ପୁରୀରେ ନବୀନ ପଟ୍ଟନାୟକଙ୍କ ଚାଷି ସମ୍ମିଳନୀ, 12ଲକ୍ଷ 45 ହଜାର ଚାଷିଙ୍କୁ ଦିଆଯିବ କାଳିଆ ଟଙ୍କା।

ଶୁକ୍ରବାରଦିନ ପୁରୀରେ ରାଜ୍ୟ ସରକାର ଏକ ବିରାଟ ଚାଷୀ ସମ୍ମିଳନୀ କରି କାଳିଆ ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରାୟ 12 ଲକ୍ଷ 45 ହଜାର ଚାଷୀଙ୍କୁ ଟଙ୍କା ବଣ୍ଟନ କରିବେ। ପ୍ରଥମ କିସ୍ତି ଭାବେ 5 ହଜାର ଲେଖାଏଁ ଟଙ୍କା ବଣ୍ଟା ଯିବ। ଏହି ଟଙ୍କା ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ। ଏହି ଯୋଜନାରେ ପ୍ରାୟ 66 ଲକ୍ଷ ଆବେଦନରୁ ମାତ୍ର 12 ଲକ୍ଷ ଚାଷୀଙ୍କୁ ମନୋନିତ କରାଯାଇଛି। ପରବର୍ତ୍ତି ସମୟରେ ଅନ୍ୟ ଚାଷୀଙ୍କୁ ପର୍ଯ୍ୟାୟ କ୍ରମେ ଏହି ଟଙ୍କା ପ୍ରଦାନ କରାଯିବ।

କଂଗ୍ରେସ ସଭାପତି ନିରଂଜନ ଏବଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଦିଲ୍ଲୀ ପୋଲିସର ସମନ, ହାଜର ହେବାକୁ ନୋଟିସ

ଏକ ଠକେଇ ମାମଲାରେ ଦିଲ୍ଲୀ ପୋଲିସର ଇକନୋମିକ ଅଫନସ ଉଇଙ୍ଗି ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ହାଜର ହେବା ପାଇଁ ସମନ ଜାରୀ କରିଛି। ନିରଂଜନଙ୍କ ସହିତ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ମଧ୍ୟ ସମନ ଜାରୀ କରାଯାଇଛି। ନୂଆଦିଲ୍ଲୀର ନ୍ୟୁଜ ଏଜେନସ୍ ଏଏନଆଇ ଟୁଇଟରେ ଏହା ପ୍ରକାଶ ପାଇଛି। ଏକ ଠକେଇ ମାମଲାରେ ଉଭୟ ବାପପୁଅ ସଂପୃକ୍ତ ଥିବାର ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସ ଏହି ପଦକ୍ଷେପ ନେଇଛି। ଉଭୟଙ୍କୁ ଶୁକ୍ରବାର ଦିନ ହାଜର ହେବା ପାଇଁ କୁହାଯାଇଛି।

‘ବମ୍‌ଫାଡ୍‌’ଜରିଆରେ ବଲିଉଡ୍ ଏଣ୍ଟ୍ରି କରିବେ ଆଦିତ୍ୟ ଓ ଶାଲିନୀ

ଲୋକପ୍ରିୟ ଅଭିନେତା ପରେଶ ରାୱଲ୍‌ଙ୍କ ପୁଅ ଆଦିତ୍ୟ ରାୱଲ୍‌ ବଲିଉଡ୍‌ରେ ଖୁବ୍‌ଶୀଘ୍ର ଡେବ୍ୟୁ କରିବେ । ସେ ଫିଲ୍ମ ‘ବମ୍‌ଫାଡ୍‌’ ଜରିଆରେ ରିଲ୍‌ ଲାଇଫ୍‌କୁ ଏଣ୍ଟ୍ରି କରିବେ । ଏହି ଅପ୍‌କମିଙ୍ଗ୍ ଫିଲ୍ମରେ ଶାଲିନୀ ପାଣ୍ଡେ ଆଦିତ୍ୟଙ୍କ ଅପୋଜିଟ୍‌ରେ ରହିବେ । ଅନୁରାଗ କଶ୍ୟପଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ରଞ୍ଜନ ଚନ୍ଦେଲ୍‌ ଦେବାକୁ ଯାଉଛନ୍ତି ବୋଲି ଜଣାପଡିଛି । ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ‘ବମ୍‌ଫାଡ୍‌’ର ରିଲିଜ୍‌ କେବେ ହେବ ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ ।

ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌

ଆସନ୍ତାକାଲି ଭୁବନେଶ୍ୱର ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କାଲି ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ପ୍ରଥମେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମରେ ଏକ ସାଧାରଣ ସଭାରେ ଯୋଗଦେବେ ରାହୁଲ । ସାଢ଼େ ୨ଟା ବେଳେ ସେ ଉକ୍ତ ସାଧାରଣ ସଭାରେ ନେତା ଓ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ। ଏହାପରେ ସେ ସ୍ଥାନୀୟ ଏକ ହୋଟେଲ୍‌ରେ ବୁଦ୍ଧିଜୀବୀଙ୍କୁ ଭେଟି ସେମାନଙ୍କ ସହ କିଛି ସମୟ ଧରି ଆଲୋଚନା କରିବେ । ପରେ କଂଗ୍ରେସ ଭବନରେ ବିଏସ୍ଏନ୍ଏଲ୍ ଓ ହାଲ୍ କର୍ମଚାରୀଙ୍କୁ ରାହୁଲ ଭେଟିବେ । ସମାଜ ପକ୍ଷରୁ ଟାଉନ୍‌ହଲ୍‌ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ୍‌ ଯୋଗଦେବେ ବୋଲି ଜଣାପଡିଛି ।

ବିଜେଡିରେ ଯୋଗଦେଇ ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ

ଝାରସୁଗୁଡାର ଅମଲିପାଲି ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡ଼ିରେ ଯୋଗ ଦେବା ପରେ ସେ ଝାରସୁଗୁଡା ବିଧାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ଝାରସୁଗଡା ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ସମେତ ୫ଟି ବ୍ଲକର ସମସ୍ତ କଂଗ୍ରେସ କର୍ମୀ ଓ ସଭାପତି ମଧ୍ୟ ବିଜେଡିରେ ଯୋଗଦେଇଥିବା ଜଣାପଡିଛି ।  ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୬୧୮କୋଟି ୬୬ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଗତ ଜାନୁଆରୀ ୧୬ ତାରିଖରେ ନବ ଦାସ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

‘ର’ର ପୋଷ୍ଟର ରିଲିଜ୍‌

‘ପରମାଣୁ – ଦ ଷ୍ଟୋରୀ ଅଫ୍‌ ପୋଖରାନ୍‌’ ଓ ‘ସତ୍ୟମେବ ଜୟତେ’ର ସଫଳତା ପରେ ଜନ୍ ଆବ୍ରାହମ୍‌ ଆଉ ଏକ ଧମାକାଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ରୋମିଓ ଆକବର ୱାଟଲର୍‌ (ର)’ର ପୋଷ୍ଟର ରିଲିଜ୍‌ ହୋଇଛି । ଏହି ଚଳଚ୍ଚିତ୍ରରେ ଜନ୍‌ ଜଣେ ର’ ଏଜେଣ୍ଟ ଭାବରେ ନଜର ଆସିବେ । ଏହି ପୋଷ୍ଟରକୁ ଜନ୍‌ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରରେ ଜନ୍‌ଙ୍କ ବ୍ୟତୀତ ମୌନୀ ରୟ, ଜ୍ୟାକି ଶ୍ରଫ୍‌, ସୁଚିତ୍ରା କ୍ରିଷ୍ଣମୂର୍ତ୍ତି ଏବଂ ସିକନ୍ଦର ଖେର୍‌ ପ୍ରମୁଖ ଅଭିନୟ କରୁଛନ୍ତି । ରୋବି ଗ୍ରେୱାଲ୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଅପ୍ରେଲ୍‌ ୧୨ରେ ମୁକ୍ତିଲାଭ କରିବ ।

ଅବସର ଘୋଷଣା କଲେ ଜୋହାନ ବୋଥା

ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜୋହାନ ବୋଥା ହଠାତ୍ ଅବସର ଘୋଷଣା କରିଛନ୍ତି । ଚଳିତ ବିଗ୍‌ ବାଶ ଲିଗ୍‌ରେ ହାବର୍ଟ ହରିକେନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବୋଥା ଗୁରୁବାର ଏହି ନିଷ୍ପତ୍ତି ନେଇଛନ୍ତି । ସେ ଦକ୍ଷିଣ ଆଫ୍ରିକା ପାଇଁ ୨୦୦୫ରୁ ୨୦୧୨ ପର୍ଯ୍ୟନ୍ତ ୫ ଟେଷ୍ଟ, ୭୮ ଦିନିକିଆ ଓ ୪୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୧୦ ଟି୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ସେ ଅନ୍ତିମ ଥର ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ସେ ୨୧ଟି ମ୍ୟାଚ୍‌ରେ ଦ. ଆଫ୍ରିକା ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ଦଳ ୮ ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ୍‌ ଜିତିଥିଲା।

ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ସିବିଆଇ ମାମଲା

୩୨୫୦ କୋଟି ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଚନ୍ଦା କୋଚ୍ଚର, ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ଭିଡିଓକନ୍‌ ମୁଖ୍ୟ ବେନୁଗୋପାଲ ଧୂତ୍‌ ଏବଂ ଅନ୍ୟ କିଛି ଜଣଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଏବଂ ମୁମ୍ବାଇଠାରେ ଥିବା ଭିଡିଓକନ୍‌ର ମୁଖ୍ୟାଳୟରେ ଛାନ୍‌ଭିନ୍‌ କରିଛନ୍ତି। ଚନ୍ଦା କୋଚ୍ଚର ଏହି ମାମଲାରେ ହିଁ ଗତ ଅକ୍ଟୋବର ମାସରେ ଉଭୟ ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ପଦବୀ ଛାଡ଼ିଥିଲେ। ୨୦୧୨ ମସିହାରେ ଭିଡିଓକନ୍‌ ଗ୍ରୁପ୍‌କୁ ୩,୨୫୦ କୋଟି ଟଙ୍କାର ଋଣ ଦିଆଯିବାରେ ଅନିୟମିତତା ହୋଇଥିବା ଚର୍ଚ୍ଚା ହୋଇଥିଲା।

ବାବା ରାମଦେବଙ୍କ ବିବାଦୀୟ ବୟାନ

ଯୋଗଗୁରୁ ବାବା ରାମଦେବ ଜନସଂଖ୍ୟାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଏହି ବୟାନକୁ କେନ୍ଦ୍ରକରି ବିବାଦର ସୂତ୍ରପାତ ହେବ ସହ ବାବାଙ୍କ ଏହି ବିବୃତ୍ତିକୁ କେନ୍ଦ୍ରକରି ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି। ହରିଦ୍ୱାର ଠାରେ ଆୟୋଜିତ ଜ୍ଞାନ କୁମ୍ଭରେ ଅଂଶଗ୍ରହଣ କରିବା ଅବସରରେ ଯୋଗଗୁରୁ ବାବା ରାମଦେବ ଭାଷଣରେ ଯେଉଁ ଭାରତୀୟ ବିବାହିତ ଦମ୍ପତ୍ତିଙ୍କର ଦୁଇରୁ ଅଧିକ ସନ୍ତାନ ରହିଛନ୍ତି ସେମାନଙ୍କ ନିକଟରୁ ମତଦାନ କ୍ଷମତା ପ୍ରତ୍ୟାହାର କରି ନିଆଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏବଂ ‘ତାଙ୍କ ପରି ଯେଉଁମାନେ ବିବାହ ନକରି ଅବିବାହିତ ରହିଛନ୍ତି, ସେମାନଙ୍କୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଯିବାର ଆବଶ୍ୟକତା ରହିଛି’ ବୋଲି କହିଛନ୍ତି ବାବା ରାମଦେବ ।

କ୍ରିତି-କାର୍ତ୍ତିକଙ୍କ ଲୁକା ଛୁପି

ବଲିଉଡ୍‌ର ୟଙ୍ଗ୍‌ଷ୍ଟାର କାର୍ତ୍ତିକ ଆର୍ୟନ ଓ ଚୁଲ୍‌ବୁଲି ନାୟିକା କ୍ରିତି ସାନନ୍‌ ଖୁବ୍‌ଶୀଘ୍ର ଏକ କମେଡି ଫିଲ୍ମ ନେଇ ବଡ଼ପରଦାକୁ ଆସୁଛନ୍ତି । ଏହି ଯୋଡି କମେଡି ଫିଲ୍ମ ‘ଲୁକା ଛୁପି’ରେ ନଜର ଆସିବେ । ବୁଧବାର ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଗୁରୁବାର ଏହାର ଏକ ଧମାକାଦାର ଟ୍ରେଲର ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଛି ।  ଏଥିରେ ମୁଖ୍ୟ ଆକର୍ଷଣ ସାଜିଛି ସେମାନଙ୍କ ବିବାହ । ଆସନ୍ତା ମାର୍ଚ୍ଚରେ ଏହା ରିଲିଜ୍‌ ହେବାକୁ ଥିବାବେଳେ ଏହାର ଟ୍ରେଲର ଦେଖି ଦର୍ଶକେ ଏବେଠାରୁ ବହୁ ଉତ୍ସୁକତାର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି ।

ଇଣ୍ଡିଆନ୍‌-୨ରେ ନଜର ଆସିବେ ଅଭିଷେକ !

ଦକ୍ଷିଣ ଭାରତର ସୁପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌. ଶଙ୍କର ଉଭୟ ତାମିଲ ଓ ହିନ୍ଦୀ ଭାଷାରେ ‘ଇଣ୍ଡିଆନ୍‌ -୨’ର ନିର୍ମାଣ କରିବାକୁ ଯାଉଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଏହି ପିଲ୍ମରେ ଅଭିଷେକ ବଚ୍ଚନ ଅଭିନୟ କରିବେ ବୋଲି ଜଣାପଡିଛି । ତେବେ ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ । ପିଲ୍ମରେ କାଜଲ ଅଗ୍ରଓ୍ଵାଲଙ୍କୁ ନାୟିକା ଭୂମିକାରେ ନିଆଯାଇଥିବା ଜଣାଯାଇଛି। ପୂର୍ବରୁ ‘ଇଣ୍ଡିଆନ୍’ ଫିଲ୍ମରେ କମଲ୍‌ ହାସନଙ୍କ ସହ ତାମିଲ୍‌ ଷ୍ଟାର୍‌ ସିମ୍ବୁଙ୍କୁ ଦେଖିବାକୁ ମିଳିଥିଲା । ଅଭିଷେକଙ୍କ ପୂର୍ବରୁ ଖିଲାଡି ଷ୍ଟାର୍‌ ଅକ୍ଷୟଙ୍କୁ ମଧ୍ୟ ଶଙ୍କର ଏହି ଫିଲ୍ମ ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ଦେଖାଯାଉ ଏହି ଫିଲ୍ମରେ ଅକ୍ଷୟ ନା ଅଭିଷେକ କିଏ ବାଜି ମାରୁଛନ୍ତି ?

କେନ୍ଦ୍ରାପଡ଼ାରେ କର୍ଫ୍ୟୁ

କେନ୍ଦ୍ରାପଡ଼ା ସହରରେ କର୍ଫ୍ୟୁ ଜାରି କଲା ପ୍ରଶାସନ । କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂଘର୍ଷ ହେତୁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବାରୁ କର୍ଫ୍ୟୁ ଜାରି କରିଛି ପ୍ରଶାସନ । କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଅଶାନ୍ତ ହୋଇପଡ଼ିଛି କେନ୍ଦ୍ରାପଡ଼ା ସହର ।  ଗତକାଲି ସମଗ୍ର ସହରରେ ଏଥିପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା ।

ନିର୍ବାଚନ ପାଇଁ ବାଲାଟ ପେପର୍‌ ବ୍ୟବହାର ହେବ ନାହିଁ : ମୁଖ୍ୟ ନିର୍ବାଚନ କମିସନର୍‌

ଇଭିଏମ୍ ଟାମ୍ପରିଂ ନେଇ ରାଜନୈତିକ ଟଣାଓଟରା ଲାଗି ରହିଥିବା ବେଳେ, ଏ ନେଇ ମୁହଁ ଖୋଲିବା ସହିତ ନିର୍ବାଚନ ପାଇଁ ବାଲାଟ ପେପର ବ୍ୟବହାର ହେବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ପଷ୍ଟ କରି ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଇଭିଏମର ବିଶ୍ୱସନୀୟତା ନେଇ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଏହାକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟରେ ମଧ୍ୟ ମାମଲା ହୋଇଛି । ଯାହାକୁ ସୁପ୍ରିମ କୋର୍ଟ ଖାରଜ ମଧ୍ୟ କରିଦେଇଛନ୍ତି । ଇଭିଏମ ମେସିନର ବିଶ୍ୱସନୀୟତା ବୃଦ୍ଧି ପାଇଁ ଇଭିଏମ ସହିତ ନିର୍ବାଚନ କମିସନ ଭିଭିପାଟ୍‌ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛନ୍ତି ।

ଅସ୍ଥାୟୀ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ମାମଲା :  ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଏକେ ସିକ୍ରି

ସିବିଆଇ ମୁଖ୍ୟ ଭାବେ ଏମ୍‌ ନାଗେଶ୍ୱର ରାଓଙ୍କୁ ଅସ୍ଥାୟୀ ନିଯୁକ୍ତି ଦେବା ବିରୋଧରେ ଆଗତ ଏକ ପିଟିସନ୍‌ର ଶୁଣାଣିରୁ ଗୁରୁବାର ଦିନ ଜଷ୍ଟିସ୍‌ ଏକେ ସିକ୍ରି ଓହରି ଯାଇଛନ୍ତି । ଆଲୋକ ବର୍ମାଙ୍କୁ ଏଜେନ୍‌ସିର ମୁଖ୍ୟ ପଦବୀରୁ ହଟାଇଥିବା ସିବିଆଇ ସିଲେକ୍‌ସନ୍‌ ପ୍ୟାନେଲ୍‌ରେ ଜଷ୍ଟିସ୍‌ ସିକ୍ରି ଅଂଶଗ୍ରହଣ କରିଥିଲେ । ଏହି ମାମଲାରେ ଜଷ୍ଟିସ୍‌ ସିକ୍ରି ସରକାରଙ୍କ ମତ ସପକ୍ଷରେ ଥିଲେ । ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ମଧ୍ୟ ଏହି ପିଟିସନ୍‌ ଶୁଣାଣିରୁ ଓହରି ଯାଇଥିଲେ ।

ଲାନସ୍‌ ନାୟକ ନାଜିର ଅହମ୍ମଦ ଓ୍ଵାନିଙ୍କୁ ମରଣୋତ୍ତର ଅଶୋକଚକ୍ର

ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହ ଲଢ଼ି ସହିଦ ହୋଇଥିବା ଲାନ୍‌ସ୍‌ ନାୟକ ନାଜିର ଅହମ୍ମଦ ଓ୍ଵାନିଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ସାହସିକ ପଦକ ଅଶୋକଚକ୍ର ସମ୍ମାନ ମିଳିବ । ଓ୍ଵାନି ୨୦୦୪ରେ ଭାରତୀୟ ସେନାବହିନୀର ଟେରିଟୋରିଆଲ୍‌ ଆର୍ମିର ୧୬୨ ବାଟାଲିୟନ୍‌ରେ ଯୋଗ ଦେଇଥିଲେ । ୨୦୧୮ ନଭେମ୍ବରରେ ଶୋପିଆଁରେ ଆତଙ୍କବାଦୀ ଏନକାଉଣ୍ଟରରେ ନଜୀର୍‌ ଶହୀଦ ହୋଇଥିଲେ । କୁଲଗାମ ବାସିନ୍ଦା ଓ୍ଵାନି ଦୁଇ ଥର ସମ୍ମାନଜନକ ସେନା ମେଡାଲ୍‌ ମଧ୍ୟ ପାଇଥିଲେ ।

ହସ୍‌ପିଟାଲ୍‌ରୁ ଗର୍ଭବତୀଙ୍କୁ ବାହାର କଲେ କର୍ମଚାରୀ : ରାସ୍ତାରେ ଶିଶୁ କନ୍ୟାକୁ ଦେଲେ ଜନ୍ମ

ଉତ୍ତରପ୍ରଦେଶର ସ୍ଥାନୀୟ ଜାଲୌନ ଜିଲ୍ଲାର ବାବଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ ସିରସାରୁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ କର୍ମଚାରୀ ଜୋର୍‌ ଜବରଦସ୍ତ ବାହାରକୁ ତଡ଼ି ଦେଇଥିଲେ । ପରେ ମହିଳା ଜଣକ ରାସ୍ତାରେ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଗର୍ଭବତୀ ମହିଳା ନିଜ ପରିବାର ସଦସ୍ୟଙ୍କ ସହିତ ହସ୍ପିଟାଲକୁ ଆସିଥିଲେ । ହସପିଟାଲର ଏସଡିଏମଓଙ୍କ କହିବାନୁସାରେ, ଗର୍ଭବତୀ ମହିଳାଙ୍କୁ ନର୍ସ ଷ୍ଟାଫ୍ ଦ୍ୱାରା ହସପିଟାଲରୁ ଜବରଦସ୍ତି ବାହାର କରିଦିଆଯାଇଥିଲା ।  ଏହି ଘଟଣାଟି ଗଣମାଧ୍ୟମରେ ପ୍ରସାର ହେବା ପରେ ଦୋଷ ଲୁଚାଇବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରସୂତିଙ୍କୁ ଚିକିତ୍ସା ଆରମ୍ଭ କରିଥିବା କୁହାଯାଉଛି । ଏହାର ତଦନ୍ତ ଜାରି ରହିଛି ।

ପରଦାକୁ ଆସୁଛି ‘ଠାକ୍‌ରେ’: ନଓ୍ୱାଜ୍‌ଙ୍କ ଅଭିନୟ ଦେଖିବାକୁ ଦର୍ଶକେ ଉତ୍କଣ୍ଠିତ

ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଠାକ୍‌ରେ’ ଆସନ୍ତା କାଲି ପରଦା ଉପରକୁ ଆସିବ । ଏଥିରେ ବାଲା ସାହେବ ଠାକ୍‌ରେଙ୍କ ଚରିତ୍ରରେ ନୱାଜୁଦ୍ଦିନ ସିଦ୍ଦିକି ଅଭିନୟ କରିଛନ୍ତି । ଫିଲ୍ମଟି ଭିନ୍ନ ଭିନ୍ନ କାରଣ ଯୋଗୁଁ ଅନେକ ଦିନରୁ ଚର୍ଚ୍ଚାରେ ରହିଛି। ବଲିଉଡ୍‌ ଫିଲ୍ମ ଇତିହାସରେ ପ୍ରଥମ ଥର ପାଇଁ ଏହି ଫିଲ୍ମଟି IMAX Wadalaରେ ସକାଳ ୭ଟା ପରିବର୍ତ୍ତେ ଭୋର୍‌ ୪ଟା ୧୫ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି । ବାଲାସାହେବଙ୍କ ଲୋକପ୍ରିୟତା ଓ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍ସାହ ଓ ଉଦ୍ଦୀପନା ରହିଛି । ଏହିସବୁ ଦୃଷ୍ଟିରୁ ଏହି ଫିଲ୍ମର ରିଲିଜ୍‌ ଟାଇମ୍‌ରେ ପରିବତ୍ତର୍ନ କରାଯାଇଛି ।

ଅପରେସନ୍‌ ଅଲ୍‌ ଆଉଟ୍‌, ପୁଣି ୩ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଲା

ଜମ୍ମୁ କାଶ୍ମୀରରେ ସେନାର ଅପରେସନ୍‌ ଅଲ୍‌ ଆଉଟ୍‌ ଜାରି ରହିଛି। ଏ ପର୍ଯ୍ୟନ୍ତ ତିନି ଦିନରେ ଭାରତୀୟ ସେନା ୯ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛି। ଗତକାଲି ତୃତୀୟ ଦିନରେ ସେନା ଗୁଳିରେ ଟଳିଥିଲେ ୩ ଜଣ ଲସ୍କର ଆତଙ୍କବାଦୀ। କାଶ୍ମୀର ବାରମୂଳା ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଲି ବିନିମୟ। ଏହି ଘଟଣା ପରେ ବାରମୂଳା ଜିଲ୍ଲାରେ ବନ୍ଦ ରହିଥିଲା ଇଣ୍ଟରନେଟ୍‌ ସେବା। ଗତ ବଷେର୍ ଭିତରେ ଅପରେସନ୍‌ ଅଲ୍‌ ଆଉଟ୍‌ରେ ୨୫୦ରୁ ଅଧିକ ଆତଙ୍କବାଦୀଙ୍କ ଏନକାଉଣ୍ଟର କରାଯାଇଛି।

କୋହଲିଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ

ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆ ଓ ଟି-ଟେ୍ଵଣ୍ଟି ସିରିଜ ଖେଳିବେ ନାହିଁ ବିରାଟ କୋହଲି। ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ। ବିରାଟଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା। ଜାନୁଆରୀ ୩୧ ତାରିଖରୁ ଚତୁର୍ଥ ଓ ଫେବ୍ରୁଆରୀ ୩ ତାରିଖରେ ଖେଳାଯିବ ପଞ୍ଚମ ତଥା ଶେଷ ଦିନିକିଆ । ଆଗକୁ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବ। ତା ପୂର୍ବରୁ କୋହଲିଙ୍କ ଉପରୁ ଚାପ କମାଇବା ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ କିଛି ମ୍ୟାଚରୁ ବିଶ୍ରାମ ଦିଆଯାଇଛି।

ପୀୟୁଷ ଗୋୟଲଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ଅସୁସ୍ଥତା ଯୋଗୁ ଆମେରିକାରେ ଚିକିତ୍ସିତ ହେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ତାଙ୍କ ସ୍ଥାନରେ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଦିଆଯାଇଛି ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ । ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ସଂସଦରେ କାମଚଳା ବଜେଟ୍‌ ପୀୟୁଷ ଗୋୟଲ ଉପସ୍ଥାପନ କରି ପାରନ୍ତି। ତେବେ ସରକାରଙ୍କ ପକ୍ଷରୁ ଏନେଇ କିଛି ସୂଚନା ମିଳି ନାହିଁ। ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱରେ ରହିବେ ପୀୟୁଷ ଗୋୟଲ।

ଆଜିଠୁ ଦେଶବ୍ୟାପୀ କେବଲ ଟିଭି ଅପରେଟରଙ୍କ ଧର୍ମଘଟ

ଯେଉଁମାନେ କେବଲ ମାଧ୍ୟମରେ ଟିଭି ଦେଖୁଛନ୍ତି, ସେମାନେ ଆଜି ଟିଭି ଦେଖି ପାରିବେ ନାହିଁ। ଟ୍ରାଇର ନୂଆ ନିୟମକୁ ବିରୋଧ କରି ଆଜିଠାରୁ ଦେଶବ୍ୟାପୀ କେବଲ ଅପରେଟର କଳା ଦିବସ ପାଳନ କରୁଛନ୍ତି। ୨୪ ଘଣ୍ଟା ପାଇଁ ସାରା ଦେଶରେ ସେମାନେ ପ୍ରସାରଣ ବନ୍ଦ ରଖିବେ । ଆନ୍ଦଳନରେ ସାମିଲ ହୋଇଛି ଓଡ଼ିଶା କେବଲ ଅପରେଟର ସଂଘ। ଆସନ୍ତା ଫେବ୍ରୁଆରୀ ୧ରୁ ଟ୍ରାଇ ପକ୍ଷରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଗ୍ରାହକ ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ କେବଳ ସେତିକି ଦେୟ ଦେବୋ ଯାହାକୁ ବିରୋଧ କରୁଛନ୍ତି କେବଲ ଅପରରେଟର।

ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ନେଇ ଆଜି ସିଲେକସନ୍‌ କମିଟି ବୈଠକ

କିଏ ହେବେ ସିବିଆଇର ପରବର୍ତ୍ତୀ ମୁଖ୍ୟ? ନୂଆ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ୩ ଜଣିଆ ସିଲେକ୍ସନ କମିଟି ବୈଠକ। ୧୭ଜଣିଆ ବରିଷ୍ଠ ଅଧିକାରୀଙ୍କ ତାଲିକାକୁ କାର୍ମିକ ବିଭାଗକୁ ପଠାଇଥିଲା କେନ୍ଦ୍ର ଗୃହମନ୍ତ୍ରାଳୟ। କାର୍ମିକ ବିଭାଗ ୪-୫ ଅଧିକାରୀଙ୍କ ନାଁ ସିଲେକ୍ସନ କମିଟିକୁ ପଠାଇଛି। ଆଜି ସିଲେକସନ୍‌ କମିଟି ବୈଠକରେ ଆଲୋଚନା ପରେ ନୂଆ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ହୋଇ ପାରନ୍ତି। ନିକଟରେ ବିବାଦୀୟ ପରିସ୍ଥିତିରେ ଆଲୋକ ବର୍ମାଙ୍କୁ ସିବିଆଇ ନିଦେ୍ର୍ଦଶକ ପଦରୁ ହଟାଇ ଦେଇଥିଲେ କେନ୍ଦ୍ର ସରକାର।

ମହାକାଶକୁ ଦୁଇଟି ସାଟେଲାଇଟ୍‌ ପଠାଇବ ଇସେ୍ରା

ଆଉ ଏକ ସଫଳତା ଅପେକ୍ଷାରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସେ୍ରା। ପିଏସ୍‌ଏଲଭି ଜରିଆରେ ଆଜି ଆଉ ଦୁଇଟି ସାଟେଲାଇଟ୍‌ ମହାକାଶକୁ ପଠାଇବ। ଗୋଟିଏ ଡିଆରଡିଓର ମାଇକେ୍ରାସାଟ୍‌-R ଏବଂ ଅନ୍ୟଟି ଚେନ୍ନାଇ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ କଲାମ ସାଟ୍‌। PSLV-C44 ରକେଟଟି PSLVର ନୂଆ ଭର୍ସନ। ଏଥିରେ ରହିଛି ୪ଟି ଷ୍ଟେଜ୍‌। ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବା ପରେ ଚତୁର୍ଥ ଷ୍ଟେଜ୍‌ଟି ଉପରକୁ ଯାଇ ମହାକାଶରେ ଛଅ ମାସ ପର୍ଯ୍ୟନ୍ତ ସକ୍ରିୟ ରହିବ। ତାହା ଗବେଷଣା ପାଇଁ ବ୍ୟବହାର ହେବ।

 

‘ଉରି..’ର ସର୍ଜିକାଲ ଷ୍ଟ୍ରାଇକ୍‌ ଜାରି: ୧୦୦ କୋଟିରୁ ଉର୍ଦ୍ଧ୍ୱ ଆୟ

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ରିଲିଜ୍‌ର ଦ୍ୱିତୀୟ ସପ୍ତାହ ତଥା ୧୨ ଦିନ ପରେ ମଧ୍ୟ ଏହା ବେଶ୍ ଭଲ ରୋଜଗାର କରୁଥିବା ଜଣାପଡ଼ିଛି । ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି । ଭାରତୀୟ ବଜାରରେ ଏହା ୧୨୧.୮୭ କୋଟି ଟଙ୍କା ରୋଜଗାର କରିସାରିଛି । ଭାରତୀୟ ଯବାନଙ୍କ ଦ୍ୱାରା ପାକିସ୍ତାନ ଉପରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ଏବେ ବି ନିଜର ଯାଦୁ ଜାରି ରଖିଛି। ଜାନୁଆରୀ ୧୧ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ବିକ୍କି କୌଶଲ, ୟାମି ଗୌତମ, ମୋହିତ ରୈନା ଏବଂ ପରେଶ ରାହୁଲ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ବାରାମୁଲ୍ଲାରେ ଏନ୍‌କାଉଣ୍ଟର : ୩ ଆତଙ୍କବାଦୀ ନିହତ

ଦକ୍ଷିଣ ଜମ୍ମୁ-କାଶ୍ମୀର ବାରାମୁଲ୍ଲା ଜିଲ୍ଲା ଅନ୍ତର୍ଗତ ବିନାର ଅଞ୍ଚଳରେ ଆଜି ଅପରାହ୍ଣରେ ସୀମା ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ଘଟିଥିବା ଜାଣିବା ପାଇଁ ମିଳିଛି । ଏହି ଏନ୍‌କାଉଣ୍ଟରରେ ସୀମା ସୁରକ୍ଷା ବାହିନୀ ଯବାନଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ସୁରକ୍ଷା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ବ୍ୟାପକ ତଲାସି ଅଭିଯାନ କରାଯାଇଥିଲା ।

ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ବିଜ୍ଞାପନ ପାଇଁ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ପ୍ରଦାନ କରିବ ଗୁଗୁଲ୍‌

ଗୁଗୁଲ୍‌ ମଙ୍ଗଳବାର ଦିନ ସଂଶୋଧିତ ନିର୍ବାଚନ ବିଜ୍ଞାପନ ନିୟମାବଳୀ ଘୋଷଣା କରିଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ‘ପଲ୍‌ଟିକାଲ୍‌ ଆଡ୍‌ଭର୍ଟାଇଜିଂ ଟ୍ରାନ୍ସପ୍ୟାରେନ୍ସିଂ ରିପୋର୍ଟ’ ଏବଂ ‘ପଲଟିକାଲ୍‌ ଆଡସ୍‌ ଲାଇବ୍ରେରୀ’ର ଆରମ୍ଭ କରିବ, ଯାହାଦ୍ୱାରା ନିର୍ବାଚନୀ ବିଜ୍ଞାପନରେ ହେଉଥିବା ଖର୍ଚ୍ଚ ସହିତ ବିଜ୍ଞାପନଦାତାଙ୍କ ବିଷୟରେ ତଥ୍ୟ ଜାଣିବାକୁ ମିଳିବ । ଗୁଗୁଲ୍‌ ସହ ବିଜ୍ଞାପନ ଚଳାଇବା ପାଇଁ ବିଜ୍ଞାପନ ଦାତାଙ୍କୁ ନିର୍ବାଚନ ଆୟୋଗଙ୍କ ସ୍ୱୀକୃତ ତଥା ସ୍ୱାକ୍ଷରିତ ‘ପ୍ରି-ସାର୍ଟିଫିକେଟ୍‌’ର ଦାଖଲ ମଧ୍ୟ କରିବାକୁ ପଡ଼ିବ । ବିଜ୍ଞାପନକାରୀଙ୍କ ସତ୍ୟତା ମଧ୍ୟ ଯାଞ୍ଚ କରିବ ବୋଲି ଗୁଗୁଲ୍‌ କହିଛି ।

ଚାଇନାରେ ଖୋଲିଲା ବିଶ୍ଵର ଲମ୍ବା ଥ୍ରୀଡି ପ୍ରିଣ୍ଟିଂ କଂକ୍ରିଟ୍‌ ପୋଲ

ଗତ ସପ୍ତାହରେ ଚାଇନାର ସଙ୍ଘାଇରେ ବିଶ୍ଵର ସବୁଠୁ ଲମ୍ବା ଥ୍ରୀଡି ପ୍ରିଣ୍ଟିଂ କଂକ୍ରିଟ ପୋଲ ଉଦ୍‌ଘାଟିତ ହୋଇଛି । ଯାହାର ଲମ୍ବ୨୬.୩ ମିଟର ଏବଂ ଓସାର ୩.୬ ମିଟର । ଏହି ପୋଲଟି  ମାତ୍ର ୧୯ ଦିନରେ  ଦୁଇଟି ରୋବୋଟିକ ଆର୍ମ ଦ୍ଵାରା ଥ୍ରୀଡି ପ୍ରିଣ୍ଟିଂ ହୋଇଥିବା ୪୪ ଟି ଖମ୍ବରେ ତିଆରି ହୋଇଛି । ଏହି ନବ ନିର୍ମିତ ପୋଲରେ ଏକ ସ୍ଵତନ୍ତ୍ର ବୈଷୟିକ ଜ୍ଞାନକୌଶଳ ରହିଛି ଯେଉଥିରେ ଭାଇବ୍ରେଟିଙ୍ଗ ଓୟାର ସେନ୍ସର ଲାଗିଛି ଏବଂ ଏହା ତଥ୍ୟ ପ୍ରେରଣ କରିବାକୁ ସକ୍ଷମ ରହିଛି ।

୧୭୮ ୟୁନିଟ ବିଜୁଳି ଖର୍ଚ୍ଚ ପାଇଁ ବିଲ ୨୩ କୋଟି ଟଙ୍କା

ଉତ୍ତରପ୍ରଦେଶର କନୌଜଠାରେ ଜନୈକ ବ୍ୟକ୍ତି ୧୭୮ ୟୁନିଟ ବିଜୁଳି ଖର୍ଚ୍ଚ ବାବଦରେ ୨୩ କୋଟି ଟଙ୍କାର ବିଲ୍‌ ପାଇଛନ୍ତି । ଉକ୍ତ ବ୍ୟକ୍ତିଜଣକ ବିଲ୍‌ ପାଇବା ପରେ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ରିଡିଂରେ କୌଣସି ସମସ୍ୟା ପାଇଁ ଏଭଳି ବିଲ୍‌ ଆସିଛି ବୋଲି କୁହାଯାଉଛି । ଏହାକୁ ଚେକ୍‌ କରାଯାଇ ଏବଂ ପୁଣିଥରେ ମିଟର ରିଡିଂ ନିଆଯାଇ ଏହି ବିଲ୍‌କୁ ପରିବତ୍ତର୍ନ କରାଯିବ ବୋଲି ଅଧିକାରୀ କହିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାଦରେ ନିଜକୁ ଦୋଷୀ ବୋଲି ଭାବେ : କରନ୍‌

ଲୋକପ୍ରିୟ ଚାଟ୍‌ ଶୋ’ ‘କଫି ଓ୍ୱିଥ୍‌ କରନ୍‌’ର ସଞ୍ଚାଳକ ତଥା ବଲିଉଡ୍‌ର ଲୋକପ୍ରିୟ ନିର୍ମାତା ନିର୍ଦ୍ଦେଶକ କରନ୍‌ ଜୋହର୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ବିବାଦ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି । କରନ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ନିଜକୁ ଏହି କାରଣ ପାଇଁ କିଛିକାଂଶରେ ଦାୟୀ ବୋଲି ଭାବୁଛନ୍ତି, କାରଣ ସେ ଏହି ଶୋ’କୁ ଅତିଥିଙ୍କୁ ନିମନ୍ତ୍ରଣ କରିଥା’ନ୍ତି । ଏହି ଶୋ’ରେ ଯାହା ବି ବିବାଦ ହେଲା ସେଥିପାଇଁ ସେ ଦାୟୀ, କିନ୍ତୁ ଏହି ଘଟଣାଟି ଏପରି ଭାବରେ ପରିବର୍ତ୍ତିତ ହେବ, ତା’ର କଳ୍ପନା କରିଥିନଲେ, ସେ ଏଥିପାଇଁ କିଛି ରାତି ମଧ୍ୟ ଠିକ୍‌ରେ ଶୋଇନାହାନ୍ତି ବୋଲି ସେ କହିଛନ୍ତି ।

ଆଇଏସ୍‌ଆଇଏସ୍‌ ସମ୍ପୃକ୍ତି ଅଭିଯୋଗରେ ନାବାଳକ ସମେତ ୯ ଗିରଫ

ଆଇଏସ୍‌ଆଇଏସ୍‌ ସହ ସମ୍ପୃକ୍ତ ଅଭିଯୋଗରେ ୧୭ ବର୍ଷୀୟ ନାବାଳକ ସମେତ ୯ ଜଣଙ୍କୁ ମଙ୍ଗଳବାର ଦିନ ମହାରାଷ୍ଟ୍ରର ମୁଂବ୍‌ରା, ଥାଣେ ଏବଂ ଔରଙ୍ଗାବାଦରୁ ଗିରଫ କରାଯାଇଛି। ସମସ୍ତେ ଆଇଏସ୍‌ଆଇଏସ୍‌ ଆତଙ୍କ ସଙ୍ଗଠନ ସହ ସମ୍ପୃକ୍ତ ଥିବା କଥା ମହାରାଷ୍ଟ୍ର ଆଣ୍ଟି-ଟେରର୍‌ ସ୍କ୍ଵାଡ୍‌ (ଏଟିଏସ୍‌) କହିଛି। ସେମାନଙ୍କ ନିକଟରୁ କିଛି ରାସାୟନିକ ଦ୍ରବ୍ୟ, ମୋବାଇଲ ଫୋନ, ହାର୍ଡ ଡ୍ରାଇଭ୍‌, ଏସିଡ ବୋତଲ, ଛୁରୀ ଓ ସିମ୍‌ କାର୍ଡ ଜବତ କରାଯାଇଛି ବୋଲି ଏଟିଏସ ପକ୍ଷରୁ ସୂଚନା ଦିଆଯାଇଛି। ଏଟିଏସର ୧୨ଟି ଟିମ୍‌ ଏକକାଳୀନ ମୁଂବ୍‌ରା, ଥାଣେ ଏବଂ ଔରଙ୍ଗାବାଦର ପୃଥକ ୫ଟି ସ୍ଥାନ ତଲାସ କରି ଘେରାଉ କରିଥିଲେ ।

ମାମୋଟ୍ଟିଙ୍କ ସହ ନଜର ଆସିବେ ସନ୍ନି

ପର୍ଣ୍ଣଷ୍ଟାର୍‌ ସନ୍ନି ଲିଓନି ବଲିଉଡ୍‌ରେ ନିଜର କାୟା ବିସ୍ତାର କରିସାରିଥିବାବେଳେ ବର୍ତ୍ତମାନ ଦକ୍ଷିଣମୁହାଁ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସନି ଲିଓନି ମାଲୟାଲମ୍‌ ସୁପର୍‌ଷ୍ଟାର୍‌ ମାମୋଟ୍ଟିଙ୍କ ଆଗାମୀ ଫିଲ୍ମ ‘ମଧୁର ରାଜା’ରେ ନଜର ଆସିବେ । ବୈଶାଖଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ‘ପୋକ୍‌ରି ରାଜା’ର ସିକ୍ୱେଲ୍‌ ବୋଲି କୁହାଯାଉଛି । ଏହି ଫିଲ୍ମରେ ପୃଥ୍ୱୀରାଜ ସୁକୁମାରନ୍‌, ଅତୁଲ୍‌ କୁଲ୍‌କର୍ଣ୍ଣୀ ଓ ଶମନ୍‌ କାସ୍‌ମ ପ୍ରମୁଖ ଏହି ଫିଲ୍ମରେ ନଜର ଆସିବେ । ସନ୍ନି ଏହି ଫିଲ୍ମ ବ୍ୟତୀତ ଅନ୍ୟ ଗୋଟିଏ ମାଲୟାଲମ୍‌ ଫିଲ୍ମ ‘ରଙ୍ଗିଲା’ ଓ ତାମିଲ୍‌ ଫିଲ୍ମ ‘ଅୟୋଗ୍‌’ରେ ନଜର ଆସିବେ ।

ନାପିଏର୍‌ ଦିନିକିଆ : ୮ ୱିକେଟରେ ଜିତିଲା ଭାରତ

ଆଜି ନାପିଏର ଠାରେ ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୩୮ ଓଭରରେ ସମସ୍ତ ୱିକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା । କିନ୍ତୁ ଭାରତ ପାଇଁ ଡ଼ିଏଲଏସ ପ୍ରକ୍ରିୟାରେ ୪୯ ଓଭରରେ ୧୫୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରଯାଇଥିଲା । ଯାହାକୁ ଭାରତୀୟ ଦଳ ଶିଖର ଧୱନଙ୍କ ଅପରାଜିତ ୭୫ ରନ ଏବଂ କୋହଲିଙ୍କ ୪୫ ରନ୍ ବଳରେ ଏକ ସହଜ ବିଜୟ ସହ ଶୃଙ୍ଖଳାକୁ ୧-୦ରେ ଆଗୁଆ କରିନେଇଛି । ପ୍ରଥମ ପାଳିରେ କୁଳଦୀପ ଯାଦବ ଏବଂ ସାମି ଚମତ୍କାର ବୋଲିଂ କରି ଯଥାକ୍ରମେ ୪ ଏବଂ ୩ ଗୋଟି ୱିକେଟ୍ ଅକ୍ତିଆର କରିନେଇଥିଲେ ।

ଉଦ୍‌ଘାଟିତ ହେଲା ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ

ନେତାଜୀ  ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲା ଠାରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦ୍‌ଘାଟନ କରିଛନ୍ତି। ଏହି ତିନି ମହଲା ବିଶିଷ୍ଟ ସଂଗ୍ରହାଳୟରେ ସୁଭାଷ ଚନ୍ଦ୍ର ବୋଷ ଏବଂ  ଇଣ୍ଡିୟାନ ନ୍ୟାସନାଲ୍ ଆର୍ମି ସହ ଜଡ଼ିତ କେତେକ ଜିନିଷପତ୍ର ପ୍ରଦର୍ଶନ କରାଯିବ। ଏଥିରେ ନେତାଜୀଙ୍କ ସ୍କୁଲ୍‌ ଦିନର ଏକ ଗ୍ୟାଲେରି ମଧ୍ୟ ରହିଛି। ନେତାଜୀ ବ୍ୟବହାର କରୁଥିବା କାଠ ଚେୟାର୍‌ ଓ ଖଣ୍ଡା, ପଦକ, ବ୍ୟାଜ୍‌, ୟୁନିଫର୍ମ ଏବଂ ଆଇଏନ୍‌ଏ ବ୍ୟବହୃତ ଅନ୍ୟାନ୍ୟ ଜିନିଷ ଆଦି ରହିଛି ।

ଶସ୍ତା ହେବ କ୍ୟାନ୍‌ସର୍‌ ସମେତ ୫୦ଟି ଜୀବନ ରକ୍ଷାକାରୀ ଔଷଧ

ପ୍ରାଣଘାତୀ କର୍କଟ ରୋଗ ଉପଶମକାରୀ ଔଷଧ ସମେତ ୫୦ଟି ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟ କମ୍‌ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଡ୍ରଗ୍ସ ପ୍ରାଇସ୍‌ କଣ୍ଟ୍ରୋଲ୍‌ ଅର୍ଡର ଧାରା ୧୯ ଅନୁଯାୟୀ କେନ୍ଦ୍ର ସରକାର ତାଲିକାଭୁକ୍ତ ଓ ନିୟନ୍ତ୍ରିତ ଔଷଧର ଲାଭାଂଶ ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ପାଇଁ ଯଥାକ୍ରମେ ୮% ଓ ୧୬% ଧାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଔଷଧର ମୂଲ୍ୟ ହ୍ରାସ ପାଇ ନିଷ୍ପତ୍ତି ନିଆଯାଇଛି ।

ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟଙ୍କା

ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଲେ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା। ତାଙ୍କୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ସେ ଦଳର  ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କୁ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଛି। ସେ ଫେବୃୟାରୀ ମାସରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ। ପ୍ରିୟଙ୍କା ପୂର୍ବରୁ ପରୋକ୍ଷ ରାଜନୀତିରେ ଥିଲେ। ସେ ତାଙ୍କ ମା’, ଭାଇ ଓ ଦଳୀୟ ନେତାଙ୍କ ପ୍ରଚାର କରୁଥିଲେ। ତେବେ ଏବେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି। କଂଗ୍ରେସ ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶ ଦ୍ୱାରା ଦଳୀୟ କର୍ମୀଙ୍କ ମନୋବଳ ବଢ଼ିବ ବୋଲି କହିଛନ୍ତି ଅନେକ ଦଳୀୟ ନେତା।

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ମୃତ୍ୟୁ ସହ ସଂଘର୍ଷ କରୁଥିବା ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ଆର୍ଥିକ ସହାୟତା କରିବା ଲାଗି ବହୁ ବର୍ତ୍ତମାନ ଓ ପୂର୍ବତନ ଭାରତୀୟ କ୍ରିକେଟର ହାତ ବଢ଼ାଇଛନ୍ତି । ଏମାନଙ୍କ ମଧ୍ୟରେ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ରହିଛନ୍ତି । ସେ ଜ୍ୟାକବଙ୍କ ଚିକିତ୍ସା ଲାଗି ଏକ ବ୍ଲାଙ୍କ (ଖାଲି) ଚେକ୍‌ ଦେଇଛନ୍ତି । ଏହା ବ୍ୟତୀତ ତାଙ୍କ ପରିବାରକୁ ସୌରଭ ଗାଙ୍ଗୁଲି, ଜାହିର ଖାଁ, ୟୁସୁଫ ଓ ଇର୍ଫାନ ପଠାନ ଓ ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀ ସହାୟତା ରାଶି ଦେଇଛନ୍ତି । ୪୬ ବର୍ଷୀୟ ମାର୍ଟିନଙ୍କ ଚିକିତ୍ସା ଲାଗି ବିସିସିଆଇ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

୨୬ ଜଣଙ୍କୁ ପ୍ରଦାନ କରାଗଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୬ ଜଣ ପିଲାଙ୍କୁ ରାଷ୍ଟ୍ରପତି ରାମନାଥକୋବିନ୍ଦ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। ୬ ବର୍ଷୀୟ ଆହିଆ ଦୀକ୍ଷିତଙ୍କୁ ପ୍ରଦାନ କରାଯାଇଛି ବାଲ୍ ଶକ୍ତି ପୁରସ୍କାର। ସେ ଏକାକୀ ୫ଶହ ବୃକ୍ଷରୋପଣ କରିଛନ୍ତି। ବାଲ୍ ଶକ୍ତି  ଓ ବାଲ୍ କଲ୍ୟାଣ ଦୁଇଟି ବର୍ଗରେ ପ୍ରଦାନ କରାଯାଇଥିଲା ଏହି ଜାତୀୟ ପୁରସ୍କାର। ବିଶେଷ କରି ଗବେଷଣା, ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି, ସାମାଜିକ ସେବା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର‌୍ୟ୍ୟ ପାଇଁ ପ୍ରଦାନ କରାଯାଉଚି ବାଲ୍ ଶକ୍ତି ପୁରସ୍କାର। ସେହିପରି ବାଲ୍ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବାଲ୍ କଲ୍ୟାଣ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି। ଉତ୍ସବରେ ଉପସ୍ଥିତ ଥିଲେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମାନେକା ଗାନ୍ଧି।

ପରଣୀତି ସେୟାର କଲେ ପ୍ରିୟଙ୍କାଙ୍କ ବିବାହର ଆଉ କିଛି ଫଟୋ

ବର୍ଷ ୨୦୧୮ର ପ୍ରିୟଙ୍କା ଚୋପ୍ରାଙ୍କ ବାହାଘର ଭାରି ଚର୍ଚ୍ଚିତ ଥିଲା। ନିକ ଜୋନସଙ୍କ ହାତ ଧରିଥିଲେ ପ୍ରିୟଙ୍କା। ଏବେ ବାହାଘରର କିଛି ନୂଆ ଫଟୋ ସେୟାର କରିଛନ୍ତି ନିକଙ୍କ ଶାଳି ପରଣୀତି ଚୋପ୍ରା। ଯେଉଁଥିଲେ ସେ ନିଜ ଜିଜୁଙ୍କୁ(ଭିଣୋଇ)ହଳଦି ଲଗାଇବାର ଦେଖିବାକୁ ମିଳିଛି। ଫଟୋ ସେୟାର କରିବା ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ବାହାଘର ପୂର୍ବରୁ ଯୋତା ଲୁରାଇବା ବିଧିରେ ନିକଙ୍କ ଯୋତା ଲୁଚାଇଥିଲେ ପରଣୀତି। ଦାବି କରିଥିଲେ ୫ ମିଲିଅନ୍ ଡଲାର୍। କିନ୍ତୁ ନିକ୍ ତାଙ୍କୁ ଦୁଇଗୁଣା ଦେବାକୁ କହିଥିଲେ।

ଇଭିଏମ ଟାମ୍ପରିଂ ଘଟଣା: ସାଇବର୍ ଏକ୍ସପର୍ଟଙ୍କ ନାଁରେ ମାମଲା

୨୦୧୪ ସାଧାରଣ ନିର୍ବାନରେ ଇଭିଏମରେ ଟାମ୍ପରିଂ କରାଯାଇଥିଲା। ଲଣ୍ଡନରେ ସାଇବର ବିଶେଷଜ୍ଞଙ୍କ ଦାବି ପରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ସଂପୃକ୍ତ ସାଇବର ଏକ୍ସପର୍ଟଙ୍କ ନାଁରେ ମାମଲା ରୁଜୁ ପାଇଁ ଦିଲ୍ଲୀ ପୋଲିସକୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ। ଅଭିଯୋଗ ହୋଇଛି, ସାଇବର ଏକ୍ସପର୍ଟ ସୟଦସୁଜା ଆଇପିସିର ଧାରା ୫୦୫(୧)ର ଉଲ୍ଲଂଘନ କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ରାଜନୀତି ବି ଜୋରଦାର ହୋଇଛି। ବିଜେପି କହିଛି, ଏହା ହେଉଛି କଂଗ୍ରେସର ପ୍ରାୟୋଜିତ ଷଡ଼ଯନ୍ତ୍ର। କଂଗ୍ରେସ ବି ସୟଦସୁଜା କରୁଥିବା ଦାବିର ତଦନ୍ତ ଦାବି କରିଛନ୍ତି।

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟ ସିରିଜ

ନ୍ୟୁଜିଲାଣ୍ଡ ସହ ଭାରତର ଆଜି ପ୍ରଥମ ଦିନିକିଆ ମୁକାବିଲା। ନାପିୟରରେ ଖେଳାଯାଉଛି ମ୍ୟାଚ୍। ଅଷ୍ଟ୍ରେଲିଆକୁ ପ୍ରଥମ ଥର ନିଜ ମାଟିରେ ସିରିଜ ହରାଇଥିବାରୁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମେନ୍ ଇନ୍ ବ୍ଲୁ। ବ୍ୟାଟିଂ ଭାର ତୁଲାଇବେ ରୋହିତ ଶର୍ମା, ବିରାଟ କୋହଲି ଓ ଶିଖର ଧଓ୍ୱନ। ଧୋନି ଫର୍ମକୁ ଫେରିଥିବାରୁ ମଧ୍ୟକ୍ରମ ତାଙ୍କ କାନ୍ଧରେ। ବୋଲିଂରେ ଭୁବନେଶ୍ୱର କୁମାର, ସାମି, କୁଳଦୀପ ଯାଦବ ଓ ଯୁଜବେନ୍ଦର ଚହଲ ଅଛନ୍ତି। ସେପଟେ ଘରୋଇ ପରିବେଶରେ ଭାରତରକୁ ଚକମା ଦେବାକୁ ନ୍ୟୁଜିଲାଣ୍ଡ ବି ରଣନୀତି କରିଛି।

ହିନ୍ଦୁ-ମୁସଲିମ୍ ବିବାହ ଅବୈଧ, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ହିନ୍ଦୁ ଯୁବତୀଙ୍କୁ ଜଣେ ମୁସଲିମ୍ ଯୁବ ବିବାହ କରିବା ଅବୈଧ। କିନ୍ତୁ ସେମାନଙ୍କଠାରୁ ଜନ୍ମ ନେଇଥିବା ସନ୍ତାନ ବୈଧ। ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ମୁସଲିମ୍ ଯୁବକଙ୍କୁ ବିବାହ କଲେ ସଂପୃକ୍ତ ଯୁବତୀ ସ୍ୱାମୀଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ। ତେବେ ସେମାନଙ୍କଠାରୁ ଜନ୍ମିତ ପିଲା ବୈଧ ଅଟେ। ବାପାର ସମ୍ପତ୍ତିରେ ତାର ଭାଗ ରହିବ। କେରଳ ହାଇକୋର୍ଟଙ୍କ ଏ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ତିନିଟି ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ  ରାହୁଲ !

୨୦୧୯ ଲୋକସଭା ନିର୍ବାଚନରେ ୩ଟି ଆସନରୁ ଲଢ଼ି ପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧି। ଉତ୍ତରପ୍ରଦେଶରେ ଆମେଥି ସମତେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ଦୁଇଟି ସୁରକ୍ଷିତ ସିଟରୁ ସେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ମହାରାଷ୍ଟ୍ରର ନାନ୍ଦେଡ ଓ ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡାରୁ ବି ରାହୁଲ ୨୦୧୯ରେ ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଛି। ତେବେ ଏନେଇ କଂଗ୍ରେସ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କ ମନ୍ତବ୍ୟ ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ସେ କହିଥିଲେ, ରାହୁଲ କଂଗ୍ରେସ ଅଧ୍ୟକ୍ଷ। ସେ ଯେଉଁଠୁ ଚାହିଁବେ ନିର୍ବାଚନ ଲଢ଼ିପାରିବେ।

ହାଟ୍ରିକ୍‌ମ୍ୟାନ୍ କୋହଲି ପୋଛି ନେଲେ ଆଇସିସି ଆଓ୍ଵାର୍ଡ

ଆଇସିସି ଆଓ୍ଵାର୍ଡରେ ବାଜି ମାରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି। ୨୦୧୮ର ଆଇସିସି ଶ୍ରେଷ୍ଠ କ୍ରିକେଟର, ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ କ୍ରିକେଟର ଅଫ୍‌ ଦି ପ୍ଲେୟାର ଭାବେ ପୁରସ୍କୃତ ହେବେ। ତାଙ୍କୁ ସାର୍‌ ଗାର୍‌ଫିଲ୍‌ଡସୋବର୍ସ ଟ୍ରଫି, କ୍ରିକେଟର ଅଫ ଦି ଇୟର ପାଇଁ ମନୋନୀତ କରାଯାଇଛି। ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ଓ ଟେଷ୍ଟ କ୍ରିକେଟ ପ୍ଲେୟାର ଅଫ୍‌ ଦି ଇୟର ବି ମନୋନୀତ ହୋଇଛନ୍ତି। ବିଶ୍ୱର ପ୍ରଥମ ଖେଳାଳି ଭାବରେ ଏକାସଙ୍ଗେ ଶ୍ରେଷ୍ଠ କ୍ରିକେଟର, ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଖେଳାଳି ପୁରସ୍କୃତ ହେବେ ବିରାଟ।

ସାବରିମାଳା ମନ୍ଦିରରେ ପ୍ରବେଶ କରିଥିବା ମହିଳାଙ୍କୁ ଘରୁ ତଡ଼ିଦେଲେ ସ୍ୱାମୀ

କେରଳର ସାବରିମାଳା ମନ୍ଦିରରେ ପ୍ରବେଶ କରି ଆୟପ୍ପାଙ୍କୁ ଦର୍ଶନ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇତିହାସ ରଚିଥିବା ମହିଳା କନକଦୁର୍ଗାଙ୍କୁ ତାଙ୍କ ସ୍ୱାମୀ ଘରୁ ବାହାର କରି ଦେଇଛନ୍ତି। ଚଳିତବର୍ଷ ଆରମ୍ଭରେ ୫୦ବର୍ଷରୁ କମ୍ ବୟସର ଅନ୍ୟ ଜଣେ ମହିଳାଙ୍କୁ ସହ କନକଦୁର୍ଗା ସାବରିମାଳାରେ ସ୍ୱାମୀ ଆୟପ୍ପାଙ୍କୁ ଦର୍ଶନ ପାଇଁ ମନ୍ଦିରରେ ପ୍ରବେଶ କରିଥିଲେ। ଏହି କାରଣ ପାଇଁ ଶାଶୁ ଘର ଦ୍ୱାର ତାଙ୍କ ପାଇଁ ବନ୍ଦ ହୋଇଛି। ଏପରିକି କନକଦୁର୍ଗାଙ୍କ ସ୍ୱାମୀ ତାଙ୍କ ସହ କଥାବାର୍ତ୍ତା କରିବାକୁ ରାଜି ହେଉ ନାହାନ୍ତି। ପୋଲିସ ତାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଚଳାଇଛି।

ଆସନ୍ତା ଗୁରୁବାର ଦିନ ଓଡିଶାର ସମସ୍ତ କେବୁଲ ଟିଭି ପ୍ରସାରଣ ବନ୍ଦ ରହିବ, ଓଡିଶା କେବୁଲ ସଂଘର ଧର୍ମଘଟ

ଯେଉଁମାନେ କେବୁଲ ମାଧ୍ୟମରେ ଟିଭି ଦେଖୁଛନ୍ତି ସେମାନେ ଆସନ୍ତା ଗୁରୁବାର ଦିନ ଟିଭି ଦେଖିପାରିବେ ନାହିଁ। ଟ୍ରାଇର ନୂଆ ନିୟମକୁ ବିରୋଧ କରି ସେହିଦିନ ଓଡିଶାର ସମସ୍ତ କେବୁଲ ଅପରେଟର ଧର୍ମଘଟ ଡାକରା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ଏଣିକ ବିଭିନ୍ନ ଚ୍ୟାନେଲ ଦେଖିବା ପାଇଁ ଗ୍ରାହକମାନେ ନିର୍ଦ୍ଦାରିତ ଶୁଳ୍କ ଦେବାକୁ ପଡିବ। ଏହାକୁ ବିରୋଧ କରି ଓରଟେଲ କେବୁଲ , ହାଥୱେ, ସିଟି କେବୁଲ, ମନ୍ଥନ, ଇଷ୍ଟର୍ଣ୍ଣ ମିଡିଆ କେବୁଲ ପ୍ରଭୃତି ଗୋଟିଏ ଦିନ ପାଇଁ ସେବା ବନ୍ଦ କରିବାକୁ ନିଷ୍ପତି କରିଛନ୍ତି।

୮୩ ବର୍ଷ ବୟସ୍କ ପତି ପତ୍ନୀଙ୍କ ପାଇଁ କିଣିଛନ୍ତି ୫୫୦୦୦ ପୋଷାକ

ଜର୍ମାନୀର ୮୩ ବର୍ଷୀୟ ପଲ୍ ବୃକ ମ୍ୟାନ ତାଙ୍କ ପତ୍ନୀ ମର୍ଗୋଟଙ୍କ ପାଇଁ  ୫୫୦୦୦ ପୋଷାକ କିଣିଛନ୍ତି ।। କାରଣ ସେ ତାଙ୍କ ପତ୍ନୀଙ୍କୁ ସମାନ ପୋଷାକ ରେ ଦ୍ଵିତୀୟ ଥର ଦେଖିବାକୁ ଭଲ ପାଆନ୍ତି ନାହିଁ । ପଲ୍ ପୋଷାକ ଗୁଡିକୁ ଆରିଜୋନାରେ ଥିବା ତାଙ୍କ ପତ୍ନୀଙ୍କ ଗ୍ଯାରେଜରେ  ସ୍ଵତନ୍ତ୍ର ଭାବେ ତିଆରି ହୋଇଥିବା ଛୋଟ ଘର ଏବଂ ତିନି ଟି ୫୦ ଫୁଟ ଲମ୍ବା ଥାକରେ ରଖିଛନ୍ତି । ପଲ୍ ମାର୍ଗୋଟଙ୍କୁ ଜର୍ମାନୀର ଏକ ନୃତ୍ୟ କକ୍ଷରେ ପଲ୍‌ ପ୍ରଥମେ ମାର୍ଗୋଟ୍‌ଙ୍କୁ ଭେଟିଥିଲେ । ଯେଉଁଠି ଦୁହିଁଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ।  ଏବଂ ସେବେଠାରୁ  ସେ ତାଙ୍କ ପତ୍ନୀଙ୍କ ପାଇଁ ଏହି  ସଂଗ୍ରହ ଆରମ୍ଭ କରିଛନ୍ତି  ।

ରିଲିଜ୍‌ ହେଲା ‘ଟୋଟାଲ୍‌ ଧମାଲ୍‌’ର ଅଫିସିଆଲ୍ ଟ୍ରେଲର୍

ମଲ୍ଟିଷ୍ଟାରର୍‌ ବଲିଉଡ୍ ମୁଭି ‘ଟୋଟାଲ୍ ଧମାଲ୍’ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍‌ ହୋଇଛି। ଫିଲ୍ମରେ ନବେ ଦଶକର ହିଟ୍‌ ଯୋଡ଼ିଙ୍କୁ ରିପିଟ୍‌ କରିଛନ୍ତି ନିର୍ଦ୍ଦେଶକ ଇନ୍ଦ୍ର କୁମାର୍‌। ଅନିଲ କପୁର ଓ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ସହ ଏଥିରେ ସୁପର୍‌ଷ୍ଟାର୍‌ ଅଜୟ ଦେବଗନ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ବୋମନ ଇରାନି, ଜାଭେଦ୍‌ ଜାଫ୍ରି ଓ ଜନି ଲିଭର୍‌ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । କମେଡ଼ି ଭିତ୍ତିକ ଏହି ଫିଲ୍ମର ଅଫିସିଆଲ୍‌ ଟ୍ରେଲର୍‌ ରିଲିଜ୍‌ ହେବାର ମାତ୍ର ୨୪ ଘଣ୍ଟା ଭିତରେ ଏହାକୁ ୧୦ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଧମାଲ୍ ସିରିଜର ଏହି ତୃତୀୟ ସଂସ୍କରଣଟି ଫେବ୍ରୁଆରୀ ୨୨ରେ ପରଦାକୁ ଆସିବ ।

ଅମାନବୀୟ କାର୍ଯ୍ୟ: ପିଲାଛୁଆ ନ ହେବାରୁ ମହିଳାଙ୍କୁ ଜୀବନ୍ତ ଜଳାଇବାକୁ ପ୍ରଚେଷ୍ଟା

ବିହାର ପାଟନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳାଙ୍କ ପିଲାଛୁଆ ନ ହେବାରୁ ତାଙ୍କୁ ଶ୍ୱଶୁର ଘର ଲୋକେ ଜୀବନ୍ତ ଜଳାଉଥିଲେ। ଖବର ପାଇ ପୋଲିସ ମହିଳାଙ୍କୁ ଉଦ୍ଧାର କରିଛି । ସ୍ଥାନୀୟ ଭୋଜପୁର ସନ୍ଦେଶ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ସାରିପୁର ସୋନ୍‌ ନଦୀ ଶ୍ମଶାନ ଘାଟରେ ଜଣେ ଜୀବନ୍ତ ମହିଳାଙ୍କୁ ଜଳା ଯାଉଥିବା ଖବର ପୋଲିସକୁ ମିଳିଥିଲା । ବିବାହର ୧୦ ବର୍ଷ ପରେ ମଧ୍ୟ ସମ୍ପୃକ୍ତ ମହିଳାଙ୍କର କୌଣସି ସନ୍ତାନସନ୍ତତି ନ ହେବାରୁ ଶ୍ୱଶୁର ଘର ଲୋକେ ଏଭଳି କରିଥିବା କୁହାଯାଉଛି । ପୋଲିସ ଏହାର ତଦନ୍ତ ଜାରି ରଖିଛି।

୯ ମାସର ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

ବ୍ରିଟେନ୍‌ରେ ୯ ମାସର ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌ ଆସିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି । ଏଠାରେ ଏହି ଶିଶୁକୁ ଏବେ ‘ମିରାକଲ୍‌ ବେବି’ କୁହାଯାଉଛି। ଥିଓ ଫ୍ରାଇ ୨୦୧୭ ମେ ରେ ଜନ୍ମ ହୋଇଥିଲା । ଜନ୍ମର ୮ ଦିନ ପରେ ଥିଓର ଧମନୀରେ କିଛି ଅନିୟମିତା ଯୋଗୁ ଶିଶୁ ଶରୀରରେ ରକ୍ତ ସଞ୍ଚାଳନ ସ୍ୱାଭାବିକ ହେଉନଥିଲା ବୋଲି ଡାକ୍ତରଙ୍କ ପରାମର୍ଶ ପରେ ଫ୍ରାଇ ଓପନ ହାର୍ଟ ସର୍ଜରୀ ହୋଇଥିଲା । ତେବେ ୨୧ ଡିସେମ୍ବର ୨୦୧୭ରେ ଥିଓକୁ ପ୍ରଥମ ହାର୍ଟ ଆଟାକ୍‌ ଆସିଥିଲା। ଏହାପରେ ୨୦୧୮ ଜାନୁୟାରୀ ୩୧ରେ ଥିଓକୁ ୨୫ ଥର ହାର୍ଟ ଆଟାକ୍‌ ହୋଇଥିଲା।

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ବଲିଉଡ୍‌ର ବରିଷ୍ଠ ଅଭିନେତା ରାଜ ବବର୍‌ ଓ ସ୍ମିତା ପାଟିଲଙ୍କ ପୁଅ ପ୍ରତୀକ ବବର୍‌ ପ୍ରେମିକା ସାନ୍ୟାଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହେବାକୁ ଯାଉଛନ୍ତି। ଆଜି ଓ କାଲି  ଦୁଇଦିନ ଧରି ଏହି ବିବାହ ଉତ୍ସବ ଚାଲିବ ବୋଲି ଜଣାପଡିଛି। ବଲିଉଡ୍‌ରେ ପ୍ରତୀକ ସେତେ ସଫଳତା ପାଇନଥିଲେ ମଧ୍ୟ ମଧ୍ୟ ତାଙ୍କ ମାତା ପିତାଙ୍କ ପରିଚୟକୁ ନେଇ ସେ ବେଶ୍‌ ପରିଚିତ। ପ୍ରେମିକା ସାନ୍ୟାଙ୍କ ସହ ପ୍ରତୀକ କିଛିଦିନ ରିଲେସନଶିପରେ ରହିବା ପରେ ଏବେ  ତାଙ୍କୁ ବିବାହ କରୁଛନ୍ତି। ‘ଜାନେ ତୁ ୟା ଜାନେ ନା’, ‘ଆରକ୍ଷଣ’, ‘ଏକ ଦିଓ୍ୱାନା ଥା’, ‘ଧୋବୀ ଘାଟ୍‌’, ‘ମାଇଁ ଫ୍ରେଣ୍ଡ ପିଣ୍ଟୋ’ ଆଦି ଫିଲ୍ମରେ ପ୍ରତୀକ ଅଭିନୟ କରିଛନ୍ତି ।