଲଜିୟମ ଚାମ୍ପିଅନ ହୋଇଛି । ହକି ଇତିହାସରେ ପ୍ରଥମ ଥର ବିଶ୍ଵ କପ ଟାଇଟଲ ହାସଲ କରି ଇତିହାସ ରଚିଛି ବେଲଜିୟମ।   କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚର ମୁକାବିଲାରେ ତିନିତିନି ଥରର ବିଶ୍ଵ ଚମ୍ପିଆନ ନେଦରଲାଣ୍ଡ୍ସକୁ ହରାଇ ଚତୁର୍ଦ୍ଦଶ ହକି ବିଶ୍ଵ କପର ଫାଇନାଲରେ ବିଜୟୀ ହେଲା ବେଲଜିୟମ। ନିର୍ଦ୍ଧାରିତ ସମୟରେ ପରସ୍ପରକୁ କୌଣସି ଗୋଲ୍ ନ ଦେଇପାରିବାରୁ ପେନଲାଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା। ଭଲ ଖେଳି ତଥା ଚତ୍ମକାର ଗୋଲ ରକ୍ଷଣ ବଳରେ ଦଳକୁ ଚମ୍ପିଆନ କରାଇଥିବା ବେଲଜିୟମ ଗୋଲ କିପର ଭିନସେଣ୍ଟ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ବେଲଜିୟମ ଖେଳାଳି ଅର୍ଥର ଭାନ ଡୋରେନ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ରକୁ ଘେରିବ ବିଜେଡି

ଚାଷୀ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ବିଜେଡ଼ି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ନେଇ ଆସନ୍ତା ୮ ତାରିଖରେ ଦିଲ୍ଲୀରେ ଗର୍ଜିବ ବିଜେଡ଼ି । ଚାଷୀର ପ୍ରାପ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଲଢ଼ିବ ବିଜେଡ଼ି ବୋଲି ନିଷ୍ପତି ହୋଇଛି । ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଅନ୍ୟରାଜ୍ୟ ଏହି ପ୍ରସଙ୍ଗକୁ ମୁଦ୍ଦା କରିବା ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବ ବିଜେଡ଼ି ବୋଲି ବିଜୁ କୃଷକ ଜନତା ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ବିରଳ ସଂଯୋଗ : ଦେଶର ୪ ସାମ୍ବିଧାନିକ ଅନୁଷ୍ଠାନର ମୁଖ୍ୟ ଗୋଟିଏ କଲେଜର

ଦେଶରେ ଏବେ ଏକ ବିରଳ ସଂଯୋଗ ଦେଖାଦେଇଛି। ୧୮୮୧ ମସିହାରେ ସ୍ଥାପିତ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜର ୪ ଜଣ ଇତିହାସ ବିଭାଗର ଛାତ୍ର ବର୍ତ୍ତମାନ ଦେଶର ୪ଟି ପ୍ରମୁଖ ସାମ୍ବିଧାନିକ ଅନୁଷ୍ଠାନର ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସି ଏ ଜି) ରାଜୀବ ମହର୍ଷି ପ୍ରମୁଖ  ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ଡିଗ୍ରୀ ହାସଲ କରିଛନ୍ତି।

ସ୍କ୍ରୀନ ଆୱାର୍ଡରେ ରଣବୀର ଓ ଆଲିୟାଙ୍କ ବାଜିମାତ

ଷ୍ଟାର ସ୍କ୍ରୀନ ଆୱାର୍ଡ 2018ରେ ଫିଲ୍ମ ‘ପଦ୍ମାବତ’ ପାଇଁ ରଣବିର ସିଂଙ୍କୁ ଶ୍ରେଷ୍ଠ ଅଭିନେତା ଓ  ଫିଲ୍ମ ‘ରାଜି’ ପାଇଁ ଆଲିୟା ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି। ସେହିପରି ‘ଅନ୍ଧାଧୁନ’ ପାଇଁ ଶ୍ରୀରାମ ରାଘବାନଙ୍କୁ ଶ୍ରେଷ୍ଠ ନିର୍ଦେଶକର ଆୱାର୍ଡ ମିଳିଛି। ରାଜକୁମାର ରାୟଙ୍କୁ ଲୋକପ୍ରିୟ ଅଭିନେତା, ‘ମୁଲ୍କ’ କ୍ରିଟିକ ବେଷ୍ଟ ଫିଲ୍ମ ଆୱାର୍ଡ ଓ ‘ସ୍ତ୍ରୀ’କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଛି। ଅଭିନେତ୍ରୀ ଶାବାନା ଆଜମିଙ୍କୁ ଲାଇଫଟାଇମ ଆଚିଭିମେଣ୍ଟ ଆୱାର୍ଡ ମିଳିଛି। ସେହିପରି ନବାଗତ ଅଭିନେତା ଭାବେ ଈଶାନ ଖଟ୍ଟର ଓ ନବଗତା ଅଭିନେତ୍ରୀ ଭାବେ ରାଧିକା ମଦାନ ଏହି ଆୱାର୍ଡ ଜିତିଛନ୍ତି।

‘ଇଣ୍ଡିଆଜ ଗଟ୍‌ ଟ୍ୟାଲେଣ୍ଟ୍‌’ ସେମିଫାଇନାଲ୍‌ରେ ଓଡ଼ିଆ ଦମ୍ପତି

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ’ ‘ଇଣ୍ଡିଆଜ ଗଟ୍‌ ଟ୍ୟାଲେଣ୍ଟ୍‌’ର ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି ପୁରୀର ଦମ୍ପତି। ପ୍ରଥମ ଥର ପାଇଁ ଏହି ରିଆଲିଟି ଶୋ’ରେ ସାମିଲ୍‌ ହୋଇଥିବା ପୁରୀର ଉମାକାନ୍ତ ସାହୁ ଏବଂ ତାଙ୍କ ପତ୍ନୀ ସୁଜାତା ରାୟ ବେଶ୍ ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ସେମିଫାଇନାଲ୍‌କୁ ଆସିବାରେ ସଫଳ ହୋଇଛନ୍ତି। ପୂର୍ବରୁ ଉଭୟ ମାଲଖମ୍ବ ନୃତ୍ୟ ପରିବେଷଣ କରି ବିଦେଶରେ ମଧ୍ୟ ବେଶ୍‌ ନାଁ କମାଇଥିଲେ। ସେମି ଫାଇନାଲ୍‌ରେ ସେମାନଙ୍କ ଯୋଡ଼ିକୁ ଭୋଟ୍‌ ଦେଇ ଜିତେଇବା ପାଇଁ ଉଭୟ ଉମାକାନ୍ତ ଓ ସୁଜାତା ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଟାଟା ସନସ୍ କମ୍ପାନୀରୁ ବହିଷ୍କାର ହେଲେ ସୁହେଲ ସେଠ

“ମି ଠୁ” ଅଭିଯାନରେ ଏଥର ଜଣେ ଲେଖକ, ଅଭିନେତା ତଥା ଶିଳ୍ପପତି ଫସିଛନ୍ତି।  ଉକ୍ତ ଶିଳ୍ପପତି ହେଉଛନ୍ତି ଟାଟା ସନସ୍ କମ୍ପାନୀର ଜଣେ ବରିଷ୍ଠ ଶିଳ୍ପପତି ଅର୍ଥାତ ସୁହେଲ ସେଠ୍। ସୁହେଲ କେବଳ ଶିଳ୍ପପତି  ଭାବରେ ନୁହନ୍ତି ବରଂ ତାଙ୍କ ଅଭିନୟ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ଥିଲେ । ତେବେ ସୁହେଲଙ୍କ ବିରୁଦ୍ଧରେ ୬ଜଣ ମହିଳା ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ମିଳିବା ପରେ ଟାଟା ସନସ୍ କମ୍ପାନୀ ତାଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିଦେଇଥିବା ସୂଚନା ମିଳୁଛି । ସୂଚନାରୁ ପ୍ରକାଶ, ବିଗବସର ପୂର୍ବତନ ପ୍ରତିଯୋଗୀ ଡାୟେଣ୍ଡ୍ରା ସୋରସ, ଫିଲ୍ମ ନିର୍ମାତା ନତାଶା ରାଠୌର ଏବଂ ଲେଖିକା ଇରା ତ୍ରିବେଦୀଙ୍କ ସମେତ ୬ ଜଣ ମହିଳା ସୁହେଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

କାଟ୍ରିଓନା ଗ୍ରେ ହେଲେ  ବ୍ରହ୍ମାଣ୍ଡ ସୁନ୍ଦରୀ -୨୦୧୮

ମିସ୍‌ ଫିଲିପିନ୍‌ସ କାଟ୍ରିଓନା ଗ୍ରେ ଚଳିତ ବର୍ଷ ର ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ୍‌ ହାସଲ କରିଛନ୍ତି। ୨୪ ବର୍ଷୀୟା କାଟ୍ରିଓନା ୬୭ତମ ମିସ୍‌-ୟୁନିଭର୍ସ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କୁ ପୂର୍ବତନ ମିସ ୟୁନିଭର୍ସ ଦକ୍ଷିଣ ଆଫ୍ରିକାର ଡେମି ଲେହନେଲ ମିଟରସ ଏହି ମୁକୁଟ ପିନ୍ଧାଇଥିଲେ। ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନରଅପ୍‌ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଟେମାରିନ୍‌ ଗ୍ରିନ୍‌ ଓ ଦ୍ୱିତୀୟ ରନରଅପ୍‌ ହୋଇଛନ୍ତି ମିସ୍‌ ଭେନଜୁଏଲ ସ୍ଥେଫନି ଗୁଟରେଜ୍‌।  ଥାଇଲାଣ୍ଡର ବ୍ୟାଙ୍କକଠାରେ ଆୟୋଜିତ ହେଉଥିବା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ୯୪ଟି ଦେଶର ସୁନ୍ଦରୀମାନେ ଅଂଶ ଗ୍ରହଣ କରିଥିଲେ। ଭାରତରୁ ପ୍ରତିନିଧିତ୍ଵ କରୁଥିବା  ମିସ ଇଣ୍ଡିଆ ନେହଲ ଚୁଦାସମା ଟପ୍‌ ଟେନ୍‌ ଭିତରେ ମଧ୍ୟ ନିଜ ପାଇଁ ସ୍ଥାନ ତିଆରି କରିପାରିନଥିଲେ।

କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ଘଟଣା ସହିତ ଜଡ଼ିତ ଏକ ମାମଲାରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୩୪ ବର୍ଷ ପରେ ଦିଲ୍ଲୀ ହାଇକୋର୍ଟ ସୋମବାର ଦିନ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅପରାଧିକ ଷଡ଼ଯନ୍ତ୍ର ରଚିବା, ଅନ୍ୟମାନଙ୍କ ଦ୍ୱାରା ହିଂସା ଘଟାଇବା ଓ ଦଙ୍ଗା ପାଇଁ ଉସୁକାଇବା ନେଇ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଡିସେମ୍ବର ୩୧ ତାରିଖ ସୁଦ୍ଧା ସରେଣ୍ଡର ହେବାକୁ ସଜ୍ଜନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୯୮୪ ମସିହା ନଭେମ୍ୱର ମାସରେ ଦିଲ୍ଲୀ ସ୍ଥିତ ଛାବନୀର ରାଜନଗର ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ କଂଗ୍ରେସ ନେତା ସଜ୍ଜନ କୁମାର ଅଭିଯୁକ୍ତ ଥିଲେ।

ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ ନୀତି

ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲିଭୋଗ ନୀତି । ଆଜି ଭୋର ୩ଟାରୁ ଦ୍ୱାର ଫିଟା ଯାଇଛି । ଗୋପାଳ ବଲ୍ଲଭ ଭୋଗ ସହିତ ପହିଲିଭୋଗ ଲାଗି ହୋଇଛି । ଏହା ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ । ଏକ ମାସ ଧରି ରାତି ୧୧ଟାରେ ପହୁଡ଼ ପଡ଼ିବ ଓ ଭୋର ୩ଟାରୁ ଦ୍ୱାର ଫିଟା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପହିଲି ଭୋଗରେ ବଡ଼ ଝିଲ୍ଲୀ, ଦରସୁଆ, ଏଣ୍ଡୁରୀ, କାକରା, ଆରିସା, ଗଇଁଠା, ମଣ୍ଡା ଇତ୍ୟାଦି ଦିବ୍ୟଭୋଗମାନ ଲାଗି ହୋଇଥାଏ । ଏହି ସମୟରେ ଅବଢ଼ା ମଧ୍ୟ ଶୀଘ୍ର ମିଳିଥାଏ ।

ଲଟେରୀ ପାଇଁ ଚୋରୀ

ପଶ୍ଚିମବଙ୍ଗର ଏକ ବ୍ୟାଙ୍କ୍‌ ଶାଖାରେ ବରିଷ୍ଠ ସହକାରୀ ମ୍ୟାନେଜର୍‌ ଜୁଆ ଖେଳିବାକୁ ନିଜ ତତ୍ତ୍ୱାବଧାନରେ ଥିବା କରେନ୍‌ସି ଚେଷ୍ଟ୍‍ରୁ ୧୭ ମାସ ମଧ୍ୟରେ ୮୪ ଲକ୍ଷ ଟଙ୍କାର କଏନ୍‌ ଚୋରି କରିଛନ୍ତି । ବାର୍ଷିକ ଅଡିଟ୍‌ ସମୟରେ ଏହା ପଦାକୁ ଆସିଥିଲା । ସେ କଏନ୍‌ ଚୋରାଇଥିବା ସ୍ୱୀକାର କରିବା ପରେ ଶୁକ୍ରବାର ଦିନ ତାଙ୍କୁ ଗିରଫ କରାଯାଇଛି । ଲଟେରି ପ୍ରତି ଅତ୍ୟଧିକ ଆସକ୍ତି ଯୋଗୁଁ ସେ ଏହି ଟଙ୍କା ଚୋରି କରିଥିବା ପ୍ରକାଶ କରିଛନ୍ତି । ଆଞ୍ଚଳିକ ବ୍ୟାଙ୍କ୍‌ ମ୍ୟାନେଜର୍‌ ତାଙ୍କ ବିରୋଧରେ ମେମାରି ଥାନାରେ ଏତଲା ଦେବା ପରେ ତାଙ୍କୁ ଗିରଫ କରାଯାଇଛି।

ଖୁବ୍ ଶୀଘ୍ର ବାପା ହେବାକୁ ଚାହାନ୍ତି ନିକ୍‌ 

ନବବିବାହିତ ଯୋଡ଼ି ପ୍ରିୟଙ୍କା ଓ ନିକ୍‌ ପୁଣିଥରେ ଚର୍ଚ୍ଚାରେ । ନିକଟରେ ଏକ ସାକ୍ଷାତକାରରେ ନିକ୍‌ କହିଥିଲେ ଯେ ସେ ଖୁବ୍‌ ଶୀଘ୍ର ବାପା ହେବାକୁ ଇଚ୍ଛା କରୁଛନ୍ତି । ଏଇଟା ହିଁ ହେଉଛି ସତ ସ୍ଵପ୍ନ । ନିଜେ ବହୁତ କମ୍ ସମୟ ନିଜ ପିଲାବେଳକୁ ଉପଭୋଗ କରିଛନ୍ତି। ତେଣୁ ସେ ତାଙ୍କ ପିଲାଙ୍କ ସହ ତାଙ୍କ ପିଲାବେଳର ସ୍ମୃତିକୁ ମନେ ପକାଇବାକୁ ଚାହନ୍ତି । ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରିୟଙ୍କାଙ୍କୁ ଶିଶୁମାନେ ଖୁବ୍ ଭଲ ଲାଗନ୍ତି । ଏଣୁ ସେ ନିଜ ପିଲାଙ୍କ ଯତ୍ନ ସଠିକ୍‌ ଭାବେ ନେଇ ପାରିବେ । ତେବେ ଖୁବ୍‌ଶୀଘ୍ର ସେମାନେ ଏହି ବିଷୟରେ ନିଷ୍ପତ୍ତି ନେଇପାରନ୍ତି । ଡିସେମ୍ବର 12 ତାରିଖରେ ପ୍ରିୟଙ୍କା ନିକ୍‌ ଜୋନସ୍‌ଙ୍କୁ ରାଜସ୍ଥାନର ଯୋଧପୁରରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ । ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍‌ ରୀତି ନୀତିରେ ଦୁହେଁ ବିବାହ କରିଛନ୍ତି।

ୟୁଏସ୍ ପ୍ରତ୍ୟାବର୍ତ୍ତନ କରିବେ ତନୁଶ୍ରୀ

ସମ୍ପ୍ରତି ମି’ ଠୁ ଅଭିଯାନର ମଙ୍ଗ ଧରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ୟୁଏସ୍ ପ୍ରତ୍ୟାବର୍ତ୍ତନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି । ପାଞ୍ଚ ମାସର ଭାରତ ରହଣି ପରେ ସେ ଫେରିଯାଉଛନ୍ତି । ସେ ବଲିଉଡ୍ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ନୂତନ ବର୍ଷ ଆରମ୍ଭରେ ସେ ୟୁଏସ୍ ଫେରିଯିବାକୁ ଯୋଜନା କରିଛନ୍ତି । ତାଙ୍କ ମତରେ ସେଠାରେ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ ରହିଛି।  ମି’ ଠୁ ଅଭିଯାନ ଭାରତରେ ଏକ ବିପ୍ଳବ ଆଣିଛି ଓ ଭବିଷ୍ୟତରେ ଏହାର ପ୍ରଭାବ କ’ଣ ରହିବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ତନୁଶ୍ରୀ କହିଛନ୍ତି ।

ସବୁଠୁ ଅଧିକ ଅନ୍ତର୍ଜାତୀୟ ଶତକ ତାଲିକାର ତୃତୀୟ ସ୍ଥାନରେ ବିରାଟ

ଅଷ୍ଟ୍ରେଲିଆର ପର୍ଥରେ ବିରାଟ କୋହଲି ମାରିଛନ୍ତି ତାଙ୍କ ଟେଷ୍ଟ୍ କ୍ୟାରିୟରର ୨୫ତମ ଶତକ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ଏହି ସଫଳତା ପାଇଛନ୍ତି । ଦ୍ରୁତ ୨୫ତମ ଟେଷ୍ଟ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ତାଲିକାରେ ସାରା ବିଶ୍ୱରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାର ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡ୍‌ମ୍ୟାନ୍‌ । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅଧିକ ଶତକ କରିଥିବା ଖେଳାଳିଙ୍କ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ବିରାଟ କୋହଲି । ପର୍ଥରେ କୋହଲି ତାଙ୍କ କ୍ୟାରିୟରର ୬୩ତମ ଅନ୍ତର୍ଜାତୀୟ ଶତକ ମାରିଥିଲେ । ସବୁଠୁ ଅଧିକ ଅନ୍ତର୍ଜାତୀୟ ଶତକ ମାରିଛନ୍ତି ସଚିନ୍ ତେନ୍ଦୁଲକର । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ରିକି ପଣ୍ଟିଂ । ସେହିପରି ତୃତୀୟ ସ୍ଥାନରେ କୋହଲିଙ୍କ ସହିତ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ରହିଛନ୍ତି।