ଏଣିକି ଭୁବନେଶ୍ବରରୁ ଜୁନାଗଡ଼କୁ ଚାଲିବ ଅଲଗା ଟ୍ରେନ୍‌

    ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ଏଣିକି ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ପୂର୍ବରୁ ଗୋଟିଏ ଟ୍ରେନ ଭୁବନେଶ୍ୱରରୁ ରାୟଗଡ଼ା ଯିବା ପରେ ସେଠାରୁ ଭାଗ ହୋଇ ଜଗଦଲପୁର ଏବଂ ଜୁନାଗଡ଼ ଯାଉଥିଲା । ଯାହା ସମସ୍ୟା ସୃଷ୍ଟି କରୁଥିଲା । ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକ ପୃଥକ ଭାବେ  ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି।

    ଯୋଗୀ କ୍ୟାବିନେଟ୍‌ରୁ ଇସ୍ତଫା ପ୍ରଦାନ କଲେ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ

    ଯୋଗୀ ସରକାରଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ପ୍ରଦାନ କରିଛନ୍ତି ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ । ସୋମବାର ମିଳିଥିବା ସୂଚନା ଅନୁଯାୟୀ ସ୍ବତନ୍ତ୍ର ଦେବ ନିଜର ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବିଜେପିର ନିୟମ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ପାଇଁ କ୍ୟାବିନେଟ୍‌ ପଦବୀ ଛାଡିଛନ୍ତି ସ୍ବତନ୍ତ୍ର ଦେବ । ସ୍ବତନ୍ତ୍ର ଦେବଙ୍କ ଇସ୍ତଫା ପରେ ଯୋଗୀଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସଂଖ୍ୟା 42କୁ ହ୍ରାସ ପାଇଛି । ଦୁଇ ଥର ବିଧାୟକ ସ୍ବତନ୍ତ୍ର ଦେବ ଚଳିତ ସରକାରରେ ପରିବହନ ବିଭାଗ ଦାୟିତ୍ବରେ ରହିଥିଲେ ।

    ଏଣିକି ବିଦ୍ୟୁତ ଚୋରି ରୋକିବ ‘ସ୍ମାର୍ଟ ମିଟର’: ଶକ୍ତି ରାଷ୍ଟ୍ରମନ୍ତ୍ରୀ

    ବିଜୁଳି ଚୋରି ରୋକିବାକୁ ଲାଗିବ ପ୍ରିପେଡ୍ ଓ ସ୍ମାର୍ଟ ମିଟର। ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ‌ଆରମ୍ଭ କରାଯିବ। ମିଟରକୁ ଯେମିତି ଟ୍ୟାମ୍ପର ବା ସ୍ଲୋ କରି ନ ହେବ ସେଥିଲାଗି ବ୍ୟବସ୍ଥା ରହିବ। କେହି କିଛି ଭୁଲ କଲେ ଏହା ଆପେ ଆପେ ଜଣାପଡ଼ିଯିବ। ଏହି ପ୍ରିପେଡ୍ ମିଟର ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ। ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ରିପେଡ୍ ମିଟର ଲଗାଯିବ। ମିଟରରେ ଡିଜିଟାଲ କାର୍ଡ ରହିବ। ଉପଭୋକ୍ତା ଏହାକୁ ରିଚାର୍ଜ କରିବେ। ପାଇଲଟ ପ୍ରୋଜେକ୍ଟ ସଫଳ ହେଲେ ଅନ୍ୟ ସହରରେ ଲାଗୁହେବ ବୋଲି ଶକ୍ତି ରାଷ୍ଟ୍ରମନ୍ତ୍ରୀ  ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

    ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଲେ ଏନ୍‌ଏସ୍‌ଏ ମୁଖ୍ୟ ଅଜିତ୍‌ ଡୋଭାଲ୍‌

    ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଶାହା ଏବଂ ଡୋଭାଲ୍‌ଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ଅମିତ ଶାହାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏହି ଦୁଇ ଜଣଙ୍କ ବ୍ୟତୀତ କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଜମ୍ମୁ କାଶ୍ମୀରରେ ଦୀର୍ଘ 10 ଦିନ ଅବସ୍ଥାନ କରି ପ୍ରତ୍ୟାବର୍ତ୍ତନ କରିବା ପରେ ଡୋଭାଲ ଗୃହମନ୍ତ୍ରୀଙ୍କୁ ଭେଟି ସୂଚନା ପ୍ରଦାନ କରିଛନ୍ତି ।

    ବ୍ଲାକ୍‌ ପାନ୍ଥର-2ରେ ନଜର ଆସିବେ ମାର୍ଟିନ୍‌ ଫ୍ରିମ୍ୟାନ୍‌

    ମାର୍ଭେଲ୍‌ ସିନେମାଟିକ୍‌ ୟୁନିଭର୍ସ (ଏମ୍‌ସିୟୁ)ର ଫିଲ୍ମ ବ୍ଲାକ୍‌ ପାନ୍ଥରର ଦ୍ବିତୀୟ ଭାଗରେ ନଜର ଆସିବାକୁ ଯାଉଛନ୍ତି ମାର୍ଟିନ୍‌ ଫ୍ରିମ୍ୟାନ୍‌ । ଏହି ଫିଲ୍ମରେ ଫ୍ରିମ୍ୟାନ୍‌ ଜଣେ ସିଆଇଏ ଏଜେଣ୍ଟ ଏଭର୍ଟ ରସ୍‌ ଭୂମିକାରେ ନଜର ଆସିବେ । ଓ୍ବେବ୍‌ ସିରିଜ୍‌ ସେର୍‌ଲକ୍‌ ହୋମ୍‌ସରେ ଡ. ଜନ୍‌ ଓ୍ବାଟ୍‌ସନ୍‌ ଭୂମିକାରେ ନଜର ଆସିଥିବା ଫ୍ରିମ୍ୟାନ୍‌ଙ୍କର ଏହା ପ୍ରଥମ ବଡ ଭୂମିକା ଅଟେ । ପୂର୍ବ ଭାଗ ପରି ଚାଦ୍‌ଓ୍ବିକ୍‌ ବୋସ୍‌ମ୍ୟାନ୍‌ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଦୁଇ ଜଣଙ୍କ ବ୍ୟତୀତ ସ୍କାର୍ଲେଟ୍‌ ଜୋହାନ୍‌ ସନ୍‌ ଏବଂ ରାୟାନ୍‌ କୁଗ୍‌ଲର ଅନ୍ୟାନ୍ୟ ଭୂମିକାରେ ନଜର ଆସିବେ ।

    ଭାରତୀୟ ବାୟୁସେନାର ପ୍ରଶଂସନୀୟ କାର୍ଯ୍ୟ : ତାଓ୍ବି ନଦୀରୁ ଦୁଇଜଣଙ୍କୁ ଉଦ୍ଧାର

    ଜମ୍ମୁ ଓ କାଶ୍ମୀରରେ ତାଓ୍ବି ନଦୀରେ ଫସି ରହିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ଯବାନ । ଜାମ୍ମୁ ଓ କାଶ୍ମୀର ତ୍ୱୱି ନଦୀରେ ୪ ଜଣ ମତ୍ସ୍ୟଜୀବୀ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ ଦୁଇ ଜଣଙ୍କୁ ହେଲିପ୍ଟରରେ ସିଡ଼ି ସାହାଯ୍ୟରେ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ସିଡି ଭାଙ୍ଗି ଯିବାରୁ ଦୁଇ ଜଣ ନଦୀରେ ପଡ଼ି ଭାସିଯାଇଥିଲେ । ଏହା ପରେ ନଦୀ ନିକଟରେ ନିର୍ମାଣଧୀନ କଂକ୍ରିଟ୍‌ ପୋଲ୍‌ ଉପରେ ୨ ଜଣ ଭାଗ୍ୟବଶତଃ ପହଁରି ପହଁଚି ଚଢ଼ି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ବାୟୁସେନା ଅପରେସନ୍‌ ଆରମ୍ଭ କରିଥିଲା ।

    ’ଭୁଲ୍‌ ଭୁଲୈୟା’ର ପାର୍ଟ ୨ରେ କାର୍ତ୍ତିକ ଆର୍ଯ୍ୟନ୍‌

    ଅକ୍ଷୟ କୁମାରଙ୍କ ସୁପରହିଟ ଫିଲ୍ମ ‘ଭୁଲ ଭୁଲେୟା’ର ୧୨ ବର୍ଷ ପରେ ଏହାର ସିକ୍ବେଲ୍‌ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଭୂଷଣ କୁମାରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମଟି ସାରା ଅଲୀ ଖାନ ନଜର ଆସିପାରନ୍ତି। ୨୦୨୦ ଜୁଲାଇ ୩୧ରେ ଫିଲ୍ମଟି ପରଦାକୁ ଆସିବ ବୋଲି ଜଣାପଡିଛି। ‘ଭୁଲ୍‌ ଭୁଲୈୟା’ରେ ଅକ୍ଷୟଙ୍କ ସହିତ ବିଦ୍ୟା ବଲାନ୍‌, ଅମିଷା ପଟେଲ୍‌, ସାଇନି ଆହୁଜା, ପରେଶ ରାଓ୍ବଲ୍‌, ମନୋଜ ଯୋଶୀ, ରାଜପାଲ୍‌ ଯାଦବ ପ୍ରମୁଖ ଅଭିନୟ କରିଥିଲେ ।  ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୦୭ରେ ପରଦାକୁ ଆସିଥିଲା ।

    ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

    ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ହୋଇଛି । ସୋମବାର ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ 82 ବର୍ଷରେ ପ୍ରାଣ ହରାଇଛନ୍ତି ବିହାରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ । ତିନିଥର ବିହାରର ମୁଖ୍ୟମନ୍ତ୍ରୀ ରହିଥିବା ମିଶ୍ର ବିଗତ କିଛି ମାସ ଧରି ଅସୁସ୍ଥ ରହିଥିଲେ । ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ରହିବା ସହିତ ସେ କେନ୍ଦ୍ର ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ରହିଛନ୍ତି । ରାଜନୀତିରେ ଯୋଗ ଦେବା ପୂର୍ବରୁ ବିହାର ବିଶ୍ବବିଦ୍ୟାଳୟରେ ଜଣେ ଅର୍ଥନୀତି ପ୍ରଫେସର ରହିଥିଲେ ମିଶ୍ର ।

    ମୁଖ୍ୟ ଶାସନ ସଚିବ ଭାବରେ ଅସିତ ତ୍ରୀପାଠୀଙ୍କ ଦାୟିତ୍ବ ଗ୍ରହଣ

    ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବରେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ । ପୂର୍ବତନ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନିକଟରୁ ତ୍ରୀପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବା ଉପରେ ଦାୟିତ୍ୱ ନେବା ପରେ ତ୍ରିପାଠୀ ଗୁରୁତ୍ୱ ଦେଇଛନ୍ତି । ଲୋକଙ୍କ ଫାଇଲ୍‌ ଯେମିତି ଅଟକି ନ ରୁହେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ତ୍ରୀପାଠୀ କହିଛନ୍ତି ।

    ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି : ପୁଣି 7ଟି ଗେଟ୍‌ ଖୋଲାଗଲା

    ଉପର ମୁଣ୍ଡରେ ପୁନଃର୍ବାର ବର୍ଷା ଦ୍ୱାରା ହୀରାକୁଦ ଜଳ ଭଣ୍ଡାରେ ଜଳ ସ୍ତର ବୃଦ୍ଧି ପାଉଛି । ବନ୍ଦ କରାଯାଇଥିବା ଗେଟ୍‌ଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ । ବର୍ଷାକୁ ନଜରରେ ରଖି ଆଜି ଆଉ 7 ଟି ଗେଟ୍‌ ଖୋଲାଯିବ । ଏବେ 7ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଫଳରେ ବର୍ତ୍ତମାନ 14ଟି ଗେଟ୍‌ ଦେଇ ଜଳ ନିଷ୍କାଷିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର 620.81 ଫୁଟ ରହିଛି । ଜଳଭଣ୍ଡାରକୁ 2 ଲକ୍ଷ 5 ହଜାର 47 କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ 1 ଲକ୍ଷ 27 ହଜାର 724 କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି ।

    ମହାରାଷ୍ଟ୍ରରେ ସଡକ ଦୁର୍ଘଟଣା : 11 ମୃତ, 12 ଆହତ

    ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 11 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 12 ଜଣ ଆହତ ହୋଇଛନ୍ତି । ରବିବାର ରାତି 10.30 ସମୟରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଏକ ବସ ଏବଂ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ବସ୍‌ଟି ଔରଙ୍ଗାବାଦରୁ ଶାହଦା ଅଭିମୁଖେ ଯାତ୍ରା କରୁଥିଲା । ଉଭୟ ଯାନର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଆହତ 12 ଜଣଙ୍କ ମଧ୍ୟରୁ ଅନେକ ଗୁରୁତର ରହିଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ଉଗାଣ୍ଡା ଗ୍ୟାସ୍‌ ଟ୍ୟାଙ୍କରରେ ବିସ୍ଫୋରଣ : 20 ମୃତ

    ଉଗାଣ୍ଡାରେ ଏକ ଗ୍ୟାସ୍‌ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି । ପଶ୍ଚିମ ଉଗାଣ୍ଡାରେ ସୋମବାର ଦିନ ଏହି ବିସ୍ଫୋରଣ ଘଟି 20 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 12 ଜଣ ଆହତ ହୋଇଛନ୍ତି । ପଶ୍ଚିମ ଉଗାଣ୍ଡାର ରୁବୁରିଜି ଜିଲ୍ଲାରେ ଏହି ବିସ୍ଫୋରଣ ଘଟିଥିଲା । ଏହି ତୈଳ ଟ୍ୟାଙ୍କରଟି କେନିଆରୁ କଙ୍ଗୋ ଅଭିମୁଖେ ଯାତ୍ରା କରୁଥିଲା । ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇ ଅନ୍ୟ ଏକ ବସ୍‌ ସହିତ ଟ୍ୟାଙ୍କକୁ ଧକ୍କା ଦେଇଥିଲେ । ଫଳରେ ଅଗ୍ନିକାଣ୍ଡ ଘଟିବା ସହିତ ବିସ୍ଫୋରଣରେ 20 ଜଣଙ୍କ ପ୍ରାଣହାନି ଘଟିଥିଲା ।

    ଉତ୍ତର ଭାରତରେ ବର୍ଷାର ତାଣ୍ଡବ: 28 ମୃତ , 22 ନିଖୋଜ

    ବିଭିନ୍ନ ଉତ୍ତର ଭାରତୀୟ ସହରରେ ବର୍ଷା ଫଳରେ 28 ଜଣଙ୍କ ମୃତ୍ୟୁ ଘଟିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ରବିବାର ଭୟଙ୍କର ବର୍ଷା ଫଳରେ ଅନ୍ୟ 22 ଜଣ ନିଖୋଜ ଅଛନ୍ତି । ରବିବାର ଭୟଙ୍କର ବର୍ଷା ଫଳରେ ଦିଲ୍ଳୀ, ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି । ଦିଲ୍ଲୀ ଏବଂ ହରିୟାଣାରେ ଯମୁନା ନଦୀ ବିପଦ ସଙ୍କେତ ପାର କରିଥିବାରୁ ଉଭୟ ରାଜ୍ୟରେ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି ।

    ଭାରତ ପାକ୍‌ ଅଧିକୃତ କାଶ୍ମୀର ଅଧିଗ୍ରହଣ କରିବା ଉଚିତ୍‌ : ଜିତେନ୍ଦ୍ର ସିଂ

    ଭାରତ ପାକ୍‌ ଅଧିକୃତ କାଶ୍ମୀର ଅଧିଗ୍ରହଣ କରିବା ଉଚିତ୍‌ ବୋଲି ମତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଜମ୍ମୁ କାଶ୍ମୀରରୁ ଧାରା 370 ଉଠିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଜମ୍ମୁ କାଶ୍ମୀରର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରବିବାର ଦିନ ଏହି ମନ୍ତବ୍ୟ ଦେଇଛନ୍ତି ଜିତେନ୍ଦ୍ର ସିଂ । ଜମ୍ମୁ କାଶ୍ମୀର ବାସୀ ଧାରା 370 ଉଚ୍ଛେଦକୁ ନେଇ ଗର୍ବ ଅନୁଭବ କରିବା ଉଚିତ୍‌ । ଏହି ଐତିହାସିକ ପଦକ୍ଷେପ ପରେ ପିଓକେ ଉପରେ ନିଜର ଅଧିକାର ଜାହିର କରିବା ପାଇଁ ଏହା ପ୍ରକୃଷ୍ଟ ସମୟ ।

    ତାଳଚେର ବିଧାୟକଙ୍କ ବାସଭବନରେ ଅଗ୍ନିକାଣ୍ଡ

    ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଭୁବନେଶ୍ବର ସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଦୁଇଟି କାର, ଦୁଇଟି ବାଇକ୍‌ ଏବଂ 2 ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ କେହି ଦୂର୍ବୁର୍ତ୍ତ ନିଆଁ ଲଗାଇଥିବାର ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।

    ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଆରମ୍ଭ

    ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଆରମ୍ଭ ହୋଇଛି । ସକାଳ 6ଟାରୁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ଵର 75 ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣ ଉଚ୍ଛେଦ ଆରମ୍ଭ ହୋଇଛି । ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ଆରମ୍ଭ ହୋଇଛି । ଉଚ୍ଛେଦ ସମୟରେ 24 ପ୍ଲାଟୁନ ପୋଲିସ ଫୋର୍ସ ସମେତ 8 ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି । ଶୁକ୍ରବାର ରାଜ୍ୟ ସଚିବାଳୟରେ ବସିଥିବା ଗୁରୁତ୍ଵପୂର୍ଣ୍ଣ ବୈଠକରେ ସୁରକ୍ଷା ଏବଂ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ 75 ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

    ଚେକ୍‌ ରିପବ୍ଲିକ୍‌ରେ ହିମା ଏବଂ ଅନାସଙ୍କୁ ସ୍ବର୍ଣ୍ଣ

    ଭାରତୀୟ ମଧ୍ୟମ ଦୂରଗାମୀ ଦୌଡାଳି ହିମା ଦାସ ଏବଂ ମହମ୍ମଦ ଅନାସ ଚେକ ରିପବ୍ଲିକ୍‌ର ଆଥେଲିଟିକ ମିଟିନେକ ରିଟର ବିଭାଗରେ ଯଥାକ୍ରମେ ପୁରୁଷ ଏବଂ ମହିଳା 300 ମିଟର ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ହିମାଙ୍କର ଏହା ଷଷ୍ଠ ସ୍ୱର୍ଣ୍ଣ ପଦକ । ଶନିବାର ଦିନ ହିମା ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ଟ୍ୱିଟ କରିଛନ୍ତି ।, ଅନ୍ୟପଟେ ଅନାସ ପୁରୁଷ 300 ମିଟିର ବର୍ଗର ପ୍ରତିଯୋଗିତାରେ 32.41 ସମୟ ସହ ସ୍ୱର୍ଣ୍ଣ ହାସଲ କରିଛନ୍ତି ।

    dynasty

    ଏମ୍ସରେ ଜେଟ୍‌ଲୀଙ୍କୁ ଭେଟିଲେ ମୋହନ ଭାଗବତ ଏବଂ କେଜ୍ରିଓ୍ବାଲ

    ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ପାଇଁ ଦିଲ୍ଲୀ ଏମସ୍ ପହଞ୍ଚିଥିଲେ । ଏହାପରେ ଅପରାହ୍ନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏମସ୍ ଆସିଥିଲେ । ସେମାନେ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ ଏଠାରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡ ବାବଦରେ ମଧ୍ୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏମ୍ସରୁ ଫେରି ନିଜେ କେଜ୍ରିୱାଲ ଏନେଇ ଟ୍ୱିଟ୍‌ କରି ଜଣାଇଛନ୍ତି। ସେ ଏହି ଟ୍ୱିଟ୍‌ରେ ଜେଟ୍‌ଲୀଙ୍କ ସୁସ୍ଥତା ମଧ୍ୟ କାମନା କରିଥିଲେ ।

    ଅଗଷ୍ଟ ମାସରେ ବିଦେଶୀ ପୁଞ୍ଜିନିବେଶରେ ହ୍ରାସ

    ଅଗଷ୍ଟ ମାସରେ ବିଦେଶୀ ପୁଞ୍ଜିନିବେଶରେ ହ୍ରାସ ଘଟିଛି । ପୁଞ୍ଜିନିବେଶ ପରିମାଣ ହ୍ରାସ ପାଇ 8319 କୋଟିରେ ପହଞ୍ଚିଛି । ପୂର୍ବରୁ ଏହି ରାଶିର ପରିମାଣ 10416.25 କୋଟି ଟଙ୍କା ରହିଥିଲା । ଅଗଷ୍ଟ 1-16 ମଧ୍ୟରେ ସମୁଦାୟ କ୍ଷତିର ପରିମାଣ 2096.38 କୋଟିରେ ପହଞ୍ଚିଛି । ମର୍ଣ୍ଣିଙ୍ଗଷ୍ଟାର ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ 10ଦିନ ମଧ୍ୟରୁ 9 ଦିନର ଟ୍ରେଡିଙ୍ଗ ନକରାତ୍ମକ ରହିଥିଲା । ବର୍ଦ୍ଧିତ କର ବ୍ୟବସ୍ଥା ବିଦେଶୀ ପୁଞ୍ଜିନିବେଶ ହ୍ରାସର ମୁଖ୍ୟ କାରଣ ବୋଲି ମର୍ଣ୍ଣିଙ୍ଗଷ୍ଟାରର ଅର୍ଥନୀତିଜ୍ଞ ହିମାଂଶୁ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । ଏହି ସମୟରେ ଭାରତୀୟ ସେୟାର ବଜାର ମଧ୍ୟ 270 ପଏଣ୍ଟ ହ୍ରାସ ପାଇଛି ।

    ବିହାର ସ୍ବାଧୀନ ବିଧାୟକଙ୍କ ଘରୁ ଅସ୍ତ୍ରଶସ୍ତ୍ର ଜବତ ଘଟଣା : ବାସଭବନରୁ ନିଖୋଜ ବିଧାୟକ

    ବିହାରର ସ୍ବାଧୀନ ବିଧାୟକ ଅନନ୍ତ ସିଂ ନିଖୋଜ ଅଛନ୍ତି । ନିଜର ପାଟନା ସ୍ଥିତ ବାସଭବନରୁ ବିଧାୟକ ନିଖୋଜ ରହିଥିବା ନେଇ ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ପୋଲିସ୍‌ ଅନନ୍ତ ସିଂଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିବା ବେଳକୁ ବିଧାୟକ ନିଜ ବାସଭବନରେ ଅନୁପସ୍ଥିତ ଥିଲେ । ଶୁକ୍ରବାର ବାର୍‌ ପୋଲିସ୍‌ ପକ୍ଷରୁ କାନ୍ତେଶ କୁମାର ମିଶ୍ରା ଏବଂ ଲିପି ସିଂଙ୍କ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ବିଧାୟକଙ୍କ ବାସଭବନରୁ ଗୋଟିଏ ଏକେ 47, 22ଟି କ୍ୟାଟ୍ରିଜ୍‌ ଏବଂ ଦୁଇଟି ବୋମା ଜବତ କରାଯାଇଥିଲା ।

    ସୋମବାରରୁ ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ : ସ୍ବର୍ଣ୍ଣ ଆଶାରେ ସିନ୍ଧୁ

    ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ । ଭାରତ ପକ୍ଷରୁ ସାଇନା ନେହ୍ବାଲ ଏବଂ ପିଭି ସିନ୍ଧୁ ଷ୍ଟାର ସଟ୍‌ଲର ଭାବରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବା ବେଳେ ଭାରତ ସିନ୍ଧୁଙ୍କ ନିକଟରୁ ପଦକ ଆଶା ରଖିଛି । ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ସିନ୍ଧୁ ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଏହି ସଂସ୍କରଣରୁ ସ୍ବର୍ଣ୍ଣ ଆଶା ରଖିଛନ୍ତି ପ୍ରଶଂସକ । ସିନ୍ଧୁଙ୍କ ବ୍ୟତିତ ସାଇନା ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟମ ସିଡ୍‌ର ମାନ୍ୟତା ପାଇଛନ୍ତି ।

    ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା

    ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ବସ୍ତା ମଥାନିଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି ଜଳକା । ଫଳରେ ଜଳେଶ୍ବର ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଜଳକା ନଦୀର ବିପଦ ସଙ୍କେତ 5.50 ମିଟର ରହିଥିବା ବେଳେ ବର୍ତ୍ତମାନ ଏହା 6.50 ମିଟରରେ ପ୍ରବାହିତ ହେଉଛି । ଫଳରେ ବସ୍ତା ବ୍ଲକର ମଥାନି,ବାହାର୍ଦ୍ଦ।, ଦଦହଂସା, ଗଡପଦା, ରାଉତପଡା, ବରୁଣଗଡିଆ, ଚକୁରାଇ, ଦରଡା ଏବଂ ସଦର ବ୍ଲକର ଶ୍ରୀରାମପୁର, ରସଲପୁର ପ୍ରଭୃତି ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା ଫଳରେ ବସ୍ତା-ବାଲିଆପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

    ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ ନଜର ଆସିବେ ଜାହ୍ନବୀ କପୁର

    ତେଲୁଗୁ ସେନ୍‌ସେସନ୍‌ ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ଜାହ୍ନବୀ କପୁର । ଆଇ ସ୍ମାର୍ଟ ଶଙ୍କର ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ଅପ୍‌କମିଙ୍ଗ ଫିଲ୍ମରେ ବିଜୟ ଏବଂ ଜାହ୍ନବୀଙ୍କ ଯୋଡି ଦେଖିବାକୁ ମିଳିବ । ଡିଅର କମ୍ରେଡ୍‌ର ରିଲିଜ୍‌ ପରେ ବିଜୟ ଦେବରକୋଣ୍ଡା ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିଥିଲେ । ପୂର୍ବରୁ ଡିଅର କମ୍ରେଡ୍‌ର ହିନ୍ଦି ରିମେକ୍‌ରେ ଜାହ୍ନବୀ ନଜର ଆସିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ନିଜର ତେଲୁଗୁ ପଦାର୍ପଣ କରିବାକୁ ଯାଉଛନ୍ତି ଜାହ୍ନବୀ ।

    heavy rain alert in odisha

    ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

    ଉତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ଉତର ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି । ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି କୁହାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁସାରେ, କେନ୍ଦୁଝର ସମେତ ସୁନ୍ଦରଗଡ, ଦେବଗଡ, ବରଗଡ ଓ ଝାରସୁଗୁଡାରେ ବର୍ଷାର ପରିମାଣ ଅଧିକ ରହିବ ।

    ପାକିସ୍ତାନ ସହିତ କେବଳ ପିଓକେ ପ୍ରସଙ୍ଗରେ ଆଲୋଚନା ସମ୍ଭବ : ରାଜନାଥ ସିଂ

    ପାକିସ୍ତାନ ସହିତ କେବଳ ପିଓକେକୁ ନେଇ ଆଲୋଚନା ହେବ ବୋଲି ମତ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହ ଏବେ ଯାହା ବି ଆଲୋଚନା ହେବ ତାହା ପାକ୍ ଅଧିକୃତ କାଶ୍ମୀର(ପିଓକେ) ଉପରେ ହିଁ ହେବ । ପ୍ରତିରକ୍ଷା ମନ୍ତ୍ରୀ ରବିବାର ହରିୟାଣାର କାଲକାରେ ଏକ ସାଧାରଣ ସଭାକୁ ସମ୍ଵୋଧିତ କରି ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଭାରତ ପାକିସ୍ତାନ ଦ୍ବିପାକ୍ଷିକ ଆଲୋଚନା ହେଲେ ଏହା କାଶ୍ମୀର ପ୍ରସଙ୍ଗରେ ନୁହେଁ ବରଂ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହେବ ବୋଲି ରାଜନାଥ କହିଛନ୍ତି ।

    ଭାଇରାଲ୍‌ ପୋଷ୍ଟର ମାମଲା : ପୋଷ୍ଟର ବାବଦରେ ଜାଣିନଥିବା ନେଇ ପପୁଙ୍କ ସଫେଇ

    ଭାଇରାଲ୍‌ ପୋଷ୍ଟର ମାମଲାରେ ନିଜର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ପପୁ ପମ୍‌ପମ୍‌ । ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ ଜରିଆରେ ନିଜର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ପପୁ । ଏହି ପୋଷ୍ଟର ସମ୍ପର୍କରେ ସେ କିଛି ବି ଜାଣିନାହାନ୍ତି ଏବଂ ପ୍ରଯୋଜନା ସଂସ୍ଥା ପକ୍ଷରୁ ମଧ୍ୟ ଏହି ପୋଷ୍ଟର ରିଲିଜ୍‌ କରାଯାଇନାହିଁ ବୋଲି ନିଜ ଭିଡିଓରେ ପ୍ରକାଶ କରିଛନ୍ତି ପପୁ । ସମସ୍ତ ପ୍ରକାରର ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି ପପୁ କହିଛନ୍ତି । ପ୍ରଥମେ ପ୍ରଯୋଜନା ସଂସ୍ଥାକୁ ନୋଟିସ୍‌ ପ୍ରଦାନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

    ଜାତୀୟ ପତାକାକୁ ଅସମ୍ମାନ : ବାଲିଆପାଳ ପ୍ରଧାନଶିକ୍ଷକ ନିଲମ୍ବିତ

    ଜାତୀୟ ପତାକାଙ୍କୁ ଅସମ୍ମାନ କରି ବାଲିଆପାଳ ବ୍ଲକ ସରାଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନଲମ୍ବିତ ହୋଇଛନ୍ତି । ବାଲିଆପାଳ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି । ଅଗଷ୍ଟ 15 ଦିନ ସ୍ୱାଧୀନତା ଦିବସ ଅବସରରେ ପ୍ରତି ଶିକ୍ଷାନୁଷ୍ଠାନ ଭଳି ବାଲିଆପାଳ ବ୍ଲକ ସରାଡିହା ପ୍ରାଥମିକ ବିଦ୍ୟାଳୟରେ 73 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । କିନ୍ତୁ ସେଠାରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ପତାକା ଅବତରଣ କରାଯାଇନଥିଲା।

    ଜମ୍ମୁର ପାଞ୍ଚ ଜିଲ୍ଲାରେ ପୁନର୍ବାର ଇଣ୍ଟରନେଟ୍‌ ସେବା ବନ୍ଦ

    ରବିବାର ସକାଳୁ ପୁନର୍ବାର ଜମ୍ମୁର ପାଞ୍ଚ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଅଗଷ୍ଟ 4 ତାରିଖରୁ ଜମ୍ମୁ ଏବଂ କାଶ୍ମୀରରୁ ଇଣ୍ଟରନେଟ ସେବା ଉଠାଯାଇଥିଲା । ଧାରା 370 ଉଚ୍ଛେଦ ପରଠାରୁ ଶୁକ୍ରବାର ପ୍ରଥମ ଥର ପାଇଁ ଇଣ୍ଟରନେଟ୍‌ ସେବା ଚାଲୁ କରାଯିବାର ଘୋଷଣା କରାଯାଇଥିଲା । ଶନିବାର ଦିନ 2ଜି ସ୍ପିଡ୍‌ର ଇଣ୍ଟରନେଟ୍‌ ସେବା ପ୍ରଦାନ କରାଯାଇଥିବା ବେଳେ ପୁନର୍ବାର ରବିବାର ସକାଳୁ ଏହାକୁ ଉଠାଇ ନିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏହାକୁ ବିଭାଜିତ କରାଯାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା ।

    କର୍ଣ୍ଣାଟକ ଫୋନ୍‌ ଟ୍ୟାପିଂ ମାମଲା : ସିବିଆଇ ତଦନ୍ତ ପାଇଁ ୟେଦୁରପ୍ପାଙ୍କ ନିର୍ଦ୍ଦେଶ

    କର୍ଣ୍ଣାଟକର ବିଦ୍ରୋହୀ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ଫୋନ୍‌ ଟ୍ୟାପିଂ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା । ବିରୋଧୀ କଂଗ୍ରେସ ପକ୍ଷରୁ ଜେଡିଏସ୍‌ ବିରୋଧରେ ଶନିବାର ଦିନ ଏହି ଅଭିଯୋଗ ଆସିଥିଲା । କଂଗ୍ରେସ-ଜେଡିଏସ୍‌ର ମିଳିତ ସରକାର ରହିଥିବା ସମୟରେ ଏହି ଫୋନ୍‌ ଟ୍ୟାପିଂ କରାଯାଇଥିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳର ନେତର ସିଦ୍ଧରମୈୟା ଅଭିଯୋଗ କରିଥିଲେ । ଏହି ମାମଲାର ସଠିକ୍‌ ତଦନ୍ତ କରାଯିବା ସହିତ ଦୋଷୀ ସମ୍ମୁଖକୁ ଆସିବା ଉଚିତ୍‌ ତେଣୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିବା ନେଇ ୟେଦୁରପ୍ପା ସୂଚନା ଦେଇଛନ୍ତି ।

    ବରିଷ୍ଠ ସାମ୍ବାଦିକ ରଣଜିତ୍‌ ଗୁରୁଙ୍କ ପରଲୋକ

    ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ବୟସ ହୋଇଥିଲା । ରଣଜିତ ଗୁରୁ ରାଜ୍ୟର ଜଣେ ଦକ୍ଷ ସାମ୍ବାଦିକ ଭାବେ ଜଣାଶୁଣା । ସେ ସଂକ୍ରମଣଜନିତ ଜ୍ୱରରେ ପୀଡିତ ଥିଲେ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପତ୍ନୀ, ଭାଇ, ଭଉଣୀ ଓ ପରିବାର ଲୋକେ ଉପସ୍ଥିତ ଥିଲେ । ଅନେକ ବରିଷ୍ଠ ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଛନ୍ତି ।

    ମାଓ କମାଣ୍ଡରଙ୍କ ସମେତ ତିନି ଜଣଙ୍କ ଆତ୍ମସମର୍ପଣ

    ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ଜଣେ କମାଣ୍ଡର ସମେତ ତିନିଜଣ ମାଓବାଦୀ ବିଶାଖାପାଟଣା ଏସ୍‍.ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଆନ୍ଧ୍ର ଓଡ଼ିଶା ବର୍ଡର ଗାଲିକୋଣ୍ଡା ଦଳମର ବିସିଏମ୍‍ ନବୀନ ଓରଫ ଲିଙ୍ଗାୟା ଯିଏ କି ଦୀର୍ଘ 15 ବର୍ଷ ଧରି ଏହି ଦଳରେ ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ । ନବୀନଙ୍କ ନାମରେ 6 ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସେହିପରି କୋରା ଭେଙ୍କଟ ରାଓ ଏବଂ ସିନ୍ଧାରି କଣ୍ଡାରି ମଧ୍ୟ ଆତ୍ମ ସମର୍ପଣ କରିଛନ୍ତି ।

    କାବୁଲ୍‌ ବିବାହ ମଣ୍ଡପରେ ଆତ୍ମଘାତୀ ବିସ୍ଫୋରଣ : 63 ମୃତ, 182 ଆହତ

    ଆଫଗାନିସ୍ତାନର କାବୁଲରେ ଏକ ବିବାହ ମଣ୍ଡପରେ ଆତ୍ମଘାତୀ ବିସ୍ଫୋରଣରେ 63 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 182 ଜଣ ଆହତ ହୋଇଛନ୍ତି । ଶନିବାର ରାତିରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏହି ବିସ୍ଫୋରଣ ଘଟିଥିଲା । ଆଫଗାନିସ୍ତାନ ଗୃହମନ୍ତ୍ରୀ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଲିବାନ୍‌ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯାଇଛି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ସହିତ ଶୁକ୍ରବାରର ମସ୍‌ଜିଦ୍‌ ବିସ୍ଫୋରଣ ପାଇଁ ତାଲିବାନ୍‌ ନିଜକୁ ଦାୟୀ କରିଛି । ଶୁକ୍ରବାରର ବିସ୍ଫୋରଣରେ 4ଜଣଙ୍କ ପ୍ରାଣହାନି ସହିତ 20 ଜଣ ଆହତ ହୋଇଥିଲେ ।

    ଭୁଟାନ୍‌ ଗସ୍ତର ଦ୍ବିତୀୟ ଦିନରେ ରୟାଲ୍‌ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କଲେ ମୋଦି

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂଟାନ ଗସ୍ତର ଦ୍ବିତୀୟ ଦିନରେ ଥିମ୍ପୁସ୍ଥିତ ରୟାଲ ୟୁନିଭର୍ସିଟିରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ମୋଦି କହିଥିଲେ, ଭାରତ ସହିତ ଭୂଟାନର ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ଅବର୍ଣ୍ଣନୀୟ । ଭାରତରେ ଏବେ ଐତିହାସିକ ପରିବର୍ତ୍ତନ ଆସିଛି । ଦେଶରୁ ଦାରିଦ୍ର୍ୟ ସମ୍ପୂର୍ଣ୍ଣରୂପେ ହଟାଇବାକୁ ଭାରତ ବଡ଼ ପଦକ୍ଷେପ ନେଇଛି । ଯୁବଶକ୍ତି ଏବଂ ଆଧ୍ୟାତ୍ମିକତା ଆମର ପ୍ରକୃତ ଶକ୍ତି ବୋଲି ମୋଦି କହିଥିଲେ । ଯୁବଶକ୍ତି ନିମନ୍ତେ ଏହା ସବୁଠାରୁ ଉତ୍କୃଷ୍ଟ ସମୟ ବୋଲି ମୋଦି କହିଥିଲେ ।

    ନଦୀରେ ବୁଡି ପ୍ରାଣ ହରାଇଲେ ଦୁଇ ଭଉଣୀ

    କଟକ ଜିଲ୍ଲା ସାଲେପୁର ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ଦୁଇ ଭଉଣୀ ନଦୀରେ ବୁଡି ଯାଇ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ସାଲେପୁର ନିକଟସ୍ଥ କିଶନନଗର ଥାନା ଅନ୍ତର୍ଗତ ବାବୁଜଙ୍ଗ ଗ୍ରାମରେ ତିନି ଭଉଣୀ ଆଜି ସକାଳେ ଫୁଲ ତୋଳିବାକୁ ଯାଇଥିଲେ । ଖୁଦୁରିକୁଣୀ ଓଷା ଥିବାରୁ ସେମାନେ ଫୁଲ ସଂଗ୍ରହ ପାଇଁ ସ୍ଥାନୀୟ ସୁକୁପାଇକା ନଦୀ କୂଳକୁ ଯାଇଥିଲେ । ସେଠାରେ ଫୁଲ ତୋଳିବା ବେଳେ କୌଣସୀ କାରଣରୁ ସେମାନେ ନଦୀରେ ବୁଡି ଯାଇଥିଲେ । ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ।

    ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମହିଳା ହକି : ଜାପାନକୁ 2-1ରେ ପରାସ୍ତ କଲା ଭାରତ

    ଭାରତୀୟ ମହିଳା ହକି ଦଳ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଜାପାନକୁ ପରାସ୍ତ କରିଛି । ଜାପାନକୁ 2-1ରେ ପରାସ୍ତ କରିଛି ଭାରତୀୟ ମହିଳ ଦଳ । ଭାରତ ପକ୍ଷରୁ ଗୁରଜିତ୍‌ କୌର୍‌ ଦୁଇଟି ଗୋଲ୍‌ ସ୍କୋର କରିଥିବା ବେଳେ ଜାପାନ ପକ୍ଷରୁ ଆକି ମିଟ୍‌ସୁଆସି(16) ଗୋଟିଏ ଗୋଲ୍‌ ସ୍କୋର କରିଥିଲେ । ପେନାଲ୍‌ଟି କର୍ଣ୍ଣର ସ୍ପେଶିଆଲିଷ୍ଟ ଗୁର୍‌ଜିତ୍‌ କୌର ମ୍ୟାଚ୍‌ର 9 ଏବଂ 35 ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ ।

    heavy rain alert in odisha

    8ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

    ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଏହାର ପ୍ରଭାବରେ ଉତ୍ତର, ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଅନୁଗୋଳ, ସୋନପୁର, ଦେବଗଡ ଓ ବୌଦ୍ଧ ଆଦି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ । ଆଜି ଏହି ସବୁ ଜିଲ୍ଲାରେ ସକାଳ 10.30 ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

    ଓ୍ବାୟାନାଡ ସଫେଇରେ ଅଂଶଗ୍ରହଣ କରିବେ 1 ଲକ୍ଷ ସ୍ବେଚ୍ଛାସେବୀ

    ବନ୍ୟା ପ୍ରପୀଡିତ କେରଳର ଓ୍ବାୟାନାଡର ସଫେଇ କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିବେ । ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ସଫେଇ କାର୍ଯ୍ୟକ୍ରମରେ ଏକାଧିକ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ସଙ୍ଗଠନ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ରବିବାର ସକାଳ 9ଟାରୁ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନିକଟରେ ଘଟିଥିବା ବନ୍ୟା ଏବଂ ଭୂସ୍ଖଳନରେ ଓ୍ବାୟାନାଡ ଭୟଙ୍କର ଭାବରେ ପ୍ରଭାବିତ ହୋଇଥିଲା । ଶୁକ୍ରବାର ଏକ ବୈଠକ ପରେ ରବିବାର ଏହି ସଫେଇ କାର୍ଯ୍ୟକ୍ରମ ହେବା ନେଇ ସ୍ଥିର ହୋଇଥିଲା ।

    ଆଇଏଏସ୍‌ ସ୍ତରରେ ଅଦଳବଦଳ : ଗଗନ ଧଳଙ୍କୁ ଓଏଫ୍‌ଡିସିର ଅଧ୍ୟକ୍ଷ ଦାୟିତ୍ବ

    ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏହି ଅଦଳ ବଦଳରେ ଗଗନ ଧଳଙ୍କୁ ଓଏଫ୍‌ଡିସିର ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ଏଣିକି ଏହି ପଦବୀ ମୁଖ୍ୟ ଶାସନ ସଚିବଙ୍କ ପଦବୀ ସହିତ ସମାନ ରହିବ । ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବରେ ଦାୟିତ୍ବ ପ୍ରଦାନ କରାଯିବା ସହିତ ଅତିରିକ୍ତ ଭାବରେ ଯୋଜନା ଓ ସମନ୍ବୟ ବିଭାଗ ଦାୟିତ୍ବ ମଧ୍ୟ ପ୍ରଦାନ କରାଯାଇଛି । ସୁଦର୍ଶନ ପାଲ୍‌ଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ବ ନ୍ୟସ୍ତ କରାଯାଇଛି ।

    ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଅଗ୍ନିକାଣ୍ଡ

    ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଅଗ୍ନିକାଣ୍ଡ ଘଟିଛି । ଡାକ୍ତରଖାନାର ପ୍ରଥମ ଦୁଇ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ କରିବା ନିମନ୍ତେ 7ଟି ଦମକଳ ଗାଡି ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ କୌଣସି ପ୍ରାଣହାନି ଘଟିନାହିଁ । ସର୍ଟ ସର୍କିଟ୍‌ କାରଣରୁ ଜରୁରୀ କାଳୀନ ବିଭାଗ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

    ତିରୁପତି ତିରୁମାଳା ମ୍ୟୁଜିୟମ୍‌ ବିକାଶରେ ଖର୍ଚ୍ଚ ହେବ 40 କୋଟି

    ତିରୁମାଳା ତିରୁପତି ଦେବସ୍ଥଳମ୍‌ ମ୍ୟୁଜିୟମ୍‌ ବିକାଶରେ 40 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । 1980ରୁ ଏହି ସଂଗ୍ରହାଳୟ ନିର୍ମାଣ ହୋଇଥିଲେ ମଧ୍ୟ ଏହାର ବିକାଶ ଅଧୁରା ରହିଛି । ଏହି ସଂଗ୍ରହାଳୟରେ ଅନେକ ପୁରୁଣା ମୂର୍ତ୍ତି ପଥର, ପୁରାତନ ପାଣ୍ଡୁଲିପି ଏବଂ ପୁରାତନ ଧାତବ ପଦାର୍ଥ ମହଜୁଦ ରହିଛି । 1ଲକ୍ଷ 25 ହଜାର ବର୍ଗଫୁଟ ସ୍ଥାନରେ ପରିବ୍ୟାପ୍ତ ଏହି ସଂଗ୍ରହାଳୟକୁ ଦୈନିକ 5 ହଜାରରୁ ଅଧିକ ପର୍ଯ୍ୟଟକ ଭ୍ରମଣ କରିଥାନ୍ତି ।

    ଥାନାକୁ ଗଲା ପୋଷ୍ଟର ମାମଲା: ଲିଖିତ ଅଭିଯୋଗ କଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି

    ଅଭିନେତା ପପୁ ପମ୍‌ପମ୍‌ଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନୈୟା’ଙ୍କ ପୋଷ୍ଟରକୁ ନେଇ ବିବାଦ ଏବେ ଜୋରସୋର । ଏହି ବିବାଦୀୟ ପୋଷ୍ଟର ଘଟଣା ଏବେ ଥାନାରେ । ଏହି ଫିଲ୍ମର ଅଭିନେତା ପପୁ ପମ୍‌ପମ୍‌ ଓ ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବା ସହ ଫିଲ୍ମକୁ ସମ୍ପୂର୍ଣ୍ଣ ବ୍ୟାନ୍‌ ପାଇଁ ମଧ୍ୟ ଦାବି କରାଯାଇଛି । ଏହି ଫିଲ୍ମରେ ମହିଳାଙ୍କୁ ଅପମାନିତ କରାଯାଇଛି ବୋଲି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ।

    ବିବାଦରେ ପପୁଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟର

    ଅଭିନେତା ପପୁ ପମପମଙ୍କ ଆଗାମୀ ଓଡିଆ ଫିଲ୍ମ ‘ମିଷ୍ଟର. କହ୍ନେୟା’ ପୋଷ୍ଟରକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି ବିବାଦ । ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ ହେବାପରେ ଲୋକମାନେ ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ସହ ପପୁଙ୍କୁ କଡା ସମାଲୋଚନା କରିଛନ୍ତି । ଏହି ପୋଷ୍ଟରରେ ପପୁ ୭ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି । ଏହି ଯୁବତୀମାନଙ୍କୁ ୭ଟି ଦଉଡିରେ ବନ୍ଧା ଯାଇଛି ଓ ସମସ୍ତ ଦଉଡି ପପୁଙ୍କ ହାତରେ ରହିଛି । ତେବେ ଏଭଳି ପୋଷ୍ଟର ମହିଳାଙ୍କ ପ୍ରତି ଅପମାନ ବୋଲି ଲୋକମାନେ ତୀବ୍ର ସମାଲୋଚନା କରିଛନ୍ତି । ତେବେ ଏହି ସମ୍ପର୍କରେ ପପୁ କିମ୍ବା ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ତରଫରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

    ସାଂସଦ ସଙ୍ଗୀତା ସିଂହଦେଓ – ଲଲିତ ନାୟକ ଗୋଷ୍ଠୀ ମୁହାଁମୁହିଁ

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ସମୀକ୍ଷା ବୈଠକ ବାହାରେ ସାଂସଦ ସଙ୍ଗୀତା ସିଂହଦେଓ – ଲଲିତ ନାୟକ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବୈଠକରୁ ସଙ୍ଗୀତା ବାହାରିବା ପରେ ଲଳିତ ଓ ତାଙ୍କ ଗୋଷ୍ଠୀ ବିରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ନାରେ ଉଭୟ ଗୋଷ୍ଠୀ ମଧ୍ୟରେ ଠେଲାପେଲା ଓ ପାଟିତୁଣ୍ଡ ହୋଇଥିଲା । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି । ଆକାଶ ମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ସମସ୍ୟାର ସମାଧାନ ନେଇ ଆଲୋଚନା ମଧ୍ୟ କରିଥିଲେ ।

    ରାଜ୍ୟ ଆଦ୍ରଭୂମି ପ୍ରାଧିକରଣ ବୈଠକ : ଚିଲିକା ପାଇଁ ୧୫୮କୋଟିର ବ୍ୟୟ ଅଟକଳ

    ରାଜ୍ୟ ଆଦ୍ରଭୂମି ପ୍ରାଧିକରଣର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ପ୍ରମୁଖ ତିନି ଆଦ୍ରଭୂମି ଯଥା ଚିଲିକା, ଅଂଶୁପା ଓ ଭିତରକନିକାର ବିକାଶ ପାଇଁ ବୈଠକରେ ଆଲୋଚନା ହୋଇଛି । ଏଥିରେ ଆଦ୍ରଭୂମି ଗୁଡ଼ିକର ବିକାଶ ପାଇଁ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ମିଳିଛି । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।  ଚିଲିକା ହ୍ରଦର ସମନ୍ୱିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ ଅଟକଳ ହୋଇଥିବାବେଳେ ଅଂଶୁପା ଆଦ୍ରଭୂମିର ଉନ୍ନତି ପାଇଁ ୨୧ କୋଟି ୨୩ ଲକ୍ଷର ଯୋଜନାକୁ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି ।

    ପୁଣି ଥରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ : ଜଣେ ଯବାନ ସହିଦ୍‌

    ପୁଣି ଥରେ ପାକିସ୍ତାନ ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାର ନୌଶରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ସହିଦ ହୋଇଛନ୍ତି ଯବାନ ଲାନ୍ସ ନାୟକ ସନ୍ଦୀପ ଥପ୍ପା। ସହିଦଙ୍କ ଘର ଉତ୍ତରାଖଣ୍ଡର ଡେରାଡୁନ ବୋଲି ଜଣାପଡ଼ିଛି। ପ୍ରଥମେ ସେ ଗଭୀର ଆହତ ହୋଇଥିଲେ ଏହାପରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ ସାଢ଼େ ୬ଟା ବେଳେ ସୀମାରେ ପାକିସ୍ତାନ ପଟୁ ପ୍ରବଳ ଗୁଳି ମାଡ଼ ହୋଇଥିଲା। ଯାହାର ଜବାବ ମଧ୍ୟ ଭାରତ ଦେଉଛି। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ ନେଇ ନିଷ୍ପତ୍ତି ନେବା ପରେ ପାକିସ୍ତାନ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି।

    ଚାଷୀଙ୍କ ପାଇଁ ଓଡ଼ିଶା ଦେଇଛି ୬ଟି ପ୍ରସ୍ତାବ : କୃଷି ମନ୍ତ୍ରୀ ଅରୁଣ ସାହୁ

    ନିତି ଆୟୋଗ ବୈଠକରୁ ଫେରିଲା ପରେ କୃଷି ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।  କୃଷକଙ୍କ ଅଧିକାର ଓ ଉନ୍ନତି ଦିଗରେ ଓଡ଼ିଶା ୬ଟି ପ୍ରସ୍ତାବ ଦେଇଛି । ଭାଗଚାଷୀ ଯେପରି ସହଜେର କୃଷି ଋଣ ପାଇବେ ସେ ନେଇ ପ୍ରସ୍ତାବ ଦିଆଯାଇଛି । ସେହିପରି ଉଦ୍ୟାନ କୃଷି, ପଶୁପାଳନ କ୍ଷେତ୍ରରେ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ରହିଛି । ମତ୍ସ୍ୟଚାଷୀମାନଙ୍କୁ ବୀମାରେ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତାବ ଦିଆଯାଇଛି । କୃଷକଙ୍କ ଦକ୍ଷତା ବିକାଶ ଓ ଅର୍ଥକରୀ ଫସଲକୁ ପ୍ରୋତ୍ସାହନ ପାଇଁ ପ୍ରସ୍ତାବ ମଧ୍ୟ ରହିଛି । ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଚାଷ ପ୍ରଣାଳୀଙ୍କୁ ସୁଦୃଢ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

    ଅରୁଣ ଜେଟ୍‌ଲୀ ଗୁରୁତର : ଏମ୍ସରେ ଭେଟିଲେ ହର୍ଷବର୍ଦ୍ଧନ ଏବଂ ଅଭିଷେକ ମନୁ ସିଂଘଭୀ

    ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଜେଟ୍‌ଲୀଙ୍କୁ ଭେଟିଛନ୍ତି । ଉଭୟ ଜେଟ୍‌ଲୀଙ୍କ ଆରୋଗ୍ୟ କାମନା କରିଛନ୍ତି । ଶୁକ୍ରବାର ରାତିରେ ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ଅଶ୍ବିନୀ ଚୌବେ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜେଟ୍‌ଲୀଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ । ଅଗଷ୍ଟ 9 ତାରିଖରେ ଜେଟ୍‌ଲୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲେ ମଧ୍ୟ ସ୍ଥିର ରହିଛି ।

    ବୈଷୟିକ ତ୍ରୁଟି କାରଣରୁ ଚେନ୍ନାଇ ମେଟ୍ରୋରେ ମାଗଣା ଯାତ୍ରା

    ଶନିବାର ଚେନ୍ନାଇ ମେଟ୍ରୋରେ ଏକ ଭିନ୍ନ ଜିନିଷ ଦେଖିବାକୁ ମିଳିଥିଲା । ବିଭିନ୍ନ ଯାତ୍ରୀ ମାନେ ମାଗଣାରେ ମେଟ୍ରୋରେ ଯାତ୍ରା କରିଥିଲେ । ଟିକେଟ୍‌ ସଂଗ୍ରହ ନିମନ୍ତେ ରହିଥିବା ସ୍ବୟଂଚାଳିତ ବ୍ୟବସ୍ଥା ଅଚଳ ହୋଇ ପଡିବାରୁ ଯାତ୍ରୀ ମାନଙ୍କୁ ମାଗଣା ଯାତ୍ରା କରିବାକୁ ମିଳିଥିଲା । ସକାଳ 6 ଟା ପରଠାରୁ ସମୁଦାୟ 32ଟି ଷ୍ଟେସନ୍‌ରେ ଏହି ଅବ୍ୟବସ୍ଥା ଜାରି ରହିଥିଲା । ଅପରାହ୍ନ 11 ଟା ପର୍ଯ୍ୟନ୍ତ ଏକହି 32ଟି ଷ୍ଟେସନ୍‌ରେ ମାଗଣା ଯାତ୍ରାର ସୁଯୋଗ ମିଳିଥିଲା । ବିଭିନ୍ନ ସମୟରେ ଏହି ସ୍ବୟଂଚାଳିତ ଟିକେଟ୍‌ ମେସିନ୍‌ରେ ସମସ୍ୟା ଦେଖାଦେଉଥିବାର ଅଭିଯୋଗ ଆସିଛି ।

    ବିଜେପିରେ ଯୋଗଦେଲେ ଆପ୍‌ର ବିଦ୍ରୋହୀ ନେତା କପିଲ୍‌ ମିଶ୍ରା

    ପୂର୍ବତନ ଆମ ଆଦମୀ ପାର୍ଟି ନେତା କପିଲ୍‌ ମିଶ୍ରା ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଭାଜପା ନେତା ମନୋଜ ତିଓ୍ବାରୀ ଓ ବିଜୟ ଗୋଏଲଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ସମୟରେ ବିଜେପି ପାଇଁ ପ୍ରଚାର କରିଥିଲେ, ଯେଉଁଥିପାଇଁ ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ରାମ ନିବାସ ଗୋଏଲ୍‌  କପିଲ୍‌ ମିଶ୍ରାଙ୍କ ଉପରେ ଦଳ ବିରୋଧୀ ଆଇନ୍‌ ଲଗାଇ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ଗତକାଲି କପିଲ୍‌ ମିଶ୍ରା ବିଜେପିରେ ଯୋଗ ଦେବେ ବୋଲି ଟୁଇଟ୍‌ରେ ସୂଚନା ଦେଇଇଥିଲେ ।

    ଦୁଇଦିନିଆ ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ : ବିମାନ ବନ୍ଦରରେ ମୋଦିଙ୍କୁ ସ୍ବାଗତ କଲେ ଲୋଟେ ସେରିଙ୍ଗ୍‌

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ବିମାନବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସ୍ବାଗତ କରିଛନ୍ତି ଭୁଟାନ୍‌ର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍‌ । ଏଠାରେ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ଏହି ଗସ୍ତକାଳରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି। ଏହାସହିତ ଭାରତ-ଭୁଟାନ ମଧ୍ୟରେ କେତେକ ଦ୍ୱିପାକ୍ଷିକ ଚୁକ୍ତି ଏହି ଅବସରରେ ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ଏଠାରେ ପ୍ରଧାନମନ୍ତ୍ରୀ ୧୦ଟି ଚୁକ୍ତି ସ୍ବାକ୍ଷର କରିବା ସହିତ ୫ଟି ପରିଯୋଜନାକୁ ଲୋକାର୍ପଣ କରିବେ। ଏହା ସହିତ ଏଠାରେ ରୁପେ କାର୍ଡର ମଧ୍ୟ ଶୁଭାରମ୍ଭ କରିବେ ବୋଲି ଜଣାପଡିଛି ।