ଭୁବନେଶ୍ବର ଏବଂ ଭଦ୍ରକ ପରେ କଟକ ସହରରେ ବି ୪୮ଘଣ୍ଟିଆ ସଟ୍ ଡାଉନ୍‌

କଟକରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ଖବର ଆସିଲା ପରେ କଟକ ସହରକୁ ମଧ୍ୟ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ ଡାଉନ୍‌ର ଘୋଷଣା କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ଆଜି କିଛି ଘଣ୍ଟା ପୂର୍ବରୁ ଭୁବନେଶ୍ବର ଏବଂ ଭଦ୍ରକକୁ ସଂପୂର୍ଣ୍ଣ ସଟ ଡାଉନ୍‌ର ଘୋଷଣା କରାଯାଇଥିଲା। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ସଟ୍‌ ଡାଉନ୍‌ ଜାରି ରହିବ।

କଟକରୁ ଚିହ୍ନଟ ହେଲେ ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ

ଓଡ଼ିଶାରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି। ଏହି ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡିଛି। ଷଷ୍ଠ ପଜିଟିଭି ଜଣକ ଦିଲ୍ଲୀ ଗସ୍ତ କରିଥିବାର ସୂଚନା ରହିଛି। ପୂର୍ବରୁ ଆଉ ପାଞ୍ଚ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରରୁ ୪ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଜଣେ ଏବେ କଟକରୁ ଆଉ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି।

ଜମ୍ମୁ କାଶ୍ମୀରରୁ ୪ଲସ୍କର ଆତଙ୍କୀ ଗିରଫ

ଜମ୍ମୁ କାଶ୍ମୀର ପୋଲିସ୍ ୪ ଲସ୍କର ଆତଙ୍କୀଙ୍କୁ ଗିରଫ କରିଛି। ଜମ୍ମୁ କାଶ୍ମୀରରୁ କୁପୱାରା ଜିଲ୍ଲାର ହଣ୍ଡୱାରାରୁ ପୋଲିସ୍ ଏହି ୪ ଆତଙ୍କୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଆତଙ୍କୀଙ୍କ ସୂଚନା ମିଳିବା ପରେ ତିନି ସ୍ଥାନରେ ଚଢାଉ କରାଯାଇ ଚାରି ଆତଙ୍କୀଙ୍କୁ ଗିରଫ କରାଯିବା ସହିତ ତିନୋଟି ଏକେ -୪୭ ରାଇଫଲ୍‌, ୮ଟି ଏକେ ମାଗ୍‌ଜିନ୍‌. ୩୩୨ ରାଉଣ୍ଡ ରାଇଫଲ୍ ଗୁଳି, ୧୨ଟି ହ୍ୟାଣ୍ଡ ଗ୍ରେନେଡ୍ ଏବଂ ତିନୋଟି ପିସ୍ତଲ ଜବତ କରାଯାଇଛି। ଏହି ଆତଙ୍କୀ ମାନଙ୍କୁ ସହାୟତା କରୁଥିବା ତିନି ଜଣଙ୍କୁ ଗିରଫ କରାଯାଇଛି।

କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବ ଏପ୍ରିଲ୍‌ 5 ରବିବାର : ନରେନ୍ଦ୍ର ମୋଦି

କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସନ୍ତା ଏପ୍ରିଲ୍‌ 5 ତାରିଖରେ ରାତ୍ରି 9ଟା ସମୟରେ ନ ମିନିଟ୍‌ ପାଇଁ  ଘରର ଆଲୋକ ବନ୍ଦ ରଖି ଦୀପ, ମହମବତୀ, ମୋବାଇଲ୍‌ ଫ୍ଲାସ୍ ଲାଇଟ୍‌, ଟର୍ଚ୍ଚ ଲାଇଟ୍‌ ଆଦି ଅନ୍‌ କରିବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ତେବେ ଏହା କରିବା ସମୟରେ ସାମାଜିକ ଦୂରତ୍ବକୁ ଉଲ୍ଲଂଘନ ନ କରିବାକୁ ଉପଦେଶ ଦେଇଛନ୍ତି। ନିଜ ଘରର ଦ୍ବାର ମୁହଁ କିମ୍ବା ବାଲ୍‌କୋନି ସମ୍ମୁଖରେ ଏପରି କରି ସାରା ଦେଶବାସୀ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସମେସ୍ତ ଏକାଠି ହୋଇ ଏହା ବିରୋଧରେ ଲଢିବାକୁ ଚେଷ୍ଟା ଜାରି ରଖିବାର ପ୍ରମାଣ ଦେବାକୁ କହିଛନ୍ତି ମୋଦି।

ଦୁଇ ମାସ ପାଇଁ ସ୍ଥଗିତ ରହିବ ବିଦ୍ୟୁତ ଓ ଜଳ ବିଲ୍‌

ଦେଶରେ ଜାରି ହୋଇଥିବା 21 ଦିନିଆ ଲକ୍‌ ଡାଉନ୍‌ କାରଣରୁ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ସମୟରେ ଆର୍ଥିକ ଗତିବିଧି ଉପରେ ମଧ୍ୟ ବ୍ରେକ୍‌ ଲାଗିଛି। ରାଜସ୍ଥାନର ଗେହଲତ ସରକାର ରାଜ୍ୟର ଶିଳ୍ପ ୟୁନିଟ୍‌ ଓ ଚାଷୀ ତଥା ସାଧାରଣ ଜନତାଙ୍କ ପାଇଁ ବିଜୁଳି ଓ ପାଣିର ବିଲ୍‌କୁ ଦୁଇ ମାସ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।  ଗେହଲତ୍‌ ସରକାରଙ୍କ ସରକାରଙ୍କ ଏହି ନିଷ୍ପତ୍ତି ଲକ୍‌ ଡାଉନ୍‌ କାରଣରୁ ଆର୍ଥିକ ସଂକଟ ସହ ଲଢୁଥିବା ଲୋକଙ୍କୁ ସାହାଯ୍ୟ ମିଳିବ।

ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ, ହସ୍ପିଟାଲ୍‌ରୁ ହେଲେ ଡିସ୍‌ଚାର୍ଜ

ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। କ୍ୟାପିଟାଲ୍‌ ହସ୍ପିଟାଲରୁ ସେ ଡିସ୍‌ଚାର୍ଜ ହୋଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପ୍ରଥମ ଆକ୍ରାନ୍ତ ଜଣକ। ଟୁଇଟ୍‌ ଯୋଗେ ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଏବେ ଓଡ଼ିଶାର ଆଉ ତିନି କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ପୂର୍ବରୁ ଦ୍ବିତୀୟ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ।

କୋଭିଡ୍‌-19 : ନିଟ୍‌ ପରୀକ୍ଷା ସ୍ଥଗିତ ରଖିଲେ କେନ୍ଦ୍ର ସରକାର

କରୋନା ଭାଇରସ୍‌ କାରଣରୁ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା (ନିଟ୍‌) ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ମେ 3 ତାରିଖରେ ନିଟ୍‌ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ଦେଶରେ 21 ଦିନ ବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ସଙ୍ଗରୋଧରୁ ଦୂରେଇ ରହିଥିବା ଆଇଏଏସ୍‌ ଅଧିକାରୀ ନିଲମ୍ବିତ

କରୋନା ସନ୍ଦିଗ୍ଧ ଜନୈକ ଆଇଏଏସ୍‌ ଅଫିସରଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯିବାର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାର ଅବମାନନା କରିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ଆଇଏଏସ୍‌ ଅଧିକାରୀ ଅନୁପମ ମିଶ୍ରଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ ଅବମାନନା କରି ଉତ୍ତର ପ୍ରଦେଶ ଯାଇଥିଲେ । ଉତ୍ତରପ୍ରଦେଶରୁ ମିଶ୍ରଙ୍କୁ ଅଟକ ରଖାଯିବା ପରେ ତାଙ୍କୁ ସରକାର ନିଲମ୍ବନ କରିଛନ୍ତି । କୋଲ୍ଲାମ ଜିଲ୍ଲାପାଳ ବି ଅବ୍‌ଦୁଲ୍‌ ନାସାରଙ୍କ ରିପୋର୍ଟ ଆଧାରରେ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି ।

ସ୍ପେନ୍‌ରେ ଗୋଟିଏ ଦିନରେ ପ୍ରାଣ ହରାଇଲେ 769 : ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର

କରୋନା ଭାଇରସ୍‌ ପ୍ରଭାବରେ ସମଗ୍ର ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍ପେନ୍‌ରେ ଏହି ଭାଇରସ୍‌ ତାଣ୍ଡବ ମଚାଇଛି । ସ୍ପେନ୍‌ରେ ଏହି ଭାଇରସ୍‌ ପ୍ରଭାବରେ ଗୋଟିଏ ଦିନରେ 769 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର ଅତିକ୍ରମ କରିଛି । ଶୁକ୍ରବାର ନୂତନ ଭାବରେ 769 ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା 4800ରେ ପହଞ୍ଚିଛି । ଇଟାଲୀର 4858 ମୃତ୍ୟୁ ପଛକୁ ଏହା ଦ୍ବିତୀୟ ସ୍ଥାନରେ ରହିଛି ।

କରୋନା କବଳରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ । ଶୁକ୍ରବାର ଲଣ୍ଡନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 24 ଘଣ୍ଟ ଧରି ଜନ୍‌ସନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନରହିବାରୁ ପରୀକ୍ଷଣରୁ କରୋନା ସଙ୍କ୍ରମିତ ଥିବା ଜଣାପଡିଛି । ବର୍ତ୍ତମାନ ଜନ୍‌ସନ୍‌ଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ସରକାରୀ କାର୍ଯ୍ୟକଳାପ ଜନ୍‌ସନ୍‌ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ ବ୍ରିଟେନ୍‌ର ଯୁବରାଜ ପ୍ରିନ୍‌ସ ଚାର୍ଲସ୍‌ କରୋନାରେ ସଙ୍କ୍ରମିତ ହୋଇଥିଲେ ।

ଅଭାବୀ ଲୋକଙ୍କ ପାଇଁ ବିଜେପି ବାଣ୍ଟିବ ମୋଦି କିଟ୍‌

କରୋନା ମହାମାରୀ ଯୋଗୁଁ ଭାରତ ସରକାର 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି।  ଏହି ସମୟରେ ବିଜେପି ଅଭାବୀ ତଥା ଗରିବ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଏକ କିଟ୍‌ ବାଣ୍ଟିବ ବୋଲି ଘୋଷଣା କରିଛି । ମୋଦି କିଟ୍‌ ନାମରେ ଏହି କିଟ୍‌ରେ ରହିଛି ଦୁଇ ଲିଟର ତେଲ, ଦୁଇ କିଲୋ ଚାଉଳ, ଏକ କିଲୋ ଡାଲି, ଏକ କିଲୋ ଚିନି, ଦୁଇଶହ ଗ୍ରାମ ଲଙ୍କା ଗୁଣ୍ଡ, ହଳଦୀ, ସୋରିଷ, ଧନିଆ ପାଉଡର୍‌, 250 ଗ୍ରାମ ଚା’ ପତି, ଏକ କିଲୋ ଲୁଣ, 500 ଗ୍ରାମ ଚଣା,  4ଟା ଲୁଗାସଫା ସାବୁନ୍‌, ଗୋଟିଏ ଗାଧୋଇବା ପାଇଁ ସାବୁନ୍‌, ପାଞ୍ଚ କିଲୋ ଅଟା, ଚାରୋଟି ପାର୍ଲଜି ବିସ୍କୁଟ ଆଦି ରହିଛି ।

ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଚିୁହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ସ୍ବାସ୍ଥ୍ୟ ବିଭାଗର ଟ୍ବିଟ୍ଟର ହ୍ୟାଣ୍ଡେଲ୍‌ରେ ଗୁରୁବାର ଦିନ ଏହି ସୂଚନା ମିଳିଛି । ଆକ୍ରାନ୍ତ ଜଣକ ଭୁବନେଶ୍ବରର ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆକ୍ରାନ୍ତ ଜଣକ ବିଦେଶ ଫେରନ୍ତା କି ଅନ୍ୟ ରାଜ୍ୟରୁ ଆସିଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ଉଲ୍ଲେଖମଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 694ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 16ରେ ପହଞ୍ଚିଛି ।

ଦିନ ମଜୁରିଆଙ୍କୁ 10 ଲକ୍ଷ ପ୍ୟାକେଟ୍‌ ରାସନ ପ୍ରଦାନ କରିବେ ପଞ୍ଜାବ ସରକାର

କରୋନା ପ୍ରଭାବରେ ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଦିନ ମଜୁରିଆଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ପଞ୍ଜାବ ସରକାର । ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଦିନ ମଜୁରିଆଙ୍କ 10 ଲକ୍ଷ ରାସନ୍‌ ପ୍ୟାକେଟ୍‌ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ୟାକେଟ୍‌ରେ 10 କିଗ୍ରା ଅଟା, 2 କିଗ୍ରା ଶସ୍ୟ ଏବଂ 2 କିଗ୍ରା ଚିନି ରହିବ । ଏହି ପ୍ୟାକେଟ୍‌ ଗୁଡିକୁ ବିଭିନ୍ନ ବସ୍ତିରେ ରହୁଥିବା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ମଧ୍ୟରେ ବଣ୍ଟାଯିବ । ପଞ୍ଜାବ ପୋଲିସ୍‌ ପକ୍ଷରୁ ଦ୍ବାର ଦ୍ବାର ବୁଲି ଏହି ପ୍ୟାକେଟ୍‌ ବିତରଣ କରାଯିବ ।

କରୋନା ଆତଙ୍କ : ଆମେରିକୀୟ ଜେଲ୍‌ରୁ ଚମ୍ପଟ ମାରିଲେ 9 ମହିଳା କଏଦୀ

ଆମମେରିକୀୟ ଜେଲ୍‌ରୁ ଚମ୍ପଟ ମାରିଛନ୍ତି 9 ମହିଳା କଏଦୀ । କରୋନା ଆତଙ୍କ ଦିନକୁ ଦିନ ବଢି ଚାଲିଥିବା ବେଳେ ଭୟରେ ଏହି 9ମହିଳା କଏଦୀ ଜେଲ୍‌ରୁ ଚମ୍ପଟ ମାରିଛନ୍ତି । ସାଉଥ୍‌ ଡାକୋଟାର ଏହି ଜେଲ୍‌ରୁ 9 ଜଣ ଅନ୍ତେବାସୀ ଚମ୍ପଟ ମାରିଛନ୍ତି । ଜେଲ୍‌ର ଜଣେ କଏଦୀ କରୋନା ଆକ୍ରାନ୍ତ ଥିବା ଜଣା ପଡିବ ପରେ ଭୟରେ ଏହି କଏଦୀ ମାନେ ଚମ୍ପଟ ମାରିଥିବା ଜଣାପଡିଛି । ସୋମବାର ଏହି କଏଦୀ ମାନେ ଚମ୍ପଟ ମାରିଥିବା ବେଳେ ବୁଧବାର ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଇଏମ୍‌ଆଇ ଆଦାୟ ଉପରେ କଟକଣା ଲଗାଇଲେ ତାମିଲନାଡୁ ସରକାର

ଦେଶରେ କରୋନା ଭାଇରସ୍‌ ଆତଙ୍କର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି । ଏହି ସମୟରେ ସାଧାରଣ ଲୋକଙ୍କ ଆୟର କୌଣସି ପନ୍ଥା ନଥିବା ବେଳେ ଇଏମ୍‌ଆଇ ଏବଂ ଅନ୍ୟାନ୍ୟ ଋଣ ଭରିବାକୁ ପଡିବ । ତେଣୁ ଏହି ଜରୁରୀ କାଳୀନ ସମୟରେ ସମୟରେ କୌଣସି ଋଣ ଅର୍ଥ, ସୁଧ ଏବଂ ଇଏମ୍‌ଆଇ ଆଦାୟ ଉପରେ କଟକଣା ଜାରି କରିଛନ୍ତି ତାମିଲନାଡୁ ସରକାର । ଏହି ସମୟରେ ଋଣ ରାଶି ଆଦାୟ କରାଗଲେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ବାସହୀନଙ୍କ ପାଇଁ ବାସସ୍ଥଳୀ ପାଲଟିଛି କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌

ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ସ୍ଥଗିତ ରହିବା ପରେ ବାସହୀନଙ୍କ ପାଇଁ ଏହା ବାସସ୍ଥଳୀରେ ପରିଣତ ହୋଇଛି । ଫ୍ରେଞ୍ଚ ରିଭିଏରାରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ଜୁନ୍‌ ପର୍ଯ୍ୟନ୍ତ ସ୍ଥଗିତ ରହିବା ପରେ ଆୟୋଜକ ମାନେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିଛନ୍ତି । ପ୍ରତ୍ୟେକ ରାତ୍ରିରେ 50 ରୁ 70 ଜଣ ଲୋକଙ୍କୁ ଆଶ୍ରୟ ପ୍ରଦାନ କରାଯାଉଛି ବୋଲି କାନ୍ସ ଟାଉନ୍‌ ହଲ୍‌ର ମୁଖ୍ୟ ଡୋମିନିକ୍‌ ଅଡେ ଲାସେଟ୍‌ ପ୍ରକାଶ କରିଛନ୍ତି ।

କରୋନା ଆତଙ୍କ : ଏନ୍‌ପିଆରକୁ ସ୍ଥଗିତ ରଖିଲା ଗୃହ ମନ୍ତ୍ରାଳୟ

ଦେଶରେ କରୋନାର ବର୍ଦ୍ଧିତ ପ୍ରଭାବ କାରଣରୁ ଏନ୍‌ପିଆର ଓ ଜନଗଣନାକୁ ସ୍ଥଗିତ ରଖିଛି ଗୃହ ମନ୍ତ୍ରାଳୟ । ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ବୁଧବାର 34 ଜଣ ନୂତନ ସଂକ୍ରମିତଙ୍କ ସହିତ ଦେଶରେ ସମୁ ଦାୟ ସଂକ୍ରମିତଙ୍କ ସଂଖ୍ୟା 562ରେ ପହଞ୍ଚିବା ପରେ ଏନ୍‌ପିଆରକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗୃହ ମନ୍ତ୍ରାଳୟ ।

କୋଭିଡ୍‌ 19 : କରୋନା କବଳରେ ବ୍ରିଟେନ୍‌ ଯୁବରାଜ

ସମଗ୍ର ବିଶ୍ବରେ ଏହାର ତାଣ୍ଡବ ମଚାଇଥିବା କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍‌ର ଯୁବରାଜ ପ୍ରିନ୍‌ସ ଚାର୍ଲସ୍‌ । ବୁଧବାର ପ୍ରିନ୍‌ସ ଚାର୍ଲସ୍‌ଙ୍କ କରୋନା ସଙ୍କ୍ରମଣ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ବଙ୍କିଂହାମ୍ ପ୍ୟାଲେସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ସମଗ୍ର ବିଶ୍ବରେ ବର୍ତ୍ତମାନ ସୁଦ୍ଧା କରୋନା ପ୍ରଭାବରେ 16 ହଜାର ପ୍ରାଣହାନି ଘଟିଥିବା ବେଳେ ଆଜି ପ୍ରିନ୍‌ସ ଚାର୍ଲସ୍‌ ସଙ୍କ୍ରମିତ ହୋଇଛନ୍ତି । ଏହି ସୂଚନା ମିଳିବା ପରେ ବ୍ରିଟେନ୍‌ ରାଜପ୍ରସାଦର ସମସ୍ତ କର୍ମଚାରୀଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଡାକ୍ତର ନର୍ସଙ୍କୁ ଆଗୁଆ ଦରମା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା । ରାଜ୍ୟର ସମସ୍ତ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଆଗୁଆ ଦରମା ଘୋଷଣା କରାଯାଇଛି । ଡାକ୍ତର ଏବଂ ନର୍ସ ମାନଙ୍କୁ ଚାରି ମମାସର ଆଗୁଆ ଦରମା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଘୋଷଣା କରିଛନ୍ତି । ସେହିପରି ଡାକ୍ତରଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଲୋକଙ୍କୁ ବାନ୍ଧିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ଜରୁରୀ କାଳୀନ ପରସ୍ଥିତିରେ ସମଗ୍ର ଦେଶ ଡାକ୍ତରଙ୍କ ସହିତ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

ଆୟକର ଦାଖଲ ସମୟସୀମା ଜୁନ୍‌ 30କୁ ବୃଦ୍ଧି କଲେ ସରକାର

ସମଗ୍ର ଦେଶ ବର୍ତ୍ତମାନ କରୋନା ଭାଇରସ୍‌ ପ୍ରଭାବରେ ଅଚଳ ହୋଇଥିବା ବେଳେ ଦେଶରେ ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁ ଜାରି ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟକର ଦାଖଲର ସମୟସୀମାରେ ବୃଦ୍ଧି ଘଟାଯାଇଛି । ସମଗ୍ର ଦେଶରେ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇପଡିଥିବା ବେଳେ ସରକାରଙ୍କ ଏହି ଘୋଷଣା ଆୟକର ଦାଖଲ କାରୀଙ୍କମ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ ରହିଛି । ପୂର୍ବରୁ ମାର୍ଚ୍ଚ 31, 2020 ଆୟକର ଦାଖଲର ଅନ୍ତିମ ତାରିଖ ରହିଥିବା ବେଳେ ମଙ୍ଗଳବାର ଏହାକୁ ଜୁନ୍ 30, 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କରୋନା ଆତଙ୍କ : ଏକ ବର୍ଷ ପାଇଁ ଘୁଞ୍ଚିଲା ଅଲମ୍ପିକ୍ସ

ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡାକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି । କରୋନା ଆତଙ୍କମ କାରଣରୁ ଏକହି ପଦକ୍ଷେପ ନିଆଯାଇଛି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅଲମ୍ପିକ୍ସ ଘୁଞ୍ଚାଇବାର ପ୍ରସ୍ତାବ ଦେଇଥିବା ବେଳେ ମଙ୍ଗଳବାର ଅଲମ୍ପିକ୍ସ କମିଟି ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଅଲମ୍ପିକ୍ସ ସଂଘ ସଭାପତି ଥୋମାସ୍‌ ବାକ୍‌ ଏହି ଘୋଷଣା କରିଛନ୍ତି । ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନଥିଲେ ମଧ୍ୟ 2021 ପର୍ଯ୍ୟନ୍ତ ଅଲମ୍ପିକ୍ସକୁ ଘୁଞ୍ଚାଇ ଦିଆଯାଇଛି ।

ଦଶମ ମୁଣ୍ଡ ନେଲା କରୋନା : ହିମାଚଳରେ ପ୍ରଥମ ମୃତ୍ୟୁ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସୋମବାର ତିନି ଜଣଙ୍କର ପ୍ରାଣହାନି ଘଟିଛି । ତିନି ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ହିମାଚଳ ପ୍ରଦେଶରେ ପ୍ରଥମ ମୃତ୍ୟୁ ହେବା ସହିତ ମୃତକଙ୍କ ସଂଖ୍ୟା 10ରେ ପହଞ୍ଚିଛି । ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା 490 ଛୁଇଁଛି । ମୃତକ ଜଣକ ଟାଟା ମେମୋରିଆଲ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି ।

ଗୋପାଳପୁର ବେଳାଭୂମିରୁ 16 ଫୁଟର ତିମି ଠାବ

ଗୋପାଳପୁର ବେଳାଭୂମିରେ ରବିବାର ପୂର୍ବାହ୍ନରେ ଏକ ମୃତ ତିମି ଠାବ କରାଯାଇଛି । 2ଟନ୍‌ ଓଜନର ଏହି ତିମିଟି 16 ଫୁଟ୍‌ 4 ଇଞ୍ଚ ବୋଲି ଜଣାପଡିଛି । ଗୋପାଳପୁରର ନୂଆବକ୍ସିପଲ୍ଲୀରେ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀ ମାନେ ଏହି ବିଶାଳକାୟ ତିମିଟିକୁ ଉଦ୍ଧାର କରିଥିଲେ । ପେଟ ପାଖ ଧଳା, ଉପର ପାଶ୍ୱର୍ ଇଷତ୍‌ ନୀଳ ଓ ଧଳା ଛିଟା ରହିଥିବା ଏହି ତିମି ହ୍ୱେଲ୍‌ ଶାର୍କ ପ୍ରଜାତିର ବୋଲି ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ତେବେ ଏହି ପୁରଷ ତିମିର ସ୍ବାଭାବିକ ମୃତ୍ୟୁ ହୋଇଥିବା ପ୍ରକାଶ କରାଯାଇଛି ।

ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ ଶିବରାଜ ଚୌହାନ

ମଧ୍ୟପ୍ରଦେଶ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କମଲନାଥ ସରକାର ଭାଙ୍ଗିବା ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଆଶଙ୍କା ରହିଥିଲା । ତେବେ ସୋମବାର ଦିନ ସନ୍ଧ୍ୟାରେ ଶିବରାଜ ସିଂ ଚୌହାନଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଆଜି ଶିବରାଜ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ।

କୋରୋନା ମୁକାବିଲା ପାଇଁ ତିନି ମାସର ଦରମା ପ୍ରଦାନ କଲେ ନବୀନ

ରାଜ୍ୟରେ କୋରୋନା ସଙ୍କଟ ଭୟଙ୍କର ରୂପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ 14ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନି ମାସର ବେତନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ମୁଖ୍ୟମନ୍ତ୍ରୀ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । କୋଭିଡ୍-19 ପାଇଁ ଗଠିତ ଫଣ୍ଡକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ଏହା ସହିତ ଅନ୍ୟମାନେ ସ୍ବତଃପ୍ରୋତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରିବା ପାଇଁ ନବୀନ ଅନୁରୋଧ କରିଛନ୍ତି ।

ମାର୍ଚ୍ଚ 24 ତାରିଖରେ ଆଇପିଏଲ୍‌-13ର ଭାଗ୍ୟ ନିର୍ଦ୍ଧାରଣ!

ଦେଶରେ କୋରୋନା ଭାଇରସ୍‌ର ସଙ୍କଟ ଦିନକୁ ଦିନ ବଢି ଚାଲିଥିବା ବେଳେ କ୍ରୀଡାପ୍ରେମୀଙ୍କ ପାଇଁ ଦୁସମ୍ବାଦ ମିଳିଛି । ଟି 20 କ୍ରୀଡାର ମହାକୁମ୍ଭ ଆଇପିଏଲ୍‌ ଆୟୋଜନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ 24 ତାରିଖରେ ଆଇପିଏଲ୍‌ର ଭାଗ୍ୟ ନିର୍ଦ୍ଧାରଣ କରାଯିବ । ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଆସନ୍ତା ମଙ୍ଗଳବାର ଦିନ ଏକ ବୈଠକ କରିବା ପରେ ଆଇପିଏଲ୍‌ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆସନ୍ତା ମଙ୍ଗଳବାର ଦିନ କନ୍‌ଫରେନ୍ସିଂ କଲ୍‌ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ ।

ସିନ୍ଧିଆଙ୍କ ଉପସ୍ଥିତିରେ ବିଜେପି ମୁଖ୍ୟଙ୍କୁ ଭେଟିଲେ 22 ବିଦ୍ରୋହୀ ବିଧାୟକ

କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ 22 ବିଦ୍ରୋହୀ ବିଧାୟକ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ଏହି 22 ବିଧାୟକ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ବିଜେିପର ରାଜ୍ୟସଭା ପ୍ରାର୍ଥୀ ସିନ୍ଧିଆଙ୍କ ନେତୃତ୍ବରେ 22 ବାଗୀ ବିଧାୟକ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । 22 ବିଧାୟକଙ୍କ ସମେତ ଏହି ବୈଠକରେ ମଧ୍ୟପ୍ରଦେଶର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ଏବଂ କୈଳାଶ ବିଜୟବର୍ଗୀୟା ଏହି ବୈଠକରେ ଉପସ୍ଥିତ ଥିଲେ ।

କୋରୋନା ଭାଇରସ୍‌ ଆତଙ୍କ : ଦିନକୁ 6 ଘଣ୍ଟା ଚାଲିବ ଦିଲ୍ଲୀ ମେଟ୍ରୋ

ଭାରତରେ ଦିନକୁ ଦିନ କୋରୋନାର ପ୍ରଭାବ ବଢି ଚାଲିଥିବା ବେଳେ ଦିଲ୍ଳୀ ମେଟ୍ରୋ ପକ୍ଷରୁ ଏହାର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି । ଗତକାଲି ଜନତା କର୍ଫ୍ୟୁ କାରଣରୁ ଦିଲ୍ଲୀ ମେଟ୍ରୋ ଚଳାଚଳକୁ 10ଟାରୁ 8ଟା ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ସୋମବାର ଠାରୁ ଦୈନିକ 6 ଘଣ୍ଟା ମେଟ୍ରୋ ଚଳାଚଳ କରାଯିବା ପାଇଁ ଘୋଷଣା କରାଯାଇଛି । ସୋମବାର ଠାରୁ ସକାଳ 8ଟାରୁ 10ଟା ଏବଂ ଅପରାହ୍ନ 4ଟାରୁ 8ଟା ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ କରାଯିବ ବୋଲି ଡିଏମ୍‌ଆର୍‌ସି ପକ୍ଷରୁ ସଳଚନା ଦିଆଯାଇଛି ।

ଲକ୍‌ଡାଉନ୍‌ରେ ଯାଦୁଗରୀ ଦେଖାଇଲେ ଶ୍ରେୟସ୍‌ : ଭିଡିଓ ସେୟାର କଲା ବିସିସିଆଇ

କୋରୋନା କାରଣରୁ ସମଗ୍ର ଦେଶ ଏକ ପ୍ରକାର ଅଚଳ ହୋଇ ପଡିଥିବା ବେଳେ ନିଜ ଯାଦୁକରୀ କଳା କୌଶଳର ନିଦର୍ଶନ ଦେଖାଇଛନ୍ତି ଭାରତୀୟ କ୍ରିକେଟର ଶ୍ରେୟସ୍‌ ଆୟାର । ମୁମ୍ବାଇ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଶ୍ରେୟସ୍‌ ନିଜ ଯାଦୁକରୀ କଳା ଦେଖାଇଛନ୍ତି ।

ନିଜ ଭଉଣୀ ନତାଶାଙ୍କୁ କିଛି ତାଶ୍‌ ପତାକୁ ନେଇ ଯାଦୁକରୀ କଳା ଦେଖାଇଥିଲେ । ଶ୍ରେୟସ୍‌ଙ୍କ ଏହି ମ୍ୟାଜିକ୍‌ ଟ୍ରିକ୍‌ସ୍‌ର ଭିଡିଓକୁ ବିସିସିଆଇ ପକ୍ଷରୁ 91 ସେକେଣ୍ଡର ଏହି ଭିଡିଓଟିକୁ ସେୟାର କରାଯାଇଛି ।

ବାଲେଶ୍ବର ନେସ୍କୋ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ବରର ବାଲିଆରେ ରହିଥିବା ନେସ୍କୋର କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ଅଫିସ୍‌ର ଗୋଦାମ ଗୃହରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

ଜନତା କର୍ଫ୍ୟୁ ପାଇଁ ବନ୍ଦ ରହିବ ଟ୍ରେନ୍‌ ଚଳାଚଳ

ଆସନ୍ତା କାଲି ଜନତା କର୍ଫ୍ୟୁ କାରଣରୁ ବିଭିନ୍ନ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯିବ । 22 ତାରିଖ ଭୋର ଚାରିଟାରୁ 22 ତାରିଖ ରାତି 10 ଟା ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ଭାଇରସ୍‌ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁର ଆହ୍ବାନ ଦେଇଥିଲେ । ସକାଳ7ଟାରୁ ରାତି 9ଟା ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ନିଜ ଘରେ ବନ୍ଦ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ଅଡ୍‌-ଇଭିନ୍‌ ନିୟମ

ଜାତୀୟ ରାଜଧାନୀ ନୂଆଦିଲ୍ଲୀ ପରି ରାଜ୍ୟରେ ଲାଗୁ ହେବାକୁ ଯାଉଛି ଅଡ୍‌ ଇଭିନ୍‌ ନିୟମ । ଶନିବାର ଠାରୁ ଏହି ଅଡ୍‌ ଇଭିନ୍‌ ନିୟମ ଲାଗୁ କରାଯିବା ସହିତ କେବଳ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବରର ଗାଡି ଯାତାୟତ କରିବ । ତେବେ ବ୍ୟକ୍ତିଗତ ଗାଡିକୁ ଏହି ନିୟମରୁ ବାଦ ଦିଆଯାଇଛି । କେବଳ ସର୍ବସାଧାରଣ ପରିବହନରେ ବ୍ୟବହୃତ ଗାଡିକୁ ଏହି ନିୟମରେ ସାମିଲ କରାଯିବ । ବସ୍‌, ଟ୍ୟାକ୍ସି ଓ ଅଟୋ ରିକ୍ସାକୁ ଏହି ଅଡ୍‌ ଇଭିନ୍‌ ନିୟମ ମଧ୍ୟରେ ସାମିଲ କରାଯାଇଛି ।

ରାହୁଲଙ୍କୁ ପପ୍ପୁ ବୋଲି ସମ୍ବୋଧନ କଲେ ବିଜେପି ବିଧାୟକ : ଝାଡଖଣ୍ଡ ବିଧାନସଭାରେ ହଙ୍ଗାମା

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିଛନ୍ତି ବିଜେପି ବିଧାୟକ । ଝାଡଖଣ୍ଡ ବିଜେପି ବିଧାୟକ ସିପି ସିଂ ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିବା ପରେ ବିଧାନସଭାରେ ହଙ୍ଗାମା ହୋଇଛି । ସିଂଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ ଏବଂ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

ନିର୍ଭୟା କାଣ୍ଡ : ଜେଲ୍‌ କର୍ତ୍ତୃପକ୍ଷଙ୍କୁ ବ୍ଲାକ୍‌ ବକ୍ସ ଚାବି ହସ୍ତାନ୍ତର କଲେ ଜହ୍ଲାଦ

ଦୀର୍ଘ 7 ବର୍ଷ ପରେ ନିର୍ଭୟା ଗଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ । ଫାଶୀ ଦଣ୍ଡାଦେଶ ପ୍ରଦାନ ପୂର୍ବରୁ ଜହ୍ଲାଦ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ବ୍ଲାକ୍‌ବକ୍ସର ଚାବି ହସ୍ତାନ୍ତର କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ପଓ୍ବନ୍‌ ଜହ୍ଲାଦ ଚାବି ହସ୍ତାନ୍ତର କରିଛନ୍ତି । ତିହାର ଜେଲ୍‌ର ସେଲ୍‌ ନମ୍ବର 3ରେ ପୂର୍ବରୁ ଡମି ଏକ୍ସକ୍ୟୁସନ୍‌ କରାଯାଇଥିବା ବେଳେ ଆସନ୍ତା କାଲି ଭୋର୍‌ 5.30ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯିବ । ଜହ୍ଲାଦ ଚାବି ପ୍ରଦାନ କରିବା ସମୟରେ ଜେଲ ଓ୍ବାର୍ଡେନ୍‌ ଏବଂ ଜେଲ୍‌ ସୁପରିଟେଣ୍ଡେଣ୍ଟ ଉପସ୍ଥିତ ଥିଲେ ।

ଆଇସିସି ଅମ୍ପାୟାର ପ୍ୟାନେଲ୍‌ରେ ସାମିଲ୍‌ ହେଲେ ଦୁଇ ଭାରତୀୟ ମହିଳା

ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ ପକ୍ଷରୁ ଅମ୍ପାୟାର ପ୍ୟାନେଲ୍‌ ଘୋଷଣା କରାଯାଉଛି । ଆଇସିସି ପକ୍ଷରୁ ବୁଧବାର ଘୋଷିତ ନୂତନ ତାଲିକାରେ ଦୁଇ ଜଣ ଭାରତୀୟ ମହିଳା ଅମ୍ପାୟାର ପ୍ୟାନେଲ୍‌ରେ ସ୍ଥାନ ପାଇଛନ୍ତି । ଦୁଇ ଭାରତୀୟ ମହିଳା ଅମ୍ପାୟାର ଜନନୀ ନାରାୟଣନ୍‌ ଏବଂ ବୃନ୍ଦା ରାଠୀଙ୍କୁ ସାମିଲ କରାଯିବା ପରେ ଆଇସସିର ଅମ୍ପାୟର ସଂଖ୍ୟା 12କୁ ବୃଦ୍ଧି ପାଇଛି । ଆଇସିସି ପକ୍ଷରୁ 100% କ୍ରିକେଟ୍‌ କାର୍ଯ୍ୟକ୍ରମ ଜରିଆରେ ଏହି ଦୁଇ ମହିଳାଙ୍କୁ ସାମିଲ କରାଯାଇଛି । ଆଇସିସିର ବରିଷ୍ଠ ମ୍ୟାନେଜର ଆଡ୍ରିଆନ୍‌ ଗ୍ରିଫିଥ୍‌ ଦୁଇ ଭାରତୀୟଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ।

20 ତାରିଖରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବ ଭିସ୍ତାରା

କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି ଭିସ୍ତାରା । ଆସନ୍ତା ମାର୍ଚ୍ଚ 20 ତାରିଖରୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି ଟାଟାର ସହଯୋଗୀ କମ୍ପାନୀ ଭିସ୍ତାରା । କୋରୋନା ପ୍ରଭାବରୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଅନ୍ତର୍ଜାତୀୟ ଉଡାଣ ଉପରେ ରୋକ୍‌ ଲଗାଯାଇଛି । କମ୍ପାନୀ ପକ୍ଷରୁ ପ୍ରାରମ୍ଭିକ ଭାବରେ 11 ଦିନ ପାଇଁ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ମାର୍ଚ୍ଚ 31,2020 ପରେ ସ୍ଥିତିର ସୁଧାର ଆସିଲେ ପୁନର୍ବାର ସେବା ଆରମ୍ଭ କରାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ ବୁଧବାର କୁହାଯାଇଛି ।

ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେଲେ 4 ରାଜ୍ୟସଭା ପ୍ରାର୍ଥୀ

ଓଡିଶାର 4 ଜଣ ରାଜ୍ୟସଭା ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଥିବା ବେଳେ ବିଜୁ ଜନତା ଦଳର 4 ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ 4 ବିଜେଡି ପ୍ରାର୍ଥୀ ମମତା ମହାନ୍ତ, ମୁଜିବୁଲ୍ଲା ଖାଁ, ସୁଜିତ୍‌ କୁମାର ଏବଂ ସୁବାଷ ଚନ୍ଦ୍ର ସିଂଙ୍କୁ ନିର୍ବାଚିତ ବୋଲି ଘୋଷଣା କରିବା ସହିତ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍‌2, 2020ରେ 4 ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ବିଜେଡି ପକ୍ଷରୁ ଏହି ଚାରି ଜଣଙ୍କୁ ମନୋନୀତ କରାଯାଇଥିଲା ।

କୋରୋନା ଆତଙ୍କ : ପ୍ଲାଟଫର୍ମ ଟିକେଟ୍‌ର ମୂଲ୍ୟ 50 ଟଙ୍କା ଛୁଇଁଲା

କୋରୋନା ଭାଇରସ୍‌ ଆତଙ୍କ କାରଣରୁ ବିଭିନ୍ନ ଟ୍ରେନ୍‌ର ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ପ୍ଲାଟଫର୍ମ ଟିକଟର ମୂଲ୍ୟ ଆକାଶ ଛୁଇଁଛି । ପୂର୍ବରୁ ପ୍ଲାଟଫର୍ମ ଟିକଟର ମୂଲ୍ୟ 10 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା 50 ଟଙ୍କାରେ ପହଞ୍ଚିଛି । ଷ୍ଟେସନରେ ଅଯଥା ଭିଡରୁ ମୁକ୍ତି ପାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଭୁବନେଶ୍ବର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର, ବିଶାଖାମପଟ୍ଟନମ୍‌, ବିଜୟନଗରମ୍‌, ଶ୍ରୀକାକୁଲମ୍‌ ରୋଡ୍‌, ରାୟଗଡା ଏବଂ ସମ୍ବଲପୁର ଷ୍ଟେସନ୍‌ ପାଇଁ ଏହି ଦରବୃଦ୍ଧି ଘୋଷଣା କରାଯାଇଛି । ବିଶାଖାପଟ୍ଟନମ୍‌ରେ ଏହି ନିୟମ ଲାଗୁ କରାଯାଇଛି ।

ଦାର୍ଜିଲିଂରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗୋଟିଏ ପରିବାରର 5 ଓଡିଆ ମୃତ

ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 5 ଜଣ ଓଡିଆଙ୍କ ମୃତ୍ୟୁ ଘଟିଛି । ଗାଙ୍ଗଟକରୁ ସିଲିଗୁଡି ଯାଉଥିବା ବେଳେ ଘାଟିରୁ ଗାଡିଟି ଖସିଯିବାରୁ 5 ଜଣ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ପରିବାରର ସ୍ବାମୀ, ସ୍ତ୍ରୀ, ଜ୍ବାଇଁ ଏବଂ ଦୁଇ ସମ୍ପର୍କୀୟ ମଉସା ମାଉସୀ ପ୍ରାଣ ହରାଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ 3 ଆହତଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

ତିନି ବର୍ଷ ପର୍ଯ୍ୟନ୍ତ ୟେସ୍‌ ବ୍ୟାଙ୍କର ଅଂଶଧନ ବିକ୍ରି କରିବନି ଏସ୍‌ବିଆଇ

ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ୟେସ୍‌ ବ୍ୟାଙ୍କର ଅଂଶଧନ ବିକ୍ରି କରିବ ନାହିଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ଏସ୍‌ବିଆଇର ମୁଖ୍ୟ ରଜନୀଶ୍‌ କୁମାର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ୟେସ୍‌ ବ୍ୟାଙ୍କର 605 କୋଟି ଅଂଶଧନକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ 6050 କୋଟି ଟଙ୍କା ବିନିମୟରେ କିଣିଥିଲା । ମଙ୍ଗଳବାର ଏସ୍‌ବିଆଇ ମୁଖ୍ୟ ରଜନୀଶ୍‌ କୁମାର କୌଣସି ଅଂଶଧନ ବିକ୍ରି ନ କରିବା ପାଇଁ ସୂଚନା ଦେଇଛନ୍ତି । ମଙ୍ଗଳବାର ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟ 58.65 ଟଙ୍କାରେ ପହଞ୍ଚିଛି ।

ଇରାନ୍‌ରେ କୋରୋନା ମୃତ୍ୟୁ ସଂଖ୍ୟା 988 ଛୁଇଁଲା

ଚୀନ୍‌ ପରେ ଇଟାଲୀ ଏବଂ ଇରାନ୍‌ରେ କୋରୋନା ଭାଇରସ୍‌ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । କୋରୋନା ପ୍ରଭାବରୁ ଚୀନ୍‌ ଧୀରେ ଧୀରେ ମୁକ୍ତ ହେଉଥିବା ବେଳେ ଇରାନ୍‌ରେ ଏହା ସଙ୍କଟଜନକ ପରସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ଇରାନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇରାନ୍‌ରେ ମୃତ୍ୟୁ ସଂଖ୍ୟା 988 ଛୁଇଁଛି । ଏହି ସମୟ ମଧ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 16169ରେ ପହଞ୍ଚିଥିବା ବେଳେ 5389 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କଂଗ୍ରେସ ବିଧାୟକଙ୍କୁ କିଣିବାକୁ ବିଜେପି ଖର୍ଚ୍ଚ କରିଛି 65 କୋଟି : ଅମିତ ଚାଭଡା

ଗୁଜରାଟର 5 କଂଗ୍ରେସ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ବିଜେପିକୁ ଦୋଷ ଦେଇଛନ୍ତି ଗୁଜରାଟ କଂଗ୍ରେସ ମୁଖ୍ୟ ଅମିତ ଚାଭଡା । 5 କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ବିଜେପି 65 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଗୁଜରାଟ କଂଗ୍ରେସ ମୁଖ୍ୟ ଚାଭଡା ଅଭିଯୋଗ କରିଛନ୍ତି । 5 ବିଧାୟକଙ୍କୁ କିଣାଯାଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ବିଧାନସଭାରେ ହଟ୍ଟଗୋଳ କରାଯାଇଥିଲା । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଏହି 65 କୋଟି ଟଙ୍କା ବିଧାୟକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ବୋଲି ଅଭିଯୋଗ କରି କଂଗ୍ରେସ ସଦସ୍ୟ ମାନେ ଚାଭଡାଙ୍କ ନେତୃତ୍ବରେ କକ୍ଷତ୍ୟାଗ କରିଥିଲେ ।

କୋରୋନା ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ଫଣ୍ଡରୁ 225 କୋଟି ସହାୟତା

କୋରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ 225 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛି । ସୋମବାର ସନ୍ଧ୍ୟା 6.15ରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ବୈଠକରେ ଏହି ଘୋଷଣା କରାଯାଇଛି । ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ 225 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରାଶିକୁ କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରାଇବା, ନମୁନା ସଂଗ୍ରହ, ରୋଗୀଙ୍କ ସାମୟିକ ରହଣି, ଖାଦ୍ୟ ଏବଂ ଔଷଧରେ ଏହି ଅର୍ଥ ବିନିଯୋଗ କରାଯିବ ।

ବାହାରିନ୍‌ରେ 210 କୋଟି ନିବେଶ କରିବେ 7 ଭାରତୀୟ କମ୍ପାନୀ

ବାହାରିୁନ୍‌ରେ 210 କୋଟି ନିବେଶ କରିବାକୁ ଯାଉଛନ୍ତି 7 ଭାରତୀୟ କମ୍ପାନୀ । ଆଇଟି, ମହାକାଶ ବିଜ୍ଞାନ ଏବଂ ବୈଷୟିକ କୌଶଳ କ୍ଷେତ୍ରରେ ଏହି 7 କମ୍ପାନୀ ନିବେଶ କରିବାକୁ ଯାଉଛନ୍ତି । ବାହାରିନ୍‌ ମଇକୋନୋମିକ୍‌ ଡେଭେଲପମେଣ୍ଟ ବୋର୍ଡ (ବିଇଡିବି) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ପରିବହନ ସଂସ୍ଥା ଆକବର ଟ୍ରାଭେଲ୍‌ସ୍‌ର ସହଯୋଗୀ ସଂସ୍ଥା ବେଞ୍ଜି ଇନ୍‌ଫୋଟେକ୍‌, ଟେକ୍ନୋ ପାଥ୍‌ ସଲ୍ୟୁସନ୍‌ସ, ଜେକେଟି ଟେକ୍ନୋସଫ୍ଟ, ଜେ ଓ୍ବେ ଟେକ୍‌, ଜେରେକ୍‌ ଟେକ୍ନୋଲୋଜି, ହାକ୍‌ଟେକ୍‌ ସଲ୍ୟୁସନ୍‌ କମ୍ପାନୀକୁ 3.1 ମିଲିୟନ୍‌ ଡଲାର ବା ପ୍ରାୟ 210 କୋଟି ଟଙ୍କାର ଚୁକ୍ତି ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ଆକ୍ରାନ୍ତ : ଉଦ୍ଧବଙ୍କୁ ଫୋନ୍‌ କଲେ ମୋଦି

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଥିବା ବେଳେ 2 ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ଉଦ୍ଧବଙ୍କ ସହିତ କୋରୋନା ମୁକାବିଲା ନେଇ ଆଲୋଚନା କରିବା ପରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ମଧ୍ୟ ମୋଦି ଆଲୋଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ଦିନ ମହାରାଷ୍ଟ୍ରରେ 12 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ରାଇନାଙ୍କ ସହିତ ଫ୍ୟାନବୟ ମୋମେଣ୍ଟ ସେୟାର କଲେ ଦୁଲ୍‌କର

ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସହିତ ନିଜର ଫ୍ୟାନବୟ ମୋମେଣ୍ଟ ସେୟାର କରିଛନ୍ତି ଦ ଜୋୟା ଫ୍ୟାକ୍ଟର ଅଭିନେତା ଦୁଲ୍‌କର ସଲ୍‌ମାନ୍‌ । ସୋସିଆଲ୍‌ ମିଡିଆରେ ଦୁଲ୍‌କର ସଲ୍‌ମାନଙ୍କ ବଡ ଫ୍ୟାନ୍‌ ଫଲୋଇଙ୍ଗ ରହିଥିବା ବେଳେ ରାଇନାଙ୍କ ସହିତ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି । ନିକଟରେ ରିଲିଜ୍‌ ହୋଇଥିବା ଦୁଲ୍‌କରଙ୍କ ଫିଲ୍ମ ଭରାନେ ଅବଶ୍ୟମୁଡ ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟ ହୋଇଛି । ଅପ୍‌କମିଙ୍ଗ ଫିଲ୍ମ କନ୍ନମ କନ୍ନମ୍‌ କୋଲାୟାଡିଥାଲ୍‌ କୋ ଷ୍ଟାର ବିକ୍ରମ ପ୍ରଭୁ ରାଇନାଙ୍କ ସହିତ ଏହି ଫଟୋରେ ନଜର ଆସିଛନ୍ତି ।

ମଧ୍ୟପ୍ରଦେଶ ସଙ୍କଟ : ଆସ୍ଥା ଭୋଟକୁ ନେଇ ସସପେନ୍ସ ଜାରି

ମଧ୍ୟପ୍ରଦେଶର ରେଜନୈତିକ ସଙ୍କଟ ସମୟରେ ଆସ୍ଥା ଭୋଟକୁ ନେଇ କୌଣସି ମତ ଦେବାକୁ ମନା କରିଛନ୍ତି ମଧ୍ୟପ୍ରଦେଶ ବାଚସ୍ପତି । ଗତକାଲି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ୍‌ 16 ତାରିଖରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ସାକ୍ଷାତକାର ସମୟରେ ବାଚସ୍ପତି ନୀରବତା ଅବଲମ୍ବନ କରିଛନ୍ତି । ଆସ୍ଥା ଭୋଟ ସମ୍ପର୍କରେ ଆସନ୍ତା କାଲି ଜଣାପଡିବ ବୋଲି କହିବା ସହିତ ଏହା ଉପରେ ଲାଗି ରହିଥିବା ସସ୍‌ପେନ୍ସ ରଖିଛନ୍ତି ବାଚସ୍ପତି ନର୍ମଦା ପ୍ରସାଦ ।

ଇରାନ୍‌ରେ କୋରୋନା ମୃତ୍ୟୁ ସଂଖ୍ୟା 724ରେ ଛୁଇଁଲା

ଇରାନ୍‌ରେ କୋରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଛି । ରବିବାର ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା 724ରେ ପହଞ୍ଚିଛି । ରବିବାର ନୂତନ ଭାବରେ 113 ଜଣ ଲୋକ ପ୍ରାଣ ହରାଇଛନ୍ତି । ରବିବାର ସୁଦ୍ଧା ଇରାନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ପହଞ୍ଚିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଟାଲୀ ଏବଂ ଇରାନ୍‌ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇରାନ ନାଗରିକଙ୍କୁ ନିଜର ବିଦେଶ ଗସ୍ତ ବାତିଲ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ।

ନୂତନ ରାଜନୈତିକ ଦଳ ଘୋଷଣା କଲେ ଚନ୍ଦ୍ରଶେଖର ଆଜାଦ

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ରାଜନୀତି ମଇଦାନରେ ପାଦ ଥାପିଛନ୍ତି । ରବିବାର ଆଜାଦ୍‌ ନିଜର ନୂତନ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି । ନୋଇଡାର ସେକ୍ଟର 70 ଅନ୍ତର୍ଗତ ବସାଇ ଗ୍ରାମରେ ଆଜାଦ ନିଜର ଦଳ ଘୋଷଣା କରିଛନ୍ତି । ଆଜାଦ ନିଜ ଦଳର ନାମ ଆଜାଦ୍‌ ସମାଜ ପାର୍ଟି ରଖିବା ନେଇ ଘୋଷଣା କରିଛନ୍ତି । ଭୀମ ଆର୍ମିର ଶତାଧିକ ସମର୍ଥକଙ୍କ ସହିତ 28 ଜଣ ପୂର୍ବତନ ବିଧାୟକ ଏବଂ 6 ଜଣ ପୂର୍ବତନ ସାଂସଦ ଏହି ଦଳ ଗଠନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କୋରୋନା ମୁକାବିଲା : ହୋଟେଲ୍‌କୁ ହସ୍ପିଟାଲରେ ପରିଣତ କରାଇଲେ ରୋନାଲ୍ଡୋ

ଫୁଟବଲ୍‌ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣିଥରେ ନିଜର ବଦାନ୍ୟତାର ଏକ ଉଦାହରଣ ଦେଇଛନ୍ତି । ସର୍ବଦା ନିଜର ଦାନ ପାଇଁ ଚର୍ଚ୍ଚିତ ରହୁଥିବା ରୋନାଲ୍ଡୋ ନିଜର ହୋଟେଲ୍‌ ଗୁଡିକୁ ହସ୍ପିଟାଲରେ ପରିଣତ କରିଛନ୍ତି । ପର୍ତ୍ତୁଗାଲରେ କୋରୋନା ମୁକାବିଲା ପାଇଁ ରୋନାଲ୍ଡୋ ନିଜର ସମସ୍ତ ହୋଟେଲକୁ ହସ୍ପିଟାଲରେ ପରିଣତ କରାଇବା ସହିତ ମାଗଣା ଚିକିତ୍ସା ବ୍ୟବସ୍ଥା ଲାଗୁ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପର୍ତ୍ତୁଗାଲ୍‌ରେ ରୋନାଲ୍ଡୋଙ୍କ ସିଆର 7 ଚେନ୍‌ର ପ୍ରାୟ 50ଟି ହୋଟେଲ୍‌ ରହିଛି ।