ଲି’ ନିଙ୍ଗ୍‌ ସହିତ ୫୦କୋଟି ଟଙ୍କାର ଚୁକ୍ତି କଲେ ସିନ୍ଧୁ

ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜୟିନୀ ପି.ଭି. ସିନ୍ଧୁ ସ୍ପୋର୍ଟସ ବ୍ରାଣ୍ଡ୍‌ ଲି’ ନିଙ୍ଗ୍‌ଙ୍କ ସହିତ ପ୍ରାୟ ୫୦ କୋଟି ଟଙ୍କା ମୂଲ୍ୟର ୪ ବର୍ଷିଆ ସ୍ପନ୍ସରଶିପ ଚୁକ୍ତି କରିଛନ୍ତି। ନିକଟରେ ଭାରତର କିଡାମ୍ବି ଶ୍ରୀକାନ୍ତ ଚାଇନାର ଏହି କମ୍ପାନୀ ସହ ଚାରିବର୍ଷ ପାଇଁ ୩୫ କୋଟି ଟଙ୍କାର ଚୁକ୍ତି କରିଛନ୍ତି। ପୂର୍ବରୁ ଏହି କମ୍ପାନୀ ୨୦୧୪-୧୫ରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ ସହ ୩.୫ କୋଟି ଟଙ୍କାର ଦୁଇବର୍ଷିଆ ଚୁକ୍ତି କରିଥିଲା।

ହଲିଉଡ୍‌ରେ ଡେବ୍ୟୁ କରିବେ ପଙ୍କଜ

ଅଭିନେତା ପଙ୍କଜ ତ୍ରିପାଠୀ ହଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । କ୍ରିସ୍‌ ହେମସ୍‌ୱର୍ଥଙ୍କ ‘ଢାକା’ରେ ସେ ନଜର ଆସିବେ । ଏହିଫିଲ୍ମର ଶୁଟିଂ ଥାଇଲାଣ୍ଡଠାରେ ଆରମ୍ଭ ହେବାକୁ ଯାଉଛି  । ସେ ଏହି ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ବଲିଉଡ୍‌ ଅଭିନେତା ରଣଦୀପ ହୁଡ଼ା ଓ ମନୋଜ ବାଜପେୟୀ ପ୍ରମୁଖ ନଜର ଆସିବେ । ୨୦୦୪ରେ ‘ରନ୍‌’ ଓ ‘ଓମକାରା’ରେ ଛୋଟ ରୋଲ୍‌ କରିଥିବା ପଙ୍କଜଙ୍କ ଅଭିନୟ ‘ଗ୍ୟାଙ୍ଗସ୍‌ ଅଫ୍‌ ୱେସପୁର୍‌’ରେ ବେଶ୍‌ ଦମଦାର୍‌ ରହିଥିଲା । ପରବର୍ତ୍ତୀ ସମୟରେ ସେ ୪୦ରୁ ଅଧିକ ଫିଲ୍ମ ଓ ୬୦ରୁ ଅଧିକ ଟେଲିଭିଜନ୍‌ ଶୋ’ରେ ନଜର ଆସିଛନ୍ତି । ତାମିଲ୍‌ ସିନେମା ‘କାଲା’ରେ ମଧ୍ୟ ଅଭିନୟ କରିଛନ୍ତି ପଙ୍କଜ ।

ବିବାହର ୩ ମିନିଟ୍‌ ପରେ ବିଚ୍ଛେଦ

ବିବାହର ୩ ମିନିଟ ପରେ ଜଣେ ସ୍ତ୍ରୀ  ସ୍ଵାମୀଙ୍କୁ ଦେଇଛନ୍ତି ତଲାକ୍‌। ଏହି ବିବାହଟି କୁଏତ୍‌ର ଏକ କୋର୍ଟରେ ହୋଇଥିଲା ।  ଏହି ସମୟରେ ସ୍ତ୍ରୀଟି ଝୁଣ୍ଟି ତଳେ ପଡ଼ିଯାଇଥିବାବେଳ ଏଥିରେ ସ୍ଵାମୀ ତାଙ୍କୁ ଷ୍ଟୁପିଡ୍‌ ବୋଲି କହିଥିଲେ। ଏହିକଥାରେ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀ ତାଙ୍କୁ ତଲାକ୍‌ ଦେବାକୁ କୋର୍ଟରେ  ଆବେଦନ କରିଥିଲେ। ଏହାପରେ ସେମାନଙ୍କର ତଲାକ୍‌ ହୋଇଯାଇଥିଲା। ଏହି ବିବାହକୁ ଦେଶର ସବୁଠାରୁ କମ୍‌ ସମୟର ବିବାହ ସମ୍ପର୍କ ବୋଲି କୁହାଯାଉଛି। ସୋସିଆଲ୍‌ ମିଡ଼ିଆରେ ଏହି ଖବର ଭାଇରାଲ୍‌ ହେବା ପରେ ସ୍ତ୍ରୀଙ୍କ ପଦକ୍ଷେପକୁ ସମର୍ଥନ ମିଳିବା ସହିତ ଭିନ୍ନ ଭିନ୍ନ କମେଣ୍ଟମାନ ମିଳୁଛି ।

ଖୁବଶୀଘ୍ର ମିଳିବ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା !

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା । ଆଉ ଏହି ଯୋଜନା ଅନୁସାରେ ଉପକୃତ ହେବେ ୧୮ ଲକ୍ଷ ହିତାଧିକାରୀ । ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ ଭୁମିହୀନ କୃଷକଙ୍କୁ ଜୀବିକା ସହାୟତା ବାବଦରେ କାଳିଆ ଟଙ୍କା ମିଳିବ । କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି ।  ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା କେବେ ମିଳିବ, ସେନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ସୂଚନାଯୋଗ୍ୟ ପ୍ରଥମ ପର୍ଯ୍ୟାୟ କାଳିଆ ଟଙ୍କା ଲୋକଙ୍କ ପାଖରେ ପହଞ୍ଚିସାରିଛି ।

ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କଲେ ଗେହଲଟ୍‌

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମିଳୁଥିବା ମାସିକିଆ ଭତ୍ତାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମାସିକ ପେନସନ ବା ଭତ୍ତା ବାବଦରେ ୨୦ ହଜାର ଟଙ୍କା ମିଳୁଥିଲା । ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ସୈନିକମାନଙ୍କର ବିଧବା ପତ୍ନୀମାନେ ପାଉଥିବା ଭତ୍ତା ବା ପେନସନରେ ବୃଦ୍ଧି ଘଟାଯିବା ସହ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରମାନଙ୍କୁ କିଲୋ ପ୍ରତି ୧ ଟଙ୍କା ଦରରେ ଗହମ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍।

୩୫ ବର୍ଷରେ ବୋଲ୍ଡ ଅଭିନେତ୍ରୀ ଉଦିତା

ବଲିଉଡ୍‌ର ବିଗତ ଦିନର ବୋଲ୍ଡ ନାୟିକା ଉଦିତା ଗୋସ୍ୱାମୀ ୩୫ ବର୍ଷରେ ପଦାର୍ପଣ କରିଛନ୍ତି ।  ୨୦୦୩ରେ ‘ପାପ’ ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ ଉଦିତା । ’ଜହର୍‌’, ‘ଅକ୍ସର’, ‘ଦିଲ୍‌ ଦିୟା ହୈ’, କିସେ ପ୍ୟାର୍‌ କରୁଁ’, ‘ଚେସ୍‌’, ‘ଡାଇରୀ ଅଫ୍‌ ଏ ବଟରଫ୍ଲାଏ’ ଆଦି ଫିଲ୍ମରେ ନଜର ଆସିଥିବା ଉଦିତାଙ୍କ ବଲିଉଡ୍‌ କିସିଂ ବୟ ଇମ୍ରାନଙ୍କ ସହ ବୋଲ୍ଡ ସିନ୍‌ ଦର୍ଶକଙ୍କୁ ବେଶ୍‌ ମତୁଆଲା କରିଥିଲା । ତେବେ ଏହି ବୋଲ୍ଡ ଅଭିନେତ୍ରୀ ଜଣକ ପଡ଼ିଥିଲେ ନିର୍ଦ୍ଦେଶକ ମୋହିତ ସୁରିଙ୍କ ପ୍ରେମରେ । ଦୀର୍ଘ ୯ ବର୍ଷ ଉଭୟେ ରିଲେସନଶିପରେ ରହିବା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ  ବିବାହ କରିଥିଲେ । ବିବାହ ପରେ ସେ ଏହି ରୂପେଲୀ ଦୁନିଆରୁ ପୂରାପୂରି ଗାଏବ ହୋଇଯାଇଛନ୍ତି ।

ଦୀପାଙ୍କୁ କାନାଡ଼ିଆନ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ଆୱାର୍ଡ

ଇଣ୍ଡୋ କାନାଡ଼ିଆନ୍‌ ଫିଲ୍ମ ନିର୍ମାତା ଦୀପା ମେହେଟ୍ଟାଙ୍କୁ ଏକାଡେମୀ ଅଫ୍‌ କାନାଡ଼ିଆନ୍‌ ସିନେମା ଏଣ୍ଡ୍‌ ଟେଲିଭିଜନ୍‌ ଦ୍ଵାରା ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାଡ ମିଳିଛି । ‘ଫାୟାର୍’, ’ଆର୍ଥ’, ‘ ୱାଟର୍‌’ ପରି ବହୁ ଉଚ୍ଚକୋଟୀର ଫିଲ୍ମ ନିର୍ମାଣ କରିଛନ୍ତି ଦୀପା ମେହେଟ୍ଟା । ‘ଆର୍ଥ’ ଭାରତର ସର୍ବଶ୍ରେଷ୍ଠ ବିଦେଶୀ ଭାଷାର ଫିଲ୍ମ ଭାବରେ ଓସ୍କାର ପାଇଁ ମନୋନୀତ ହୋଇଥିଲା । ୨୦୧୨ରେ ‘ଲାଇଫଟାଇମ୍‌ ଆର୍ଟିଷ୍ଟିକ୍‌ ଆଚିଭ୍‌ମେଣ୍ଟ ପାଇଁ କାନାଡ଼ର କଳା ପାଇଁ ସର୍ବୋଚ୍ଚ ସମ୍ମାନ ଗଭର୍ଣ୍ଣର ଜନରଲସ୍‌ ପରଫର୍ମିଙ୍ଗ୍‌ ଆର୍ଟସ’ ଆୱାର୍ଡ ମଧ୍ୟ ଦୀପା ପାଇଛନ୍ତି ।

ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ

ମାଲକାନଗିରି ଜିଲ୍ଲାରେ ପିଆଜ ବୋଝେଇ ଟ୍ରକ୍‌ରେ ଗଞ୍ଜେଇର ଚୋରାଚାଲାଣ ଧରାପଡ଼ିଛି । ଟ୍ରକ୍‌ରେ ପିଆଜକୁ ଉପରେ ରଖାଯିବା ସହ ଗଞ୍ଜେଇକୁ ଧଳା ବସ୍ତାରେ ଭିତରେ ରଖି ନିଆଯାଉଥିଲା। ତେବେ ମୁଦୁଲିପଡା ଥାନା ପୁଲିସ୍ ଚିତ୍ରକୋଣ୍ଡା ଅଞ୍ଚଳରୁ ଏହି ପିଆଜ ବୋଝେଇ ଟ୍ରକ୍‌କୁ ଜବତ କରିଛି। ଏଥିରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହାର ଅନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡ଼ର ରାୟପୁରକୁ ଚାଲାଣ କରାଯାଉଥିଲା।

ଭୀମ୍‌ସାର୍‌ ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀଙ୍କ ଇସ୍ତଫା

ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ଦିନ ହେବ ଛୁଟିରେ ଥିବା ବୁର୍ଲା ଭୀମସାରର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଡା. ପୂଜାହାରୀ ତାଙ୍କ ଇସ୍ତଫା ପତ୍ର ଇ-ମେଲ ଓ ଡାକ ଯୋଗେ ରାଜ୍ୟପାଳଙ୍କୁ ପଠାଇ ଦେଇଥିବାବେଳେ ସେ ଇସ୍ତଫା ଦେଇଥିବା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତିସୂଚନାଯୋଗ୍ୟ ଯେ, ଭିମ୍‌ସାର ନିର୍ଦ୍ଦେଶକ ଥିବା ଡା. ପୂଜାହାରୀଙ୍କ କାର୍ଯ୍ୟକଳାପ ନେଇ ଭୀମ୍‌ସାରର ପିଜି ଛାତ୍ରଛାତୀମାନେ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ଡିସେମ୍ବର ମାସ ୭ ତାରିଖରେ ଡା. ପୂଜାହାରୀଙ୍କୁ ଛୁଟିରେ ଯିବାକୁ କହିଥିଲେ ।

୬୧ ବର୍ଷ ବୟସରେ ଅଭିନେତ୍ରୀ ଅମ୍ରିତା ସିଂ

ଅଶୀ ଓ ନବେ ଦଶକରେ ହିନ୍ଦୀ ସିନେମାରେ ଜଣେ ସଫଳ ଅଭିନେତ୍ରୀ ଅମ୍ରିତା ସିଂଙ୍କର ଆଜି ୬୧ତମ ଜନ୍ମଦିବସ ।  ଅମିତ୍ରାଙ୍କ ମା’ ଜଣେ ମୁସଲମାନ ହୋଇଥିବାବେଳେ ତାଙ୍କ ପିତା ଜଣେ ଶିଖ୍‌ । ‘ବେତାବ୍‌’ ଫିଲ୍ମରୁ ବଲିଉଡ୍‌ କ୍ୟାରିୟର୍‌ ଆରମ୍ଭ କରିଥିବା ଅନେକଗୁଡ଼ିଏ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି । ଅମ୍ରିତା ତାଙ୍କଠାରୁ ୧୨ ବର୍ଷ ସାନ ସୈଫ୍‌ଅଲ୍ଲୀ ଖାନ୍‌ଙ୍କୁ ବିବାହ କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ । ୨୦୦୪ରେ ଉଭୟ ଅଲଗା ହୋଇଯାଇଥିବାବେଳେ ଅମ୍ରିତା ଓ ସୈଫ୍‌ଙ୍କ ଦୁଇଟି ପୁଅ ଝିଅ ଅଛନ୍ତି । ସମ୍ପ୍ରତି ଅମିତ୍ରା ଓ ସୈଫ୍‌ଙ୍କ ଝିଅ ସାରା ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ।

ଶରଦ ପାୱାରଙ୍କ ୟୁ-ଟର୍ଣ୍ଣ, ଲୋକସଭା ନିର୍ବାଚନ ଲଢ଼ିବେ

ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ ଏନସିପି ମୁଖ୍ୟ ଶରଦ ପାୱାର। କିନ୍ତୁ ଏବେ ମତ ବଦଳାଇଛନ୍ତି। ଗତକାଲି ପୁଣେରେ ଦଳୀୟ ପଦାଧିକାରୀଙ୍କ ସହ ଲୋକସଭା ନିର୍ବାଚନ ନେଇ ଆଲୋଚନା ପରେ ଏହି ସଙ୍କେତ ଦେଇଛନ୍ତି ଶରଦ ପାୱାର। ସୋଲାପୁରର ମାଢ଼ା ଆସନରୁ ସେ ପ୍ରାର୍ଥୀ ହୋଇ ପାରନ୍ତି। ଏହି ଆସନରୁ ସାଂସଦ ଥିବା ବିଜୟ ସିଂହ ମୋହତେ ପାଟିଲ ଓ ଦଳ ପଦାଧିକାରୀ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରିଥିବା କହିଛନ୍ତି ଶରଦ ପାୱାର।

ନୂଆ ଦଳ ନେଇ ଘୋଷଣା କରିବେ ପ୍ରବୀଣ ତୋଗାଡ଼ିଆ

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତ୍ୟକ୍ଷ ରାଜନୀତି ମୈଦନାକୁ ଓହ୍ଲାଇବେ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗାଡ଼ିଆ। ଆଜି ତାଙ୍କର ନୂଆ ଦଳ ନେଇ ଔପଚାରିକ ଘୋଷଣା କରିପାରନ୍ତି। ସୂଚନା ମିଳିଛି, ତୋଗାଡ଼ିଆଙ୍କ ନୂଆ ଦଳ ଗୁଜୁରାଟ ଓ ଉତ୍ତରପ୍ରଦେଶର ସବୁ ଆସନରେ ନିର୍ବାଚନ ଲଢ଼ିବ। ତୋଗାଡ଼ିଆଙ୍କ ପାର୍ଟିର ନାଁ ହିନ୍ଦୁସ୍ଥାନ ନିର୍ମାଣ ଦଳ। ନିର୍ବାଚନ କମିଶନଙ୍କ ପାଖରେ ଏହା ପଞ୍ଜିକୃତ ବି ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିନେ ପ୍ରମୁଖ ସହଯୋଗୀ ଥିଲେ ପ୍ରବୀଣ ଡୋଗାଡ଼ିଆ। ତେବେ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

ରବର୍ଟ ଭଦ୍ରାଙ୍କୁ ତୃତୀୟ ଥର ଜେରା କରିବ ଇଡି

ଦୁଇ ଦୁଇ ଥର ମାରାଥନ୍ ଜେରା ହେଲାଣି। ତଥାପି ଅର୍ଥ ଅନିୟମିତତା ମାମଲାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ  ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଉତ୍ତରରେ ସନ୍ତୁଷ୍ଟ ହେଉ ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ତୃତୀୟ ଦିନରେ ତାଙ୍କୁ ପୁଣି ଜେରା ହୋଇପାରେ। ଗତ ବୁଧବାର ରବର୍ଟ ଭଦ୍ରାଙ୍କୁ 6 ଘଣ୍ଟା ଓ ଗୁରବାର 9 ଘଣ୍ଟା ଜେରା କରିଥିଲା ଇଡି। ତେବେ ସନ୍ତୋଷଜନକ ଉତ୍ତର ମିଳି ପାରି ନଥିବାରୁ ପୁଣି ପଚରାଉଚରା କରିପାରେ। ଇଡି ଜେରା ଉପରେ କିନ୍ତୁ ରବର୍ଟ ଭଦ୍ରା ପ୍ରତିକ୍ରିୟା ଦେଉ ନାହାନ୍ତି। ତଦନ୍ତରେ ସହଯୋଗ କରୁଛନ୍ତି ରବର୍ଟ ଭଦ୍ରା।

ପ୍ରଧାନମନ୍ତ୍ରୀଙ୍କୁ ଗୁଆହାଟୀରେ କଳା ପତାକା ପ୍ରଦର୍ଶନ

ଦୁଇ ଦିନିଆ ପୂର୍ବୋତ୍ତର ରାଜ୍ୟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନାଗରିକତା ସଂଶୋଧନ ବିଲକୁ ନେଇ ଆସାମରେ ତାଙ୍କୁ ବିରୋଧର ସାମନା କରିବାକୁ ପଡ଼ିଛି। ଗୁଆହାଟୀ ବିଶ୍ୱବିଦ୍ୟାଳୟ ଗେଟ୍ ଆଗରେ ବହୁ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ। ମୋଦି ଗୋ ବ୍ୟାକ୍ ଓ ନାଗରିକତା ସଂଶୋଧନ ବିଲ୍ ଶେଷ କର ବୋଲି ନାରା ଦେଇଥିଲେ ଆସାମ ଷ୍ଟୁଡେଣ୍ଟସ ୟୁନିୟନ କର୍ମକର୍ତ୍ତା।

ରାଜ୍ୟ କଂଗ୍ରେସ ମୁଖିଆଙ୍କୁ ଭେଟିବେ ରାହୁଲଗାନ୍ଧି

ସାଧାରଣ ନିର୍ବାଚନ ପୂର୍ବରୁ ହାତ ମୁଠା ଟାଣ ହେଉଛି। ରଣନୀତି ନେଇ ଆଜି ଦିଲ୍ଲୀରେ ସବୁ ରାଜ୍ୟର ପିସିସି ମୁଖ୍ୟ ଓ ବିରୋଧୀ ଦଳ ନେତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧିଙ୍କର ବୈଠକ ରହିଛି।ଏଥିରେ କଂଗ୍ରେସ ମହାସଚିବପ୍ରିୟଙ୍କାଗାନ୍ଧି ବି ଉପସ୍ଥିତ ରହି ପାରନ୍ତି। ଚଳିତମାସ ଶେଷ ସୁଦ୍ଧା ପ୍ରାର୍ଥୀ ଚୁଡ଼ାନ୍ତ କରିବ କଂଗ୍ରେସ। ଆଜିର ବୈଠକରେ ନିର୍ବାଚନୀ କ୍ୟାମ୍ପେନ୍ ପ୍ଲାନ ଓ କେଉଁ ରାଜ୍ୟରେ କଂଗ୍ରେସ କାହା ସହ ସମ୍ଭାବନୀ ନେଇ ପିସିସି ମୁଖ୍ୟଙ୍କ ସହ ଆଲୋଚନା କରିବେ ରାହୁଲଗାନ୍ଧି। ଏହାପରେ ଖୁବଶୀଘ୍ର ପରିବର୍ଦ୍ଧିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିବ।

ଚିଟଫଣ୍ଡ ମାମଲା:ଆଜି ରାଜୀବ କୁମାରଙ୍କୁ ପଚରାଉଚରା କରିବ ସିବିଆଇ

ସାରଦା ଚିଟଫଣ୍ଡ ମାମଲାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିବ ସିବିଆଇ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଶିଲଂରେ ଜେରା କରାଯିବ। ଏଥିପାଇଁ ସେ ଶିଲଂରେ ପହଞ୍ଚି ସାରିଛନ୍ତି। ଜେରା ପାଇଁ ସିବିଆଇ ୫୦ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ନିକଟରେ ଚିଟଫଣ୍ଡ ମାମଲାରେ ସିବିଆଇଟିମ୍ ରାଜୀବ କୁମାରଙ୍କ ଘରେ ପ୍ରବେଶ ଉଦ୍ୟମ କରିବା ବେଳେ ପଶ୍ଚିମବଙ୍ଗ ପୋଲିସ ଅଟକାଇଥିଲା। ଯାହାକୁ ନେଇ ବିବାଦ ତୀବ୍ର ହୋଇଥିଲା। ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ। ସିବିଆଇ ଅଭିଯୋଗ କରିଛି, ରାଜୀବ କୁମାର ସାରଦା ଚିଟଫଣ୍ଡମାମଲାରେ କିଛି ଫାଇଲ୍ ଗାଏବ କରିବା ସଗପ୍ରମାଣ ନଷ୍ଟ କରିଛନ୍ତି।

କେଜ୍ରିୱାଲଙ୍କ ଗାଡ଼ିକୁ ବିଚ୍‌ ରାସ୍ତାରେ ଅଟକାଇ ଆକ୍ରମଣ କଲେ ଶତାଧିକ ସଶସ୍ତ୍ର ଯୁବକ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅପରାହ୍ନରେ ଏକ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ଯାଉଥିବା ବେଳେ ପ୍ରାୟ ଶତାଧିକ ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ସଜ୍ଜିତ ହୋଇ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ ।  ତେବେ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୌଣସି ଅଧିକାରୀ ଆହତ ହୋଇ ନଥିବା ସୂଚନା ରହିଛି । ଏହି ଘଟଣାରେ ଦିଲ୍ଲୀ ପୁଲିସ୍‌ କାହାକୁ ଗିରଫ କରିବାରେ ସମର୍ଥ ହୋଇ ନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

ନେଟ୍‌ଫ୍ଲିକ୍ସ୍‌ ଓ ଆମାଜନ୍‌ ପ୍ରାଇମ୍‌ ଉପରେ ପ୍ରତିବନ୍ଧକ ଯାଚିକାକୁ ଖାରଜ୍‌ କଲେ ଦିଲ୍ଲୀ ହାଇକୋର୍ଟ

ନେଟ୍‌ଫ୍ଲିକ୍ସ ଓ ଆମାଜନ୍‌ ପ୍ରାଇମ୍‌ ସହିତ ଅନ୍‌ଲାଇନ୍‌ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଯାଚିକାକୁ  ଦିଲ୍ଲୀର ଉଚ୍ଚତମ ନ୍ୟାୟଳୟ ଖାରଜ କରିଛନ୍ତି । ଏହି ଯାଚିକାରେ ଏହିପରି ପ୍ଲାଟଫର୍ମଗୁଡ଼ିକରେ ପ୍ରସାରିତ ଶୋ’ଗୁଡ଼ିକ ଅଶ୍ଲୀଳତା, ଧାର୍ମିକ ନିଷିଦ୍ଧତା ଓ ଅନୈତିକତାକୁ ପ୍ରସାର କରୁଛି  ବୋଲି ଅଭିଯୋଗ କରାଯାଇଥିଲା । ବିଶେଷକରି ‘ସାକ୍ରେଡ୍‌ ଗେମ୍‌ସ୍‌,’ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ପରି ଶୋ’ଗୁଡିକୁ ନେଇ ଏହି ଯାଚିକା ଆବେଦନ କରାଯାଇଥିଲା ।

କିମ୍‌ ଜଙ୍ଗ ଉନ୍‌ଙ୍କ ସହ ମମତାଙ୍କୁ ତୁଳନା କରି ବିବାଦରେ ଗିରିରାଜ ସିଂ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସିବିଆଇ ବିବାଦକୁ ନେଇ ଅନଶନରେ ବସିବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ତାଙ୍କୁ କେତେବେଳ ଝାନ୍‌ସି ରାଣୀ ଲକ୍ଷ୍ମୀବାଇ ସହ ତ ପୁଣି କେତେବେଳେ ପୁତନା ସହ ତୁଳନା କରାଯାଉଛି । ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମମତାଙ୍କୁ ଏକ କଡା ଟିପ୍ପଣୀ ଦେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି । ଗିରିରାଜ ମମତାଙ୍କୁ ଉତ୍ତର କୋରିଆର ସୁପ୍ରିମ ଲିଡର କିମ୍‌ ଜଙ୍ଗ-ଉନଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି କିମ୍‌ଙ୍କ ଭଳି ମମତା ମଧ୍ୟ ତାଙ୍କ ବିରୋଧରେ ପ୍ରଚାର କରୁଥିବା ଲୋକଙ୍କୁ ମାରି ଦେଇଥାଆନ୍ତି। କାରଣ ମମତାଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରୁଥିବା ଲୋକଙ୍କ ମୁହଁ ବନ୍ଦ କରି ଦିଆଯାଏ।

ଫୁଟବଲ୍‌ ଟ୍ରେନିଂ ସେଣ୍ଟରରେ ନିଆଁ : ୧୦ ମୃତ

ବ୍ରାଜିଲର ପ୍ରସିଦ୍ଧ ଫୁଟବଲ କ୍ଲବ ଫ୍ଲାମିନଗୋର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଥିବା ଟ୍ରେନି ଖେଳାଳିଙ୍କ ଡର୍ମିଟରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ରିଓ ଡି ଜେନେଇରୋ ସ୍ଥିତ ଏହି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ବିଲ୍ଡିଂରେ ଥିବା ଏକ ଡର୍ମିଟରିରେ ବ୍ରାଜିଲର୧୪ରୁ ୧୭ ବର୍ଷ ବୟସର ଯୁବ ଫୁଟବଲ ଖେଳାଳିମାନେ ଥିଲେ । ଘଟଣାଟି ଭୋର୍‌ ସମୟରେ ଘଟିଛି । ଅଗ୍ନିକାଣ୍ଡର କାରଣ ବିଷୟରେ କିଛି ଜଣାପଡିନଥିବାବେଳେ ଅନୁସନ୍ଧାନ ଜାରି ରହିଛି ।

ଲାମ୍ବ୍ରୋଘିନୀର ନୂଆ ସ୍ପୋର୍ଟ୍ସ କାର୍‌ Huracan EVO

ଇଟାଲୀର ଲଗ୍‌ଜୁରୀ କାର୍‌ କମ୍ପାନୀ ଲାମ୍ବ୍ରୋଘିନୀ  ୩.୭୩ କୋଟି ମୂଲ୍ୟର ଏକ ନୂଆ ସ୍ପୋର୍ଟ୍ସ କାର୍‌ ‘Huracan EVOର ଭାରତୀୟ ବଜାରରେ ପ୍ରବେଶ କରାଇଛନ୍ତି । ଏହି କାର୍‌ ୨.୯ ସେକେଣ୍ଡରେ ୦-୧୦୦ କିଲୋମିଟର ଯାଇପାରୁଥିବାବେଳେ ୫.୨ ଲିଟରର ଭି୧୦ ଇଂଜିନ୍‌ ଥିବା  ଏହି କାର୍‌ର ଦ୍ରୁତ ଗତି ୩୨୫ କିଲୋମିଟର /ଘଣ୍ଟା ରହିଛି ।  ପୁରୁଣା ମଡେଲ୍‌ଠାରୁ ଏହି ମଡେଲଟି ଅଧିକ ୨୮ ବିଏଚ୍‌ ପାୱାରର ଅଟେ । ଏହି କାର୍‌ ଭିତରେ ୮.୪ ଇଂଚର ଟଚ୍‌ ସ୍କ୍ରିନ୍‌ ଇନ୍‌ଫୋମେଣ୍ଟ ସିଷ୍ଟମ ରହିଛି । ଯାହାଦ୍ଵାରା ଆପଲ୍‌ କାର୍‌ ପ୍ଲେ ଓ ସ୍ମାର୍ଟଫୋନ୍‌ ବ୍ୟବହାର କରିହେବ । ଭାରତରେ ପ୍ରଥମେ ଏହି କାର୍‌ଟି ଲଂଚ ହୋଇଛି ।

ମୁଜାଫରନଗର ଦଙ୍ଗା ଘଟଣା : ୭ ଜଣଙ୍କୁ ଆଜୀବନ

୨୦୧୩ରେ ମୁଜାଫରନଗର ଦଙ୍ଗା ଘଟଣାରେ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡବିଧାନ କରିଛନ୍ତି ସ୍ଥାନୀୟ କୋର୍ଟ । ୨୦୧୪ ନିର୍ବାଚନ ପୂର୍ବରୁ ସଂଘଟିତ ଏହି ଦଙ୍ଗାରେ ହଜାର ହଜାର ଲୋକ ବାସହରା ହୋଇଥିଲେ। । ଦଙ୍ଗାରେ ୬୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯୩ ଜଣ ଆହତ ହୋଇଥିଲେ। ୨୦୧୩ ମସିହା ଅଗଷ୍ଟ ୨୭ରେ ମୁଜାମିଲ, ମୁଜାସିମ୍‌, ଫୁକରାନ୍‌, ନଦୀମ୍‌, ଜାହାଙ୍ଗୀର, ଅଫଜଲ୍‌ ଏବଂ ଇକବାଲ୍‌ ୭ଜଣ ଯାକ କୱାଲ୍‌ ଗାଁର ସଚିନ୍‌ ସିଂହ ଓ ଗୌରବ ସିଂହଙ୍କୁ ହତ୍ୟା କରିବା ସହ ଦଙ୍ଗା ଭିଆଇଥିଲେ ।

କବରରୁ ମିଳିଲା ୪୩୩ କୋଟି ଟଙ୍କାର କଳାଧନ

ଚେନ୍ନାଇଠାରେ ଲୋଟସ୍‌ ଗ୍ରୁପ୍‌ର ସାରାଭାନ ଷ୍ଟୋର୍‌ର ସପିଂ ମଲ୍‌ ଉପରେ ଆୟକର ଚଢାଉ କରାଯାଇଥିଲା । ଷ୍ଟୋର୍‌ ପରିସରରେ ଥିବା କବର ଖୋଳି ୪୩୩ କୋଟି ଟଙ୍କାର କଳାଧନ ଉଦ୍ଧାର କରିଛି ଆୟକର ବିଭାଗ । ୨୫ କୋଟି ଟଙ୍କାର ନଗଦ କ୍ୟାସ୍‌ ସହ ୧୨ କିଲୋ ସୁନା ଓ ୬୨୬ କ୍ୟାରେଟ୍‌ର ହୀରା ଏହି କବରରୁ ଜବତ କରାଯାଇଛି । ସପିଂ ମଲ୍‌ର ମାଲିକ ୟୋଗାରାଥିନାମ୍‌ ପଣ୍ଡୁରାଇ ଓ ତାଙ୍କ ସହଯୋଗୀ ରମାଜୟାମ୍‌ ଲୋଟସ୍‌ ଗ୍ରୁପ୍‌ ନାମକ ସଂସ୍ଥା  ଦ୍ଵାରା ସମଗ୍ର ଦେଶରେ ଏକାଧିକ ସପିଂ ମଲ୍‌ ଖୋଲି ବ୍ୟବସାୟ କରୁଥିଲେ ।

୭ ବର୍ଷ ପରେ ଅଲଗା ହେଲେ ଟେଲି ଦୁନିଆର ଚର୍ଚ୍ଚିତ ଯୋଡ଼ି

ଛୋଟପରଦାର ଚର୍ଚ୍ଚିତ ଯୋଡ଼ି ରାକେଶ ଓ୍ବାପତ ଓ ରିଦ୍ଧି ଡୋଗ୍ରାଙ୍କ ବ୍ରେକ୍‌ଅପ୍‌ର ଖବର ବହୁ ସମୟ ଧରି ଚର୍ଚ୍ଚାରେ ରହିଥିଲା । ଉଭୟ ଏହି ଘଟଣାକୁ ସତ୍ୟ ବୋଲି କହିଛନ୍ତି । ବ୍ୟକ୍ତିଗତ କାରଣରୁ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ଲୋକପ୍ରିୟ ଧାରାବାହିକ ‘ମର୍ଯ୍ୟାଦା’ରେ ଦୁହେଁ ଅଭିନୟ କରିବା ପରଠାରୁ ଦୁହିଁଙ୍କୁ ପସନ୍ଦ କରିଥିଲେ । ଏବଂ ଲିଭ୍‌ ଇନ୍‌ରେ ରହିବା ପରେ ସେମାନେ ୨୦୧୧ ମସିହା ମେ ୨୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ରାକେଶ ଧାରାବାହିକ ବ୍ୟତୀତ ବଲିଉଡ୍‌ ଫିଲ୍ମରେ ନଜର ଆସିଛନ୍ତି ।

୪ ନକଲି ଆରଟିଓ ଗିରଫ

ଆରଟିଓ କହି ଠକୁଥିବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅଞ୍ଚଳରୁ ୪ ଜଣ ଯୁବକ ଗିରଫ ହୋଇଛନ୍ତି। ଏମାନେ ଆରଟିଓର ପରିଚୟ ଦେଇ ଗାଡି ମାଲିକ ଏବଂ ଡ୍ରାଇଭରମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଏନେଇ ରାଉରକେଲା ପୋଲିସ୍ସୂ‌ଚନା ପାଇବା ପରେ ଘଟଣା ସ୍ଥଳରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ସେମାନଙ୍କ ଠାରୁ ଗୋଟିଏ ସ୍କର୍ପିଓ ଗାଡି, ନଗଦ ୧୦ ହଜାର ଟଙ୍କା, ଖାକି ପୋଷାକ ଜବତ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଫରେଷ୍ଟ ଗାର୍ଡ ମଧ୍ୟ ଅଛନ୍ତି।

ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ସୁପ୍ରିମ୍‌କୋର୍ଟରେ ମିଳିଛି ଝଟକା। ଉପମୁଖ୍ୟମନ୍ତ୍ରୀ ବଙ୍ଗଳା ଛାଡିବା ମାମଲାରେ ତାଙ୍କୁ  ୫୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ହୋଇଛି । ସେ ଉପମୁଖ୍ୟମନ୍ତ୍ରୀ ନ ଥିବାରୁ ଏହି ପଦବୀ ପାଇଁ ଉଦ୍ଦିଷ୍ଟ ବଙ୍ଗଳାରେ ରହିପାରିବେ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ଆଦେଶ ଦେଇଛନ୍ତି । ଅପରପକ୍ଷରେ ତାଙ୍କୁ ବିଧାନସଭା ବିରୋଧୀ ଦଳ ନେତାଙ୍କ ଲାଗି ଉଦ୍ଦିଷ୍ଟ ବାସଭବନ ଯୋଗାଇ ଦିଆଯାଇଛି। ତେଣୁ ସେ ପୁରୁଣା ବଙ୍ଗଳା ଛାଡିଦେବା ଆବଶ୍ୟକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ପୁଣି ଏକ କୋରିଆନ୍‌ ମୁଭିର ରିମେକ୍‌ରେ ନଜର ଆସିବେ ସଲମାନ୍‌

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ୍‌ ଖାନ୍‌ ପୁଣି ଏକ ବ୍ଲକବଷ୍ଟର କୋରିଅନ୍‌ ମୁଭିର ହିନ୍ଦୀ ରିମେକ୍‌ରେ କାମ କରିବେ ବୋଲି ଜଣାପଡିଛି । ଏହି ଫିଲ୍ମର ଟାଇଟଲ୍‌ ହେଲା ‘ଭେଟେରାନ୍‌’। ଏହି ଫିଲ୍ମରେ ସଲମାନ୍‌ ଖାନ୍‌ ଜଣେ ଡିଟେକ୍ଟିଭ୍‌ ଭୂମିକାରେ ନଜର ଆସିବେ। କମେଡ଼ିଭିତ୍ତିକ ‘ଭେଟେରାନ୍‌’ ଫିଲ୍ମଟି ଜଣେ ଡିଟେକ୍ଟିଭ୍‌ର କାହାଣୀ ଉପରେ ଏହା ଆଧାରିତ । ତେବେ ଏହି ଫିଲ୍ମରେ ସଲ୍ଲୁଙ୍କ ହିରୋଇନ୍‌ କିଏ ହେବ, ତାହା ଜଣାପଡ଼ିନାହିଁ । ସୂଚନାଯୋଗ୍ୟ ଯେ, ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ  ‘ଭାରତ୍‌’ କୋରିଆନ୍‌ ଫିଲ୍ମ ‘ଓଡ୍‌ ଟୁ ମାଇଁ ଫାଦର୍‌’ର ରିମେକ୍‌। ଏଥିରେ ସଲମାନଙ୍କ ବିପକ୍ଷରେ କାଟ୍ରିନା କୈଫ୍‌ ନଜର ଆସିବେ।

ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଲା ହରର୍‌ ଥ୍ରୀଲର୍‌ ‘ଅମାବସ୍‌’

ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଛି ହରର୍ ଥ୍ରୀଲର ଅମାବସ୍‌। ଭୂତ-ପ୍ରେତ ଓ ପ୍ରତିଶୋଧର କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ନର୍ଗିସ ଫକରୀ ଏବଂ ସଚିନ୍ ଯୋଶୀ। ସାଗର ଅଲ୍ଲୀ ଓ ମୋନା ସିଂହ ପ୍ରମୁଖ ଏହି ଫିଲ୍ମରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଭୂଷଣ ପଟେଲ୍‌। ଭୂଷଣ ପୂର୍ବରୁ ମଧ୍ୟ ୧୯୨୦: ଏଭିଲ୍‌ସ ରିଟର୍ଣ୍ଣ, ରାଗିଣୀ ଏମ୍‌ଏମ୍‌ଏସ୍ ୨ ଏବଂ ଏଲୋନ୍‌ ଭଳି ହରର୍‌ ଫିଲ୍ମ ନିର୍ମାଣ କରିସାରିଛନ୍ତି।

୭ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍‌ ବରାବର କଲା ଟିମ୍‌ ଇଣ୍ଡିଆ

ରୋହିତଙ୍କ ଅଧିନାୟକତ୍ଵରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ମାଟିରେ ଆଜିର ମ୍ୟାଚ୍‌କୁ ଜିତିଯାଇଛନ୍ତି । ଅକଲାଣ୍ଡଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ନ୍ୟୁଜଲାଣ୍ଡକୁ ୭ ଓ୍ବିକେଟ୍‌ରେ ହରାଇ ୩ଟିକିଆ ଟି-୨୦ ସିରିଜ୍‌କୁ ୧-୧ ସ୍ଥିତିରେ ବରାବର କରିଛି ଟିମ୍‌ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫୮ ରନ୍‌ କରିଥିବା ବେଳେ ଟିମ୍‌ ଇଣ୍ତିଆ ୧୬୨ ରନ୍‌ କରି ବିଜୟ ହାସଲ କରିଛି। ୪ ଓଭର୍‌ରେ ୩ଟି ୱିକେଟ୍‌ ନେଇ ମାତ୍ର ୨୮ ରନ୍‌ ଦେଇଥିବା କୃନାଲ ପାଣ୍ଡ୍ୟା ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହୋଇଛନ୍ତି ।

‘ଆଁଖେ’ରେ ନଜର ଆସିବେ ସନ୍ନି ଓ ଅମିତାଭ

୨୦୦୨ରେ ପରଦାକୁ ଆସିଥିବା ଫିଲ୍ମ ‘ଆଁଖେ’ର ସିକ୍ୟୁଏଲ ନିର୍ମାଣ କରାଯାଉଥିବା ବେଳେ ଏବେ ଏଥିରେ ସନ୍ନି ଦେଓଲ ଖଳନାୟକ ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି । ଏହି ଫିଲ୍ମରେ ବିଗ୍‌ ବି’ ଅମିତାଭ ମଧ୍ୟ ନଜର ଆସିବେ ବୋଲି ସୂଚନା ରହିଛି । ଷ୍ଟାର୍‌କାଷ୍ଟ ଓ ଫିଲ୍ମର ରିଲିଜ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମଟିରେ ଦୁଇ ମେଗା ଷ୍ଟାର୍‌ଙ୍କ ଉପସ୍ଥିତି ବେଶ୍‌ ଚର୍ଚ୍ଚାକୁ ଆସିଛି । ଫିଲ୍ମର ରିଲିଜ୍‌ ଡେଟ୍‌ ଫିକ୍ସ୍ ହୋଇନଥିବାବେଳେ ପ୍ରାୟ ୨୫ ବର୍ଷ ପରେ ଅମିତାଭ ଓ ସନ୍ନି ଦେଓଲଙ୍କୁ ପୁଣି ଏକାଠି ଦେଖିବା ନେଇ ଦର୍ଶକ ବେଶ୍‌ ଉତ୍ସାହିତ ରହିବେ ନିଶ୍ଚୟ ।

ମାୟାବତୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା

ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କୁ ବଡ଼ ଝଟ୍‌କା । ସୁପ୍ରିମ୍‌କୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଉତ୍ତରପ୍ରଦେଶରେ ନିର୍ମିତ ତାଙ୍କ ପ୍ରତିମୂତ୍ତି ଓ ହାତୀର ମୂର୍ତ୍ତିରେ ଖର୍ଚ୍ଚ କରିଥିବା ଜନସାଧାରଣଙ୍କ ଟଙ୍କାକୁ ଫେରାଇବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠରେ ଚାଲିଥିବା ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ୍‌ ୨ରେ ହେବ । ସୂଚନାଯୋଗ୍ୟ, ମାୟାବତୀଙ୍କ ଶାସନ କାଳରେ ଉତ୍ତରପ୍ରଦେଶର ନିର୍ମିତ ଏକାଧିକ ପାର୍କରେ ବିଏସ୍‌ପି ସଂସ୍ଥାପକ କାଂଶିରାମ, ମାୟାବତୀ ଓ ହାତୀର ମୂର୍ତ୍ତି କରାଯାଇଥିଲା । ଯାହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ତୀବ୍ର ହୋଇଥିଲା ।

ଯୁକ୍ତ ଦୁଇ ପରୀକ୍ଷା : ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ମୋବାଇଲ୍‌ ଫୋନ୍‌ ବାରଣ

ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ଘଟଣା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଏବେ ଏ ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି ।  ଯୁକ୍ତ୨ ପରୀକ୍ଷାର ସୁପରିଚାଳନା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଶ୍ନପତ୍ର ଯେଭଳି ଲିକ୍‌ ନ ହେବ, ତାହାକୁ ଦୃଷ୍ଟିରେ ରଖି ପରୀକ୍ଷା ହଲ୍‌ ଏବଂ ପରୀକ୍ଷା କେନ୍ଦ୍ର କ୍ୟାମ୍ପସ୍‌ରେ ମୋବାଇଲ ଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି । ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଏପରି କି, ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ କ୍ୟାମ୍ପସ୍‌କୁ ମୋବାଇଲ ଫୋନ୍‌ କିମ୍ବା କୌଣସି ବୈଦ୍ୟୁତିକ ସାମଗ୍ରୀ ନେଇପାରିବେ ନାହିଁ । 

ରାଜ୍ୟ ଚଳଚ୍ଚିିତ୍ର ଜୁରି କମିଟି : ପ୍ରଫୁଲ୍ଲ କର ଚଳଚ୍ଚିତ୍ର ଓ ଘନଶ୍ୟାମ ମହାପାତ୍ର ଧାରାବାହିକ ଅଧ୍ୟକ୍ଷ

ଚଳିତ ବର୍ଷ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଜୁରି କମିଟି ଗଠନ କରାଯାଇଛି।  ପଦ୍ମଶ୍ରୀ ଫ୍ରଫୁଲ୍ଲ କର ଏହି ଜୁରି କମିଟିର ଅଧ୍ୟକ୍ଷ ରହିଛନ୍ତି। ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ବ ତଥା ଅଭିନେତା ଧୀରେନ୍ଦ୍ରନାଥ ମଲ୍ଲିକ, ଜଣାଶୁଣା ଫିଲ୍ମ ସାମ୍ବାଦିକ ପରୀକ୍ଷିତ ଜେନା, ଗୀତିକାର ତଥା ସଂଳାପ ଲେଖକ ବିଜୟ ମଲ୍ଲ, ଚଳଚ୍ଚିତ୍ର ନିର୍ଦେଶକ ହିମାଂଶୁ ଖଟୁଆ ଏବଂ ସଂଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଜୁରି ବୋର୍ଡର ସଦସ୍ୟ ରହିଛନ୍ତି। ସେହିପରି ଓଡ଼ିଶା ରାଜ୍ୟ ଟେଲି ପୁରସ୍କାର ପାଇଁ ଜୁରି କମିଟିର ଅଧ୍ୟକ୍ଷ ଭାବେ ଚଳଚ୍ଚିତ୍ର ନିର୍ଦେଶକ ଘନଶ୍ୟାମ ମହାପାତ୍ର ହୋଇଥିବାବେଳେ ଅଭିନେତ୍ରୀ ତ୍ରିପୁରା ମିଶ୍ର, ନାଟ୍ୟ ବ୍ୟକ୍ତିତ୍ବ ମନୋଜ ପଟ୍ଟନାୟକ, କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀ ଏବଂ ଚଳଚ୍ଚିତ୍ର ସାମ୍ବାଦିକ ଆଦିକନ୍ଦ ରାଉତ ପ୍ରମୁଖ ଏହି କମିଟିର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି।

କୁଲ୍‌ଗାମ୍‌ ଜିଲ୍ଲାରେ ତୁଷାର ସ୍ଖଳନ: ପୋତି ହୋଇ ପଡ଼ିଛନ୍ତି ୧୦ ପୁଲିସ

ଗୁରୁବାର ସନ୍ଧ୍ୟାରେ କୁଲ୍‌ଗାମ୍‌ ଜିଲ୍ଲା ଅନ୍ତର୍ଗତ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥସ୍ଥିତ ଜବାହର ଟନେଲ୍‌ ନିକଟରେ ତୁଷାର ସ୍ଖଳନ ହେବା ଯୋଗୁଁ ସେଠାରେ ଥିବା ଏକ ପୋଲିସ୍‌ ପୋଷ୍ଟ୍‍ ମଧ୍ୟରେ ଅନ୍ୟୁନ ୧୦ ଜଣ ପୁଲିସ ଅଟକି ରହିଥିବା ଆଶଙ୍କା କରାଯାଉଛି। ତୁଷାର ସ୍ଖଳନ ଯୋଗୁଁ ପୁଲିସ ପୋଷ୍ଟ୍‍ଟି ସମ୍ପୂର୍ଣ୍ଣ ପୋତି ହୋଇ ପଡ଼ିଛି। ଘଟନାସ୍ଥଳରେ ପୁଲିସ ଟିମ୍‌ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଅଳ୍ପ କିଛି ସପ୍ତାହ ପରେ ଏହା ହେଉଛି ଜବାହର ସୁଡ଼ଙ୍ଗରେ ତୁଷାର ସ୍ଖଳନ ହେବାର ଦ୍ୱିତୀୟ ଘଟଣା ।

ରାଫେଲ୍‌ ଡିଲ୍‌ରେ ମୋଦି କରିଛନ୍ତି ୩୦ ହଜାର କୋଟିର ଦୁର୍ନୀତି: ରାହୁଲ

ପୁଣି ଥରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାଫେଲ ଡିଲ୍‌ରେ ମୋଦି ଦେଶବାସୀଙ୍କୁ ଠକିବା ସହିତ ସିଧାସଳଖ ଜଡିତ ରହିଛନ୍ତି। ଏହି ଡିଲ୍‌ରେ ମୋଦି ୩୦ ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ବୋଲି ରାହୁଲ୍‌ କହିଛନ୍ତି । ଚୌକିଦାର ଚୋର ପାଲଟିଛନ୍ତି ବୋଲି ରାହୁଲ କଟାକ୍ଷ କରିଛନ୍ତି। ଏହି ଡିଲ୍‌ ମାଧ୍ୟମରେ ସେ ଅନୀଲ ଅମ୍ବାନୀଙ୍କୁ ଧନୀ କରିଥିବା ଅଭିଯୋଗ କରିଛନ୍ତି ରାହୁଲ।

ରେକର୍ଡ କଲେ ପିସି

ପ୍ରସିଦ୍ଧ ମ୍ୟାଡାମ୍‌ ତୁଷାଦ ୱାକ୍ସ ମ୍ୟୁଜିୟମରେ ପ୍ରିୟଙ୍କାଙ୍କ ପୁଣି ଏକ ପ୍ରତିକୃତି ସ୍ଥାନ ପାଇଛି। ନ୍ୟୁୟର୍କରେ ଏହାକୁ ଉଦ୍‌ଘାଟନ କରାଯାଇଛି। ବିଭିନ୍ନ ସ୍ଥାନରେ ଥିବା ମ୍ୟୁଜିୟମର ଶାଖାରେ ଏହାକୁ ମିଶାଇ ପ୍ରିୟଙ୍କାଙ୍କ ମୋଟ୍‌ ୬ଟି ପ୍ରତିକୃତି ସ୍ଥାନ ପାଇଛି। ଏପରି ହେବାରେ ଗାୟିକା ବିଟନୀ ହାଉସ୍‌ଟନ୍‌ଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ପିସି। ପୂର୍ବରୁ ଲଣ୍ଡନ, ସିଡନୀ, ବ୍ୟାଙ୍କକ୍‌ ଓ ସିଙ୍ଗାପୁରର ମ୍ୟୁଜିୟମରେ ମଧ୍ୟ ପ୍ରିୟଙ୍କାଙ୍କ ପ୍ରତିକୃତି ରହିଥିଲା। ପ୍ରଥମ ଭାରତୀୟ ସେଲିବ୍ରିଟି ଭାବେ ପିସି ଏପରି ରେକର୍ଡ କରିଛନ୍ତି । ବଲିଉଡ୍‌ରେ ଅନେକ ଫିଲ୍ମରେ କାମ କରିବା ପରେ ‘କ୍ଵାଣ୍ଟିକୋ’ ଟେଲି ସିରିଜ୍‌ରେ ଅଭିନୟ କରି ବେଶ୍‌ ପ୍ରଶଂସନୀୟ ହୋଇଛନ୍ତି ।

ମହିଳା ଟି- ଟ୍ୱେଣ୍ଟି  : ଭାରତକୁ ହରାଇ ନ୍ୟୁଜିଲାଣ୍ଡର ସିରିଜ୍‌ କବ୍‌ଜା

ଅକଲାଣ୍ଡ୍‌ଠାରେ ଚାଲିଥିବା ନ୍ୟୁଜିଲାଣ୍ଡ –ଭାରତ ମଧ୍ୟରେ  ଚାଲିଥିବା ଟି- ଟ୍ୱେଣ୍ଟିର ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ମହିଳା ଟିମ୍‌କୁ ଚାରି ୱିକେଟ୍‌ରେ ହରାଇ ନ୍ୟୁଜିଲାଣ୍ଡ୍‌ ସିରିଜି ହାତେଇ ନେଇଛି । ଅକଲାଣ୍ଡର ଇଡେନ୍‌ ପାର୍କଠାରେ ଚାଲିଥିବା ଏହି ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ ହରାଇ ୨୦ ଓଭରରେ ୧୩୫ ରନ୍‌ କରିଥିବାବେଳେ ଏହାର ଜବାବ୍‌ ଦେଇ ନ୍ୟୁଜିଲାଣ୍ଡ୍‌ ଟିମ୍‌ ୨୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୧୩୬ ରନ୍‌ କରି ଏହି ମ୍ୟାଚ୍‌କୁ ଜିତିଯାଇଛନ୍ତି ।

ଫୁଟବଲ୍‌ କୋଚ୍‌ ହେବେ ଡେଜି

ଅଭିନେତ୍ରୀ ଡେଜି ଶାହା ଫୁଟ୍‌ବଲ୍‌ କୋଚ୍‌ ହେବେ । ସେ ଏକ ଗୁଜୁରାଟୀ ଫିଲ୍ମରେ ଫୁଟବଲ୍‌ କୋଚ୍‌ ଅବତାରରେ ନଜର ଆସିବେ । ମିଳିଥିବା ସୂଚନା ଅନୁସାରେ ‘ଗୁଜୁରାଟ ୧୧’ରେ ଜରିଆରେ ଡେଜି ଗୁଜୁରାଟୀ ଫିଲ୍ମ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି ।  ଫିଲ୍ମର ଶୁଟିଂ ଚଳିତ ମାସରୁ ଆରମ୍ଭ ହେବ ବୋଲି ଜଣାପଡିଛି । ଡେଜି ‘ଜୟ ହୋ’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ । ପରବର୍ତ୍ତୀ ସମୟରେ ‘ହେଟ୍‌ଷ୍ଟୋରୀ ୩’ ଓ ‘ରେସ୍‌’ରେ ମଧ୍ୟ ନଜର ଆସିଥିଲେ ।

୨୦୧୯-୨୦ ବର୍ଷ ପାଇଁ କାମଚଳା ବଜେଟ୍‌ ଉପସ୍ଥାପିତ : ୧.୩୨ ଲକ୍ଷ କୋଟିର ବଜେଟ୍‌

ନିର୍ବାଚନୀ ବର୍ଷ ଥିବାରୁ ସରକାର ପ୍ରଥମ ୪ ମାସ ପାଇଁ ୫୬, ୯୨୧ କୋଟି ଲେଖାନୁଦାନ ଆଗତ କରିଛନ୍ତି। ୨୦୧୯-୨୦ ବର୍ଷ ପାଇଁ ୧ ଲକ୍ଷ ୩୨ ହଜାର ୬୬୦ କୋଟି  ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ବଜେଟରେ କାଳିଆ ଯୋଜନା ପାଇଁ ସର୍ବାଧିକ ୪୪୬୧ କୋଟି ବ୍ୟୟବରାଦ କରାଯାଇଛି । କୃଷି, ଖାଦ୍ୟ ନିରାପତ୍ତା, ସାମାଜିକ ନିରାପତ୍ତା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜନଜାତି ବିକାଶ, ଯୁବଗୋଷ୍ଠୀଙ୍କ ପାଇଁ କାର୍ଯ୍ୟକ୍ରମ, ଶିକ୍ଷା, କୁଶଳୀ ଓଡ଼ିଶା, କ୍ରୀଡ଼ା, ଜଳସେଚନ ଆଦି ଉପରେ ବଜେଟ୍ ରେ ଗୁରୁତ୍ଵ  ଦିଆଯାଇଛି। 

କାର୍ତ୍ତି ଚିଦାମ୍ୱରମଙ୍କୁ ୬ଘଣ୍ଟା ଘାଣ୍ଟିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କ ପୁଅ କାର୍ତ୍ତି ଚିଦାମ୍ୱରମଙ୍କୁ  ୬ଘଣ୍ଟା ମାରାଥନ୍ ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲାରେ ଅନ୍ୟ ଦୋଷୀ ଓ ସାକ୍ଷୀଙ୍କ ବୟାନ ଆଧାରରେ କାର୍ତ୍ତିଙ୍କୁ ଇଡି ଅଧିକାରୀ ପଚରାଉଚରା କରିଥିବା ସୂଚନା ମିଳିଛି। ପରେ ପୁଣି ଥରେ ସମନ କରିପାରେ ଇଡି। କାର୍ତ୍ତିଙ୍କୁ ପୂର୍ବରୁ ଅନେକ ଥର ବି ପଚରାଉଚରା କରାଯାଇଛି। ଗତବର୍ଷ ଏହି ମାମଲାରେ ଇଡି କାର୍ତ୍ତିଙ୍କର ଭାରତ ଓ ବିଦେଶରେ ଥିବା ପାଖାପାଖି ୫୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।

ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ

ସିବିଆଇ ମାମଲାରକୁ ନେଇ ରାଜନୈତିକ ବିବାଦ ଥମି ନଥିବା ବେଳେ ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଲପାଇଗୁଡ଼ିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ସରକାରୀ କାର୍ଯ୍ୟକ୍ରମ ପରେ ଏକ ଜନସଭାକୁ ସମ୍ବୋଧିତ କରିବେ। ତେଣୁ କଣ କହିବେ ପ୍ରଧାନମନ୍ତ୍ରୀ ତାଉପରେ ସମସ୍ତଙ୍କର ନଜର ରହିଛି। କୋଲକାତା ପୋଲିସ କମିସନଙ୍କ ବାସଭବନରେ ସିବିଆଇ ପ୍ରବେଶ ଉଦ୍ୟମ କରିବା ଓ ପଶ୍ଚିମବଙ୍ଗ ପୋଲିସ ଅଟକାଇବାକୁ ନେଇ ରାଜନୀତି ତୀବ୍ର ହୋଇଥିଲା। ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ଦିଦି। ସତ୍ୟାଗ୍ରହରେ ବି ବସିଥିଲା। ଏବେ ମୋଦି ଦିଦିଙ୍କ ଗଡରେ କି ଆଭିମୁଖ୍ୟ ରଖୁଛନ୍ତି ତାକୁ ଅପେକ୍ଷା।

ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି

ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି। ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ରହିଛି। ଅକଲାଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ତେଣୁ ବିଜୟ ଲକ୍ଷ୍ୟରେ ମୈଦନାକୁ ଓହ୍ଲାଇମ ଟିମ୍ ଇଣ୍ଡିଆ। ଯଦି ମ୍ୟାଚ୍ ହାରିଲା, ସିରିଜ ହାତ ଛଡ଼ା ହୋଇଯିବ। ତେଣୁ ଆଶା କରାଯାଉଛି ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ ହୋଇପାରେ। ଆଜି ଦୁଇ ଜଣ ସ୍ପିନରଙ୍କୁ ଖେଳାଇ ପାରନ୍ତି ରୋହିତ। ସେହିପରି ଜଣେ ଅଲରାଉଣ୍ଡରଙ୍କୁ ମଧ୍ୟ ବସିବାକୁ ପଡ଼ିପାରେ। ସେପଟେ ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତକୁ ଶୋଚନୀୟ ଭାବରେ ହରାଇଥିବାରୁ କିଓ୍ୱି ବାହିନୀ ବିଜୟ ସହ ଆଗୁଆ ଶୃଙ୍ଖଳା କବଜା ଲକ୍ଷ୍ୟରେ ବି ରହିଛି।

 

ବେସାମରିକ ବିମାନ ଚଳାଚଳ ସଚିବ ହେଲେ ପ୍ରଦୀପ ସିଂହ ଖରୋଲା

ଏୟାର ଇଣ୍ଡିଆ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲାଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ କରାଯାଇଛି । ଖରୋଲା ୧୯୮୫ ବ୍ୟାଚ୍‌ କର୍ଣାଟକ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ଅଧିକାରୀ । ତାଙ୍କୁ ୨୦୧୭ ନଭେମ୍ବରରେ ଏୟାର ଇଣ୍ଡିଆର ସିଏମ୍‌ଡି ଭାବେ ନିଯୁକ୍ତ କରାଯାଇଥିଲା । ପୂର୍ବତନ ସଚିବ ରାଜୀବ ନୟନ ଚୌବେ ଚଳିତ ବର୍ଷ ଜାନୁୟାରୀ ୩୧ରେ ଅବସର ନେଇଛନ୍ତି ।

ରାଜନୀତି ମଇଦାନରେ ନୂଆ ଇନିଂସ୍‌ ଆରମ୍ଭ କରିବେ ବୀରୁ !

ବିଜେପିର ହାତ ଧରିବେ ବୀରୁ । ଭାରତୀୟ ଟିମର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ୍ ବିଜେପିରେ ଯୋଗଦେବେ ବୋଲି ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । କ୍ରିକେଟ୍ ଜଗତରୁ ସନ୍ୟାସ ନେଇଥିବା ଏହି ବିସ୍ଫୋରକ ଭାରତୀୟ ବ୍ୟାଟ୍ସମ୍ୟାନ ରାଜନୀତି ଜଗତରେ ଆରମ୍ଭ କରିବେ ନୂଆ ଇନିଂସ । ଏପରିକି ଆସନ୍ତା ଲୋକସଭା ନିର୍ବାଚନରେ ହରିୟାଣା ରୋହତକ ସଂସଦୀୟ ଆସନରୁ ଲଢ଼ିପାରନ୍ତି ବୋଲି ସୂଚନା ମିଳିଛି ।

ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା ଓ ପୁଲିସ ଧସ୍ତାଧସ୍ତି

ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା ଓ ପୁଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଆରବିଆଇ ଅଫିସ ଆଗରେ ପୁଲିସ ଅଟକାଇଥିଲା । ଏହି ସମୟରେ ଉଭୟଙ୍କ ମଧ୍ୟରେ ଠେଲାପେଲା ସୃଷ୍ଟି ହୋଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ପୁଲିସ ଶତାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଶହଶହ ବିଜେପି କର୍ମୀ ରାଜଧାନୀ ଲୋୟର ପିଏମଜିରେ ଏକାଠି ହୋଇ ବିଧାନସଭା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।

ନୂଆ ଟିଭି ଶୋ’ ନେଇ ଆସୁଛନ୍ତି ସଲମାନ୍‌ ଖାନ୍‌

‘ଦ କପିଲ ଶର୍ମା’ ଶୋ’ ସଫଳ ହେବା ପରେ ଏବେ ପୁଣି ନୂଆ ଟିଭି ଶୋ’ ଆଣିବାକୁ ଯାଉଛନ୍ତି ବଲିଉଡ୍‌ର ଦବଙ୍ଗ୍ ଷ୍ଟାର୍ ସଲମାନ୍ ଖାନ୍‌ । ଗାମା ପହିଲବାନଙ୍କ ଉପରେ ଆଧାରିତ ଥିବା ଏହି ଶୋ’ଟିକୁ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସଲମାନ୍‌ ଖାନ୍‌ । ଏହି ଶୋ’ ମାଧ୍ୟମରେ ପ୍ରଥମ ଥର ପାଇଁ ସୋହେଲ୍ ଖାନ୍‌ ଛୋଟ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ସୋହେଲଙ୍କ ସମେତ ଧାରାବାହିକ ‘ସାଥିଆ’ର ମୁଖ୍ୟ ଅଭିନେତା ମହମ୍ମଦ ନଜିମ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ଜଣା ପଡ଼ିଛି । ଶୋ’ଟି ଅପ୍ରେଲ ମାସରେ ପ୍ରସାରିତ ହେବ ବୋଲି ଜଣା ପଡ଼ିଛି । ଏହାର ସୁଟିଂ ଲଣ୍ଡନ ଏବଂ ପଞ୍ଜାବରେ କରାଯିବ ।

ନାଗେଶ୍ଵର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ଵର ରାଓଙ୍କୁ ସୁପ୍ରିମ୍‌କୋର୍ଟଙ୍କ ବଡ଼ ଝଟ୍‌କା । ଅଦାଲତ ଅବମାନନା ନେଇ ନାଗେଶ୍ଵରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌ ଜାରି କରାଯାଇଛି । ଫେବୃଆରୀ ୧୨ ତାରିଖରେ ବ୍ୟକ୍ତିଗତ ହାଜର ପାଇଁ ନାଗେଶ୍ୱରଙ୍କୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ଅଫିସର ଏ.କେ. ଶର୍ମାଙ୍କୁ ନାଗେଶ୍ଵର ରାଓ ବଦଳି କରିବା ନେଇ ଏହି ନୋଟିସ୍‌ ଜାରି କରାଯାଇଛି । ମୁଜାଫରପୁର ସେଲଟର୍‌ ହୋମର୍‌ ତଦନ୍ତ କରୁଥିଲେ ଶ୍ରୀ ଶର୍ମା । ସୁପ୍ରିମ୍‌କୋର୍ଟଙ୍କ ବିନା ନିଷ୍ପତ୍ତିରେ ନାଗେଶ୍ଵର ରାଓ ଶର୍ମାଙ୍କୁ ବଦଳି କରିଥିଲେ ।

ମାର୍ଚ୍ଚ ୯ରେ ଶ୍ଲୋକାଙ୍କୁ ବିବାହ କରିବେ ଆକାଶ

ପୁଣି ଥରେ ମୁକେଶ ଅମ୍ବାନୀଙ୍କ ଘରେ ସାହାନାଇ ବାଜିବ । ଡିସେମ୍ବରରେ ଅମ୍ବାନୀ ତାଙ୍କ ଅଲିଅଳୀ ଝିଅ ଈଶାଙ୍କ ବିବାହ କରିଥିବାବେଳେ ମାର୍ଚ୍ଚ ୯ରେ ତାଙ୍କ ବଡ଼ପୁଅ ଆକାଶ ଅମ୍ବାନୀ ତାଙ୍କ ପିଲାଦିନର ବାନ୍ଧବୀ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଜୁନ୍‌ ୨୦୧୮ରେ ଦୁହେଁ ନିର୍ବନ୍ଧ କରିଥିଲେ । ଦୁହିଁଙ୍କ ବାହାଘର ୯ ମାର୍ଚ୍ଚ ଜିୟୋ ୱାର୍ଲ୍ଡ ସେଣ୍ଟରଠାରେ କରିବେ । ୧୦ ମାର୍ଚ୍ଚରେ ‘ମଙ୍ଗଳ ପର୍ବ’ ଆୟୋଜିତ ହେବାକୁ ଥିବାବେଳେ ୧୧ ମାର୍ଚ୍ଚରେ ଗ୍ରାଣ୍ଡ୍ ରିସ୍‌ପେସନ୍‌ ଅନୁଷ୍ଠିତ ହେବ ।

ଛତିଶଗଡ଼ରେ ପୁଲିସ- ମାଓବାଦୀ ଗୁଳି ବିନିମୟ, ୧୦ ମାଓବାଦୀ ମୃତ

ଛତିଶଗଡ଼ ବିଜାପୁର ଜିଲ୍ଲା ଧରମଗଡ଼ ଜଙ୍ଗଲରେ ଚାଲିଥିବା ଏକ ମାଓ କ୍ୟାମ୍ପ୍ ଉପରେ ସୁରକ୍ଷା କର୍ମୀ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉ ସମୟରେ ମାଓବାଦୀ- ପୁଲିସ ଗୁଳିବିନିମୟରେ ୧୦ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଘଟଣାସ୍ଥଳରୁ ପୁଲିସ ୧୧ଟି ବନ୍ଧୁକ ଜବତ କରିଥିବା ବେଳେ ମୃତ ମାଓବାଦୀଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି କୁହାଯାଇଛି । ବିଜାପୁର ଏସ୍‌ପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଧରମଗଡ଼ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୁଲିସକୁ ଠୋସ୍ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ସିଆରପିଏଫ, ଏସଟିଏଫ୍ ଓ ଜିଲ୍ଲା ପୁଲିସକୁ ନେଇ ଗଠିତ ଟିମ୍‌ ଚଢ଼ାଉ କରିଥିଲେ ।

କେରଳ ମତ୍ସ୍ୟଜୀବୀଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ଶଶି କଲେ ସୁପାରିଶ୍‌

କଂଗ୍ରେସ ସାଂସଦ ଶଶି ଥରୁର୍‌ କେରଳରେ ୨୦୧୮ରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଅନେକ ଲୋକଙ୍କ ପ୍ରାଣ ବଞ୍ଚାଇଥିବା ମତ୍ସ୍ୟଜୀବୀଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ସୁପାରିଶ୍‌ କରିଛନ୍ତି । ଏନେଇ ଶ୍ରୀ ଥରୁର୍‌ ନର୍‌ୱେର ନୋବେଲ୍‌ ଶାନ୍ତି କମିଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି । କେରଳର ମତ୍ସ୍ୟଜୀବୀଙ୍କ ସାହସକୁ ପ୍ରଶଂସା କରି ଶ୍ରୀ ଥରୁର୍‌ କହିଛନ୍ତି ଯେ ଏମାନେ ନିଜ ଜୀବନକୁ ପାଣିଛଡ଼ାଇ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ।