ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ!

ଆସନ୍ତା କାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ୍ପାନ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଏବଂ ପଶ୍ଚିମବଙ୍ଗ ଆସିବେ। ଓଡିଶା ଏବଂ ପଶ୍ଚିମବଙ୍ଗର ବାତ୍ୟା ପ୍ରପୀଡିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ପକ୍ଷରୁ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଥିବାରୁ ଏହାକୁ ନେଇ ଏହି ଆକଳନ କରାଯାଉଛି।

ପୁଲଓ୍ବାମାରେ ସୁରକ୍ଷା ବଳଙ୍କ ଉପରେ ଆକ୍ରମଣ : ଦୁଇ ଯବାନ ଆହତ

ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଗୁରୁବାର କରାଯାଇଥିବା ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି । ଗତକାଲି ଦୁଇ ଜଣ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଥିବା ବେଳେ ଆଜି ସର୍ଚ୍ଚ ଅପରେସନ୍‌ରେ କୁପ୍‌ଓ୍ବାରାରୁ 3 ଜଣ ଆତଙ୍କୀ ଗିରଫ ହୋଇଥିଲେ । ଏହି ଘଟଣା ପରେ ସିଆରପିଏଫ୍‌ ଯବାନଙ୍କ ଉପରକୁ ଅଚାନକ ହମ୍‌ଲା କରାଯାଇଥିଲା । ଦୁଇ ଆହତ ଯବାନଙ୍କୁ ସ୍ଥାନୀୟ ମିଲିଟାରୀ ହସ୍ପିଟାଲରେଭର୍ତ୍ତି କରାଯାଇଥିବା ନେଇ ସିଆରପିଏଫ୍‌ ଡିଜି ସୂଚନା ଦେଇଛନ୍ତି ।

ଜୁଲାଇ ଶେଷ ସୁଦ୍ଧା ମେଟ୍ରିକ୍‌ ପରୀକ୍ଷା ଫଳ

ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ମେଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ବାତ୍ୟା ଆମ୍ପାନ୍‌ କାରଣରୁ ଖାତା ଦେଖା ବିଳମ୍ବ ହୋଇଥିବାରୁ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଦିନେ ଦୁଇ ଦିନ ମଧ୍ୟରେ ଖାତା ଦେଖା ତାରିଖ ଘୋଷଣା କରାଯିବ । ଖାତା ଦେଖା ଆରମ୍ଭ ହେବା ପରେ ପରୀକ୍ଷା ଫଳର ତାରିଖ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି ।

ସର୍ବନିମ୍ନ ସେବାୟତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବାର ରାସ୍ତା ପ୍ରଶସ୍ତ ହୋଇଛି । ସର୍ବନିମ୍ନ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । 10 ଜଣ ନିୟୋଗ ପ୍ରତିନିଧିଙ୍କ ସହିତ ମନ୍ଦିର ପ୍ରଶାସନର ବୈଠକ ପରେ ଏହି ସୂଚନା ମିଳିଛି । ଆସନ୍ତା 2 5 ତାରିଖ ସୁଦ୍ଧା ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ତାଲିକା ପ୍ରଦାନ କରାଯିବାକୁ କୁହାଯାଇଛି । ତାଲିକାଭୁକ୍ତ ସେବାୟତ ମାନେ କେବଳ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତିରେ ଭାଗ ନେବେ । ଏହା ଫଳରେ କେବଳ ଉକ୍ତ ସେବାୟତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଅନୁମତି ମିଳିବ ।

ପିଏମ୍‌ କେୟାର ବିରୋଧୀ ଟ୍ବିଟ୍‌ ପାଇଁ ସୋନିଆଙ୍କ ବିରୋଧରେ ଏଫ୍‌ଆଇଆର

ପିଏମ୍‌ କେୟାର ଫଣ୍ଡକୁ ନେଇ କଂଗ୍ରେସ ଦଳର ଟ୍ବିଟ୍‌ ବିରୋଧରେ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । କର୍ଣ୍ଣାଟକର ଶିବାମୋଗ୍ଗାରେ ଏହି ଅଭିଯୋଗ ଦାଖଲ କରାଯାଇଛି । ପ୍ରବୀଣ କେଭି ନାମକ ଜନୈକ ଆଇନଜୀବୀ ସୋନିଆଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ନାମରେ ଏହି ମାମଲାର ଦାୟର କରିଛନ୍ତି । ଅଭିଯୋଗ ଅନୁଯାୟୀ କଂଗ୍ରେସର ଏହି ଟ୍ବିଟ୍‌ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା । ଆଇପିସିର ଧାରା 153 ଏବଂ 505 ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି ।

ଟିକେଟ୍‌ ବିକ୍ରି ଆରମ୍ଭ କଲା ରେଳବାଇ : ଦୁଇ ଘଣ୍ଟାରେ 1 ଲକ୍ଷ 49 ହଜାର ଟିକଟ୍‌ ବିକ୍ରି

ଆସନ୍ତା ଜୁନ୍‌ 1 ତାରିଖରୁ ଟ୍ରେନ୍‌ ଚଳାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ତେବେ ଟିକେଟ୍‌ ବିକ୍ରି ଆରମ୍ଭ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ1 ଲକ୍ଷ 49 ହଜାର ଟିକେଟ୍‌ ବିକ୍ରି ହୋଇଛି । ଗୁରୁବାର ଦିନ 10ଟାରେ ଟିକେଟ ବିକ୍ରି ଆରମ୍ଭ ହେବା ପରଠାରୁ ଦୁଇଘଣ୍ଟା ମଧ୍ୟରେ 1 ଲକ୍ଷ 49 ହଜାର 25ଟି ଟିକେଟ୍‌ ବିକ୍ରି ହୋଇଥିବା ନେଇ ଆଇଆରସିଟିସି ପକ୍ଷରୁ ଟ୍ବିଟ କରାଯାଇଛି । ସମୁଦାୟ 73ଟି ପାସେଞ୍ଜର ଟ୍ରେନ୍‌ ପାଇଁ ଏହି ଟିକେଟ୍‌ ବିକ୍ରି କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ 1 ପରଠାରୁ ଦୈନିକ 200 ଯାତ୍ରୀବାହୀ ଟ୍ରେନ୍‌ ଚଲେଇବା ପାଇଁ ରେଳବାଇ ଘୋଷଣା କରିଥିଲା ।

ଋଷରେ ବିଶ୍ବର ଦ୍ବିତୀୟ ସର୍ବାଧିକ କରୋନା ସଂକ୍ରମିତ : ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ ଅତିକ୍ରମ କଲା

ସମଗ୍ର ବିଶ୍ବରେ ବ୍ୟାପିଥିବା କରୋନା ଭାଇରସ୍‌ ଦ୍ବାରା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବେଳେ ଋଷ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଋଷରେ ସମୁଦାୟ ଆକ୍ରାନ୍ତଙ୍କ 308705 ରହିଥିବା ବେଳେ ଏହା ମଧ୍ୟରୁ 85 ହଜାର 392 ଜଣ ସୁସ୍ଥ ହୋଇଛନ୍ତି । ଏହା ମଧ୍ୟରୁ 2792 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 220341 ରହିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟାରେ ସ୍ପେନ୍‌କୁ ଅତିକ୍ରମ କରିଛି ବ୍ରାଜିଲ । ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 279000 ରହିଥିବା ବ୍ରାଜିଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 293357ରେ ପହଞ୍ଚିଛି ।

ଜମ୍ମୁ କାଶ୍ମୀରରୁ 3 ଆତଙ୍କବାଦୀ ଗିରଫ

ଜମ୍ମୁ କାଶ୍ମୀରରୁ 3 ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ଦୁଇ ବିଏସ୍‌ଏଫ୍‌ ଯବାନ ଶହୀଦ ହେବା ପରେ ଜାରି ରହିଥିବା ସର୍ଚ୍ଚ ଅପରେସନ୍‌ରେ 3 ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏହି 3 ବ୍ୟକ୍ତି ନିକଟରେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବା ସହିତ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ଗିରଫ ତିନି ଆତଙ୍କବାଦୀ ଜମ୍ମୁ କାଶ୍ମୀରର କୁପଓ୍ବାରା ଜିଲ୍ଲାର ବୋଲି ଜଣାପଡିଛି । କୁପଓ୍ବାରାରେ ସର୍ଚ୍ଚ ଅପରେସନ୍‌ ସମୟରେ ଉତ୍ତର କାଶ୍ମୀରର ସୋଗମରୁ ତିନି ଆତଙ୍କୀଙ୍କୁ ଗିରଫ କରାଯାଇଥିବା ନେଇ କୁପଓ୍ବାରା ଏସ୍‌ଏସ୍‌ପି ଶ୍ରୀରାମ ଅମ୍ବାର୍କାର ପ୍ରକାଶ କରିଛନ୍ତି ।

ଜାମିନ ପରେ ପୁଣି ଥରେ ଗିରଫ ହେଲେ ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ

ପୁଣି ଥରେ କଂଗ୍ରେସର ମିଛ ଧରାପଡିଛି । 1000 ବସ୍‌ ପ୍ରେରଣକୁ ନେଇ ମିଥ୍ୟା ଖବର କାରଣରୁ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲୁଙ୍କୁ ଗିରଫ କରାଯାଇଛି । ବୁଧବାର ଲାଲୁଙ୍କୁ ଜାମିନ ମିଳିବା ପରେ ପୁନର୍ବାର ଗିରଫ କରାଯାଇଛି । ଏଡି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ତାଙ୍କର ବ୍ୟକ୍ତିଗତ ସଚିବ ସନ୍ଦୀପ ସିଂଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଲାଲୁଙ୍କୁ ଜାମିନ ମିଳିବା ପରେ ତାଙ୍କ ଲକ୍ଷ୍ନୌ ପୋଲିସ୍‌ ପକ୍ଷରୁ ପୁନର୍ବାର ଗିରଫ କରାଯାଇଛି ।

ଜମ୍ମୁ କାଶ୍ମୀରରେ ଦୁଇ ଯବାନ ଶହୀଦ

ପୁଣି ଶହୀଦ ହୋଇଛନ୍ତି ଦୁଇ ଭାରତୀୟ ଯବାନ । ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଦୁଇ ଜଣ ଯବାନଙ୍କୁ ହତ୍ୟା କରିବା ସହିତ ରାଇଫଲ ନେଇ ଫେରାର ହୋଇଛନ୍ତି ଦୁଇ ଆତଙ୍କବାଦୀ । ଜମ୍ମୁ କାଶ୍ମୀରର ଗନ୍ଦେରବାଲ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ଦୁଇ ଆତଙ୍କୀ ଏକ ବାଇକ୍‌ ଯୋଗେ ଆସି ଯବାନଙ୍କ ଉପରକୁ ଗୁଳିଚଳାଇବା ସହିତ ରାଇଫଲ୍‌ ନେଇ ପଳାଇଥିଲେ । ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଏହି ଘଟଣା ପରେ ଶ୍ରୀନଗର ଏବଂ ଗନ୍ଦେରବାଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି ।

48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ

ଆସନ୍ତା 48 ଘଣ୍ଟା ମଧ୍ୟରେ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆସନ୍ତା 48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

25ରୁ ଘରୋଇ ବିମାନ ଉଡାଣ ଆରମ୍ଭ

ଚଳିତ ମାସ 25 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିମାନ ଉଡାଣ । ତେବେ କେବଳ ଘରୋଇ ବିମାନର ଉଡାଣ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଏହି ସୂଚନା ଦେଇଛନ୍ତି । ସମସ୍ତ ବିମାନ ବନ୍ଦର ଏବଂ ବିମାନ ଚଳାଚଳ କମ୍ପାନୀକୁ 25 ତାରିଖରେ ଉଡାଣ ପାଇଁ ପ୍ରସ୍ତୁତ ରହିବା ପାଇଁ ଏହି ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ସେହିପରି ବିମାନ ଚଳାଚଳ ହେବା ସହିତ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯିବ ।

ଆମ୍ପାନ୍‌ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ : ସୁନ୍ଦରବନରେ ହେବ ଲ୍ୟାଣ୍ଡଫଲ୍‌

ପଶ୍ଚିମବଙ୍ଗରେ ସାମୁଦ୍ରିକ ବାତ୍ୟା ଆମ୍ପାନ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ 4 ଘଣ୍ଟା ଧରି ଚାଲିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି । ଏହି ପ୍ରକିୟା ପ୍ରାୟ ସନ୍ଧ୍ୟା 6.30 ପର୍ଯ୍ୟନ୍ତ ଜାରି ରହିବ । ଲ୍ୟାଣ୍ଡଫଲର ପ୍ରାୟ 30 ମିନିଟ୍‌ ପର୍ଯ୍ୟନ୍ତ ଏହି ବାତ୍ୟା ବ୍ୟାପକ କ୍ଷତି ଘଟାଇବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।

ସୁରକ୍ଷା ବଳଙ୍କୁ ସଫଳତା :ବିଛିନ୍ନତାବାଦୀ ନେତାଙ୍କ ପୁଅ ତଥା ହିଜବୁଲ୍‌ କମାଣ୍ଡର ନିହତ

ଜାମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ହିଜବୁଲ୍‌ କମାଣ୍ଡରଙ୍କ ସମେତ ଦୁଇ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଶ୍ରୀନଗରର ନଓ୍ବାକଡାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି ଏନ୍‌କାଉଣ୍ଟରେ ନିହତ ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣକୁ ଜୁନୈଦ୍‌ ଶେହାରୀ ବୋଲି ଚିହ୍ନଟ କରାଯାଇଛି । ଜୁନୈଦ୍‌ ବିଛିନ୍ନତାବାଦୀ ନେତା ତଥା ତେହରିକ୍‌ ଏ ହୁରିୟାତ୍‌ର ମୁଖ୍ୟ ଅଶ୍ରଫ୍‌ ଶେହାରୀର ପୁଅ ବୋଲି ଜଣାପଡିଛି ।

ଅତି ଭୀଷଣ ବାତ୍ୟାକୁ ଖସିଲା ଆମ୍ଫାନ୍‌

ସାମୁଦ୍ରିକ ବାତ୍ୟା ଆମ୍ଫାନ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ସମୁଦ୍ର ମଧ୍ୟରେ କ୍ରମଶଃ ଦୁର୍ବଳ ହେବା ସହିତ ଏହି ବାତ୍ୟାଟି ମହାବାତ୍ୟାରୁ ଖସି ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟାଟି ପାରାଦ୍ବୀପ ଠାରୁ 420 କିମି ଦୂରରେ ରହିଥିବା ବେଳେ ଘଣ୍ଟାପ୍ରତି ଏହାର ବେଗ 30 କିମି ରହିଛି । ଉଲ୍ଲେଖଯୋଗ୍ୟ ଯେ ଆମ୍ଫାନ ଆସନ୍ତା କାଲି ସୁଦ୍ଧା ସୁନ୍ଦରବନ ଏବଂ ହାତିଆ ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ।

ଆସନ୍ତା କାଲିଠୁ ସ୍ବାଭାବିକ ହେବ ସରକାରୀ ଦପ୍ତର

ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ରେ କାର୍ଯ୍ୟ ସ୍ବାଭାବିକ ହେବାକୁ ଯାଉଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ସମସ୍ତ କର୍ମଚାରୀ ପୂର୍ବଭଳି ଅଫିସ୍‌ ଯିବେ ବେୋଲି ବିଜ୍ଞପ୍ତିରେ କୁହାଯାଇଛି । ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଥଣ୍ଡା ଜ୍ବର ଲକ୍ଷଣ ଥିଲେ କର୍ମଚାରୀ ନଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କଣ୍ଟେନମେଣ୍ଟ ଜୋନ୍‌ର କର୍ମଚାରୀ ମଧ୍ୟ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କୁହାଯାଇଛି ।

ପ୍ରବାସୀଙ୍କ ଟିକେଟ ଖର୍ଚ୍ଚ ବହନ କରିବେ ସରକାର!

ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଏଣିକି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ଟିକେଟ ଖର୍ଚ୍ଚ ପ୍ରଦାନ କରିବେ । ତେବେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ 85 ପ୍ରତିଶତ ଅର୍ଥ ପ୍ରଦାନ କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା 15 ପ୍ରତିଶତ ଅର୍ଥ ପୈଠ କରାଯାଇଥାଏ । ତେବେ ଯଦି ପ୍ରବାସୀ ମାନେ ଅବସ୍ଥାନ କରିଥିବା ରାଜ୍ୟ ସରକାର ଟିକେଟ୍‌ ଖର୍ଚ୍ଚ ଦେବାକୁ ରାଜି ନହୁଅନ୍ତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ଏବଂ କ୍ବାରେଣ୍ଟିନ୍‌ ପାଉଣାରୁ ଏହି ଅର୍ଥ କଟାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ବାଲେଶ୍ବରକୁ ପ୍ରବାସୀଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇଲେ ଜିଲ୍ଲାପାଳ

ଆଜି ସନ୍ଧ୍ୟାରୁ ବାଲେଶ୍ବର ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବାତ୍ୟା ଆମ୍ଫାନ୍‌ ପାଇଁ 20 ତାରିଖ ଯାଏଁ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ବାହାରେ ରହୁଥିବା ତଥା ପ୍ରବାସୀଙ୍କ ଉପରେ କଟକଣା ଲଗାଯାଇଛି । ଫଳରେ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ମାନେ ବର୍ତ୍ତମାନ ବାଲେଶ୍ବରକୁ ଫେରିପାରିବେ ନାହିଁ ।

ଭୁବନେଶ୍ବରରେ ବଳବତ୍ତର ରହିବ ରାତ୍ରିକାଳୀନ କର୍ଫ୍ୟୁ

ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେବା ସହିତ ଆଜିଠାରୁ ଲାଗୁ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ । ଏହି ଅବସରରେ କମିଶନରେଟ ପୋଲିସ୍‌ ପକ୍ଷରୁ ଭୁବନେଶ୍ବରରେ ରାତ୍ରିକାଳୀନ 12 ଘଣ୍ଟିଆ କର୍ଫ୍ୟୁ ଜାରି କରାଯିବାର ନିଷ୍ପତ୍ତି ନିଆଯାଇଛି । ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ ।  କେବଳ  ଜରୁରୀ କାଳୀନ ସେବାକୁ ବାଦ ଦେଇ ଅନ୍ୟ କୌଣସି ସେବା ଚାଲିବ ନାହିଁ ବୋଲି କୁହାଯାଇଛି । ଆସନ୍ତା ମେ 31 ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

ଜରୁରୀକାଳୀନ ସାମଗ୍ରୀ ସହିତ ଅଫିମ ଚୋରା ଚାଲାଣ : 4 ଗିରଫ

ଦେଶବ୍ୟାପୀ ଜରୁରୀକାଳୀନ ସାମଗ୍ରୀ ପରିବହନକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏହା ମଧ୍ୟରେ ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଛି । ଏପରି ଏକ ଚୋରାଚାଲାଣ ରୋକିବାରେ ସଫଳ ହୋଇଛି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ପୋଲିସ୍‌ । ରାଞ୍ଚିରୁ ଚୋରା ଚାଲାଣ କରାଯାଉଥିବା ସମୟରେ 31 କିଗ୍ରା ଅଫିମ ଜବତ କରାଯିବା ସହିତ ଚାରି ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି ଝାରଖଣ୍ଡ ପୋଲିସ୍‌ । ଝାରଖଣ୍ଡ ଅବକାରୀ ବିଭାଗ ଅଧିକାରୀ କମଲ ମଲହୋତ୍ରାଙ୍କ ନେତୃତ୍ବରେ ଚଢାଉ କରାଯାଇ ଫତେପୁର ସ୍ଥିତ ଜାତୀୟ ରାଜପଥରୁ 31 କିଗ୍ରା ଅଫିମ ଜବତ କରାଯିବା ସହିତ ମୁଖ୍ୟ ଅଭିଯୁକ୍ତ ମନୋଜ ଡାଙ୍ଗିକୁ ଗିରଫ କରାଯାଇଛି ।

ପରିବାରକୁ ହତ୍ୟା କରିବା ପରେ ସିଆରପିଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଉତ୍ତରପ୍ରଦେଶରେ ଜଣେ ସିଆରପିଏଫ୍‌ ଯବାନ ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବଳରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଏହି ଯବାନ ଜଣକ ନିଜ ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଉକ୍ତ କନେଷ୍ଟବଳଙ୍କ ନାମ ବିନୋଦ କୁମାର ଯାଦବ(41) । ବିନୋଦ ନିଜ ପତ୍ନୀ ବିମଳା(36), ପୁଅ ସନ୍ଦୀପ(14) ଏବଂ ଝିଅ ସିମ୍‌ରନ୍‌ (12)କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

90 ହଜାର ଡେଇଁଲା ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : 2872 ମୃତ

ଦେଶବ୍ୟାପୀ କରୋନା ମହାମାରୀ ପ୍ରଭାବ ବଢି ଚାଲିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ଅତିକ୍ରମ କରିଛି । 24 ଘଣ୍ଟା ମଧ୍ୟରେ 3970 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90927ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ 103 ଜଣଙ୍କର ପ୍ରାଣହାନି ଘଟି ମୃତ୍ୟୁ ସଂଖ୍ୟା 2872ରେ ପହଞ୍ଚିଛି । ସେହିପରି ସମୁଦାୟ 34109 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା 53946 ରହିଛି ।

ଜାକିର ନାଏକର ଟିଭି ଚ୍ୟାନେଲ୍‌ ଉପରେ 3ଲକ୍ଷ ପାଉଣ୍ଡର ଜରିମାନା

ଇସଲାମିକ୍‌ ଧର୍ମଗୁରୁ ତଥା ପ୍ରବକ୍ତା ଜାକିର ନାଏକର ଟିଭି ଚ୍ୟାନେଲ ଉପରେ 3 ଲକ୍ଷ ପାଉଣ୍ଡର ଜରିମାନା ଲଗାଯାଇଛି । ୟୁକେରେ ଜାକିର୍‌ ନାଏକର ଦୁଇ ଚ୍ୟାନେଲ ପିସ୍‌ ଟିଭି ଏବଂ ପିସ୍ ଟିଭି ଉର୍ଦ୍ଦୁ ଉପରେ ଏହି ଜରିମାନା ଲାଗୁ କରାଯାଇଛି । ଘୃଣାଭରା ଭାଷଣ କାରଣରୁ ୟୁକେର ସଂସ୍ଥା ଅଫ୍‌କମ୍‌ ପକ୍ଷରୁ 3 ଲକ୍ଷ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ 2.75 କୋଟି ଟଙ୍କାର ଜରିମାନା ଲଗାଇଛି । ପିସ୍‌ ଟିଭିକୁ 1 ଲକ୍ଷ ପାଉଣ୍ଡ ଏବଂ ପିସ୍‌ ଟିଭି ଉର୍ଦ୍ଦୁକୁ 2 ଲକ୍ଷ ପାଉଣ୍ଡର ଜରିମାନା ଲଗାଯାଇଛି ।

ରାଜ୍ୟରେ ଆଉ 30 କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ 30 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରି ଏହି ସୂଚନା ପ୍ରଦାନ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏହି 30 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 196ରେ ପହଞ୍ଚିଛି । ଉଲ୍ଲେଖମଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 737 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 196 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି ।

ତ୍ରିପୁରାରେ 48 ଘଣ୍ଟା ମଧ୍ୟରେ 7 ବିଏସ୍‌ଏଫ୍‌ ଯବାନଙ୍କ ସମେତ 11 କରୋନା ପଜିଟିଭ୍‌

ଉତ୍ତର ପୂର୍ବୀୟ ରାଜ୍ୟ ମାନଙ୍କରେ କରୋନା ସଂକ୍ରମଣ ଅପେକ୍ଷାକୃତ କମ୍‌ ରହିଥିବା ବେଳେ ବିଗତ 48 ଘଣ୍ଟା ମଧ୍ୟରେ 7 ଜଣ ବିଏସ୍‌ଏଫ୍‌ ଯବାନ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଉତ୍ତର ପୂର୍ବୀୟ ରାଜ୍ୟ ତ୍ରିପୁରାରେ 7 ଜଣ ବିଏସଏଫ୍‌ ଯବାନଙ୍କ ସମେତ 11 ଜଣ ବ୍ୟକ୍ତି କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ବିଗତ 48 ଘଣ୍ଟା ମଧ୍ୟରେ 625ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ତନ୍ମଧ୍ୟରୁ ସୁମଦାୟ 11ଟି ନମୂନା ପଜିଟିଭ୍‌ ଆସିଛି । ଏହି 11ଟି ନମୂନା ମଧ୍ୟରୁ 159 ସୀମା ସୁରକ୍ଷା ବଳର 7ଜଣ ଯବାନ ରହିଥିବା ଜଣାପଡିଛି ।

ଓଡିଶା-ପଶ୍ଚିମବଙ୍ଗ ସୀମାରେ ଲ୍ୟାଣ୍ଡଫଲ୍‌ କରିପାରେ ଆମ୍ଫାନ୍‌!

ବାତ୍ୟା ଆମ୍ଫାନ୍‌ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ଲାଣ୍ଡଫଲ କରିବା ସମ୍ଭାବନା ରହିଛି । ତେବେ ଏହି ବାତ୍ୟା ବେଙ୍ଗଲ ଉପକୂଳକୁ ଯିବାକୁ ଅଧିକ ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଆଲୋଚନା କରିବେ ବୋଲି ଶ୍ରୀ ଜେନା କହିଛନ୍ତି ।

ଲକ୍‌ଡାଉନ୍‌ ପ୍ରଭାବ : 2021 ଜନଗଣନା ସ୍ଥଗିତ ରଖିଲେ ଯୋଗୀ ସରକାର

ଦେଶବ୍ୟାପୀ କରୋନା ପ୍ରଭାବରେ ଲକ୍‌ଡାଉନ୍‌ ରହିଥିବା ବେଳେ 2021ର ଜନଗଣନା ବା ଏନ୍‌ପିଆରକୁ ସ୍ଥଗିତ ରଖିଛନ୍ତି ଉତ୍ତର ପ୍ରଦେଶ ସରକାର । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ଦେଶରେ କରୋନା ମହାମାରୀ ପ୍ରକୋପରେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି ତେଣୁ ବର୍ତ୍ତମାନର ସମୟରେ ଏନ୍‌ପିଆର ସମ୍ଭବ ନୁହେଁ ବୋଲି ମତଦେବା ସହିତ 2021 ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର ।

ଅର୍ଥନୈତିକ ସଙ୍କଟକୁ ନେଇ ସରକାରଙ୍କୁ ରାହୁଲଙ୍କ ଆକ୍ରମଣ

କରୋନା ଭାଇରସ୍‌ ସଙ୍କଟରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟକୁ ନେଇ ପୁଣିଥରେ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । ପୁନର୍ବାର ପ୍ରବାସୀ ଶ୍ରମିକ ଏବଂ କୃଷକଙ୍କ ଆକାଉଣ୍ଟକୁ ସିଧା ପଇସା ପଠେଇବା ଦାବି ଦେହରାଇଥିଲେ ରାହୁଲ । ଏହା ସହିତ ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଅନ୍ୟୁନ 200 ଦିନର ମନରେଗା କାମ ପ୍ରଦାନ କରିବା ପାଇଁ ଦାବି କରିଥିଲେ ରାହୁଲ । ଭାରତରେ ଚାଷୀ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀ ଅର୍ଥନୀତିର ପ୍ରମୁଖ ଅଙ୍ଗ ।

ଜମ୍ମୁ କାଶ୍ମୀରରୁ ଲସ୍କର ଏ ତୋଏବା ଆତଙ୍କବାଦୀ ଗିରଫ

ଜମ୍ମୁ କାଶ୍ମୀରରୁ ଜଣେ ଲସ୍କର ଏ ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଶନିବାର ସୁରକ୍ଷାବଳଙ୍କ ପକ୍ଷରୁ ଲସ୍କରର ଆତଙ୍କୀ ଜହୁର୍‌ ଓ୍ବାନିଙ୍କୁ ଗିରଫ କରାଯାଇଛି । ଶନିବାର ସୁରକ୍ଷା ବଳଙ୍କ ପକ୍ଷରୁ ବଡ୍‌ଗାମ ଜିଲ୍ଲାର ଆରିଜଲ୍‌ ଖାନ୍‌ସାଇବ୍‌ ଅଞ୍ଚଳରେ ଚଢାଉ କରାଯିବା ସହ ଏଡି ଦୁର୍ଦ୍ଦୁଷ ଆତଙ୍କୀକୁ ଗିରଫ କରାଯାଇଛିୀ । ପୂର୍ବରୁ ଜମ୍ମୁ କାଶ୍ମୀର ପୋଲିସ ଓ୍ବାନି ବିପକ୍ଷରେ ଏକ ମାମଲା ରୁଜର କରିଥିଲା । ଓ୍ବାନି ଲସ୍କର ଆତଙ୍କବାଦୀ ୟୁସୁଫ୍‌ କନ୍ତ୍ରୁର ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି ।

ଖୋଲିଲା ବାପୁଜୀ ନଗର : 50 ଦୋକାନକୁ ବିଏମ୍‌ସିର ସର୍ତ୍ତମୂଳକ ଅନୁମତି

ସିଲ୍‌ ହୋଇଥିବା ବାପୁଜୀ ନଗର ପୁଣି ଥରେ ଖୋଲିଛି । ତେବେ ସମ୍ପୂର୍ଣ୍ଣ ଭାବରେ ନୁହେଁ । ମାତ୍ର 50ଟି ଦୋକାନ ଖୋଲିବାକୁ ବିଏମ୍‌ସି ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । 50 ଟି ଦୋକାନକୁ ଅନୁମତି ଦିଆଯିବା ସହିତ ବଜାର ଭିତରକୁ କେହି ଗାଡି ନେଇ ଯାଇପାରିବେ ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସାମାଜିକ ଦୂରତ୍ବର ଉଲ୍ଲଂଘନ କାରଣରୁ ବାପୁଜୀ ନଗରକୁ ସିଲ୍‌ କରିଥିଲା ବିଏମ୍‌ସି ।

ଜାକିର ନାଏକ୍‌ର ପ୍ରତ୍ୟର୍ପଣ ପାଇଁ ମାଲେସିଆ ନିକଟରେ ଭାରତ ସରକାରଙ୍କ ଦାବି

ବିବାଦୀୟ ଇସ୍‌ଲାମିକ୍‌ ଧର୍ମଗୁରୁ ଜାକିର୍‌ ନାଏକ୍‌ର ପ୍ରତ୍ୟର୍ପଣ ପାଇଁ ମାଲେସିଆ ସରକାରଙ୍କ ନିକଟରେ ଦାବି କରିଛି ଭାରତ । ଏହି ଇସ୍‌ଲାମିକ୍‌ ଧର୍ମଗୁରୁ ବିପକ୍ଷରେ ଏନ୍‌ଆଇଏ ପକ୍ଷରୁ ମାମଲା ଚାଲିଥିବା ବେଳେ ସେ ଦେଶ ଛାଡି ପଳାୟନ କରିଥିଲ । ଅର୍ଥ ହେରଫେର ମାମଲା ଏବଂ ଘୃଣାଭରା ଭାଷଣ ପ୍ରଦାନ ପାଇଁ ଏନ୍‌ଆଇଏ ପକ୍ଷରୁ ଜାକିର୍‌ଙ୍କ ବିରୋଧରେ ଏନ୍‌ଆଇଏ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏହା ସହିତ 2016 ଢାକା ବିସ୍ଫୋରଣରେ ଜାକିର୍‌ ନାଏକ୍‌କୁ ଅନ୍ୟତମ ଅଭିଯୁକ୍ତ ଭାବରେ ବିବେଚନା କରାଯାଏ । ବିଗତ ତିନି ବର୍ଷ ଧରି ନାଏକ ମାଲେସିଆରେ ଅବସ୍ଥାନ କରୁଛି ।

28 ଦିନ ମଧ୍ୟରେ ଭାରତ ଫେରିବେ ବିଜୟ ମାଲ୍ୟା

ଆସନ୍ତା 28 ଦିନ ମଧ୍ୟରେ ଭାରତକୁ ଫେରିବେ ବିଜୟ ମାଲ୍ୟା । ଲଣ୍ଡନ ହାଇକୋର୍ଟରେ ମାଲ୍ୟାଙ୍କ ଯାଚିକା ଖାରଜ ହେବା ପରେ ମାଲ୍ୟା ଭାରତ ଫେରିବା ସ୍ପଷ୍ଟ ହୋଇଛି । ପୂର୍ବରୁ ଓ୍ବେଷ୍ଟମିନିଷ୍ଟର କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣର ନିର୍ଦ୍ଦେଶ ଦେଇଥିବା ବେଳେ ଏହା ବିରୋଧରେ ମାଲ୍ୟା ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ଲଣ୍ଡନ ହାଇକୋର୍ଟ ମାଲ୍ୟାଙ୍କ ଆବେଦନ ଖାରଜ କରିବା ପରେ ମାଲ୍ୟା ଭାରତ ପ୍ରତ୍ୟର୍ପିତ ହେବାର ସମ୍ଭାବନ ସ୍ପଷ୍ଟ ହୋଇଛି । ଏହି 64 ବର୍ଷ ବୟସ୍କ ମଦ ସମ୍ରାଟ ଜଣକ ଗତକାଲି ଭାରତ ସରକାରଙ୍କୁ ଋଣ ଫେରସ୍ତର ପ୍ରସ୍ତାବ ଦେଇଥିଲେ ।

ସୁସ୍ଥ ହେଲେ ଆଉ 15 ଆକ୍ରାନ୍ତ

ରାଜ୍ୟରେ ଆଉ 15 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁଏହି ସୂଚନା ପ୍ରଦାନ କରାଯାଇଛି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 158ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 624 ରହିଥିବା ବେଳେ ତନ୍ମଧ୍ୟରୁ 158 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କ ଦେହାନ୍ତ ଘଟିଛି । ଏହା ସହ ବର୍ତ୍ତମାନ ରାଜ୍ୟରେ 463ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ଜୁନ୍‌ 30 ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍‌ ବାତିଲ : ବୁକିଂ ଅର୍ଥ ଫେରସ୍ତ କରିବ ରେଳବାଇ

ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଜୁନ୍‌ 30 ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଯାତ୍ରୀଙ୍କ ଅର୍ଥ ଫେରସ୍ତ କରାଯିବ ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ସମସ୍ତ ଟିକେଟ୍‌କୁ ବାତିଲ କରାଯାଇଥିବା ବେଳେ ସଂଶୋଧିତ ନିୟମ ଅନୁଯାୟୀ ଟିକେଟ ବାତିଲ କଲେ ମିଳିବାକୁ ଥିବା ଅର୍ଥରାଶିରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଟିକେଟ୍‌ ବାତିଲ କଲେ ଫାଇନ୍‌ ବାବଦକୁ କିଛି ଅର୍ଥ କଟାଯାଉଥିବା ବେଳେ ବର୍ତ୍ତମାନ ଏହା ବିଲକୁଲ କଟାଯିବ ନାହିଁ ।

କେନ୍ଦ୍ରାପଡାରୁ ଚିହ୍ନଟ ହେଲେ 13 ଆକ୍ରାନ୍ତ

କେନ୍ଦ୍ରାପଡା ଜିଲ୍ଲାରୁ 13 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ନୂତନ ଆକ୍ରାନ୍ତକୁ ମିଶାଇ କେନ୍ଦ୍ରାପଡାରେ ଆକ୍ରାନ୍ତଙ୍କ ସଂଖ୍ୟା 22ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 624ରେ ପହଞ୍ଚିଛି । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନେ ମହାକାଳପଡା, କେନ୍ଦ୍ରାପଡା ଏବଂ କନିକା ବ୍ଲକ୍‌ର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଅବସ୍ଥାନ କରୁଥିଲେ ବୋଲି ଜିଲ୍ଲାପାଳ ଟ୍ବିଟ୍‌ କରିଛନ୍ତି ।

ଟିକେଟ୍‌ ଚାହିଦା ବୃଦ୍ଧି : 5ଟି ନୂତନ ବଗି ସଞ୍ଜୋଗ ନେଇ ରେଳବାଇ ପକ୍ଷରୁ ଘୋଷଣା

ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସରକାରଙ୍କ ପକ୍ଷରୁ ରେଳ ସେବା ଆରମ୍ଭର ନିଷ୍ପତ୍ତି ନିଆଯାଇଥିବା ବେଳେ ଟିକେଟ୍‌ ପାଇଁ ଯାତ୍ରୀଙ୍କ ମଧ୍ୟରେ ଅହେତୁକ ଚାହିଦା ଦେଖାଦେଇଥିଲା । ମାତ୍ର 30 ମିନିଟ୍‌ ମଧ୍ୟରେ ସମସ୍ତ ଟିକେଟ୍‌ ଶେଷ ହୋଇଯିବା କାରଣରୁ ରେଳବାଇ ପକ୍ଷରୁ ବଗି ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ମଧ୍ୟରେ ଥାର୍ଡ ଏସିର ଚାରିଟି କୋଚ୍‌ ଏବଂ ସେକେଣ୍ଡ ଏସିର ଗୋଟିଏ କୋଚ୍‌ ଯୋଗ କରିବା ପାଇଁ ଘୋଷଣା କରାଯାଇଛି ।

କରୋନା ସ୍ବାବ୍‌ ନେଗେଟିଭ୍‌ ଆସିବା ପରେ ଏମ୍ସରୁ ଡିସ୍‌ଚାର୍ଜ ହେଲେ ମନମୋହନ ସିଂ

ଗୁରୁତର ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଜି ଡିସ୍‌ଚାର୍ଜ କରାଯାଇଛି । ମନମୋହନଙ୍କ କରୋନା ସ୍ବାବ୍‌ ନେଗେଟିଭ୍‌ ଆସିବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି । 2004-2014 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ଶ୍ରୀ ସିଂଙ୍କ 2009ରେ କରୋନାରୀ ବାଇପାସ୍‌ ଏମ୍ସରେ କରାଯାଇଥିଲା । ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏମ୍ସର କାର୍ଡିଓ ଥୋରିଆକ୍‌ ବିଶେଷଜ୍ଞ ମାନେ ତାଙ୍କର ଯତ୍ନ ନେଉଥିବା ନେଇ ଏମ୍ସ ପକ୍ଷରୁ କୁହାଯାଇଛି ।

ଜୁନ୍‌ 22 ସୁଦ୍ଧା ରଥ କାମ ଶେଷ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆସନ୍ତା ଜୁନ୍‌ 22 ସୁଦ୍ଧା ରଥ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ରଥ ନିର୍ମାଣ ତ୍ବାରାନ୍ବିତ ଗତିରେ ଚାଲିଥିବା ନେଇ ଏଜିଙ୍କ ରିପୋର୍ଟ ପରେ ହାଇକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ କାରଣରୁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିବା ବେଳେ ଗୃହ ବିଭାଗର ଅନୁମତି ପରଠାରୁ ସାମାଜିକ ଦୂରତ୍ବ ସହିତ ରଥ କାମ ଆରମ୍ଭ କରାଯାଇଛି ।

କରୋନାରେ ମୃତ ଶିକ୍ଷୟିତ୍ରୀଙ୍କୁ ଦିଲ୍ଲୀ ସରକାରଙ୍କ 1 କୋଟିର ସହାୟତା ରାଶି

କରୋନାରେ ପ୍ରାଣ ହରାଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଦିଲ୍ଳୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ଦିନ ଏହି ଘୋଷଣା କରିଛନ୍ତି । ଦିଲ୍ଲୀ ମହାନଗର ନିଗମ ସହିତ କାର୍ଯ୍ୟ କରୁଥିବା ଏହି ଶିକ୍ଷୟିତ୍ରୀ ଜଣକ କରୋନାରେ ଖାଦ୍ୟ ବଣ୍ଟନ କରୁଥିବା ସମୟରେ ପ୍ରାଣ ହରାଇଥିଲେ । ଖାଦ୍ୟ ବିତରଣ କରୁଥିବା ଏହି ଠିକା ଶିକ୍ଷୟିତ୍ରୀ ଜଣକ ମେ 2 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମେ 4 ତାରିଖରେ ପ୍ରାଣ ହରାଇଥିଲେ ।

ଆଜି ରାତି 8ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି 8ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଆସନ୍ତା 17 ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ମୋଦି ଏହାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି । ଗତକାଲି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆଜି ସମ୍ବୋଧିତ କରିବାକୁ ଯାଉଛନ୍ତି ମୋଦି । ଲକ୍‌ଡାଉନ୍‌ 3.0 ପରେ କଣ କଣ ନିୟମାବଳୀ ଲାଗୁ କରାଯିବ ତାହା ମୋଦି ସ୍ପଷ୍ଟ କରିବା ନେଇ ଆାଶ କରାଯାଉଛି ।

ସୁସ୍ଥ ହେଲେ 17 ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହୋଇଛନ୍ତି 17 କରୋନା ଆକ୍ରାନ୍ତ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏକା ସାଙ୍ଗରେ ଏତେ ରୋଗୀ ସୁସ୍ଥ ହେବା ଉତ୍ସାହଜନକ ରହିଛି । ସୋମବାର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 85 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 7 ଜଣ ବ୍ୟକ୍ତି ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ତିନି ଜଣ ଏବଂ ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଇରାନ୍‌ ନୌସେନାର ସମରାଭ୍ୟାସ ସମୟରେ ପ୍ରାଣ ହରାଇଲେ 19 ନାବିକ

ଇରାନ୍‌ ନୌସେନାର ସମରାଭ୍ୟାସ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ସମରାଭ୍ୟାସ ସମୟରେ ଏକ ମିସାଇଲ୍‌ ମାଡରେ ଏକ ଜାହାଜ ଧ୍ବଂସ ପାଇଯିବା ସହିତ 19 ଜଣ ନାବିକ ପ୍ରାଣ ହରାଇଛନ୍ତି । ସୋମବାର ଏହି ଭୟାନକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ ଚଳପ୍ରଚଳ କରୁଥିବା ଜାହଜକୁ ଲକ୍ଷ୍ୟଭେଦ କରିବାର ଥିବା ବେଳେ ଭୁଲ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ କାରଣରୁ 19 ଜଣ ନାବିକଙ୍କ ଦେହାନ୍ତ ଘଟିଥିଲା । ଆମେରିକା ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ।

କ୍ବାରେଣ୍ଟାଇନ୍‌ରେ ଭୁବନେଶ୍ବର ଏମ୍ସର 4 ଡାକ୍ତର

କ୍ବାରେଣ୍ଟାଇନ୍‌ରେ ରହିବେ ଭୁବନେଶ୍ବର ଏମ୍ସର 4 ଡାକ୍ତର । ବାଧ୍ୟତାମୂଳକ ଭାବରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ 4 ଡାକ୍ତର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କର ଚିକିତ୍ସା କରିଥିଲେ । ଉକ୍ତ ଡ୍ରାଇଭର ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ପଠାଯାଇଛି । ଏହା ବ୍ୟତିତ ଦୁଇ ଜଣ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଉତ୍ତରାଖଣ୍ଡ ଯୋଗ ସେଣ୍ଟରରେ ବିଦେଶୀ ମହିଳାଙ୍କୁ ଯୌନ ଉତ୍ପୀଡନ : ଯୋଗଗୁରୁଙ୍କ ସମେତ 3 ଗିରଫ

ଉତ୍ତରାଖଣ୍ତରେ ରହିଥିବା ଏକ ଯୋଗ ପ୍ରଶିକ୍ଷଣ କେନ୍ଦ୍ରରେ ଜଣେ ବିଦେଶୀ ମହିଳାଙ୍କୁ ଯୌନ ଉତ୍ପୀଡନ ମାମଲାରେ 3ଜଣଙ୍କୁ ଗିରଫ କରାଯାଇଛି । ଋଷିକେଶର ଏହି ଯୋଗ ସେଣ୍ଟରରେ ରହିଥିବା ଜଣେ ଜାପାନୀ ମହିଳାଙ୍କୁ ନିର୍ଯାତନା ମାମଲାରେ 2 ଜଣ ଯୋଗ ଗୁରୁ ଏବଂ ଜଣେ ପାଚକଙ୍କୁ ଗିରଫ କରାଯାଇଛି । ଶନିବାର ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସୋମବାର ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଚନ୍ଦ୍ରକାନ୍ତ(32) ଏବଂ ହରିକିଶନ (43) ଓ ସୋମରାଜ(23) ।

ଲକ୍‌ଡାଉନ୍‌ ପରେ ନନ୍‌ ଟଚ୍‌ ବ୍ୟବସ୍ଥାରେ କାର୍ଯ୍ୟକରିବ ଭୁବନେଶ୍ବର ବିମାନବନ୍ଦର

ଲକ୍‌ଡାଉନ୍‌ କଟକଣା ହଟିବା ପରେ ଭୁବନେଶ୍ବର ବିମାନ ବନ୍ଦ ନନ୍‌ ଟଚ୍‌ ଭାବରେ କାର୍ଯ୍ୟ କରିବ । ଏଣିକି ବିମାନ ବନ୍ଦରର ପ୍ରତ୍ୟେକ କାର୍ଯ୍ୟ ପରସ୍ପରକୁ ନଛୁଇଁ କରାଯିବ । ଟର୍ମିନାଲଟୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଏବଂ ଟିକେଟ୍‌ ଚେକିଂ ପାଇଁ ମଧ୍ୟ ନନ୍‌ଟଚ୍‌ ବ୍ୟବସ୍ଥା କରାଯିବ । ଏପରିକି ବିମାନ ଯାତ୍ରା ସମୟରେ ମଧ୍ୟ ନନ୍‌ଟଚ୍‌ ବ୍ୟବସ୍ଥା ଆପଣାଯିବ । ଟିକେଟ୍‌ ଚେକିଂ ଏବଂ ଚେକ୍‌ ଇନ୍‌ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ମେସିନ୍‌ର ବ୍ୟବହାର କରାଯିବ ବୋଲି ଜଣାପଡିଛି ।

90 ମିନିଟ୍‌ ମଧ୍ୟରେ 4ଟି ବିସ୍ଫୋରଣରେ ଥରିଲା କାବୁଲ୍‌

ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଆଜି 4ଟି ଭୟାବହ ବିସ୍ଫୋରଣ ଘଟିଛି । ମାତ୍ର 90 ମିନିଟ୍‌ର ବ୍ୟବଧାନ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା । କାବୁଲ୍‌ର ଟାହିଆ ମସ୍କାନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ସକାଳ 7.45ରୁ 9ଟା ମଧ୍ୟରେ ଏହି 4ଟି ବିସ୍ଫୋରଣ ଘଟିଥିଲା । ନ୍ୟାସନାଲ ଡିରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି (ଏନ୍‌ଡିଏସ୍‌) ଏବଂ ସରକାରୀ ଗାଡି ଗୁଡିକ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହିବି ଆହତ କିମ୍ବା ମୃତାହତ ହୋଇନାହାନ୍ତି । ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ ।

ରାଜ୍ୟରୁ ଆଉ 10 ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଏବଂ ଯାଜପୁରରୁ ଏହି 10ଟି ଯାକ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଛି । ଭଦ୍ରକରୁ 6ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ 4 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 31ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 59ରେ ପହଞ୍ଚିଛି । ଏହି ନୂତନ 10 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା 362ରେ ପହଞ୍ଚିଛି ।

ଆାସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହିତ ଲକ୍‌ଡାଉନ୍‌ର ସମୀକ୍ଷା କରିବେ ମୋଦି

ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆସନ୍ତା କାଲି ଏହାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି ଏହି ଆଲୋଚନା କରିବେ । ସୋମବାର ମେ,11 ତାରିଖ 3ଟା ସମୟରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 63 ହଜାର ଅତିକ୍ରମ କରିସାରିଥିବା ବେଳେ ବିଗତ 24 ଘଣ୍ଟା ମଧ୍ୟରେ 127 ଜଣଙ୍କର ପ୍ରାଣହାନି ଘଟିଛି ।

ଦିଲ୍ଲୀରେ 3.5 ତୀବ୍ରତାର ଭୂକମ୍ପ

କରୋନା ସମୟରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି ଏକ ମୃଦୁ ଭୂକମ୍ପ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତ୍ରୀବ୍ରତା 3.5 ରହିଥିଲା । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ଅପରାହ୍ନ ପ୍ରାୟ 2ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନଥିବା ପ୍ରକାଶ ।

କୋମାରେ ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ କୋମାକୁ ଯାଇଛନ୍ତି । ଗତକାଲି ଠାରୁ ଭେଣ୍ଟିଲେଟରରେ ରହିଥିବା ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସହିତ ସେ କୋମାକୁ ଯାଇଥିବା ଜଣାପଡିଛି । ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୋଗୀଙ୍କୁ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ଅବଜର୍ଭେସନ୍‌ରେ ରଖାଯିବ ବୋଲି ଜଣାପଡିଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ହୃଦ୍‌ଘାତ କାରଣରୁ ନିଜ ବାସଭବନର ପଡିଆରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ ଅଜିତ୍‌ ଯୋଗୀ ।